Odisha News

ସ୍ୱତନ୍ତ୍ର ଓଡ଼ିଶା ନିର୍ମାଣରେ ମଧୁ ବାବୁଙ୍କ ରହିଥିଲା ପ୍ରମୁଖ ଭୂମିକା

ଲେଖକ ଜୟପ୍ରକାଶ ନାୟକ
ଯାଜପୁର, ୨୮/୪ : ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ। ତନ୍ତ୍ର ଓଡ଼ିଶା ନିର୍ମାଣରେ ମଧୁ ବାବୁଙ୍କ ରହିଥିଲା ପ୍ରମୁଖ ଭୂମିକା। ରାଜ୍ୟର ପ୍ରଥମ ବାରିଷ୍ଠର ଭାବେ ମଧ୍ୟ ଦେଶ ବିଦେଶରେ ବେଶ ନାଁ କରିଥିଲେ ମଧୁ ବାବୁ।
ଓଡ଼ିଆ ଜାତୀୟତାର ନବଜାଗରଣ ଯଦି ଉତ୍କଳ ଗୌରବ ମଧୁସୂଦନ ଦାସ ଓ ତାଙ୍କ ସହଯୋଗୀମାନଙ୍କ ଦ୍ୱାରା ଆରମ୍ଭ ହୋଇଥିଲା କୁହାଯାଏ, ତାହେଲେ ଖୋଜିବାକୁ ପଡ଼ିବ ଏହାର ଆଦି ସୂତ୍ରଧର କିଏ ଏବଂ କେବେଠୁ ଆରମ୍ଭ ହୋଇଥିଲା ଏହି ଚିନ୍ତନ।
ଏ କଥା ଆଲୋଚନା କରିବା ବେଳେ ପ୍ରଥମରୁ ଆମେ ସ୍ପଷ୍ଟ ହୋଇଯିବା ଉଚିତ୍ ଯେ ଯେଉଁ ନବଜାଗରଣ କଥା ଆମେ କହୁଛୁ ତାହା ଏକ ନିର୍ଦ୍ଦିଷ୍ଟ କାଳଖଣ୍ଡର; ଅର୍ଥାତ ବ୍ରିଟିଶ ଶାସନ କାଳର ଓଡ଼ିଆ ଜାତିର କଥା।
ତା’ର ବହୁ ଆଗକୁ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, ସାମାଜିକତା ଓ ଶାସନ କଥା ଏହି ପ୍ରବନ୍ଧର ପରିସରଭୁକ୍ତ ନୁହେଁ। ସେମିତି ଦେଖିଲେ ଓଡ଼ିଆ ଜନଜୀବନରେ ବିଭିନ୍ନ ସମୟରେ ଅତୀତରେ ନବଜାଗରଣମାନ ଆସିଛି ବିଭିନ୍ନ କାଳ ଖଣ୍ଡରେ। ସେ ଯଯାତି -୨ୟଙ୍କ ଶାସନକାଳ ହେଉ ଅଥବା, ଓଡ଼ିଆ ଅକ୍ଷରର ସୃଷ୍ଟି ଓ ଭାଷାର ବିକାଶ କିମ୍ବା ସାରଳା ଦାସଙ୍କ ମହାଭାରତ ରଚନା, ପଞ୍ଚସଖାଙ୍କ ବୌଦ୍ଧିକ ଅବଦାନ ବା ଆହୁରି କେତେ କଥା।
