Odisha News

କବିରାଜଙ୍କ ଘର ନାହିଁ, ବଢ଼ିଲାନି ଭତ୍ତା; ପ୍ରତିଶ୍ରୁତିରେ ଅଟକିଛି ସରକାରୀ ସହାୟତା

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡ଼ା, ୨୭/୯ : ଗରିବ ଓ ଅସହାୟଙ୍କ ପାଇଁ ସରକାରଙ୍କ ଯୋଜନାର ଅଭାବ ନାହିଁ। ଆବାସଠାରୁ ଆରମ୍ଭ କରି ଭିନ୍ନକ୍ଷମ ଭତ୍ତା, ଖାଦ୍ୟ ସୁରକ୍ଷା ଓ ସ୍ୱାବଲମ୍ବୀ କରିବା ପାଇଁ ବିଭିନ୍ନ ସହାୟତା ଦିଆଯାଉଛି।
ହେଲେ ଯୋଜନା ଥିଲେ ବି ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ତାହା ପହଞ୍ଚୁନଥିବାର ଏକ ଅଭିଯୋଗ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ରେବିଙ୍ଗିଆ ଗାଁରେ ଦେଖିବାକୁ ମିଳିଛି। ଉକ୍ତ ଗାଁର କବିଚନ୍ଦ୍ର ସାହୁ ଓରଫ କବିରାଜ ଦିନେ ଛୋଟ ଦୋକାନ କରି ପରିବାର ଚଳାଉଥିଲେ। ହଠାତ୍ ତଳେ ପଡ଼ି ଅଣ୍ଟାରେ ଆଘାତ ଲାଗିବା ପରେ ସେ ପକ୍ଷାଘାତର ଶିକାର ହୋଇଥିଲେ। ଚିକିତ୍ସା ପାଇଁ ଜମାପୁଞ୍ଜି ସରିବା ପରେ ଦୋକାନର ଜିନିଷପତ୍ର ଓ ଆସବାବପତ୍ର ବିକ୍ରି କରିବାକୁ ପଡ଼ିଥିଲା।
ଫଳରେ ପରିବାରର ଏକମାତ୍ର ରୋଜଗାରର ବାଟ ମଧ୍ୟ ବନ୍ଦ ହୋଇଯାଇଛି। ଏବେ ପରିବାର ଚଳାଇବାର ଦାୟିତ୍ୱ ପତ୍ନୀଙ୍କ ଉପରେ। ସେ ପର ଘରେ ମଜୁରି କରିବା ସହ ଖଲିପତ୍ର ସିଲେଇ କରି ଯାହା ରୋଜଗାର କରୁଛନ୍ତି, ସେଥିରେ ଦୁଃଖକଷ୍ଟରେ ସଂସାର ଚଳୁଛି।
ଦେଢ଼ସୁର ଓ ଦିଅରଙ୍କ ସହାୟତା ମଧ୍ୟ ପରିବାର ପାଇଁ ଭରସା ପାଲଟିଛି।
ଏହା ସତ୍ତ୍ୱେ ପରିବାରର ଜଣେ ଶିଶୁଙ୍କ ପାଠପଢ଼ା ଜାରି ରଖିବାକୁ ଚେଷ୍ଟା କରୁଛନ୍ତି। ସରକାରୀ ସହାୟତା ଭାବେ ବର୍ତ୍ତମାନ କବିରାଜଙ୍କୁ କେବଳ ଭିନ୍ନକ୍ଷମ ଭତ୍ତା ଏବଂ ପରିବାରକୁ ମାସିକ ୧୦ କିଲୋ ଚାଉଳ ମିଳୁଥିବା କୁହାଯାଇଛି।
କବିରାଜଙ୍କ ଭିନ୍ନକ୍ଷମତା ପ୍ରାୟ ୮୦ ପ୍ରତିଶତ ଥିଲେ ମଧ୍ୟ ତାଙ୍କୁ ମିଳୁଛି ମାତ୍ର ୧ ହଜାର ଟଙ୍କା ଭତ୍ତା। ଘରଟିଏ ପାଇଁ ସେ ବ୍ଲକ କାର‌୍ୟ୍ୟାଳୟର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଏଯାଏଁ ଆବାସ ମିଳିନାହିଁ।
