ନିର୍ମାଣାଧୀନ ପାଇଖାନା ଟାଙ୍କିରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର : ବଡ଼ସାହିରେ ଚାଞ୍ଚଲ୍ୟ, ଘଟଣାର ତଦନ୍ତ ଆରମ୍ଭ
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡ଼ା, ୧୩/୯ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ ବଡ଼ସାହି ଅଞ୍ଚଳରେ ନିର୍ମାଣାଧୀନ ପାଇଖାନା ଟାଙ୍କିରୁ ଜଣେ ନବଜାତ ଶିଶୁର ମୃତଦେହ ଉଦ୍ଧାର ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଥିବା ବେଳେ ଶିଶୁଟିର ମୃତଦେହ ଏଠାକୁ କିପରି ଆସିଲା, ତାହାକୁ ନେଇ ରହସ୍ୟ ଘନୀଭୂତ ହୋଇଛି।
ସୂଚନା ଅନୁଯାୟୀ, ବଡ଼ସାହିର ରାମଚନ୍ଦ୍ର ଚାନ୍ଦ ଏକ ନୂତନ ଘର ନିର୍ମାଣ କରୁଛନ୍ତି। ଗତ କିଛି ଦିନ ଧରି ଲଗାଣ ବର୍ଷା ଯୋଗୁଁ ନିର୍ମାଣ କାର୍ଯ୍ୟ ବନ୍ଦ ରହିଥିଲା।
ରବିବାର ସକାଳେ ପାଗ ଶୁଖିଲା ହେବାରୁ ଘର ମାଲିକ ଶ୍ରମିକମାନଙ୍କୁ ନେଇ ନିର୍ମାଣସ୍ଥଳରେ ପହଞ୍ଚିଥିଲେ। ସେଠାରେ ନିର୍ମାଣାଧୀନ ପାଇଖାନା ଟାଙ୍କିରେ ବର୍ଷାଜଳ ଭର୍ତ୍ତି ହୋଇଥିବା ବେଳେ ପାଣି ମଧ୍ୟରେ ଏକ ନବଜାତ ଶିଶୁର ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା।
ଏହାପରେ ଘଟଣା ସମ୍ପର୍କରେ ତୁମୁଡ଼ିବନ୍ଧ ଥାନାକୁ ସୂଚନା ଦିଆଯାଇଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ନବଜାତ ଶିଶୁର ମୃତଦେହ ନିର୍ମାଣାଧୀନ ଟାଙ୍କି ମଧ୍ୟକୁ କିପରି ଆସିଲା, ଏହା ପଛରେ କାହାର ହାତ ରହିଛି କି ନାହିଁ ଏବଂ ଘଟଣାଟି କେବେ ଘଟିଛି—ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ତଥ୍ୟ ମିଳିନାହିଁ। ପୁଲିସର ତଦନ୍ତ ପରେ ଘଟଣାର ପ୍ରକୃତ ରହସ୍ୟ ଉନ୍ମୋଚନ ହେବ ବୋଲି ଆଶା କରାଯାଉଛି। ଏଭଳି ସମ୍ବେଦନଶୀଳ ଘଟଣା ତୁମୁଡ଼ିବନ୍ଧ ଅଞ୍ଚଳରେ ପ୍ରଥମ ଥର ପାଇଁ ଘଟିଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସହ ଚିନ୍ତା ପ୍ରକାଶ ପାଇଛି। ଘଟଣାର ସଠିକ୍ ତଦନ୍ତ କରି ପ୍ରକୃତ ତଥ୍ୟ ସାମ୍ନାକୁ ଆଣିବା ସହ ଦୋଷୀଙ୍କ ବିରୋଧରେ ଆଇନାନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି।
