Odisha News

କ୍ରୀଡ଼ା ସଂଗଠନରେ ନୂଆ ପିଢ଼ିକୁ ସୁଯୋଗ : ରାୟଗଡ଼ା ଦେଖାଇଲା ବାଟ,ବଲାଙ୍ଗୀରରେ କେବେ ଖୋଲିବ ଦ୍ୱାର?

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗୀର, ୭/୯: କ୍ରୀଡ଼ା କେବଳ ପଡ଼ିଆରେ ପଦକ ଜିତିବାର ଲଢ଼େଇ ନୁହେଁ;ଏହା ଏକ ପିଢ଼ିର ଅନୁଭବକୁ ପରବର୍ତ୍ତୀ ପିଢ଼ିର ଉତ୍ସାହ ସହ ଯୋଡ଼ି ଦେଉଥିବା ଏକ ନିରନ୍ତର ଯାତ୍ରା।ଖେଳାଳି ପରିବର୍ତ୍ତନ ହୁଅନ୍ତି,ପଦାଧିକାରୀ ପରିବର୍ତ୍ତନ ହୁଅନ୍ତି,କିନ୍ତୁ କ୍ରୀଡ଼ା ସଂଗଠନର ମୂଳ ଲକ୍ଷ୍ୟ ରହିଥାଏ,ଖେଳ ଓ ଖେଳାଳିଙ୍କ ବିକାଶ।
ତେବେ ପ୍ରଶ୍ନ ଉଠୁଛି,କ୍ରୀଡ଼ା ସଂଗଠନର ପଦବୀ କ’ଣ ଏକ ଦୀର୍ଘସ୍ଥାୟୀ ଅଧିକାର,ନା ଏହା ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ମିଳୁଥିବା ଦାୟିତ୍ୱ?ଏହି ପ୍ରଶ୍ନ ଏବେ ବଲାଙ୍ଗୀର କ୍ରୀଡ଼ା ମହଲରେ ଆଲୋଚନା ର କେନ୍ଦ୍ରବିନ୍ଦୁ ପାଲଟିଛି।
ଏକପଟେ ଜାତୀୟସ୍ତରର କ୍ରୀଡ଼ା ସଂଗଠନଗୁଡ଼ିକରେ ପଦାଧିକାରୀ ଙ୍କ କାର୍ଯ୍ୟକାଳ,ପୁନଃନିର୍ବାଚନ,କୁଲିଂ-ଅଫ୍ ପିରିୟଡ୍ ଓ ବୟସ ସୀମା ଭଳି ବିଷୟକୁ ନେଇ ନିୟମ ଓ ଚର୍ଚ୍ଚା ଚାଲିଛି।ଅନ୍ୟପଟେ ଜିଲ୍ଲାସ୍ତରର କ୍ରୀଡ଼ା ସଂଗଠନଗୁଡ଼ିକରେ ମଧ୍ୟ ନୂଆ ନେତୃତ୍ୱ ଓ ଅଧିକ ବ୍ୟାପକ ଅଂଶଗ୍ରହଣର ଆବଶ୍ୟକତା ନେଇ ପ୍ରଶ୍ନ ଉଠୁଛି।
ରାୟଗଡ଼ାର ପଦକ୍ଷେପ,ବଲାଙ୍ଗୀର ପାଇଁ ଉଦାହରଣ?
