ଗ୍ରାମ୍ୟ ନିର୍ମାଣ ଉପ ବିଭାଜନରେ କାର୍ଯ୍ୟକାରୀ ହେଉନି ସୂଚନା ଅଧିକାର ଆଇନ; ବିଭ୍ରାନ୍ତି କର ତଥ୍ୟ ଦେଉଥିବା ଅଭିଯୋଗ, ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଅନୁପସ୍ଥିତକୁ ନେଇ ଚର୍ଚ୍ଚା
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୨୨/ ୭ : ଖୋରଧା ଗ୍ରାମ୍ୟ ନିର୍ମାଣ ଉପ ବିଭାଜନ କାର୍ଯ୍ୟାଳୟରେ ସୂଚନା ଅଧିକାର ଆଇନ-୨୦୦୫ ର ସଠିକ୍ କାର୍ଯ୍ୟକାରିତାକୁ ନେଇ ପୁଣିଥରେ ପ୍ରଶ୍ନ ଉଠିଛି।
ସୂଚନା ଅଧିକାର ଆଇନ ଅନୁଯାୟୀ ଆବେଦନ କରିବା ପରେ ଆବେଦନକାରୀଙ୍କୁ ସଠିକ୍ ଓ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରାଯାଉନଥିବା ସହ ବିଭ୍ରାନ୍ତିକର ଉତ୍ତର ଦିଆଯାଉଥିବା ନେଇ ଅଭିଯୋଗ ସାମ୍ନାକୁ ଆସିଛି। ଏହି ଘଟଣାକୁ ନେଇ ବିଭାଗର ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସୂଚନା ଅଧିକାର କର୍ମୀ ଦିଲ୍ଲୀପ କୁମାର ପଟ୍ଟନାୟକ ଖୋରଧା ଗ୍ରାମ୍ୟ ନିର୍ମାଣ ଉପ ବିଭାଜନ କାର୍ଯ୍ୟାଳୟରେ ଅବସ୍ଥାପିତ ଜନ ସୂଚନା ଅଧିକାରୀଙ୍କ ନିକଟରେ ସୂଚନା ଅଧିକାର ଆଇନ ଅନୁଯାୟୀ ବିଭିନ୍ନ ପ୍ରସଙ୍ଗରେ ସୂଚନା ମାଗିଥିଲେ।
ମାତ୍ର ପ୍ରାପ୍ତ ଉତ୍ତରରେ ଅନେକ ତଥ୍ୟ ଅସ୍ପଷ୍ଟ, ଅସମ୍ପୂର୍ଣ୍ଣ ଓ ବିଭ୍ରାନ୍ତିକର ଥିବା ନେଇ ସେ ଅଭିଯୋଗ କରିଛନ୍ତି। ତାଙ୍କ କହିବା ଅନୁଯାୟୀ, କାର୍ଯ୍ୟାଳୟ ପକ୍ଷରୁ ପତ୍ର ସଂଖ୍ୟା–୧୪୭, ତାରିଖ–୨୧.୦୭.୨୦୨୬ରେ ପ୍ରଦାନ କରାଯାଇଥିବା ଉତ୍ତରରେ ବାସ୍ତବ ତଥ୍ୟର ପ୍ରତିଫଳନ ହୋଇନାହିଁ।
ଅଭିଯୋଗ ଅନୁସାରେ, ଜନ ସୂଚନା ଅଧିକାରୀ ଭାବେ ଦାୟିତ୍ୱରେ ଥିବା ସହକରୀ ନିର୍ବାହୀ ଯନ୍ତ୍ରୀ ସୂଚନା ଅଧିକାର ଆଇନର ମୂଳ ଉଦ୍ଦେଶ୍ୟକୁ ପାଳନ କରିବା ପରିବର୍ତ୍ତେ ଏଭଳି ଉତ୍ତର ଦେଇ ଆବେଦନକାରୀଙ୍କୁ ବିଭ୍ରାନ୍ତ କରୁଛନ୍ତି।
