ବୌଦ୍ଧରେ “ଆମ ଖାଦ୍ୟ ଆମ ସଂସ୍କୃତି – ପ୍ଲାଷ୍ଟିକ୍ ମୁକ୍ତ ଖାଦ୍ୟ ମହୋତ୍ସବ” ପାଇଁ ପ୍ରସ୍ତୁତି ବୈଠକ
କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୩/୯ : “ଆମ ଖାଦ୍ୟ ଆମ ସଂସ୍କୃତି – ପ୍ଲାଷ୍ଟିକ୍ ମୁକ୍ତ ଖାଦ୍ୟ ମହୋତ୍ସବ” ଆୟୋଜନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଆଜି ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ମିନି କନଫରେନ୍ସ ହଲ୍ରେ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି।
ପ୍ରସ୍ତାବିତ ଖାଦ୍ୟ ମହୋତ୍ସବ ଆସନ୍ତା ୧୧ ସେପ୍ଟେମ୍ବରରେ ବୌଦ୍ଧର ମର୍ଜାକୁଦସ୍ଥିତ କଲ୍ୟାଣ ମଣ୍ଡପଠାରେ ଆୟୋଜନ କରାଯିବ।
ଏହି ମହୋତ୍ସବର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଜିଲ୍ଲାର ପାରମ୍ପରିକ ଓ ସ୍ଥାନୀୟ ଖାଦ୍ୟ ପରମ୍ପରାକୁ ପ୍ରୋତ୍ସାହନ ଦେବା ସହିତ ସ୍ଥାନୀୟ ସଂସ୍କୃତିର ସୁରକ୍ଷା, ପ୍ରଚାର ଏବଂ ପରିବେଶ ସୁରକ୍ଷା ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା।
ବଲାଙ୍ଗୀରସ୍ଥିତ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଏହି ବୈଠକ ଆୟୋଜିତ ହୋଇଥିଲା। ଆଞ୍ଚଳିକ ଅଧିକାରୀ ଇଞ୍ଜିନିୟର ଶ୍ରୀମତୀ ବବିତା ସିଂହ ବୈଠକରେ ପ୍ରସ୍ତାବିତ ମହୋତ୍ସବର ଉଦ୍ଦେଶ୍ୟ ଓ ଆୟୋଜନର ରୂପରେଖ ସମ୍ପର୍କରେ ଆଲୋଚନା ଆରମ୍ଭ କରିଥିଲେ। ପାରମ୍ପରିକ ଖାଦ୍ୟ ସଂସ୍କୃତିର ପ୍ରଚାର ସହିତ ପ୍ଲାଷ୍ଟିକ୍ର ବ୍ୟବହାରକୁ ନିରୁତ୍ସାହିତ କରି ପରିବେଶ ଅନୁକୂଳ ପଦକ୍ଷେପ ଗ୍ରହଣ ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ,ଉପଜିଲ୍ଲାପାଳ ବିନୟ କୁମାର ଭୋଇ, ବୌଦ୍ଧଗଡ଼ ପୌର ପାଳିକାର ନିର୍ବାହୀ ଅଧିକାରୀ, ଜିଲ୍ଲା ଯୋଗାଣ ଅଧିକାରୀ, ମିଶନ ଶକ୍ତିର ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ସମେତ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ ଓ ସମ୍ପୃକ୍ତ ବିଭାଗର ପ୍ରତିନିଧିମାନେ ଯୋଗଦେଇଥିଲେ।
ମହୋତ୍ସବକୁ ସୁଚାରୁ ଓ ସଫଳ ଭାବେ ଆୟୋଜନ କରିବା ପାଇଁ ବିଭିନ୍ନ ବିଭାଗ ଓ ଅଧିକାରୀମାନଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଥିଲା।
ବୌଦ୍ଧ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟାମାନେ ମହୋତ୍ସବରେ ଷ୍ଟଲ୍ ସ୍ଥାପନ କରି ଜିଲ୍ଲାର ପାରମ୍ପରିକ, ଦେଶୀ ଓ ସ୍ଥାନୀୟ ଖାଦ୍ୟ ସାମଗ୍ରୀ ପ୍ରଦର୍ଶନ କରିବେ।
ଏହା ମାଧ୍ୟମରେ ବୌଦ୍ଧର ସମୃଦ୍ଧ ଖାଦ୍ୟ ପରମ୍ପରା ସହିତ ମହିଳାମାନଙ୍କ ଉଦ୍ୟମିତା ଓ ସମୁଦାୟ ଭିତ୍ତିକ ପ୍ରୟାସକୁ ଏକ ସୁନ୍ଦର ମଞ୍ଚ ମିଳିବ।
ମହୋତ୍ସବରେ ଉତ୍କୃଷ୍ଟ ପ୍ରଦର୍ଶନ, ଖାଦ୍ୟର ଗୁଣବତ୍ତା, ଉପସ୍ଥାପନା ଏବଂ ପାରମ୍ପରିକ ଖାଦ୍ୟ ସଂସ୍କୃତିର ପ୍ରଚାରରେ ଉଲ୍ଲେଖନୀୟ ଅବଦାନ ପାଇଁ ଶ୍ରେଷ୍ଠ ତିନିଟି ଝଐଏ ଗୋଷ୍ଠୀ/ଷ୍ଟଲ୍କୁ ପୁରସ୍କୃତ ଓ ସମ୍ମାନିତ କରାଯିବ।
ମହୋତ୍ସବକୁ ସମ୍ପୂର୍ଣ୍ଣ ପ୍ଲାଷ୍ଟିକ୍ ମୁକ୍ତ ରଖିବା ଉପରେ ବୈଠକରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା।
ଏଥିପାଇଁ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍ର ବିକଳ୍ପ ଭାବେ ପରିବେଶ ଅନୁକୂଳ ସାମଗ୍ରୀ ଓ ଇକୋ-ଫ୍ରେଣ୍ଡଲି କଟଲେରୀ ବ୍ୟବହାର କରାଯିବ।
ଏହା ସହିତ ପ୍ଲାଷ୍ଟିକ୍ର ବ୍ୟବହାର ହ୍ରାସ, ଦାୟିତ୍ୱପୂର୍ଣ୍ଣ ଉପଭୋଗ ଏବଂ ପରିବେଶ ସୁରକ୍ଷା ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବ।
“ଆମ ଖାଦ୍ୟ ଆମ ସଂସ୍କୃତି – ପ୍ଲାଷ୍ଟିକ୍ ମୁକ୍ତ ଖାଦ୍ୟ ମହୋତ୍ସବ” ବୌଦ୍ଧ ଜିଲ୍ଲାର ପାରମ୍ପରିକ ଖାଦ୍ୟ, ସ୍ଥାନୀୟ ସଂସ୍କୃତି, ମହିଳା ସଶକ୍ତିକରଣ ଓ ସାମୂହିକ ଅଂଶଗ୍ରହଣକୁ ଏକତ୍ରିତ କରିବା ସହିତ ସ୍ୱଚ୍ଛ, ସବୁଜ ଓ ପ୍ଲାଷ୍ଟିକ୍ ମୁକ୍ତ ଜୀବନଶୈଳୀ ପ୍ରତି ଜନସାଧାରଣଙ୍କୁ ପ୍ରେରିତ କରିବ ।




