ବାଲିଗୁଡ଼ା ରାଜନୀତିରେ ନୂଆ ସମୀକରଣର ଆଭାସ! ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନକୁ ନେଇ ରାଜନୈତିକ ଚର୍ଚ୍ଚା ଜୋରଦାର
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡ଼ା, ୧୯/୧୧ : ଆଗାମୀ ଦିନରେ ବାଲିଗୁଡ଼ା ରାଜନୀତି କେଉଁ ମୋଡ଼ ନେବ, ତାହାକୁ ନେଇ ଏବେଠାରୁ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି।
ଗୁରୁବାର ବାଲିଗୁଡ଼ା ସହରରେ ବିଧାୟକ ଚକ୍ରମଣି କହଁର ଓ ବିଜେଡିରୁ ନିଲମ୍ବିତ ପୂର୍ବତନ ବିଜେଡି ନେତା ଟୁନା ଦାସଙ୍କ ସମର୍ଥକଙ୍କ ବିଶାଳ ସମାବେଶ ଓ ବାଇକ୍ ରାଲି ରାଜନୈତିକ ମହଲରେ ନୂଆ ଚର୍ଚ୍ଚାକୁ ଜନ୍ମ ଦେଇଛି। ହଜାର ହଜାର ସମର୍ଥକଙ୍କ ଉପସ୍ଥିତି ଏବଂ ସହର ପରିକ୍ରମା କରି ନିଜ ନିଜର ଜନସମର୍ଥନ ପ୍ରଦର୍ଶନ କରିବା ଘଟଣା ଆଗାମୀ ନିର୍ବାଚନୀ ରାଜନୀତିର ଆଭାସ ଦେଇଛି।
ବିଶେଷ କରି ବିଜେଡିରୁ ନିଲମ୍ବିତ ହେବା ପରେ ଟୁନା ଦାସଙ୍କ ପକ୍ଷରୁ ଏଭଳି ବିଶାଳ ସମର୍ଥକ ସମାବେଶ ଆୟୋଜନକୁ ନେଇ ରାଜନୈତିକ ମହଲରେ ଭିନ୍ନ ଭିନ୍ନ ଆଲୋଚନା ହେଉଛି। ଦଳୀୟ ସଂଗଠନ ବାହାରେ ରହି ମଧ୍ୟ ନିଜର ରାଜନୈତିକ ପ୍ରଭାବ ଓ ଜନସମ୍ପର୍କ କେତେ ମଜବୁତ ରହିଛି, ତାହାର ଏକ ବାର୍ତ୍ତା ଦେବାକୁ ଟୁନା ଦାସ ଉଦ୍ୟମ କରିଥିବା ଚର୍ଚ୍ଚା ହେଉଛି।
ଅନ୍ୟପକ୍ଷରେ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର ମଧ୍ୟ ନିଜର ସମର୍ଥକ ଓ ଦଳୀୟ କର୍ମୀଙ୍କୁ ଏକଜୁଟ କରି ସହରରେ ନିଜର ରାଜନୈତିକ ଉପସ୍ଥିତି ଜାହିର କରିଛନ୍ତି। ଉଭୟ ନେତାଙ୍କ ସମର୍ଥକଙ୍କ ବିପୁଳ ଉପସ୍ଥିତି ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ବାଲିଗୁଡ଼ା ଅଞ୍ଚଳରେ ରାଜନୈତିକ ଚଳଚଞ୍ଚଳତା ବଢ଼ାଇ ଦେଇଛି। ସୂଚନା ଅନୁସାରେ, ଟୁନା ଦାସଙ୍କ ସମର୍ଥକ ମାନେ ବାଲିଗୁଡ଼ା ର ବରାଳଦେବୀ ପୀଠ ନିକଟରେ ଏକତ୍ରିତ ହୋଇ ସେଠାରୁ ଏକ ବିଶାଳ ବାଇକ୍ ରାଲିରେ ବାହାରିଥିଲେ। ରାଲି ଦଣ୍ଡପଦର ସମେତ ବାଲିଗୁଡ଼ା ସହରର ବିଭିନ୍ନ ଅଞ୍ଚଳ ପରିକ୍ରମା କରିଥିଲା।
ଶତାଧିକ ନୁହେଁ, ହଜାରେରୁ ଊର୍ଦ୍ଧ୍ୱ ବାଇକ୍ ଏହି ରାଲିରେ ସାମିଲ ହୋଇଥିବା ଦାବି କରାଯାଇଛି। ବିଭିନ୍ନ ସ୍ଥାନରେ ସମର୍ଥକଙ୍କ ଉତ୍ସାହ ଓ ସ୍ଲୋଗାନ ରେ ସହରର ରାଜନୈତିକ ପରିବେଶ ସରଗରମ ହୋଇଉଠିଥିଲା।
