ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳଙ୍କ କଣ୍ଟାମାଳ ତହସିଲ ଓ ମନମୁଣ୍ଡା ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ପରିଦର୍ଶନ
କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୮/୧୧ : ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ବିରଞ୍ଚି ନାରାୟଣ ଦରୱାନ କଣ୍ଟାମାଳ ତହସିଲ କାର୍ଯ୍ୟାଳୟ ଏବଂ ମନମୁଣ୍ଡାସ୍ଥିତ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ପରିଦର୍ଶନ କରି ବିଭିନ୍ନ ରାଜସ୍ୱ କାର୍ଯ୍ୟର ସମୀକ୍ଷା କରିଥିଲେ।
ଏହି ପରିଦର୍ଶନ ସମୟରେ କଣ୍ଟାମାଳ ତହସିଲଦାର ଜ୍ୟୋତି ରଞ୍ଜନ ଭୁଏ, ଅତିରିକ୍ତ ତହସିଲଦାର, ରାଜସ୍ୱ ନିରୀକ୍ଷକ ଏବଂ ତହସିଲ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।
ପରିଦର୍ଶନ ଅବସରରେ ଅତିରିକ୍ତ ଜିଲ୍ଲାପାଳ କାର୍ଯ୍ୟାଳୟର ବିଭିନ୍ନ କାର୍ଯ୍ୟଧାରା, ରାଜସ୍ୱ ପ୍ରଶାସନର ସ୍ଥିତି ଏବଂ ଜନସାଧାରଣଙ୍କୁ ଯୋଗାଇ ଦିଆଯାଉଥିବା ସେବା ସମ୍ପର୍କରେ ଅବଗତ ହୋଇଥିଲେ।
ସରକାରୀ କାର୍ଯ୍ୟ କେବଳ ନିୟମ ପାଳନରେ ସୀମିତ ନ ରହି ଜନସାଧାରଣଙ୍କ ସମସ୍ୟାର ସମୟୋଚିତ ଓ ସନ୍ତୋଷଜନକ ସମାଧାନ ଉପରେ ଗୁରୁତ୍ୱ ଦେବାକୁ ସେ ଅଧିକାରୀ ଓ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଥିଲେ।
ବର୍ତ୍ତମାନ ସରକାରଙ୍କ ମୁଖ୍ୟ ଆଭିମୁଖ୍ୟ ହେଉଛି ପ୍ରଶାସନକୁ ଜନସାଧାରଣଙ୍କ ନିକଟତର କରିବା ଏବଂ ସରକାରୀ ସେବାକୁ ଲୋକଙ୍କ ଦ୍ୱାରଦେଶରେ ପହଞ୍ଚାଇବା।
ଏହି ଲକ୍ଷ୍ୟକୁ ସାକାର କରିବା ପାଇଁ ପ୍ରତ୍ୟେକ ଅଧିକାରୀ ଓ କର୍ମଚାରୀ ନିଜ ଦାୟିତ୍ୱକୁ ନିଷ୍ଠା, ସ୍ୱଚ୍ଛତା ଓ ସମର୍ପିତ ମନୋଭାବରେ ସମ୍ପାଦନ କରିବା ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଥିଲେ।
ବିଶେଷ କରି ରାଜସ୍ୱ ଆଦାୟ ପ୍ରକ୍ରିୟାକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସମାପ୍ତ କରିବା, ରାଜସ୍ୱ ସମ୍ବନ୍ଧୀୟ ମାମଲାଗୁଡ଼ିକର ତ୍ୱରିତ ଫଇସଲା କରିବା,ଜମି ପଟ୍ଟାର ଦ୍ୱିତୀୟ ଖାନାରେ ଥିବା ତ୍ରୁଟିର ସଂଶୋଧନ କରିବା ଏବଂ ଜମିଜମା ସମ୍ବନ୍ଧୀୟ ସମସ୍ୟାର ସମାଧାନକୁ ପ୍ରାଥମିକତା ଦେବାକୁ ସେ ନିର୍ଦ୍ଦେଶ ଦେଇଥିଲେ।
ଏଥିସହ ଭୂମିହୀନ ଓ ଗରିବ ପରିବାରମାନଙ୍କୁ ସରକାରୀ ନିୟମ ଓ ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ ବାସଗୃହ ନିମନ୍ତେ ଜମି ଯୋଗାଇ ଦେବା ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଥିଲେ।
ଜନସାଧାରଣଙ୍କ ଆବେଦନ ଓ ଅଭିଯୋଗକୁ ସମ୍ବେଦନଶୀଳତାର ସହ ବିଚାର କରିବା ସହ ନିର୍ଦ୍ଧାରିତ ସମୟରେ ସେବା ପ୍ରଦାନ କରିବା ଦ୍ୱାରା ପ୍ରଶାସନ ପ୍ରତି ଲୋକଙ୍କ ଆସ୍ଥା ଓ ବିଶ୍ୱାସ ଅଧିକ ସୁଦୃଢ଼ ହୋଇପାରିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଉଲ୍ଲେଖ କରିଥିଲେ।