କଡ଼ଗାସାହି ଗାଁକୁ ସ୍ଥାୟୀ ପୋଲ ନିର୍ମାଣ କେବେ? ୧୯ ବର୍ଷ ଧରି ଦାବି, ତଥାପି ନିର୍ମାଣ ହୋଇପାରୁନି ବ୍ରିଜ୍ : ବର୍ଷାରେ ବାହ୍ୟଜଗତରୁ ବିଚ୍ଛିନ୍ନ ୪୫ରୁ ଊର୍ଦ୍ଧ୍ୱ ପରିବାର,ଭରା ନାଳ ପାରି ଅଙ୍ଗନବାଡ଼ି ଓ ସ୍କୁଲ ଯାଉଛନ୍ତି ଛାତ୍ରଛାତ୍ରୀ, ଦୁର୍ଘଟଣାର ଆଶଙ୍କା
ବାଲିଗୁଡ଼ା, ୧୩/୯ : ବିକାଶର ଅନେକ ଦାବି ମଧ୍ୟରେ ଆଜି ବି ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଅଭିଶପ୍ତ ଜୀବନ ବିତାଉଛନ୍ତି ଦୁର୍ଗମ ଅଞ୍ଚଳର ଲୋକେ। ବର୍ଷା ଆସିଲେ ଯେଉଁଠି ଯାତାୟାତ ଠପ୍, ଭରା ନାଳ ପାର ହେବା ହିଁ ଏକମାତ୍ର ଭରସା—ସେଭଳି ଏକ ଦୁର୍ଦ୍ଦଶାର ଚିତ୍ର ସାମ୍ନାକୁ ଆସିଛି ବାଲିଗୁଡ଼ା ବ୍ଲକର ଦୁର୍ଗମ ସଲାଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ତେର୍ଜାକିଆ ୱାର୍ଡର କଡ଼ଗାସାହି ଗାଁରୁ। ତେର୍ଜାକିଆ ମୁଖ୍ୟ ରାସ୍ତାରୁ କଡ଼ଗାସାହି ଗାଁକୁ ଯିବା ବାଟରେ ପଡ଼େ ସାବନଯୋଡ଼ି ନାଳ। ଏହି ନାଳ ହିଁ ଗାଁ ବାସୀଙ୍କ ଯାତାୟାତରେ ସବୁଠାରୁ ବଡ଼ ପ୍ରତିବନ୍ଧକ ସାଜିଛି। ନାଳ ଉପରେ ଆଜି ପର୍ୟ୍ୟନ୍ତ ସ୍ଥାୟୀ ପୋଲ ନିର୍ମାଣ ହୋଇନଥିବା ବେଳେ ଗାଁକୁ ଯିବା ପାଇଁ ମଧ୍ୟ ନିତିଦିନିଆ ପକ୍କା ରାସ୍ତା ନାହିଁ। ଫଳରେ ପ୍ରାୟ ୪୫ରୁ ଊର୍ଦ୍ଧ୍ୱ ପରିବାର ବର୍ଷ ବର୍ଷ ଧରି ଯାତାୟାତ ଯନ୍ତ୍ରଣା ଭୋଗୁଛନ୍ତି କ୍ଷ
ଏହି ସାବନଯୋଡ଼ି ନାଳ ଅତିକ୍ରମ କଲେ ହିଁ ଅଙ୍ଗନବାଡ଼ି କେନ୍ଦ୍ର, ବିଦ୍ୟାଳୟ, ପଞ୍ଚାୟତ କାର୍ୟ୍ୟାଳୟ ଆଦି ରହିଛି। ତେଣୁ ଛୋଟ ପିଲାଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ୟ୍ୟନ୍ତ ସମସ୍ତଙ୍କୁ ନିତିଦିନ ନାଳ ପାର ହୋଇ ଯାତାୟାତ କରିବାକୁ ପଡ଼ୁଛି। ବର୍ଷା ଦିନେ ନାଳରେ ପାଣି ବଢ଼ିଲେ ପରିସ୍ଥିତି ଆହୁରି ସଙ୍ଗିନ ହୋଇପଡ଼େ। କୋମଳମତି ଶିଶୁମାନଙ୍କୁ କିଏ କାଖରେ ଧରି ତ କିଏ ହାତ ଧରାଧରି ହୋଇ ଭରା ନାଳ ପାର କରାଉଥିବା ଦୃଶ୍ୟ ଗାଁର ଦୁର୍ଦ୍ଦଶାକୁ ସ୍ପଷ୍ଟ କରୁଛି। ଟିକିଏ ଅସାବଧାନତା ହେଲେ ଘଟିପାରେ ବଡ଼ ଅଘଟଣ। ତଥାପି ଶିକ୍ଷାର ଆଶାରେ ଛାତ୍ରଛାତ୍ରୀମାନେ ଏହି ବିପଦପୂର୍ଣ୍ଣ ରାସ୍ତା ଦେଇ ସ୍କୁଲ ଯାଉଛନ୍ତି। ବର୍ଷା ଦିନେ ନାଳରେ ବନ୍ୟାଜଳ ଆସିଲେ କଡ଼ଗାସାହି ଗାଁ ସମ୍ପୂର୍ଣ୍ଣ ଭାବେ ଜଳବନ୍ଦୀ ହୋଇ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡ଼ୁଛି। ୨୦୦୭ର ଦୁଃଖଦ ଘଟଣା ପରେ ବି ବଦଳିଲାନି ସ୍ଥିତି କ୍ଷ
