ଖୋରଧା ପୌର ପରିଷଦ ଡ୍ରେନ ଓ ପରିମଳ ଟେଣ୍ଡର ପ୍ରକ୍ରିୟାରେ ୬ କୋଟିର ଦୁର୍ନୀତି ଅଭିଯୋଗ
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୧/୫ : ଖୋରଧା ପୌର ପରିଷଦ ଟେଣ୍ଡର ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି।
ଡ୍ରେନ ଓ ପରିମଳ ସଫେଇ ପାଇଁ ହୋଇଥିବା ଟେଣ୍ଡରରେ ପ୍ରାୟ ୬ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଛି ଓଡ଼ିଶା ଚୁକ୍ତିଭିତ୍ତିକ ଠିକା ସଫେଇ କର୍ମଚାରୀ ସଂଘ ।
ଏହି ଟେଣ୍ଡରକୁ ରଦ୍ଦ କରିବା ସହ ଦୋଷୀ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଧାରଣା ଦେବା ସହ ଲିଖିତ ଅଭିଯୋଗ କରାଯାଇଛି।
ଏଥିସହିତ ଓଡ଼ିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶକ, ପ୍ରମୁଖ ଶାସନ ସଚିବ, ଲୋକାୟୁକ୍ତ ଓ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି।
ଖୋରଧା ଜିଲ୍ଲାପାଳ ଅମ୍ରିତ ଋତୁରାଜ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
ଅଭିଯୋଗରେ ଉଲ୍ଲେଖ ରହିଛି ଯେ, ଖୋରଧା ପୌରପାଳିକା ୨୦୨୫ ସେପ୍ଟେମ୍ବର ୨୧ରେ ଓଡ଼ିଶା ସରକାରଙ୍କ ଇ-ପ୍ରୋକ୍ୟୁରମେଣ୍ଟ ପୋର୍ଟାଲ ମାଧ୍ୟମରେ ଦୁଇଟି ପୃଥକ ଟେଣ୍ଟର ଆହ୍ବାନ କରିଥିଲା ।
ପୌର ପରିଷଦ ୱାର୍ଡ ନମ୍ବର ୧ ରୁ ୨୨ରେ ଡ୍ରେନ, ଶୌଚାଳୟ
ପରିସ୍ରାଗାର ସଫେଇ ଘରୋଇକରଣ ପାଇଁ ଇ-ପ୍ରୋକ୍ଲୋରମେଣ୍ଟ ନୋଟିସ ୩୦୫୧ ନମ୍ବର ୦୩/୨୦୨୫-୨୬ ଟେଣ୍ଡର ଆହ୍ୱାନ କରିଥିଲେ। ଯାହାର ଆନୁମାନିକ ମୂଲ୍ୟ ୧.୨୨, ୭୧, ୬୯୨ ଟଙ୍କା ରହିଛି। ଟେଣ୍ଡର-୨ରେ ଇ-ପ୍ରୋକ୍ୟୁରମେଣ୍ଟ ନୋଟିସ ନମ୍ବର ୦୪/୨୦୨୫-୨୬ରେ ପୌର ପରିଷଦ ଅଧିନସ୍ଥ ୨୨ଟି ୱାର୍ଡ ରାସ୍ତା ସଫା କରିବା, କଠିନ ବର୍ଜ୍ୟବସ୍ତୁ ସଂଗ୍ରହ ସମେତ ପରିମଳ କାର୍ଯ୍ୟର ଘରୋଇକରଣ ପାଇଁ ଟେଣ୍ଡର ଆହ୍ବାନ କରିଥିଲେ। ଯାହାର ମୂଲ୍ୟ ୫.୦୨.୪୨,୨୦୦ ଟଙ୍କା ରହିଛି ବୋଲି ଅଭିଯୋଗ ରେ ଦର୍ଶାଯାଇଛି।
ଏହି ଟେଣ୍ଡର ପ୍ରକ୍ରିୟାର ସର୍ତ୍ତାବଳୀକୁ ଖୋଲା ଖୋଲି ଭାବେ ଉଲଘଂନ କରାଯାଇଛି। ଜିଲ୍ଲା ପ୍ରଶାସନ ଏ ଦିଗରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିବାକୁ ଓଡ଼ିଶା ଚୁକ୍ତିଭିତ୍ତିକ ଠିକା ସଫେଇ କର୍ମଚାରୀ ସଂଘ ଦାବି କରିଛି। ସଙ୍ଘର ରାଜ୍ୟ ସଭାପତି ମୋହନ ନାୟକ ଏହି ଅନିୟମିତତା ଅଭିଯୋଗର ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ ଦାବି କରିଛନ୍ତି।