ଏନେଇ ପ୍ରଶାସନକୁ ଅବଗତ କରାଯିବା ପରେ ବର୍ଦ୍ଧିତ ଭତ୍ତା, ଟ୍ରାଇସାଇକେଲ ଓ ୩୫ କିଲୋ ଚାଉଳ ଯୋଗାଇଦେବାକୁ ପ୍ରତିଶ୍ରୁତି ମିଳିଥିବା କୁହାଯାଇଛି। ହେଲେ ପ୍ରତିଶ୍ରୁତି ପରେ ମଧ୍ୟ ଏଯାଏଁ ସହାୟତା ମିଳିନଥିବାରୁ ପରିବାର ନିରାଶ ହୋଇଛି।
ଯେଉଁ ବ୍ୟକ୍ତି ୮୦ ପ୍ରତିଶତ ଭିନ୍ନକ୍ଷମ, ନିଜେ ରୋଜଗାର କରିବାକୁ ଅସମର୍ଥ ଏବଂ ପରିବାର ଆର୍ଥିକ ଦୁରବସ୍ଥାରେ ଅଛି, ତାଙ୍କ ପାଇଁ ଯଦି ସରକାରୀ ସହାୟତାର ଦ୍ୱାର ଖୋଲୁନାହିଁ, ତେବେ ଯୋଜନାର ପ୍ରକୃତ ଲାଭ କାହା ପାଇଁ, ଏହି ପ୍ରଶ୍ନ ଏବେ ସାଧାରଣରେ ଉଠିଛି। ତୁରନ୍ତ ପ୍ରଶାସନ କବିରାଜଙ୍କ ମାମଲାକୁ ଗୁରୁତ୍ୱ ଦେଇ ବର୍ଦ୍ଧିତ ଭତ୍ତା, ଆବାସ ଯୋଜନାରେ ସାମିଲ, ଟ୍ରାଇସାଇକେଲ ସହ ଭିନ୍ନକ୍ଷମଙ୍କ ସ୍ୱାବଲମ୍ବନ ପାଇଁ ଉପଯୁକ୍ତ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହୋଇଛି।
‘ରୋଗୀ’ ନୁହେଁ, ଆମ୍ବୁଲାନ୍ସରେ ଚାଲାଣ ହେଉଥିଲା ଗଞ୍ଜେଇ : ଆମ୍ବୁଲାନ୍ସ, କାର୍ ଓ ପିକ୍‌ଅପ୍ ଭ୍ୟାନ୍ ଜବତ, ୬ ଗିରଫ
ବାଲିଗୁଡ଼ା, ୨୭/୯ : ଚୋରା ଗଞ୍ଜେଇ ଚାଲାଣରେ ଏବେ ଅପରାଧୀଙ୍କ ନୂଆ ଚାଲ୍‌। ପୁଲିସ ଓ ଅବକାରୀ ବିଭାଗର ନଜର ଏଡ଼ାଇବାକୁ ଆମ୍ବୁଲାନ୍ସକୁ ହିଁ କରାଯାଇଥିଲା ଗଞ୍ଜେଇ ଚାଲାଣର ମାଧ୍ୟମ। ହେଲେ ଅବକାରୀ ବିଭାଗର ମୋବାଇଲ୍ ଟିମ୍‌ର ତୀକ୍ଷ୍ଣ ନଜରରୁ ଖସିପାରିଲେ ନାହିଁ ଚାଲାଣକାରୀ।
ଗୋଟିଏ ଦିନରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୧୨୧ କେଜି ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ। ଏହା ସହ ଗୋଟିଏ ଆମ୍ବୁଲାନ୍ସ, ଗୋଟିଏ କାର୍ ଓ ଗୋଟିଏ ପିକ୍‌ଅପ୍ ଭ୍ୟାନ୍ ଜବତ ହୋଇଛି। ଘଟଣାରେ ୬ ଜଣଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି। ସୂଚନାନୁସାରେ, କନ୍ଧମାଳରୁ ବାଲେଶ୍ୱରକୁ ଗଞ୍ଜେଇ ଚାଲାଣ ପାଇଁ ଅଭିଯୁକ୍ତ ମାନେ ଭିନ୍ନ ଭିନ୍ନ ଗାଡ଼ି ବ୍ୟବହାର କରିଥିଲେ।