ରାଲିରେ \’ବିଜୁ ପଟ୍ଟନାୟକ ଅମର ରହେ\’, \’ଚକ୍ରମଣି କହଁର ଜିନ୍ଦାବାଦ\’, \’ଟୁନା ଦାସ ଜିନ୍ଦାବାଦ\’ ଏବଂ \’ପ୍ରମୋଦ କୁମାର ସାହୁ ଜିନ୍ଦାବାଦ\’ ଭଳି ସ୍ଲୋଗାନରେ ସହର ମୁଖରିତ ହୋଇଥିଲା। ରାଲିରେ ବିଧାୟକ ଚକ୍ରମଣି କହଁର, ବରିଷ୍ଠ ନେତା ଟୁନା ଦାସ, ତୁମୁଡ଼ିବନ୍ଧ ବ୍ଲକର ନେତା ପ୍ରମୋଦ କୁମାର ସାହୁ, ନଗର ବିଧାୟକ ପ୍ରତିନିଧି ଅବନୀ କାନ୍ତ ନାୟକ, ପୂର୍ବତନ ଏନ୍ଏସି ଅଧ୍ୟକ୍ଷ ଲୋକନାଥ ପାଢ଼ୀ, ଙ୍କ ସମେତ ବାଲିଗୁଡା, କ.ନୂଆଗାଁ, ତୁମୁଡିବନ୍ଧ ଓ କୋଟଗଡ଼ ନିର୍ବାଚନ ମଣ୍ଡଳୀର ବହୁ ନେତା ଓ କର୍ମୀ ସାମିଲ ହୋଇଥିଲେ। ସହର ପରିକ୍ରମା ପରେ ଏହି ରାଲି ସିନ୍ଦ୍ରିଗାଁ ଠାରେ ପହଞ୍ଚିଥିଲା। ସେଠାରେ ଆୟୋଜିତ ଭଲିବଲ୍ ଫାଇନାଲ୍ ଟୁର୍ଣ୍ଣାମେଣ୍ଟରେ ବିଧାୟକ ଚକ୍ରମଣି କହଁର, ଟୁନା ଦାସ, ପ୍ରମୋଦ କୁମାର ସାହୁ, ଲୋକନାଥ ପାଢ଼ୀ ଓ ଅବନୀକାନ୍ତ ନାୟକ ଅତିଥି ଭାବେ ଯୋଗ ଦେଇଥିଲେ। ନିର୍ବାଚନମଣ୍ଡଳୀର ବହୁ ସମର୍ଥକ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
ତେବେ ଏହି ବାଇକ୍ ରାଲିକୁ କେବଳ ଏକ ସାଧାରଣ ରାଜନୈତିକ ଶୋଭାଯାତ୍ରା ଭାବେ ଦେଖାଯାଉନାହିଁ। ବରଂ ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି ସଂଗଠନକୁ ମଜବୁତ କରିବା ଓ ତୃଣମୂଳ ସ୍ତରରେ ସମର୍ଥକଙ୍କୁ ଏକାଠି କରିବାର ଏକ ରାଜନୈତିକ ପ୍ରୟାସ ଭାବେ ଏହାକୁ ବିଚାର କରାଯାଉଛି।
ଆଗାମୀ ଦିନରେ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀରେ ସଂଗଠନକୁ ଆହୁରି ସୁଦୃଢ଼ କରିବା ସହ ଜନସମ୍ପର୍କ କାର୍ଯ୍ୟକ୍ରମ ଜାରି ରଖାଯିବ ବୋଲି ସମର୍ଥକ ମାନେ କହିଛନ୍ତି। ଏବେ ପ୍ରଶ୍ନ ଉଠୁଛି, ଟୁନା ଦାସଙ୍କ ନିଲମ୍ବନ ପରବର୍ତ୍ତୀ ରାଜନୈତିକ ଭୂମିକା ଆଗାମୀ ଦିନରେ କେଉଁ ଦିଗକୁ ଗତି କରିବ? ବିଧାୟକ ଚକ୍ରମଣି କହଁରଙ୍କ ସହ ତାଙ୍କର ଏହି ରାଜନୈତିକ ଉପସ୍ଥିତି ବାଲିଗୁଡ଼ାରେ ନୂଆ ସମୀକରଣ ସୃଷ୍ଟି କରିବ କି? ଏହାର ଉତ୍ତର ଆଗାମୀ ଦିନର ରାଜନୈତିକ ଘଟଣାକ୍ରମ ହିଁ ସ୍ପଷ୍ଟ କରିବ। ତେବେ ଗୁରୁବାରର ଏହି ବିଶାଳ ସମାବେଶ ବାଲିଗୁଡ଼ା ରାଜନୀତିରେ ନିଶ୍ଚିତ ଭାବେ ଏକ ଚର୍ଚ୍ଚିତ ଘଟଣା ହୋଇ ରହିବ।
ବାତ୍ୟା ଆସିଲେ ଛାଡ଼ିବାକୁ ପଡ଼ୁଛି ଭିଟାମାଟି! : ଅସ୍ଥାୟୀ ଆଶ୍ରୟସ୍ଥଳରେ ଜୀବନ, ସ୍ଥାୟୀ ବିସ୍ଥାପନ ଦାବି ଜୋରଦାର
ବାଲିଗୁଡ଼ା,୧୯/୧୧ : ପ୍ରାକୃତିକ ବିପର୍ଯ୍ୟୟର ଆଶଙ୍କା ଆସିଲେ ଘାରି ହେଉଛି ଘରଦ୍ୱାର। ନିଜ ଭିଟାମାଟିରେ ରହିବା ପରିବର୍ତ୍ତେ ସୁରକ୍ଷିତ ଆଶ୍ରୟ ଖୋଜିବାକୁ ପଡ଼ୁଛି। ବର୍ଷା ଓ ବାତ୍ୟାର ଖବର ଶୁଣିବା ମାତ୍ରେ ପିଲାଛୁଆଙ୍କୁ ଧରି ଆଶ୍ରୟସ୍ଥଳକୁ ଦୌଡ଼ିବାକୁ ପଡ଼ୁଛି।
