Odisha News

କିଟ୍ ଲ ସ୍କୁଲ୍ ପକ୍ଷରୁ ଆଇନ ସଚେତନତା ଶିବିର

ଚିତ୍ତରଞ୍ଜନ ବେହୁରାଙ୍କ ରିପୋର୍ଟ
ଭୁବନେଶ୍ୱର, ୧୭/ ୧୦: କିଟ୍ ଲ ସ୍କୁଲ୍ ଲିଗାଲ୍ ସର୍ଭିସେସ୍ କ୍ଲିନିକ୍ ପକ୍ଷରୁ କଟକସ୍ଥିତ ଆଶ୍ରୟ ଦି ସେଲ୍‌ଟରଠାରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି ।
ଭିନ୍ନକ୍ଷମ ଶିଶୁମାନଙ୍କର ଆଇନଗତ ଅଧିକାର, ସେମାନଙ୍କ ପାଇଁ ଉପଲବ୍ଧ ଆଇନଗତ ସୁରକ୍ଷା ବ୍ୟବସ୍ଥା ଏବଂ ବିଭିନ୍ନ ସରକାରୀ କଲ୍ୟାଣକାରୀ ଯୋଜନା ସଂପର୍କରେ ସଚେତନତା ସୃଷ୍ଟି କରିବା ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।
ଏହି ଶିବିରରେ ଭିନ୍ନକ୍ଷମ ଶିଶୁମାନଙ୍କ ପାଇଁ ପ୍ରଚଳିତ ଆଇନଗତ ସୁରକ୍ଷା, ସଂପୃକ୍ତ ଆଇନଗତ ବ୍ୟବସ୍ଥା, ସେମାନଙ୍କ ଶିକ୍ଷା, ସାମଗ୍ରିକ ବିକାଶ ଓ କଲ୍ୟାଣ ପାଇଁ ଉଦ୍ଦିଷ୍ଟ ସରକାରୀ ଯୋଜନାଗୁଡ଼ିକ ଉପରେ ଆଲୋଚନା କରାଯାଇଥିଲା ।
ଅଧ୍ୟାପକ ଓ ଛାତ୍ର ସ୍ୱେଚ୍ଛାସେବୀମାନେ ବିଦ୍ୟାଳୟର ଶିକ୍ଷକମାନଙ୍କ ସହ ଆଲୋଚନା କରି ସମାବେଶୀ ଶିକ୍ଷା, ସୁଗମ୍ୟତା, ସରକାରୀ କଲ୍ୟାଣକାରୀ ଯୋଜନାର ସଫଳ କାର‌୍ୟ୍ୟାନ୍ୱୟନ, ଶିଶୁମାନଙ୍କ ଅଧିକାର ଓ ମର୍ଯ୍ୟଦାର ସୁରକ୍ଷାରେ ଆଇନର ଭୂମିକା ସଂପର୍କରେ ମତ ବିନିମୟ କରିଥିଲେ ।
ଆଶ୍ରୟ ଦି ସେଲ୍‌ଟରର ଶିକ୍ଷକମାନଙ୍କ ନିଷ୍ଠା, ଧୈର‌୍ୟ୍ୟ ଓ ସମର୍ପଣ ଭାବକୁ ପ୍ରଶଂସା କରାଯିବା ସହ ଶିଶୁଙ୍କ ଶିକ୍ଷା, ବିକାଶ ଓ ଉନ୍ନତିରେ ଶିକ୍ଷକମାନଙ୍କ ଅବଦାନକୁ ଦଳ ପକ୍ଷରୁ ସ୍ୱୀକୃତି ଦିଆଯାଇଥିଲା ।
