Odisha News

ଭୁବନେଶ୍ୱରରେ ବନ୍ଧୁକ ଦେଖାଇ ଯୁବତୀଙ୍କୁ ଦୁଷ୍କର୍ମ ଘଟଣା; ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର

ଭୁବନେଶ୍ୱର,୩/୧୦: ରାଜଧାନୀ ଭୁବନେଶ୍ୱରର ନୟାପଲ୍ଲୀ ଥାନା ଅଞ୍ଚଳରେ ଘଟିଥିବା ଚର୍ଚ୍ଚିତ ଯୁବତୀ ବଳାତ୍କାର ଘଟଣାରେ ପୋଲିସକୁ ମିଳିଛି ବଡ଼ ସଫଳତା। ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଚଢ଼ାଉ ବେଳେ ପୋଲିସ ଓ ଅଭିଯୁକ୍ତ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଖସିବା ପାଇଁ ପୋଲିସ ଉପରକୁ ଫାୟାରିଂ କରିବାରୁ ପାଲଟା ଗୁଳି ଚଳାଇଥିଲା ପୋଲିସ। ଗୁଳିଟି ଅଭିଯୁକ୍ତଙ୍କ ଗୋଡ଼ରେ ବାଜିଥିବାବେଳେ ସେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।
କିଛି ଦିନ ତଳେ ନୟାପଲ୍ଲୀ ଅଞ୍ଚଳରେ ଜଣେ ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଏହି ସମ୍ବେଦନଶୀଳ ମାମଲାକୁ ଗୁରୁତର ସହ ନେଇ କମିଶନରେଟ୍ ପୋଲିସ ଅଭିଯୁକ୍ତକୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲା। ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ଟିମ୍ ଅଭିଯୁକ୍ତ ଲୁଚି ରହିଥିବା ସ୍ଥାନରେ ଚଢ଼ାଉ କରିଥିଲା।
ପୋଲିସକୁ ଦେଖି ଅଭିଯୁକ୍ତ ଜଣକ ଛତ୍ରଭଙ୍ଗ ଦେବା ସହ ନିଜ ପାଖରେ ଥିବା ମାରଣାସ୍ତ୍ରରୁ ପୋଲିସ ଉପରକୁ ଫାୟାରିଂ କରିଥିଲା। ନିଜର ଆତ୍ମରକ୍ଷା ଏବଂ ଅଭିଯୁକ୍ତଙ୍କୁ କାବୁ କରିବା ପାଇଁ ପୋଲିସ ପକ୍ଷରୁ ପାଲଟା ଗୁଳିଚାଳନା କରାଯାଇଥିଲା। ଏଥିରେ ଗୋଟିଏ ଗୁଳି ଅଭିଯୁକ୍ତଙ୍କ ବାମ ଗୋଡ଼ରେ ବାଜିଥିଲା, ଯାହା ଫଳରେ ସେ ସେହିଠାରେ ପଡ଼ିଯାଇଥିଲେ।
ଏହି ଏନ୍‌କାଉଣ୍ଟର ସ୍ଥଳରୁ ପୋଲିସ ଗୋଟିଏ ବାନ୍ଧୁକ ଏବଂ କିଛି ଜୀବନ୍ତ ଗୁଳି ଜବତ କରିଛି। ଅଭିଯୁକ୍ତ ସୁସ୍ଥ ହେବା ପରେ ତାଙ୍କୁ ଅଧିକ ପଚରାଉଚରା କରାଯିବ ଏବଂ ଏହି ଘଟଣାରେ ଅନ୍ୟ କାହାର ସମ୍ପୃକ୍ତି ଅଛି କି ନାହିଁ, ସେ ନେଇ ତଦନ୍ତ ପ୍ରକ୍ରିୟା ଜାରି ରହିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।

Related Posts