ଏଭଳି ଅନିଶ୍ଚିତତା ଓ ଭୟ ମଧ୍ୟରେ ଦିନ କାଟୁଛନ୍ତି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ୍ ହାତୀମୁଣ୍ଡା ପଞ୍ଚାୟତର କୁମ୍ଭାରୀପଦ୍ର ଗ୍ରାମବାସୀ।ସମ୍ଭାବ୍ୟ ‘ଅକଭାନ’ ବାତ୍ୟାକୁ ନେଇ ପ୍ରଶାସନ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଇଥିବା ବେଳେ ଭୂସ୍ଖଳନ ଆଶଙ୍କାରେ ଗ୍ରାମବାସୀ ନିଜ ଘର ଛାଡ଼ି ତାମାଙ୍ଗି ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ଅସ୍ଥାୟୀ ଆଶ୍ରୟସ୍ଥଳରେ ରହିଛନ୍ତି। ବିଦ୍ୟାଳୟର ବାରଣ୍ଡା ଓ ବିଭିନ୍ନ କୋଠରୀରେ ମହିଳା, ପୁରୁଷ ଓ ଶିଶୁମାନେ ଆଶ୍ରୟ ନେଇଥିବା ବେଳେ ସେମାନଙ୍କ ପାଇଁ ନିକଟସ୍ଥ ରୋଷେଇ ସେଡ୍ରେ ଖାଦ୍ୟ ପ୍ରସ୍ତୁତ କରାଯାଉଛି।
ପ୍ରଶାସନ ପକ୍ଷରୁ ଖାଦ୍ୟ ଓ ରହିବାର ବ୍ୟବସ୍ଥା ହୋଇଥିବାରୁ ବିପଦ ସମୟରେ ଏହା ଗ୍ରାମବାସୀଙ୍କୁ ଆଶ୍ୱସ୍ତି ଦେଇଛି। କିନ୍ତୁ ପ୍ରତିଥର ବିପଦ ଆସିଲେ ଆଶ୍ରୟସ୍ଥଳକୁ ଯିବା ଏହି ଗ୍ରାମବାସୀଙ୍କ ପାଇଁ ଏକ ସ୍ଥାୟୀ ସମାଧାନ ହୋଇପାରିବ କି?
ଏହି ପ୍ରଶ୍ନ ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।ଗ୍ରାମବାସୀ ଅଶୋକ ବଳିଆରସିଂଙ୍କ ସୂଚନା ଅନୁଯାୟୀ, କୁମ୍ଭାରୀପଦ୍ର ଗ୍ରାମର ଶାହିମୁଣ୍ଡ ଅଞ୍ଚଳରେ ୨୦୧୯ ମସିହାରୁ ଭୂସ୍ଖଳନ ସମସ୍ୟା ଦେଖାଦେଇଛି।
ଦୀର୍ଘ ସାତ ବର୍ଷ ଧରି ଏହି ବିପଦର ଆଶଙ୍କା ମଧ୍ୟରେ ଜୀବନ ବିତାଉଥିଲେ ମଧ୍ୟ ଏହାର ସ୍ଥାୟୀ ସମାଧାନ ହୋଇପାରିନାହିଁ। ପୂର୍ବରୁ ପ୍ରଶାସନ ପକ୍ଷରୁ ଗ୍ରାମବାସୀଙ୍କ ବିସ୍ଥାପନ ପାଇଁ କେତେକ ସ୍ଥାନ ଚିହ୍ନଟ କରାଯାଇଥିଲା।
ହେଲେ ଏଯାବତ୍ ସେହି ଯୋଜନା ବାସ୍ତବ ରୂପ ନେଇପାରିନାହିଁ। ଫଳରେ ଗ୍ରାମବାସୀଙ୍କ ମନରୁ ଭୂସ୍ଖଳନ ଭୟ ଦୂର ହେଉନାହିଁ। ପ୍ରତିଥର ବାତ୍ୟା କିମ୍ବା ପ୍ରବଳ ବର୍ଷାର ପୂର୍ବାଭାସ ମିଳିଲେ ନିଜ ଘର ଛାଡ଼ି ଅନ୍ୟତ୍ର ଆଶ୍ରୟ ନେବାକୁ ପଡ଼ୁଛି। ଏହାଦ୍ୱାରା ଦୈନନ୍ଦିନ ଜୀବନ, ପିଲାମାନଙ୍କ ପାଠପଢ଼ା, ଜୀବିକା ଓ ପାରିବାରିକ କାର୍ଯ୍ୟକଳାପ ପ୍ରଭାବିତ ହେଉଛି।
ନିଜ ଘର ସୁରକ୍ଷିତ ଅଛି କି ନାହିଁ, ଫେରିଲେ ପୁଣି ସେଠାରେ ରହିପାରିବେ କି ନାହିଁ, ଏଭଳି ଆଶଙ୍କା ମଧ୍ୟରେ ରହୁଛନ୍ତି ପରିବାରଗୁଡ଼ିକ।ବିପର୍ଯ୍ୟୟ ସମୟରେ ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ରଖିବା ପ୍ରଶାସନର ତତ୍କାଳୀନ ଦାୟିତ୍ୱ ହୋଇଥିବା ବେଳେ ଦୀର୍ଘଦିନ ଧରି ଭୂସ୍ଖଳନ ଆଶଙ୍କାରେ ରହୁଥିବା ପରିବାର ଗୁଡ଼ିକର ସ୍ଥାୟୀ ଥଇଥାନ ମଧ୍ୟ ସମାନ ଗୁରୁତ୍ୱ ବହନ କରୁଛି।
ଚିହ୍ନଟ ହୋଇଥିବା ବିସ୍ଥାପନ ସ୍ଥାନରେ ଆବଶ୍ୟକ ଭିତ୍ତିଭୂମି, ଘର ଓ ମୌଳିକ ସୁବିଧା ଯୋଗାଇ ଶୀଘ୍ର ପୁନର୍ବାସ ପ୍ରକ୍ରିୟା ଆରମ୍ଭ କରିବାକୁ ଗ୍ରାମବାସୀ ଦାବି ଉଠାଇଛନ୍ତି।