ଛାତ୍ର ସ୍ୱେଚ୍ଛାସେବୀମାନେ ମଧ୍ୟ ଶିଶୁମାନଙ୍କ ସହ ଭାବ ବିନିମୟ କରି ସେମାନଙ୍କ ଅନୁଭୂତି, ସାମର୍ଥ୍ୟ ଓ ଆବଶ୍ୟକତା ସଂପର୍କରେ ଅଧିକ ଜାଣିବାର ସୁଯୋଗ ପାଇଥିଲେ । ଏହି କାର‌୍ୟ୍ୟକ୍ରମ ଆଇନ ଶିକ୍ଷାକୁ ସାମାଜିକ ସେବା ସହ ଯୋଡ଼ିବା ସହିତ ଭିନ୍ନକ୍ଷମଙ୍କ ଅଧିକାର ଓ ସାମାଜିକ ଅନ୍ତର୍ଭୁକ୍ତିକରଣର ବାସ୍ତବ ଦିଗଗୁଡ଼ିକୁ ବୁଝିବାର ଏକ ମୂଲ୍ୟବାନ ସୁଯୋଗ ପ୍ରଦାନ କରିଥିଲା ।
ଏହି କାର୍ଯ୍ୟକ୍ରମକୁ ଲୋକନାଥ ମହାପାତ୍ର, ନିର୍ଦ୍ଦେଶକ, ଲିଗାଲ୍ ସର୍ଭିସେସ୍‌; ଶଶାଙ୍କ ନନ୍ଦେ ଏବଂ ଡ ପ୍ରଜ୍ଞା ପାରମିତା ରାୟ, ଫ୍ୟାକଲ୍‌ଟି କୋଅର୍ଡିନେଟର ପ୍ରମୁଖ ସଂଯୋଜନା କରିଥିଲେ ।
ଏଥିରେ ସୁସ୍ମିତା ମିଶ୍ର, ଲିଗାଲ୍ ସର୍ଭିସେସ୍ କ୍ଲିନିକର ଅଧ୍ୟାପିକା ଓ କିଟ୍ ଲ ସ୍କୁଲ୍ ଆସିଷ୍ଟାଣ୍ଟ ଲିଗାଲ୍ ଅଫିସର ଅମ୍ରିତା ବଳ ସହଯୋଗ କରିଥିଲେ ।
କାର୍ଯ୍ୟକ୍ରମରେ କିଟ୍ ଲ ସ୍କୁଲର ପୂର୍ବତନ ଛାତ୍ର ଶ୍ରୀଶେକ ଶିଖର ଏବଂ ଓଡ଼ିଶା ହାଇକୋର୍ଟର ଆଇନଜୀବୀ ମିତାଲୀ ଜେଷ୍ଠୀ ମଧ୍ୟ ଉପସ୍ଥିତ ଥିଲେ ।
ଆଶ୍ରୟ ଦି ସେଲ୍‌ଟରରେ ୧୮ ବର୍ଷ ବୟସ ପର୍ଯ୍ୟନ୍ତ ଅଟିଜିମ୍‌, ଡାଉନ୍ ସିଣ୍ଡ୍ରୋମ୍‌, ସେରିବ୍ରାଲ୍ ପାଲସି, ଅନ୍ୟାନ୍ୟ ବୌଦ୍ଧିକ ଓ ବିକାଶଗତ ଅକ୍ଷମତା ଥିବା ଶିଶୁମାନଙ୍କର ଶିକ୍ଷା, ବିକାଶ ଓ ଯତ୍ନ ପ୍ରତି ଗୁରୁତ୍ୱ ଦିଆଯାଏ ।
ଏହି ପଦକ୍ଷେପ ମାଧ୍ୟମରେ କିଟ୍ ଲ ସ୍କୁଲ୍ ଆଇନ ସଚେତନତାର ପ୍ରସାର, ଭିନ୍ନକ୍ଷମ ଶିଶୁମାନଙ୍କ ଅଧିକାର ଓ ମର୍ଯ୍ୟାଦାର ସୁରକ୍ଷା ଏବଂ ସାମାଜିକ ସମାବେଶ ଓ ସମାନତାଭିତ୍ତିକ ସମାଜ ଗଠନ ପ୍ରତି ନିଜର ପ୍ରତିବଦ୍ଧତାକୁ ପୁନର୍ବାର ଦୃଢ଼ କରିଛି ।

Related Posts