ଶଙ୍କରାଖୋଲ ନିକଟରେ ସନ୍ଦେହଜନକ ଭାବେ ଯାଉଥିବା ଆମ୍ବୁଲାନ୍ସକୁ ଅବକାରୀ ମୋବାଇଲ୍ ଟିମ୍ ଅଟକାଇ ଯାଞ୍ଚ କରିବା ପରେ ଚୋରା ଚାଲାଣର ଏହି ନୂଆ ତରିକା ପଦାକୁ ଆସିଥିଲା। ସେହିପରି ଲାଇନପଡ଼ା ନିକଟରେ ଗଞ୍ଜେଇ ବୋଝେଇ ପିକ୍‌ଅପ୍ ଭ୍ୟାନ୍ ସହ ଏକ କାର୍ ମଧ୍ୟ ଜବତ କରାଯାଇଥିଲା।
ଏହି ଦୁଇଟି ଘଟଣାରେ ଜବତ ଗଞ୍ଜେଇର ପରିମାଣ ମିଶି ୧୨୧ କେଜି ବୋଲି ଜଣାପଡ଼ିଛି। ଅବକାରୀ ବିଭାଗର ସୂଚନା ଅନୁସାରେ, ଗିରଫ ୬ ଜଣ ଅଭିଯୁକ୍ତ ବାଲେଶ୍ୱର ଜିଲ୍ଲାର। ଘଟଣାର ଚାଲାଣ ନେଟୱର୍କ ଏବଂ ଏଥିରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ତଦନ୍ତ ଜାରି ରହିଛି।
ଆମ୍ବୁଲାନ୍ସ ଭଳି ଜରୁରୀ ସେବାର ଗାଡ଼ିକୁ ଚୋରାଚାଲାଣରେ ବ୍ୟବହାର କରାଯିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଅବକାରୀ ବିଭାଗର ଏହି ଚଢ଼ାଉ ଗଞ୍ଜେଇ ଚାଲାଣକାରୀଙ୍କ ନୂଆ କୌଶଳକୁ ପଦାକୁ ଆଣିଛି।
ଲକ୍ଷାଧିକ ଟଙ୍କା ରେ ନିର୍ମିତ ଶୀତଳଭଣ୍ଡାର ଏବେ ନିଜେ ଶୀତଳ : ବର୍ଷବର୍ଷ ଧରି ଅଚଳ ଯନ୍ତ୍ରାଂଶ
ବାଲିଗୁଡ଼ା, ୨୭/୯ : ଚାଷୀଙ୍କ ଅମଳ ଫସଲକୁ ସୁରକ୍ଷିତ ରଖି ଉଚିତ ମୂଲ୍ୟ ଦେବାର ଲକ୍ଷ୍ୟ ନେଇ ନିର୍ମିତ ଶୀତଳଭଣ୍ଡାର ଏବେ ନିଜେ ଜରାଜୀର୍ଣ୍ଣ। ଲକ୍ଷଲକ୍ଷ ଟଙ୍କା ବ୍ୟୟରେ ତିଆରି ହୋଇଥିବା ଏହି ସରକାରୀ ଭିତ୍ତିଭୂମି ବର୍ଷବର୍ଷ ଧରି ଅଚଳ ହୋଇ ପଡ଼ିରହିଛି।
ମୂଲ୍ୟବାନ ଯନ୍ତ୍ରାଂଶ ପଡ଼ିପଡ଼ି ନଷ୍ଟ ହେଉଥିବା ବେଳେ ଚାଷୀଙ୍କ ଫସଲ ସଂରକ୍ଷଣର ସ୍ୱପ୍ନ ମଧ୍ୟ ଧୂଳିସାତ୍ ହେବାକୁ ବସିଛି। ବାଲିଗୁଡ଼ା ତଥା ଏହାର ଆଖ ପାଖ ଅଞ୍ଚଳ ପନିପରିବା, ଅଦା, ହଳଦୀ ସମେତ ବିଭିନ୍ନ ଉଦ୍ୟାନଭିତ୍ତିକ ଫସଲ ଉତ୍ପାଦନର ଏକ ପ୍ରମୁଖ ଅଞ୍ଚଳ। ଚାଷୀଙ୍କ ଅମଳ ସାମଗ୍ରୀ ସଂରକ୍ଷଣ କରି ଅଭାବୀ ବିକ୍ରି ରୋକିବା ସହ ଉଚିତ ଦର ପାଇବାର ସୁଯୋଗ ସୃଷ୍ଟି ଉଦ୍ଦେଶ୍ୟରେ ୨୦୧୪ ମସିହାରେ ୩୬ ଲକ୍ଷ ୭୦ ହଜାର ଟଙ୍କା ବ୍ୟୟରେ ବାଲିଗୁଡ଼ା ଆଇଟିଡିଏ ଓ ଜାତୀୟ ଉଦ୍ୟାନ ମିଶନ ଯୋଜନା ଅଧୀନରେ ଉଦ୍ୟାନ ବିଭାଗର ମିଳିତ ଉଦ୍ୟମରେ ଏହି ଶୀତଳଭଣ୍ଡାର ନିର୍ମାଣ ହୋଇଥିଲା।