ବର୍ତ୍ତମାନର ବାତ୍ୟା ପରିସ୍ଥିତିରେ ପ୍ରଶାସନର ତତ୍ପରତା ଓ ଆଶ୍ରୟସ୍ଥଳରେ ଖାଦ୍ୟ ବ୍ୟବସ୍ଥାକୁ ଗ୍ରାମବାସୀ ସ୍ୱାଗତ କରିଛନ୍ତି। ତେବେ ସାମୟିକ ରିଲିଫ୍ରେ ସମସ୍ୟାର ଅନ୍ତ ହେବ ନାହିଁ।
୨୦୧୯ରୁ ଲାଗି ରହିଥିବା ଭୂସ୍ଖଳନ ସମସ୍ୟାର ବୈଜ୍ଞାନିକ ଅନୁଧ୍ୟାନ କରିବା ସହ ବିସ୍ଥାପନ ଓ ପୁନର୍ବାସ ଯୋଜନାକୁ ତ୍ୱରାନ୍ୱିତ କରିବା ଏବେ ଜିଲ୍ଲା ପ୍ରଶାସନ ପାଇଁ ଏକ ବଡ଼ ଆହ୍ୱାନ ହୋଇଛି।
ବିପଦ ଆସିଲେ ଘର ଛାଡ଼ିବା, ବିପଦ ଟଳିଲେ ପୁଣି ଫେରିବା ଏହି ଅନିଶ୍ଚିତ ଜୀବନରୁ କୁମ୍ଭାରୀପଦ୍ରବାସୀଙ୍କୁ କେବେ ମିଳିବ ମୁକ୍ତି ? ଏବେ ସମସ୍ତଙ୍କ ନଜର ପ୍ରଶାସନର ପରବର୍ତ୍ତୀ ପଦକ୍ଷେପ ଉପରେ।
ବାତ୍ୟା ‘ଅକ୍ୱାନ’ ଭୟ: ପୁଣି ସିଲ୍ ହେଲା ଗାଜଲବାଡ଼ି ଘାଟି, ଉଭୟ ପଟୁ ଯାତାୟାତ ବନ୍ଦ : ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ନେଇ ବଢ଼ିଲା ଚିନ୍ତା
ବାଲିଗୁଡ଼ା, ୧୯/୧୧ : ପ୍ରକୃତିର ଦାଉରୁ ଏଯାଏଁ ସମ୍ପୂର୍ଣ୍ଣ ମୁକୁଳି ନଥିବା କନ୍ଧମାଳ ଜିଲ୍ଲାକୁ ପୁଣି ଘାରିଛି ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’ର ଭୟ। ବାତ୍ୟାର ସମ୍ଭାବ୍ୟ ପ୍ରଭାବ ଓ ଘାଟି ଅଞ୍ଚଳରେ ଭୂସ୍ଖଳନ ଆଶଙ୍କାକୁ ଗୁରୁତ୍ୱ ଦେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଛି ଆଗୁଆ ସତର୍କତାମୂଳକ ପଦକ୍ଷେପ।
କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାକୁ ସଂଯୋଗ କରୁଥିବା ଦାରିଙ୍ଗବାଡ଼ି ସୀମାନ୍ତ ଗାଜଲବାଡ଼ି ଘାଟି ରାସ୍ତାକୁ ପୁଣି ଉଭୟ ପଟୁ ସିଲ୍ କରି ଦିଆଯାଇଛି। ଫଳରେ ଦାରିଙ୍ଗବାଡ଼ି ଦେଇ ବ୍ରହ୍ମପୁର ଓ ଭଞ୍ଜନଗରକୁ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇପଡ଼ିଛି।କନ୍ଧମାଳ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ଘାଟି ରାସ୍ତାରେ ସମସ୍ତ ପ୍ରକାର ଯାନବାହନ ଚଳାଚଳକୁ ଅସ୍ଥାୟୀ ଭାବେ ବନ୍ଦ କରାଯାଇଛି।
ଗଞ୍ଜାମ ଜିଲ୍ଲା ପଟେ ଗାଜଲବାଡ଼ି ନିକଟରେ ସୋରଡ଼ା ଥାନା ଆଇଆଇସି ସୁନୀଲ ପ୍ରଧାନଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ପୁଲିସ ବାହିନୀ ମୁତୟନ ହୋଇ ଯାନବାହନ ଚଳାଚଳକୁ ରୋକିଛନ୍ତି।
ସେହିପରି କନ୍ଧମାଳ ଜିଲ୍ଲାପାଳ ବେଦ ଭୂଷଣଙ୍କ ନିର୍ଦ୍ଦେଶକ୍ରମେ ଦାରିଙ୍ଗବାଡ଼ି ବିଡିଓ ପ୍ରୀତିରଞ୍ଜନ ରଥ, ତହସିଲଦାର ଧୀରଜ ପାତ୍ର ଓ ଥାନା ଆଇଆଇସି ସଂଗ୍ରାମ କେଶରୀ ଜେନାଙ୍କ ଉପସ୍ଥିତିରେ ବାଇମାଲା ଚେକ୍ଗେଟ୍ ନିକଟରେ ରାସ୍ତାକୁ ସିଲ୍ କରାଯାଇଛି।
