ଆଜି ହେଉଛି ପବିତ୍ର କୁମାର ଉତ୍ସବ, ଚଳଚଞ୍ଚଳ ଗାଁଠୁ ସହର
ଭୁବନେଶ୍ୱର, ୨୫/୧୦ : ଆଜି ହେଉଛି ଆଶ୍ବିନ ମାସର ଶେଷ ଦିନ ପୂର୍ଣ୍ଣମୀ ତିଥି। କାଲିଠାରୁ ଆରମ୍ଭ ହେବ ପବିତ୍ର ମାସ କାର୍ତ୍ତିକ । ଆଜିର ଦିନକୁ କୁଆଁରୀ ଝିଅମାନେ କୁମାର ପୂର୍ଣ୍ଣିମା ଭାବରେ ପାଳନ କରୁଛନ୍ତି । ଏହାକୁ ଓଡିଶାର କୁଆଁରୀ ଝିଅ ମାନଙ୍କ ଏକ ଗଣପର୍ବ କହିଲେ ଅତ୍ୟୁକ୍ତି ହେବ ନାହିଁ।
କାରଣ ସାରା ଓଡିଶାରେ ଏହି ଦିନଟିକୁ କୁଆଁରୀ ଝିଅ ମାନେ ବହୁ ଆଡମ୍ବର ସହକାରେ ପାଳନ କରିଥାନ୍ତି । ଏହି ପର୍ବରେ ଯୁବତୀମାନେ ସୂର୍ଯ୍ୟୋଦୟ ପୂର୍ବରୁ ଉଠି ସ୍ନାନ କରି ନୂଆ ପୋଷାକ ପିନ୍ଧନ୍ତି। ଏହାପରେ ସୂର୍ଯ୍ୟଦେବଙ୍କୁ ଖଇ, ଫଳମୂଳ ଓ ବିଭିନ୍ନ ପୂଜା ସାମଗ୍ରୀ ଅର୍ପଣ କରିଥାନ୍ତି। ଏହି ପରମ୍ପରାକୁ ଅଞ୍ଜୁଳି ଟେକା ବୋଲି କୁହାଯାଏ ।
ସନ୍ଧ୍ୟା ହେଲେ ଆକାଶରେ ଜହ୍ନ ଉଇଁବାକୁ ସମସ୍ତଙ୍କ ଅପେକ୍ଷା । ପୂର୍ଣ୍ଣଚନ୍ଦ୍ରଙ୍କୁ ଦର୍ଶନ କରି ଯୁବତୀମାନେ ଚନ୍ଦ୍ର ପୂଜା କରନ୍ତି । ପୂଜାରେ ମୁଖ୍ୟତଃ \’ଚନ୍ଦ୍ର ଚକଟା\’ ଏବଂ \’ମୁଣ୍ଡ ପିଠା\’ (ଚନ୍ଦ୍ର ମୁଣ୍ଡ) ପ୍ରସ୍ତୁତ କରାଯାଇ ଭୋଗ ଲଗାଯାଏ। କିନ୍ତୁ ଏହାର ରହିଛି କିଛି ଭିନ୍ନତା । କିଛି ସ୍ଥାନରେ ଏହାକୁ କୁମାର ପୂର୍ଣ୍ଣିମା ଭାବେ ପାଳନ କରାଯାଉଥିବା ବେଳେ ଦକ୍ଷିଣ ଓଡିଶା ଓ ପଶ୍ଚିମ ଓଡିଶାର କିଛି ଅଂଶରେ ଆଜିର ଦିନକୁ ଜହ୍ନି ଓଷା ରୂପେ ପାଳନ କରାଯାଏ।
ଉତ୍ତର ପୂର୍ବ ଓଡିଶାର କୁଆଁରୀ ଝିଅମାନେ ପୂର୍ଣ୍ଣମୀର ପାଞ୍ଚ ଦିନ ପୂର୍ବରୁ ଏହାର ପ୍ରସ୍ତୁତି ପୂର୍ବକ ସତ୍ତ୍ବିକ ରହି ପାଳନ କରୁଥିବା ସ୍ଥଳେ ଦକ୍ଷିଣ ଓ ପଶ୍ଚିମ ଓଡିଶାର ଝିଅମାନେ ଦୀର୍ଘ ଏକ ମାସ ପୂର୍ବରୁ ସାତ୍ତ୍ଵିକ ରହି ଆଜି ଦିନରେ ଏହାର ପୂର୍ଣ୍ଣାହୂତି ଦିଅନ୍ତି ।
ବିଶ୍ୱାସ ରହିଛି କାଳେ ଏହି ଓଷା କଲେ କୁଆଁରୀ ଝିଅମାନେ ମନଲାଖୀ ବର ପାଇଥାନ୍ତି । କିନ୍ତୁ ଲୋକକଥା ଅନୁଯାୟୀ ଏହି ଓଷା, ଝିଅମାନେ ନିଜ ଭାଇମାନଙ୍କ ଶୁଭ ମନାଷୀ କରିଥାନ୍ତି । ତେବେ ସିଏ ଯାହା ହେଉନା କାହିଁ, ଏହା ଓଡିଆ ଘରର ଏକ ପ୍ରାଚୀନ ପରମ୍ପରା । ଏହି ସମୟରେ ଅନେକ ସ୍ଥାନରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ମଧ୍ୟ ଆରମ୍ଭ ହୋଇଥାଏ ।