ପ୍ରସଙ୍ଗକୁ ଆସିବା। ମୋଗଲ ଓ ମରାଠା ଶାସନ ପରେ ବ୍ରିଟିଶ ଶାସକଙ୍କ ନିୟନ୍ତ୍ରଣକୁ ଓଡ଼ିଶା ଆସିବା ପରେ ଓଡ଼ିଶା ତାହାର ସ୍ଥିତି ଓ ପରିଚୟର ଏକ ସଙ୍କଟଜନକ ସ୍ଥିତିରେ ଥିଲା।
ଏହାର ବସୁଧା କେବଳ ବିଖଣ୍ଡିତ ହୋଇନଥିଲା; ବୌଦ୍ଧିକ ଭାବନାର ଓ ଜାତୀୟତାବାଦୀ ପ୍ରାଣ ଚେତନା ମଧ୍ୟ ଅବରୁଦ୍ଧ ହୋଇରହିଥିଲା।
ବାରମ୍ବାର ପ୍ରାକୃତିକ ବିପର‌୍ୟ୍ୟୟ ଓ ବୈଦେଶିକ ଆକ୍ରମଣ ପୀଡ଼ିତ ଓଡ଼ିଶା ସତେ ଯେପରି ତାହାର ପ୍ରାଣଶକ୍ତି ହରାଇଥିଲା।
ପାଶ୍ଚାତ୍ୟ ଶିକ୍ଷାର ପ୍ରଭାବରୁ କିଞ୍ଚିତ ଲାଭାନ୍ୱିତ ହୋଇ ଯେଉଁ କେତେକ ଓଡ଼ିଆ ସେତେବେଳେ ମୁଣ୍ଡ ଟେକୁଥିଲେ ସେମାନଙ୍କ ପ୍ରଭାବ ଓ ପ୍ରତିଷ୍ଠା ଅତ୍ୟନ୍ତ ସୀମିତ ଥିଲା। କର୍ମବୀର ଗୌରୀଶଙ୍କର ରାୟ, ଉତ୍କଳଗୌରବ ମଧୁସୂଦନ ଦାସ, ବ୍ୟାସକବି ଫକୀର ମୋହନ ସେନାପତି, ସ୍ୱଭାବକବି ଗଙ୍ଗାଧର, ଉତ୍କଳମଣି ଗୋପବନ୍ଧୁ ଦାସ ଆଦି ସେତେବେଳକୁ ଜାତୀୟ ଓ ସାଧାରଣ ଜୀବନକୁ ଆସିନଥିଲେ।
ଏହିସମୟରେ ଯେଉଁ କେତେକ ସୁପୁରୁଷ ଜନ୍ମଗ୍ରହଣ କରିଥିଲେ ସେମାନଙ୍କ ମଧ୍ୟରୁ ବିଚିତ୍ରାନନ୍ଦ ଦାସ ଅନ୍ୟତମ।
ସେ ମହାଶୟଙ୍କ ଜନ୍ମ ବର୍ତ୍ତମାନର ଯାଜପୁର ଜିଲ୍ଲା ଅନ୍ତର୍ଗତ କଣ୍ଟାବଣିଆ ଗାଁର ଏକ ସମ୍ଭ୍ରାନ୍ତ ପରିବାରେ ୧୮୨୭ ମସିହାରେ। ତାଙ୍କର ଜୀବନକାଳ ସ୍ୱଳ୍ପ ଥିଲା।
ସେ ମାତ୍ର ୪୮ ବର୍ଷ ପଞ୍ଚିଥିଲେ; କିନ୍ତୁ ତାଙ୍କର ଏହି ଛୋଟିଆ ଜୀବନଟି ଘଟଣାବହୁଳ ଥିଲା।
ସେ ମହାଶୟ କଟକ କିଲଟରୀରେ ଛୋଟିଆ ଚାକିରି କରିଥିଲେ ଓ ଅବିବାହିତ ଥିଲେ। ତାଙ୍କର ଅଧିକାଂଶ ସମୟ ଓଡ଼ିଆ ଭାଷା ସୁରକ୍ଷା , ଓଡ଼ିଶା ଓ ଓଡ଼ିଆଙ୍କ ଉନ୍ନତି ପାଇଁ କଟିଥିଲା। ଅର୍ଥାଭାବ ଯୋଗୁଁ ମଧୁସୂଦନ ଦାସ ଉଚ୍ଚଶିକ୍ଷା ପାଇଁ କଲିକତା ଯାଇପାରୁନଥିଲେ।