ଉଭୟ ପଟେ ପୁଲିସ ମୁତୟନ ରହି ଯାନବାହନ ଚାଳକଙ୍କୁ ଆଗକୁ ନଯିବା ପାଇଁ ସତର୍କ କରାଉଛନ୍ତି। ପ୍ରଶାସନ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁଯାୟୀ, ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଘାଟି ଅଞ୍ଚଳରେ ପ୍ରବଳ ବର୍ଷା ଓ ପବନ ହେଲେ ଭୂସ୍ଖଳନ, ପାହାଡ଼ରୁ ପଥର ଓ ମାଟି ଧସିବା ସହ ରାସ୍ତା ଓ ପୋଲର ଭିତ୍ତିଭୂମି କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି। ବିଶେଷକରି ପାହାଡ଼ିଆ ଓ ଦୁର୍ବଳ ଭୂମି ଦେଇ ଯାଇଥିବା ଏହି ଘାଟି ରାସ୍ତାରେ ଯାତାୟାତ କରିବା ଯାତ୍ରୀ ଓ ଅନ୍ୟ ରାସ୍ତା ବ୍ୟବହାରକାରୀଙ୍କ ପାଇଁ ବିପଦପୂର୍ଣ୍ଣ ହୋଇପାରେ।
ତେଣୁ ଜନସାଧାରଣଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷା ତଥା ସମ୍ଭାବ୍ୟ ଅଘଟଣକୁ ଏଡ଼ାଇବା ଲକ୍ଷ୍ୟରେ ଏହି କଟକଣା ଲାଗୁ କରାଯାଇଛି। ପରବର୍ତ୍ତୀ ସରକାରୀ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ଘାଟି ରାସ୍ତାରେ ଯାନବାହନ ଚଳାଚଳ ବନ୍ଦ ରହିବ।
ତେବେ ଘାଟି ରାସ୍ତା ବନ୍ଦ ହେବା ଫଳରେ କେବଳ ଯାତ୍ରୀ ପରିବହନ ନୁହେଁ, ଦୈନନ୍ଦିନ ଜୀବନଯାପନ ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି। ଗଞ୍ଜାମ ଜିଲ୍ଲାରୁ କନ୍ଧମାଳକୁ ନିୟମିତ ଆସୁଥିବା ରାସନ ସାମଗ୍ରୀ, ପନିପରିବା ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ଦ୍ରବ୍ୟର ପରିବହନ ଏହି ରାସ୍ତା ଉପରେ ଅନେକାଂଶରେ ନିର୍ଭର କରିଥାଏ।
ରାସ୍ତା ବନ୍ଦ ରହିଲେ ଏହାର ଯୋଗାଣ ବ୍ୟବସ୍ଥା ପ୍ରଭାବିତ ହେବା ସହ ବ୍ୟବସାୟୀ ଓ ସାଧାରଣ ଲୋକେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚିନ୍ତା ବଢ଼ିଛି। ସୂଚନାଯୋଗ୍ୟ ଯେ, ପୂର୍ବରୁ ବାତ୍ୟା ‘ଅର୍ଣ୍ଣବ’ ସମୟରେ ଗତ ୨୯ ତାରିଖରେ ଏହି ଗାଜଲବାଡ଼ି ଘାଟି ରାସ୍ତାରେ ବଡ଼ଧରଣର ଭୂସ୍ଖଳନ ହୋଇଥିଲା।
ଏଥିସହ ଗାଜଲବାଡ଼ିକୁ ସଂଯୋଗ କରୁଥିବା ଅଡ଼ଙ୍ଗୀ ନଦୀ ନିକଟରେ ପ୍ରାୟ ୩୬୦ ମିଟର ରାସ୍ତା ଓ ପୋଲ ବର୍ଷାଜଳର ପ୍ରବଳ ସ୍ରୋତରେ ଧୋଇ ହୋଇଯାଇଥିଲା।
ପରବର୍ତ୍ତୀ ସମୟରେ ଅସ୍ଥାୟୀ ମରାମତି କରାଯାଇ ଚଳିତ ମାସ ୬ ତାରିଖଠାରୁ କେବଳ ହାଲୁକା ଯାନବାହନ ଚଳାଚଳକୁ ଅନୁମତି ଦିଆଯାଇଥିଲା। ଯାତ୍ରୀବାହୀ ବସ୍ ଓ ଭାରୀଯାନ ଚଳାଚଳ ଉପରେ କିନ୍ତୁ ପୂର୍ବରୁ କଟକଣା ଜାରି ରହିଥିଲା।