ଏହି ପରିପ୍ରେକ୍ଷୀରେ ରାୟଗଡ଼ାର ଏକ ପଦକ୍ଷେପ ଚର୍ଚ୍ଚାକୁ ଆହୁରି ଗଭୀର କରିଛି।ଜିଲ୍ଲା ଆଥଲେଟିକ୍ ଆସୋସିଏସନ୍ ପକ୍ଷରୁ ୧୮ରୁ ୬୦ ବର୍ଷ ବୟସର ଖେଳାଳି ଓ ପୂର୍ବତନ ଖେଳାଳିଙ୍କୁ ନୂଆ ସଦସ୍ୟ ଭାବେ ସଂଗଠନ ସହ ଯୋଡ଼ିବା ପାଇଁ ଆବେଦନ ଆହ୍ୱାନ କରାଯାଇଛି।ଏପରିକି ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ଅଷ୍ଟମ ଶ୍ରେଣୀ ପାସ୍ ରଖାଯାଇଥିବା ତଥ୍ୟ ସାମ୍ନାକୁ ଆସିଛି।
ଏହି ପଦକ୍ଷେପର ଗୁରୁତ୍ୱ କେବଳ ନୂଆ ସଦସ୍ୟ ଯୋଡ଼ିବାରେ ସୀମିତ ନୁହେଁ।ଏହାର ବଡ଼ ବାର୍ତ୍ତା ହେଉଛି,କ୍ରୀଡ଼ା ସଂଗଠନରେ ଅଧିକ ଲୋକଙ୍କ ଅଂଶଗ୍ରହଣ ଓ ନୂଆ ନେତୃତ୍ୱ ପାଇଁ ସୁଯୋଗ ସୃଷ୍ଟି।
ଏଠାରୁ ବଲାଙ୍ଗୀର ପାଇଁ ମଧ୍ୟ ଏକ ପ୍ରଶ୍ନ ଉଠୁଛି,ଜିଲ୍ଲାର କ୍ରୀଡ଼ା ସଂଗଠନଗୁଡ଼ିକରେ ଅଧିକ ଯୁବ କ୍ରୀଡ଼ାପ୍ରେମୀ,ପୂର୍ବତନ ଖେଳାଳି ଓ ନୂଆ ଚିନ୍ତାଧାରାର ଲୋକଙ୍କୁ କେତେ ମାତ୍ରାରେ ସୁଯୋଗ ମିଳୁଛି?
ପଦବୀ ନୁହେଁ,ଦାୟିତ୍ୱ ହେଉ କ୍ରୀଡ଼ା ସଂଗଠନର ପରିଚୟ।
କୌଣସି କ୍ରୀଡ଼ା ସଂଗଠନ ଗୋଟିଏ ବ୍ୟକ୍ତି କିମ୍ବା ଗୋଟିଏ ଗୋଷ୍ଠୀକୁ କେନ୍ଦ୍ର କରି ଚାଲିବା ଅପେକ୍ଷା ଏକ ବ୍ୟାପକ କ୍ରୀଡ଼ା ସମୁଦାୟର ପ୍ରତିନିଧିତ୍ୱ କରିବା ଅଧିକ ଜରୁରୀ।
ଅନୁଭବୀ ନେତୃତ୍ୱର ଅଭିଜ୍ଞତା ନିଶ୍ଚିତ ଭାବେ ଆବଶ୍ୟକ।କିନ୍ତୁ ସେହି ଅଭିଜ୍ଞତା ସହ ନୂଆ ପିଢ଼ିର ଚିନ୍ତାଧାରା ଯୋଡ଼ି ହେଲେ ହିଁ ସଂଗଠନ ଅଧିକ ଶକ୍ତିଶାଳୀ ହୋଇପାରିବ।
ବର୍ଷ ବର୍ଷ ଧରି ଗୋଟିଏ ପଦବୀରେ ରହିବା ଯଦି ସଂଗଠନର ଗଣତାନ୍ତ୍ରିକ ପରିବର୍ତ୍ତନକୁ ସୀମିତ କରେ,ତେବେ ଏହା ଉପରେ ସ୍ୱାଭାବିକ ଭାବେ ପ୍ରଶ୍ନ ଉଠିବ।ଅନ୍ୟପଟେ,ନୂଆ ନେତୃତ୍ୱକୁ ସୁଯୋଗ ଦେବାର ଅର୍ଥ ଅନୁଭବୀମାନଙ୍କୁ ଅବମାନ କରିବା ନୁହେଁ, ବରଂ ଅଭିଜ୍ଞତା ଓ ନୂଆ ଶକ୍ତିର ଏକ ସନ୍ତୁଳିତ ସମନ୍ୱୟ ତିଆରି କରିବା।