ସେ ବିଚିତ୍ରାନନ୍ଦଙ୍କ ସହାୟତା ଲୋଡିଥିଲେ। ବିଚିତ୍ରାନନ୍ଦ ଚାହୁଁନଥିଲେ ଯେ ଜଣେ ପ୍ରତିଭାବାନ ଓଡ଼ିଆ ମଧୁସୂଦନଙ୍କ ପାଠପଢ଼ା ସେତିକିରେ ରହୁ ଓ ସେ ବ୍ରିଟିଶ ସରକାରଙ୍କ ଅଧିନରେ ଜଣେ କିରାଣୀ ହୋଇ ଜୀବିକା ନିର୍ବାହ କରନ୍ତୁ।
ବିଚିନ୍ଦ୍ରାନନ୍ଦ କଲିକତା ହାଇକୋର୍ଟରେ ଚାକିରି କରିଥିବା ନିଜର ଜଣେ ସମ୍ପର୍କୀୟ ନୀଳମାଧବ ଦାସଙ୍କ ପାଖୁ ଚିଠି ଖଣ୍ଡିଏ ଲେଖି ମଧୁସୂଦନଙ୍କୁ ପଠାଇଲେ। ମଧୁସୂଦନ ତାଙ୍କ ଘର ରହି ଏଫଏ ଶ୍ରେଣୀରେ ନାମ ଲେଖାଇଲେ ଓ ତାଙ୍କ ପିଲାଙ୍କ ଟ୍ୟୁଟର ହୋଇଥିଲେ।
ବିଚିତ୍ରାନନ୍ଦ କଟକର ଏକ ଇଂରାଜୀ ମାଧ୍ୟମ ସ୍କୁଲରେ ପାଠ ପଢ଼ି ଏଣ୍ଟ୍ରାନ୍ସ ପରୀକ୍ଷା ଦେବାର ଯୋଗ୍ୟତା ଲାଭ କରିଥିଲେ। ଅଧିକ ପାଠ ନ ପଢ଼ି ସେ କିଲଟରୀରେ ଜଣେ ମୋହରିର ଭାବେ ଯୋଗ ଦେଲେ।
ଏଇ ପଦରେ ସେ ଦୀର୍ଘ ୧୬ ବର୍ଷ କାଳ ରହିଥିଲେ ହେଁ ପ୍ରଶାସନରେ ବଙ୍ଗାଳୀମାନଙ୍କ ପ୍ରାଦୁର୍ଭାବ ଓ ଓଡ଼ିଆ ଭାଷାର ଅବହେଳା ବିରୋଧରେ ପାରୁ ପର୍ଯ୍ୟନ୍ତ ସଂଗ୍ରାମ ଜାରି ରଖିଥିଲେ। ଟି ଏ ରେଭେନ୍ସା କମିଶନର ଭାବେ କଟକରେ ଯୋଗ ଦେବା ପରେ ତାଙ୍କ ସହିତ ବିଚିତ୍ରାନନ୍ଦଙ୍କର ସୁସମ୍ପର୍କ ବଢ଼ିଥିଲା। ରେଭେନ୍ସା ତାଙ୍କୁ ଅତ୍ୟନ୍ତ ଶ୍ରଦ୍ଧା ଓ ବିଶ୍ୱାସ କରୁଥିଲେ। ଥଟ୍ଟାରେ ରେଭେନ୍ସା ବିଚିତ୍ରାନନ୍ଦଙ୍କୁ କୁନି ପ୍ରଧାନମନ୍ତ୍ରୀ (ଲିଟିଲ୍ ପ୍ରାଇମିନିଷ୍ଟର) ବୋଲି ସମ୍ବୋଧନ କରୁଥିଲେ। ରେଭେନ୍ସା ତାଙ୍କୁ ମୋହରିରରୁ ଶିରସ୍ତାଦାର ପଦକୁ ଉନ୍ନୀତ କରିଥିଲେ ।

Related Posts