ଏବେ ପୁଣି ଏକ ସମ୍ଭାବ୍ୟ ବାତ୍ୟାର ଆଶଙ୍କା ଦେଖାଦେବା ପରେ ପ୍ରଶାସନ ପକ୍ଷରୁ ଘାଟି ରାସ୍ତାକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବା ଘଟଣା ଏହି ଅଞ୍ଚଳରେ ଯାତାୟାତ ଓ ଯୋଗାଣ ବ୍ୟବସ୍ଥାକୁ ପୁଣି ଅନିଶ୍ଚିତତା ମଧ୍ୟକୁ ଠେଲି ଦେଇଛି। ତଥାପି ପ୍ରଶାସନର ଏହି ପଦକ୍ଷେପ ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ।
ତେଣୁ ଯାତ୍ରୀ, ଗାଡ଼ିଚାଳକ ଓ ସାଧାରଣ ଲୋକେ ପ୍ରଶାସନର ନିର୍ଦ୍ଦେଶକୁ ଅବମାନନା ନକରି ଧୈର୍ଯ୍ୟର ସହ ପରିସ୍ଥିତିର ମୁକାବିଲା କରିବା ସହ ନିଜ ସୁରକ୍ଷା ଏବଂ ଅନ୍ୟମାନଙ୍କ ସୁରକ୍ଷା ପ୍ରତି ସଚେତନ ରହିବାକୁ ଅନୁରୋଧ କରାଯାଇଛି।
ଆକ୍ଭାନ୍ ବାତ୍ୟା ମୁକାବିଲାକୁ ନେଇ ପ୍ରଶାସନର ତତ୍ପରତା, ଭର୍ଚୁଆଲ୍ ବୈଠକରେ ପ୍ରସ୍ତୁତି ସମୀକ୍ଷା
ବାଲିଗୁଡ଼ା, ୧୯/୧୧ : ସମ୍ଭାବ୍ୟ ଆକ୍ଭାନ୍ ବାତ୍ୟାର ମୁକାବିଲା ଏବଂ ଏହାର ପ୍ରଭାବରୁ ଜନଜୀବନ ଓ ଧନସମ୍ପତ୍ତିର ସୁରକ୍ଷା ନିମନ୍ତେ କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତିକୁ ଜୋରଦାର କରାଯାଇଛି।
ବାତ୍ୟାର ସମ୍ଭାବ୍ୟ ପ୍ରଭାବ, ପ୍ରବଳ ବର୍ଷା, ବନ୍ୟା ଓ ଭୂସ୍ଖଳନ ଭଳି ବିପର୍ଯ୍ୟୟର ମୁକାବିଲା ପାଇଁ ଗୁରୁବାରରେ ଗୁଗୁଲ୍ ମିଟ୍ ମାଧ୍ୟମରେ ଏକ ଜରୁରୀକାଳୀନ ଭର୍ଚୁଆଲ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ରାଜ୍ୟ ତଦାରଖକାରୀ ଅଧିକାରୀ ଭାବେ ନିଯୁକ୍ତ ଆଇଏଏସ୍ ଅଧିକାରୀ ଭୂପେନ୍ଦ୍ର ସିଂହ ପୁନିଆଙ୍କ ଉପସ୍ଥିତିରେ ହୋଇଥିବା ଏହି ବୈଠକରେ କନ୍ଧମାଳ ଜିଲ୍ଲାପାଳ ବେଦ ଭୂଷଣ ଓ ବାଲିଗୁଡା ଉପଜିଲ୍ଲାପାଳ ପ୍ରଣୀତା ଦାସ ଙ୍କ ସମେତ ଜିଲ୍ଲା ଓ ବ୍ଲକ୍ସ୍ତରୀୟ ସମସ୍ତ ବିଭାଗର ଅଧିକାରୀ ମାନେ ଯୋଗଦେଇଥିଲେ।
ବାତ୍ୟା ପୂର୍ବରୁ ପ୍ରଶାସନିକ ପ୍ରସ୍ତୁତିକୁ ସୁଦୃଢ଼ କରିବା, ବିପଦସଙ୍କୁଳ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳକୁ ନେବା, ରିଲିଫ୍ ସାମଗ୍ରୀ ମହଜୁଦ ରଖିବା ଏବଂ ଜରୁରୀକାଳୀନ ସେବାକୁ ସଜାଗ ରଖିବା ଉପରେ ବିଶେଷ ଆଲୋଚନା ହୋଇଥିଲା।
ବୈଠକରେ ସର୍ବାଧିକ ଗୁରୁତ୍ୱ ଦିଆଯାଇଥିଲା ଲୋକଙ୍କ ଜୀବନ ସୁରକ୍ଷା ଉପରେ। ବିଶେଷକରି ନଦୀ, ନାଳ ଓ ଜଳପ୍ରବାହ ନିକଟବର୍ତ୍ତୀ ଅଞ୍ଚଳରେ ରହୁଥିବା ପରିବାର, ତଳିଆ ଅଞ୍ଚଳ ଏବଂ ଅନ୍ୟାନ୍ୟ ବିପଦପ୍ରବଣ ସ୍ଥାନରେ ବସବାସ କରୁଥିବା ଲୋକଙ୍କୁ ଆଗୁଆ ଚିହ୍ନଟ କରି ସୁରକ୍ଷିତ ସ୍ଥାନକୁ ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା।
କେତେଜଣଙ୍କୁ ସ୍ଥାନାନ୍ତର କରାଗଲା ଏବଂ ଆଉ କେତେଜଣଙ୍କୁ ସ୍ଥାନାନ୍ତର କରିବାର ଆବଶ୍ୟକତା ରହିଛି, ସେ ସମ୍ପର୍କରେ ସଠିକ୍ ତଥ୍ୟ ଓ ରେକର୍ଡ ରଖିବାକୁ ଅଧିକାରୀମାନଙ୍କୁ କୁହାଯାଇଥିଲା।
