ରୋଟାରୀ କ୍ଳବରେ ଗୁରୁବନ୍ଦନା ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୭/୯: ଖୋରଧା ରୋଟାରୀ କ୍ଲବ ପରିସରରେ ଗୁରୁ ଦିବସ ଅବସରରେ ଗୁରୁବନ୍ଦନା ଏବଂ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କ୍ଲବର ସଦସ୍ୟମାନେ ନିଜ ଶିକ୍ଷାଗୁରୁ ତଥା ମାର୍ଗଦର୍ଶକ ମାନଙ୍କୁ ସମ୍ମାନ ଜଣାଇ ଗୁରୁ-ଶିଷ୍ୟ ପରମ୍ପରାର ମହତ୍ତ୍ୱକୁ ସ୍ମରଣ କରିଥିଲେ।
ଏହି ଅବସରରେ ରୋଟାରିଆନ ତଥା ପୂର୍ବତନ ଶିକ୍ଷାବିତ୍ ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି, ନରସିଂହ ପ୍ରସାଦ ପଟ୍ଟନାୟକ, ଡ. ସୁବୋଧ ଜଗଦ୍ଦେବ, ପ୍ରଫେସର ସୁକାନ୍ତ ନାୟକ ଓ ମିହିର କୁମାର ନାୟକଙ୍କୁ କ୍ଲବ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।
କ୍ଲବର ସଦସ୍ୟମାନେ ସମ୍ବର୍ଦ୍ଧିତ ଗୁରୁମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରିବା ସହ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ।
ଏଥିସହ ଗୁରୁମାନଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ। ସମାରୋହରେ ଗୁରୁଙ୍କ ମହିମା ବର୍ଣ୍ଣନା କରି ସଦସ୍ୟମାନେ କହିଥିଲେ ଯେ, ଗୁରୁ ହେଉଛନ୍ତି ଜ୍ଞାନର ଆଲୋକବର୍ତ୍ତିକା। ସନ୍ଥ ତୁଳସୀଦାସଙ୍କ ‘ରାମଚରିତମାନସ’ରେ ଗୁରୁଙ୍କ ମହତ୍ତ୍ୱକୁ ଅତ୍ୟନ୍ତ ଶ୍ରଦ୍ଧାର ସହ ବର୍ଣ୍ଣନା କରାଯାଇଛି।
ଗୁରୁ ଶିଷ୍ୟର ଜୀବନରୁ ଅଜ୍ଞାନତା ଓ ଅନ୍ଧକାର ଦୂର କରି ଜ୍ଞାନର ଅକ୍ଷୟ ଆଲୋକ ପ୍ରଜ୍ଜ୍ୱଳିତ କରିଥାନ୍ତି। ସଦସ୍ୟମାନେ ଆହୁରି କହିଥିଲେ ଯେ, ତୁଳସୀଦାସ ରାମଭକ୍ତି ମାଧ୍ୟମରେ ମାନବ ସମାଜକୁ ଜ୍ଞାନ, ନୀତି ଓ ଭକ୍ତିର ମାର୍ଗ ଦେଖାଇଥିବାବେଳେ ଜଣେ ଶିକ୍ଷକ ମଧ୍ୟ ନିଜ ଶିଷ୍ୟଙ୍କ ଜୀବନରେ ଜ୍ଞାନର ଦୀପ ପ୍ରଜ୍ଜ୍ୱଳିତ କରି ତାଙ୍କୁ ସଠିକ୍ ମାର୍ଗରେ ଆଗେଇ ନେଇଥାନ୍ତି। ତେଣୁ ଗୁରୁଙ୍କ ପ୍ରତି ସମ୍ମାନ ଓ କୃତଜ୍ଞତା ପ୍ରକାଶ କରିବା ପ୍ରତ୍ୟେକ ଶିଷ୍ୟର କର୍ତ୍ତବ୍ୟ ବୋଲି ସେମାନେ ମତ ପ୍ରକାଶ କରିଥିଲେ।
ସମାରୋହରେ ରୋଟାରୀ କ୍ଲବର ବହୁ ସଦସ୍ୟ ଓ କର୍ମକର୍ତ୍ତା ଯୋଗଦେଇ ସମ୍ବର୍ଦ୍ଧିତ ଶିକ୍ଷାବିତ୍ମାନଙ୍କ ପ୍ରତି ଶ୍ରଦ୍ଧା ଓ କୃତଜ୍ଞତା ଜଣାଇଥିଲେ।