ନିର୍ମାଣ ପରେ ଏହା ବ୍ଲକ କୃଷକ ସଂଗଠନକୁ ହସ୍ତାନ୍ତର ହୋଇଥିଲା।
ପ୍ରାରମ୍ଭିକ ସମୟରେ ଚାଷୀମାନେ ଏହାର ସୁବିଧା ପାଇଥିଲେ। ହେଲେ ପରବର୍ତ୍ତୀ ସମୟରେ ରକ୍ଷଣାବେକ୍ଷଣ ଓ ପରିଚାଳନାର ଅଭାବରୁ ଏହା ଧୀରେଧୀରେ ଅଚଳ ହୋଇଗଲା। ଏବେ ଦୀର୍ଘ ସମୟ ଧରି ବ୍ୟବହାର ନ ହୋଇ ଯନ୍ତ୍ରାଂଶଗୁଡ଼ିକ ନଷ୍ଟ ହେବାକୁ ବସିଛି। ସରକାରୀ ଅର୍ଥରେ ନିର୍ମିତ ସମ୍ପତ୍ତି ଏଭଳି ଅବ୍ୟବହୃତ ହୋଇ ନଷ୍ଟ ହେଉଥିବା ବେଳେ ଦାୟିତ୍ୱ କାହାର—ଏହାକୁ ନେଇ ଏବେ ପ୍ରଶ୍ନ ଉଠିଛି।
ଗୋଟିଏ ପଟେ ଚାଷୀ ହାଡ଼ଭଙ୍ଗା ପରିଶ୍ରମ କରି ଅମଳ କରୁଛନ୍ତି, ଅନ୍ୟପଟେ ଉଚିତ ସଂରକ୍ଷଣ ବ୍ୟବସ୍ଥା ନଥିବାରୁ ଅନେକ ସମୟରେ ଅମଳ ସାମଗ୍ରୀକୁ କମ୍ ଦରରେ ବିକ୍ରି କରିବାକୁ ପଡ଼ୁଛି। ଏହାର ସିଧାସଳଖ ପ୍ରଭାବ ଚାଷୀଙ୍କ ଆୟ ଉପରେ ପଡ଼ୁଛି।
ଏପରି ସ୍ଥିତିରେ ଶୀତଳଭଣ୍ଡାରର ଅବସ୍ଥା ଯାଞ୍ଚ କରି ନଷ୍ଟ ହୋଇଥିବା ଯନ୍ତ୍ରାଂଶ ବଦଳାଇବା, ଆବଶ୍ୟକ ମରାମତି କରିବା ଏବଂ ଏହାକୁ ଶୀଘ୍ର ପୁନଃକାର୍ଯ୍ୟକ୍ଷମ କରିବାକୁ ଚାଷୀମାନେ ଉଦ୍ୟାନ ବିଭାଗ ନିକଟରେ ଦାବି ଜଣାଇଛନ୍ତି।
ଏନେଇ ଉଦ୍ୟାନ ବିଭାଗ ଅଧିକାରୀ ନିରଞ୍ଜନ ଦ୍ୱିବେଦୀ କହିଛନ୍ତି, ଶୀତଳଭଣ୍ଡାରକୁ ପୁନର୍ବାର କାର‌୍ୟ୍ୟକ୍ଷମ କରିବା ନେଇ ଚାଷୀମାନେ ତାଙ୍କୁ ଭେଟିଛନ୍ତି। ଏହାକୁ କିପରି ପୁନଃକାର୍ଯ୍ୟକ୍ଷମ କରାଯାଇପାରିବ, ସେନେଇ ପଦକ୍ଷେପ ନେବାକୁ ଚେଷ୍ଟା କରିବେ ବୋଲି ସେ କହିଛନ୍ତି।
୩୬ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଭିତ୍ତିଭୂମି ଯଦି ଚାଷୀଙ୍କ କାମରେ ନ ଆସି ଯନ୍ତ୍ରାଂଶ ସହ ନଷ୍ଟ ହୋଇଯାଏ, ତେବେ ଏହା କେବଳ ଏକ ଅଚଳ ଶୀତଳଭଣ୍ଡାର ନୁହେଁ, ସରକାରୀ ଯୋଜନାର ଉଦ୍ଦେଶ୍ୟ ଓ ରକ୍ଷଣାବେକ୍ଷଣ ବ୍ୟବସ୍ଥା ଉପରେ ମଧ୍ୟ ବଡ଼ ପ୍ରଶ୍ନଚିହ୍ନ।

Related Posts