କେବଳ ଲୋକଙ୍କୁ ସ୍ଥାନାନ୍ତର କରିଦେଲେ ଦାୟିତ୍ୱ ଶେଷ ହେବ ନାହିଁ, ବରଂ ସେମାନେ ଆଶ୍ରୟସ୍ଥଳରେ ରହିବା ପର୍ଯ୍ୟନ୍ତ ଆବଶ୍ୟକ ସମସ୍ତ ସୁବିଧା ଯୋଗାଇଦେବାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ଆଶ୍ରୟସ୍ଥଳ ଦାୟିତ୍ୱରେ ଥିବା ଅଧିକାରୀମାନେ ସେଠାରେ ଉପସ୍ଥିତ ରହି ଖାଦ୍ୟ, ପାନୀୟ ଜଳ, ଆଲୋକ ଓ ଅନ୍ୟାନ୍ୟ ମୌଳିକ ସୁବିଧାର ନିୟମିତ ତଦାରଖ କରିବାକୁ କୁହାଯାଇଥିଲା।
ବାତ୍ୟା ପରବର୍ତ୍ତୀ ସ୍ଥିତିରେ ଯେପରି ଉଦ୍ଧାର କାର୍ଯ୍ୟ ବିଳମ୍ବିତ ନହୁଏ, ସେଥିପାଇଁ ଆବଶ୍ୟକ ଖାଦ୍ୟ ସାମଗ୍ରୀ, ପଲିଥିନ୍, ପାଲ, ଜେନେରେଟର, ଚେନ୍ ମେସିନ୍, ଜେସିବି, ଟ୍ରଲର୍ ଓ ଅନ୍ୟାନ୍ୟ ଜରୁରୀ ଉଦ୍ଧାର ସାମଗ୍ରୀ ପ୍ରସ୍ତୁତ ରଖିବାକୁ କୁହାଯାଇଥିଲା।
ଏଥିସହ ଆବଶ୍ୟକ ଗାଡ଼ି ଓ ଡ୍ରାଇଭର ମାନଙ୍କୁ ମଧ୍ୟ ସଜାଗ ରଖିବା ଉପରେ ଗୁରୁତ୍ୱ ଦିଆଯାଇ ଥିଲା। ସ୍ୱାସ୍ଥ୍ୟ ବିଭାଗକୁ ମଧ୍ୟ ଆଗୁଆ ପ୍ରସ୍ତୁତ ରହିବାକୁ କୁହାଯାଇଛି।
ଆବଶ୍ୟକ ଔଷଧ ମହଜୁଦ ରଖିବା ସହ ଡାକ୍ତର, ନର୍ସ, ଆଶାକର୍ମୀ ଓ ଏଏନ୍ଏମ୍ ମାନଙ୍କୁ ଜରୁରୀ କାଳୀନ ସେବା ପାଇଁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ରହିଥିଲା।
ଆବଶ୍ୟକ ପଡ଼ିଲେ ତୁରନ୍ତ ଚିକିତ୍ସା ସେବା ଯୋଗାଇଦେବା ସହ ଗର୍ଭବତୀ ମହିଳା, ବୃଦ୍ଧବୃଦ୍ଧା, ଶିଶୁ ଓ ଅସୁସ୍ଥ ବ୍ୟକ୍ତିଙ୍କ ସୁରକ୍ଷା ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ଆଲୋଚନା ହୋଇଥିଲା । ପାହାଡ଼ିଆ ଭୌଗୋଳିକ ସ୍ଥିତି ଯୋଗୁଁ କନ୍ଧମାଳ ଜିଲ୍ଲାରେ ବର୍ଷା ସମୟରେ ଭୂସ୍ଖଳନ ଓ ରାସ୍ତା ଅବରୋଧର ଆଶଙ୍କା ରହିଥାଏ। ଏହାକୁ ଦୃଷ୍ଟିରେ ରଖି ରାଇକିଆ, ଦାରିଙ୍ଗବାଡ଼ି ଓ ଜି. ଉଦୟଗିରି ଭଳି ଭୂସ୍ଖଳନ ପ୍ରବଣ ବ୍ଲକ୍ଗୁଡ଼ିକର ପ୍ରସ୍ତୁତି ସମ୍ପର୍କରେ ବୈଠକରେ ସ୍ୱତନ୍ତ୍ର ଭାବେ ପଚାରି ବୁଝାଯାଇ ଥିଲା।
ବିପଦ ସଙ୍କୁଳ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରିବା ନିମନ୍ତେ ଗାଡ଼ି ବ୍ୟବସ୍ଥା କରାଯାଉଥିବା ସମ୍ପୃକ୍ତ ଅଧିକାରୀ ମାନେ ଜଣାଇଥିଲେ। ଏହି ଅଞ୍ଚଳ ଗୁଡ଼ିକରେ ରାସ୍ତା ଯୋଗାଯୋଗ ବିଚ୍ଛିନ୍ନ ହେବାର ଆଶଙ୍କା ଥିବାରୁ ଆଗୁଆ ଉଦ୍ଧାର ବ୍ୟବସ୍ଥା, ଯାନବାହନ ଓ ଆବଶ୍ୟକ ସରଞ୍ଜାମ ପ୍ରସ୍ତୁତ ରଖିବାକୁ ଗୁରୁତ୍ୱ ଦିଆଯାଇଥିଲା।
ସମସ୍ତ ବିଭାଗର ମିଳିତ ଉଦ୍ୟମରେ ଶୂନ୍ୟ ଜୀବନହାନି ବା \’ଜିରୋ କାଜୁଆଲିଟି\’ ଲକ୍ଷ୍ୟ ହାସଲ କରିବାକୁ ଆହ୍ୱାନ ଦିଆଯାଇ ଥିଲା। ବାତ୍ୟା ଓ ବର୍ଷା ଯୋଗୁଁ କୌଣସି ବ୍ଲକ୍ରେ ରିଲିଫ୍ କାର୍ଯ୍ୟ ପାଇଁ ଅତିରିକ୍ତ ଅର୍ଥର ଆବଶ୍ୟକତା ପଡ଼ିଲେ ତୁରନ୍ତ ଜିଲ୍ଲା ପ୍ରଶାସନକୁ ଅବଗତ କରାଇବାକୁ କୁହାଯାଇଥିଲା।
