Odisha News

କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଡ଼ଙ୍ଗା ଭସାଇ ଓଡ଼ିଆ ପରମ୍ପରା ଓ ସାଧବପୁଅଙ୍କ ନୌବାଣିଜ୍ୟ ଇତିହାସକୁ ମନେ ପକାଇଲେ ଓଡ଼ିଶା ବାସୀ

ପ୍ରସନ୍ନ କୁମାର ପାଇକରାଙ୍କ ରିପୋର୍ଟ
ଖୋରଧା, ୨୫/୧୧ : ଆଶ୍ମିନ ଶୁକ୍ଳ ଏକାଦଶୀ ଠାରୁ ଆରମ୍ଭ ହୋଇଥିବା କାର୍ତ୍ତିକ ବ୍ରତ ପୂର୍ଣ୍ଣିମାରେ ଉଦଯାପିତ ହୋଇଥିଲା। ଏହି ଅବସରରେ ଜଟଣୀସ୍ଥିତ ପ୍ରସିଦ୍ଧ ଶୈବପୀଠ ଶ୍ରୀ ଶ୍ରୀ ବିଶ୍ୱନାଥ ଦେବଙ୍କ ମନ୍ଦିର ପରିସରରେ ଡ଼ଙ୍ଗା ଭସାଣ ଉତ୍ସବ ସହ ଆଧ୍ୟାତ୍ମିକ ଓ ସାଂସ୍କୃତିକ ଭଜନ ଆୟୋଜନ କରାଯାଇଥିଲା।
ପାରମ୍ପରିକ ଡଙ୍ଗା ଭସାଣ ଉତ୍ସବ ମହାଆନନ୍ଦ ଓ ଉତ୍ସାହର ସହ ପାଳିତ ହୋଇଯାଇଛି। ଏହି ଅବସରରେ ଭୋର ସମୟରୁ ମନ୍ଦିର ପୋଖରୀରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଜମିଥିଲା। ଶ୍ରଦ୍ଧାଳୁମାନେ ପବିତ୍ର ଜଳରେ ସ୍ନାନ କରିବା ସହ ପାରମ୍ପରିକ
କଦଳୀ ପଟୁଆ, ସୋଲ ଓ କାଗଜରେ ନିର୍ମିତ ବିଭିନ୍ନ ରଙ୍ଗବେରଙ୍ଗର ଡଙ୍ଗାରେ ପାନ, ଗୁଆ, ଧୂପ, ଦୀପ ଓ ଫୁଲ ରଖି ଶ୍ରଦ୍ଧାର ସହ ଜଳରେ ଭସାଇଥିଲେ। ଏହି ସମୟରେ \’ଆ କା ମା ବୈ, ପାନ ଗୁଆ ଥୋଇ\’ ପାନ ଗୁଆ ତୋର ,ମାସକ ଧରମ ମୋର \’ଗୀତରେ ଘାଟ ପରିବେଶ ମୁଖରିତ ହୋଇଉଠିଥିଲା।
ପ୍ରାଚୀନ କଳିଙ୍ଗର ସାଧବପୁଅମାନେ ବାଣିଜ୍ୟ ବ୍ୟବସାୟ ନିମନ୍ତେ ଦୂରଦେଶକୁ ସାମୁଦ୍ରିକ ଯାତ୍ରା କରୁଥିବା ଗୌରବମୟ ଇତିହାସକୁ ସ୍ମରଣ କରି ଏହି ପର୍ବ ପାଳନ କରାଯାଇଥାଏ। ଡଙ୍ଗା ଭସାଣ ମାଧ୍ୟମରେ ଓଡ଼ିଆ ଜାତିର ନୌବାଣିଜ୍ୟ ପରମ୍ପରା, ସଂସ୍କୃତି ଓ ଐତିହ୍ୟର ସ୍ମୃତି ଉଜ୍ଜୀବିତ ହୋଇଥାଏ। ପବିତ୍ର ପୂର୍ଣ୍ଣିମା ଅବସରରେ ମନ୍ଦିର ପ୍ରାଙ୍ଗଣରେ ଓଡ଼ିଶାର ପ୍ରତିଷ୍ଠିତ କଣ୍ଠଶିଳ୍ପୀ ଓ କଳାକାରମାନଙ୍କ ଦ୍ୱାରା ପରିବେଷିତ ଭକ୍ତିମୟ ଭଜନରେ ସମଗ୍ର ମନ୍ଦିର ପରିବେଶ ଭକ୍ତିରସରେ ଭରିଉଠିଥିଲା। ଉପସ୍ଥିତ ଶ୍ରଦ୍ଧାଳୁ ଓ ଭକ୍ତମାନେ ଠାକୁରଙ୍କୁ ଦର୍ଶନ କରିବା ସହ ଭଜନର ମଧୁର ସ୍ୱରରେ ବିଭୋର ହୋଇଥିଲେ। ଭଗବାନ ଶିବଙ୍କ ମହିମା ଓ ଭକ୍ତିଭାବନାକୁ ନେଇ ପରିବେଷିତ ସଙ୍ଗୀତ ଶ୍ରୋତାଙ୍କ ମନରେ ଆଧ୍ୟାତ୍ମିକ ଚେତନା ଜାଗ୍ରତ କରିଥିଲା। କଳାକାରମାନଙ୍କ ଆକର୍ଷଣୀୟ ସଙ୍ଗୀତ ପରିବେଷଣ ଦର୍ଶକଙ୍କ ମନ ମୋହିଥିଲା।
କାର୍ତ୍ତିକ ପୂର୍ଣ୍ଣିମାର ଧାର୍ମିକ ମହତ୍ତ୍ୱ ସହ ଓଡ଼ିଶାର ସମୃଦ୍ଧ ଭଜନ ଓ ସଙ୍ଗୀତ ପରମ୍ପରାକୁ ଯୋଡ଼ି ଏହି କାର୍ଯ୍ୟକ୍ରମ ଏକ ସୁନ୍ଦର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା। ପ୍ରତ୍ୟେକ ବର୍ଷ ପରି ଏ ବର୍ଷ ମଧ୍ୟ କୁମାର ଖାତିଆ,ଗୋଡ଼ାଧର୍ମ ସାଗର ଗ୍ରାମ୍ୟ କମିଟି ଓ ଯୁବକ ସଙ୍ଘ ପକ୍ଷରୁ ଅନୁଷ୍ଠିତ ଭକ୍ତିମୟ ଆଧ୍ୟାତ୍ମିକ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା।

Related Posts