ସାବନଯୋଡ଼ି ନାଳର ବିପଦ କୌଣସି ନୂଆ କଥା ନୁହେଁ। ୨୦୦୭ ମସିହାରେ ବାଲିଗୁଡ଼ା ଥାନା ଅଞ୍ଚଳର ଗଟାଙ୍ଗୀ ଗାଁର ଜଣେ ମାଆ ଓ ଝିଅ ଏହି ନାଳ ପାର ହେଉଥିବା ସମୟରେ ଭାସିଯାଇ ପ୍ରାଣ ହରାଇଥିବା ଗାଁବାସୀଙ୍କ ପକ୍ଷରୁ କୁହାଯାଇଛି। ଏହାଛଡ଼ା ଅନେକ ଲୋକ ନାଳର ପ୍ରଖର ସ୍ରୋତରେ ଭାସିଯାଇଥିବା ବେଳେ ଉଦ୍ଧାର ହୋଇ ନୂଆ ଜୀବନ ପାଇଥିବା ମଧ୍ୟ ଜଣାପଡ଼ିଛି।
ଏଭଳି ଦୁଃଖଦ ଘଟଣା ପରେ ନାଳ ଉପରେ ପୋଲ ନିର୍ମାଣ ପାଇଁ ବ୍ଲକଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ୟ୍ୟନ୍ତ ବାରମ୍ବାର ଦାବି ହୋଇଆସୁଛି। ହେଲେ ୧୯ ବର୍ଷ ବିତିଗଲା ପରେ ବି ଦାବି ପୂରଣ ହୋଇନଥିବାରୁ ଗାଁବାସୀଙ୍କ ମନରେ ଅସନ୍ତୋଷ ବଢ଼ିଛି। ତେର୍ଜାକିଆ ମୁଖ୍ୟ ରାସ୍ତାଠାରୁ କଡ଼ଗାସାହି ପର୍ୟ୍ୟନ୍ତ ପ୍ରାୟ ୭୦୦ ମିଟର ପକ୍କା ରାସ୍ତା ନିର୍ମାଣ ସହ ସାବନଯୋଡ଼ି ନାଳ ଉପରେ ଏକ ସ୍ଥାୟୀ ପୋଲ ନିର୍ମାଣ ପାଇଁ ଦାବି ଜୋର ଧରିଛି। ଏହି ଦାବି ପୂରଣ ହେଲେ କେବଳ କଡ଼ଗାସାହି ନୁହେଁ, ଆଖପାଖ ଅଞ୍ଚଳର ଲୋକମାନେ ମଧ୍ୟ ଉପକୃତ ହେବେ ବୋଲି ଗ୍ରାମବାସୀ କହିଛନ୍ତି। ଦୀର୍ଘଦିନ ଧରି ଦାବି ପୂରଣ ନହେଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବାକୁ କଡ଼ଗାସାହି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଅନ୍ୟ ପକ୍ଷରେ, କଡ଼ଗାସାହି ଗାଁର ସମସ୍ୟା ସମ୍ପର୍କରେ ଅବଗତ ହେବା ପରେ ଗାଁକୁ ପକ୍କା ରାସ୍ତା ଏବଂ ସାବନଯୋଡ଼ି ନାଳ ଉପରେ ପୋଲ ନିର୍ମାଣ ପାଇଁ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି କନ୍ଧମାଳ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଶମ୍ଭୁନାଥ ନନ୍ଦୀ କହିଥିବା ଜଣାପଡ଼ିଛି। ଏବେ ପ୍ରଶ୍ନ—୧୯ ବର୍ଷର ଅପେକ୍ଷାର ଅନ୍ତ କେବେ ? କଡ଼ଗାସାହି ବାସୀଙ୍କ ସ୍ୱପ୍ନର ସ୍ଥାୟୀ ପୋଲ କେବେ ନିର୍ମାଣ ହେବ ? ପ୍ରଶାସନର ଆଶ୍ୱାସନା କେବଳ ପ୍ରତିଶ୍ରୁତିରେ ସୀମିତ ନରହି ବାସ୍ତବ ରୂପ ନେବାକୁ ଗ୍ରାମବାସୀ ଅପେକ୍ଷା କରିଛନ୍ତି।




