ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶିଶିର କୁମାର ଦାଶଙ୍କୁ ବାନ୍ଧିଲା ଭିଜିଲାନ୍ସ
ବ୍ରହ୍ମପୁର, ୨୯/୯ : ଆୟଠାରୁ ଅଧିକ ସମ୍ପତ୍ତି ଠୁଳ ଅଭିଯୋଗରେ ବଡ଼ କାର୍ଯ୍ୟାନୁଷ୍ଠାନ। ମାଲକାନଗିରି DRDAରେ ସଂଲଗ୍ନ ଥିବା ମାଥିଲି ବ୍ଲକ୍ର ଆସିଷ୍ଟାଣ୍ଟ ଏକ୍ସିକ୍ୟୁଟିଭ୍ ଇଞ୍ଜିନିୟର (AEE) ଶିଶିର କୁମାର ଦାଶଙ୍କୁ ଗିରଫ କରିଛି ଓଡ଼ିଶା ଭିଜିଲାନ୍ସ।
ଭିଜିଲାନ୍ସ ପକ୍ଷରୁ ମଙ୍ଗଳବାର ଶିଶିର ଦାଶଙ୍କ ସହ ଜଡ଼ିତ ବିଭିନ୍ନ ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ତାଙ୍କ ନାଁରେ ଥିବା ଏକାଧିକ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ସନ୍ଧାନ ମିଳିଥିବା ଭିଜିଲାନ୍ସ ସୂଚନା ଦେଇଛି।
ଭିଜିଲାନ୍ସର ପ୍ରାଥମିକ ତଥ୍ୟ ଅନୁସାରେ, ଶିଶିର ଦାଶଙ୍କ ସମ୍ପତ୍ତି ତାଲିକାରେ ରହିଛି ଦୁଇଟି ବହୁତଳୀୟ କୋଠା। ଏହି ଦୁଇଟି କୋଠାର ମୋଟ ନିର୍ମିତ ଅଞ୍ଚଳ ପ୍ରାୟ ୯,୩୦୦ ବର୍ଗଫୁଟ୍ ବୋଲି ଜଣାପଡ଼ିଛି। ଏହାସହ ମୂଲ୍ୟବାନ ଅଞ୍ଚଳରେ ତାଙ୍କର ୬ଟି ଜମି ପ୍ଲଟ୍ ଥିବା ଚଢ଼ାଉରୁ ଜଣାପଡ଼ିଛି।
ସେହିପରି ବ୍ୟାଙ୍କ ଜମା ଓ ବିଭିନ୍ନ ନିବେଶ ମିଶାଇ ପ୍ରାୟ ୮୨ ଲକ୍ଷ ଟଙ୍କା ମିଳିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ଏହାବ୍ୟତୀତ ଗୋଟିଏ ଚାରିଚକିଆ ଗାଡ଼ି ଓ ଅନ୍ୟାନ୍ୟ ଘରୋଇ ସାମଗ୍ରୀ ମଧ୍ୟ ଠାବ କରାଯାଇଛି।
ଏତେ ପରିମାଣର ସମ୍ପତ୍ତିର ଉତ୍ସ ସମ୍ପର୍କରେ ଶିଶିର ଦାଶ ସନ୍ତୋଷଜନକ ହିସାବ ଦେଇପାରିନଥିବା ଭିଜିଲାନ୍ସ ଅଭିଯୋଗ କରିଛି। ଏହାପରେ ତାଙ୍କ ବିରୋଧରେ ବ୍ରହ୍ମପୁର ଭିଜିଲାନ୍ସ ଥାନା କେସ୍ ନମ୍ବର ୧୧/୨୦୨୬ ରୁଜୁ ହୋଇଛି। ମାମଲାଟି ଦୁର୍ନୀତି ନିବାରଣ ଆଇନର ସମ୍ପର୍କିତ ଧାରାରେ ରୁଜୁ କରାଯାଇଥିବା ଜଣାପଡ଼ିଛି।
ଗିରଫ ପରେ ଶିଶିର ଦାଶଙ୍କୁ ମଙ୍ଗଳବାର ବ୍ରହ୍ମପୁର ଭିଜିଲାନ୍ସ ସ୍ପେଶାଲ୍ କୋର୍ଟରେ ହାଜର କରାଯିବ। ଏପଟେ ତାଙ୍କର ବ୍ୟାଙ୍କ ଖାତା, ଆର୍ଥିକ କାରବାର ଓ ଅନ୍ୟାନ୍ୟ ଅଘୋଷିତ ସମ୍ପତ୍ତି ସମ୍ପର୍କରେ ଭିଜିଲାନ୍ସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।




