Odisha News

ଚୋର ମନ ଚୋର ଗଣ୍ଠିରେ; କାମ ଦେଲାନି ବ୍ୟାଗର ସିକ୍ରେଟ୍ ଚାମ୍ବର ଓ କୁକୁର ଖାଦ୍ୟ ଡବା; ଧରାପଡ଼ିଲେ ୪ ଜଣ

ଭୁବନେଶ୍ୱର,୧୭/୧୦ : ଭୁବନେଶ୍ୱର ବିମାନବନ୍ଦରରୁ ବ୍ୟାଙ୍କକ୍‌ରୁ ଆସିଥିବା ୫ କେଜିରୁ ଊର୍ଦ୍ଧ୍ୱ ହାଇଡ୍ରୋପୋନିକ୍ ଗଞ୍ଜେଇ ଜବତ କଲା କଷ୍ଟମ୍ସ ବିଭାଗ। ଏହି ଘଟଣାରେ ୪ ଜଣଙ୍କୁ ଅଟକ ରଖାଯାଇଛି।
ସୂଚନା ଅନୁଯାୟୀ ବ୍ୟାଙ୍କକ୍‌ରୁ ଭୁବନେଶ୍ୱର ଆସୁଥିବା ଯାତ୍ରୀ ବ୍ୟାଗ୍ ଭିତରେ ସ୍ୱତନ୍ତ୍ର ଭାବେ ତିଆରି ଗୁପ୍ତ ଚାମ୍ବରରେ ଏହି ପ୍ୟାକେଟ୍‌ଗୁଡ଼ିକୁ ଲୁଚାଇ ରଖିଥିଲେ ।
ସେହିପରି ଅନ୍ୟ ଜଣେ ଯାତ୍ରୀଙ୍କ ବ୍ୟାଗ୍‌ରେ କୁକୁର ଖାଦ୍ୟ ଲେଖାଥିବା ଏକ ଟିଣ ଡବାରୁ ୪୧୪ ଗ୍ରାମ ହାଇଡ୍ରୋପୋନିକ୍ ଗଞ୍ଜେଇ ଜବତ ହୋଇଥିଲା ।
ଏହିପରି ଭାବେ ଚାରି ଜଣ ଯାତ୍ରୀଙ୍କଠାରୁ ମୋଟ ୫.୨୯୧ କିଲୋଗ୍ରାମ ଜବତ କରାଯାଇଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ କୋଟି ୮୫ ଲକ୍ଷ ଟଙ୍କା ହେବ।
ହାଇଡ୍ରୋପୋନିକ୍ ଗଞ୍ଜେଇ ହେଉଛି ଏକ ବିଶେଷ ପ୍ରକାରର ଗଞ୍ଜେଇ । ଏହା ମାଟି ବିନା, କେବଳ ଜଳଭିତ୍ତିକ ସ୍ୱତନ୍ତ୍ର ପୋଷକ ଦ୍ରବଣରେ ହାଇଡ୍ରୋପୋନିକ୍ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ଚାଷ କରାଯାଏ।
ଜବତ ଗଞ୍ଜେଇ ସହ ଚାରି ଜଣ ଯାତ୍ରୀଙ୍କୁ ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଭୁବନେଶ୍ୱର କଷ୍ଟମ୍ସର ଏୟାର ଇଣ୍ଟେଲିଜେନ୍ସ ୟୁନିଟ୍‌କୁ ହସ୍ତାନ୍ତର କରାଯାଇଛି । ଏହି ଚାଲାଣ ପଛରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ଅଧିକ ତଦନ୍ତ ଜାରି ରହିଛି ।

Related Posts