ଏପରି ଘଟଣା ଲଗାତାର ଘଟୁଥିବାରୁ ସରକାରୀ କାର୍ଯ୍ୟାଳୟର ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ପ୍ରତି ସାଧାରଣ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହେଉଥିବା ମତ ପ୍ରକାଶ ପାଇଛି।
ଏହା ସହିତ ଗ୍ରାମ୍ୟ ନିର୍ମାଣ ଉପ ବିଭାଜନ କାର୍ଯ୍ୟାଳୟର ସହକାରୀ ନିର୍ବାହୀ ଯନ୍ତ୍ରୀ ନିୟମିତ ଭାବେ କାର୍ଯ୍ୟାଳୟକୁ ଆସୁନଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି।
ଫଳରେ ଦୈନନ୍ଦିନ ପ୍ରଶାସନିକ କାର୍ଯ୍ୟ ପ୍ରଭାବିତ ହେଉଥିବା ସହ ସାଧାରଣ ଲୋକ ବିଭିନ୍ନ ସେବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିବା କଥା ମଧ୍ୟ ଉଠିଛି। ଘଟଣା ସମ୍ପର୍କରେ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ପ୍ରତିକ୍ରିୟା ଜାଣିବା ପାଇଁ ତାଙ୍କ ସରକାରୀ ମୋବାଇଲ୍ ନମ୍ବରରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଦିନତମାମ ଫୋନ୍ ସୁଇଚ୍ ଅଫ୍ ଥିବାରୁ ତାଙ୍କ ମତାମତ ମିଳିପାରିନଥିଲା। ସେହିପରି ଗ୍ରାମ୍ୟ ନିର୍ମାଣ ବିଭାଜନ, ଭୁବନେଶ୍ୱରର ଅଧୀକ୍ଷଣ ଯନ୍ତ୍ରୀଙ୍କ ସହ ମଧ୍ୟ ଫୋନ୍ ଯୋଗେ ଯୋଗାଯୋଗର ଚେଷ୍ଟା କରାଯାଇଥିଲେ ହେଁ ସେ ଫୋନ୍ ରିସିଭ୍ କରିନଥିବାରୁ ତାଙ୍କ ପ୍ରତିକ୍ରିୟା ମଧ୍ୟ ମିଳିପାରିନଥିଲା।
ସୂଚନା ଅଧିକାର କର୍ମୀଙ୍କ ମତରେ, ସୂଚନା ଅଧିକାର ଆଇନର ଉଦ୍ଦେଶ୍ୟ ହେଉଛି ସରକାରୀ କାର୍ଯ୍ୟରେ ସ୍ୱଚ୍ଛତା, ଓ ଲୋକଙ୍କ ସୂଚନା ପାଇବାର ଅଧିକାରକୁ ସୁନିଶ୍ଚିତ କରିବା।
ଯଦି ଜନ ସୂଚନା ଅଧିକାରୀମାନେ ସଠିକ୍ ସୂଚନା ଦେବା ପରିବର୍ତ୍ତେ ବିଭ୍ରାନ୍ତିକର ଉତ୍ତର ପ୍ରଦାନ କରିବେ, ତେବେ ଆଇନର ମୂଳ ଉଦ୍ଦେଶ୍ୟ ବିଫଳ ହେବ ବୋଲି ସେ କହିଛନ୍ତି।
ଏହି ଘଟଣାର ନିରପେକ୍ଷ ତଦନ୍ତ କରାଯାଇ ଯଦି ଅଭିଯୋଗର ସତ୍ୟତା ମିଳେ, ତେବେ ଦାୟୀ ଅଧିକାରୀଙ୍କ ବିରୋଧରେ ଆଇନ ଅନୁଯାୟୀ ପଦକ୍ଷେପ ନେବା ସହ ସୂଚନା ଅଧିକାର ଆଇନର ସଠିକ୍ କାର୍ଯ୍ୟକାରିତା ସୁନିଶ୍ଚିତ କରିବାକୁ ବୁଦ୍ଧିଜୀବୀ ମହଲରେ ରେ ଦାବି ଉଠିଛି।