ବଲାଙ୍ଗୀର ପାଇଁ ଏବେ ଆତ୍ମସମୀକ୍ଷାର ସମୟ।
ବଲାଙ୍ଗୀର ଦୀର୍ଘଦିନ ଧରି କ୍ରୀଡ଼ା କ୍ଷେତ୍ରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ରଖିଆସିଛି।ଜିଲ୍ଲାର ଅନେକ ଖେଳାଳି ରାଜ୍ୟ ଓ ଜାତୀୟସ୍ତରରେ ନିଜ ପ୍ରତିଭା ପ୍ରଦର୍ଶନ କରିଛନ୍ତି।
ଏଭଳି ଏକ କ୍ରୀଡ଼ାପ୍ରବଣ ଜିଲ୍ଲାରେ ସଂଗଠନଗୁଡ଼ିକ ଯଦି ଅଧିକ ସ୍ୱଚ୍ଛ, ଗଣତାନ୍ତ୍ରିକ ଓ ସମାବେଶୀ ହୁଅନ୍ତି,ତେବେ ତାହାର ସିଧାସଳଖ ଲାଭ ଖେଳାଳିମାନେ ପାଇପାରିବେ।
ସେଥିପାଇଁ ରାୟଗଡ଼ାର ଉଦାହରଣକୁ ନେଇ ବଲାଙ୍ଗୀରରେ ମଧ୍ୟ ଏକ ଖୋଲା ଆଲୋଚନାର ଆବଶ୍ୟକତା ରହିଛି।
କ୍ରୀଡ଼ା ସଂଗଠନର ସଦସ୍ୟତା ବୃଦ୍ଧି,ନିୟମିତ ନିର୍ବାଚନ,ପଦବୀରେ ଦାୟିତ୍ୱର ସ୍ପଷ୍ଟ ସୀମା,ଯୁବ ପ୍ରତିନିଧିତ୍ୱ ଏବଂ ନୂଆ କ୍ରୀଡ଼ାପ୍ରେମୀଙ୍କୁ ସୁଯୋଗ,ଏସବୁ ପ୍ରସଙ୍ଗରେ ନିରପେକ୍ଷ ଭାବେ ବିଚାର କରିବା ଆବଶ୍ୟକ।
ଏ ଦିଗରେ ଜିଲ୍ଲା ପ୍ରଶାସନ,ବିଶେଷକରି ବଲାଙ୍ଗୀର ଜିଲ୍ଲାପାଳଙ୍କ ଦୃଷ୍ଟି ଓ ନିରପେକ୍ଷ ପଦକ୍ଷେପ ଆସିଲେ କ୍ରୀଡ଼ାପ୍ରେମୀ ଓ ଖେଳାଳିମାନେ ଅଧିକ ଉପକୃତ ହୋଇପାରିବେ।
ରାୟଗଡ଼ାରେ ନୂଆ ସଦସ୍ୟଙ୍କୁ ଆହ୍ୱାନ ଏବଂ ବଲାଙ୍ଗୀରରେ ପଦବୀ ସୀମାକୁ ନେଇ ଉଠୁଥିବା ଚର୍ଚ୍ଚା,ଦୁଇଟି ଭିନ୍ନ ଘଟଣା ହୋଇଥିଲେ ମଧ୍ୟ ଏହାର ମୂଳ ପ୍ରଶ୍ନ ଗୋଟିଏ।କ୍ରୀଡ଼ା ସଂଗଠନ କାହା ପାଇଁ?
ପଦବୀ ଆସିବ,ପଦବୀ ଯିବ।ନେତୃତ୍ୱ ବଦଳିବ,ପିଢ଼ି ବଦଳିବ। କିନ୍ତୁ ଯଦି ଆଜି ଏକ ସ୍ୱଚ୍ଛ,ସୁସ୍ଥ,ଗଣତାନ୍ତ୍ରିକ ଓ ଶକ୍ତିଶାଳୀ କ୍ରୀଡ଼ା ବ୍ୟବସ୍ଥା ଗଢ଼ି ତୋଳାଯାଏ,ତାହାର ଲାଭ କେବଳ ଆଜିର ଖେଳାଳି ନୁହେଁ,ଆଗାମୀ ଅନେକ ପିଢ଼ି ପାଇବେ।
କାରଣ ପଦବୀକୁ ବଞ୍ଚାଇ ରଖିବା ଠାରୁ ବଡ଼ କଥା ହେଉଛି କ୍ରୀଡ଼ାର ଭବିଷ୍ୟତକୁ ବଞ୍ଚାଇ ରଖିବା।ଏବେ ବଲାଙ୍ଗୀର ପାଇଁ ରାୟଗଡ଼ା ଠାରୁ ଶିଖିବାର ସମୟ।

Related Posts