ରିଲିଫ୍ ବଣ୍ଟନରେ ଯେପରି କୌଣସି ବିଳମ୍ବ ନହୁଏ, ସେଥି ପାଇଁ ଆବଶ୍ୟକ ଅର୍ଥ ଓ ସାମଗ୍ରୀର ବ୍ୟବସ୍ଥା କରିବାକୁ ଆଲୋଚନା ହୋଇଥିଲା।
ଅନ୍ୟପକ୍ଷରେ ଚୁଡ଼ା ସମେତ ବିଭିନ୍ନ ଶୁଖିଲା ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ ରହିଥିବା ଅଧିକାରୀ ମାନେ ବୈଠକରେ ସୂଚନା ଦେଇଥିଲେ। ସ୍ଥାନୀୟ ଜନପ୍ରତିନିଧିଙ୍କ ସହଯୋଗକୁ ମଧ୍ୟ ଏହି ବିପର୍ୟ୍ୟୟ ପରିଚାଳନାରେ ଗୁରୁତ୍ୱ ଦିଆଯାଇଥିଲା।
ପଞ୍ଚାୟତିରାଜ ସଂସ୍ଥା (ପିଆର୍ଆଇ)ର ସଦସ୍ୟ ମାନଙ୍କୁ ସାମିଲ କରି ଲୋକଙ୍କୁ ସଚେତନ କରିବା, ବିପଦସଙ୍କୁଳ ପରିବାରଙ୍କୁ ଚିହ୍ନଟ କରିବା ଓ ସ୍ଥାନାନ୍ତରଣ କାର୍ଯ୍ୟରେ ସହଯୋଗ ନେବାକୁ ପରାମର୍ଶ ଦିଆଯାଇଥିଲା।
ବାତ୍ୟା ଜନିତ ବର୍ଷା ଓ ପାହାଡ଼ିଆ ଅଞ୍ଚଳରେ ସମ୍ଭାବ୍ୟ ବିପଦକୁ ନଜରରେ ରଖି କଳିଙ୍ଗା ଓ ଗାଜଲବାଡ଼ି ଘାଟିରେ ଯାତାୟାତ ବନ୍ଦ ରହିଥିବା ସମ୍ପର୍କରେ ଅଧିକାରୀମାନେ ବୈଠକରେ ଜଣାଇଥିଲେ। ଘାଟି ରାସ୍ତାରେ ଭୂସ୍ଖଳନ, ଗଛ ଉପୁଡ଼ିବା ଓ ଅନ୍ୟାନ୍ୟ ବିପଦର ଆଶଙ୍କା ଥିବାରୁ ସୁରକ୍ଷା ଦୃଷ୍ଟିରୁ ଏଭଳି ପଦକ୍ଷେପ ନିଆଯାଇଛି।
ଏଥିସହ ବର୍ଷା ସମୟରେ ଜଳପ୍ରପାତ, ନଦୀ, ନାଳ ଓ ଅନ୍ୟାନ୍ୟ ବିପଦସଙ୍କୁଳ ପର୍ଯ୍ୟଟନସ୍ଥଳକୁ ପର୍ଯ୍ୟଟକ କିମ୍ବା ଭୋଜିଭାତ ପାଇଁ ଆସୁଥିବା ଲୋକଙ୍କୁ ଅନୁମତି ନଦେବାକୁ କୁହାଯାଇଥିଲା।
ଏଭଳି ସ୍ଥାନରେ ପୋଲିସ କିମ୍ବା ଦାୟିତ୍ୱପ୍ରାପ୍ତ ଅଧିକାରୀଙ୍କୁ ମୁତୟନ କରିବା ସହ ଲୋକଙ୍କ ଗତିବିଧି ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇ ଥିଲା। ବିଶେଷକରି ସୋସିଆଲ୍ ମିଡିଆରେ ରିଲ୍ସ ଓ ଭିଡିଓ କରିବା ନିଶାରେ ନଦୀ, ନାଳ ଓ ଜଳପ୍ରପାତ ନିକଟରେ ବିପଦପୂର୍ଣ୍ଣ ଭାବେ ଯିବାରୁ ନିବୃତ୍ତ ରହିବା ପାଇଁ ଜନସାଧାରଣ ଙ୍କୁ ସଚେତନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା।
ବାତ୍ୟା ମୁକାବିଲାରେ କେବଳ ଗୋଟିଏ ବିଭାଗ ନୁହେଁ, ବରଂ ସମସ୍ତ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ ରହିବା ଅତ୍ୟନ୍ତ ଜରୁରୀ ବୋଲି ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା।
ପରିସ୍ଥିତି ଉପରେ ନିରନ୍ତର ନଜର ରଖିବା, ଯେକୌଣସି ଜରୁରୀ ସୂଚନା ତୁରନ୍ତ ଆଦାନପ୍ରଦାନ କରିବା ଏବଂ ଆବଶ୍ୟକ ସ୍ଥଳେ ବିଳମ୍ବ ନକରି ତ୍ୱରିତ ପଦକ୍ଷେପ ନେବାକୁ ସମସ୍ତ ଅଧିକାରୀଙ୍କୁ କୁହାଯାଇଥିଲା। କନ୍ଧମାଳର ଭୌଗୋଳିକ ସ୍ଥିତି, ପାହାଡ଼ିଆ ଅଞ୍ଚଳ ଓ ଯୋଗାଯୋଗ ସମସ୍ୟାକୁ ଦୃଷ୍ଟିରେ ରଖି ବାତ୍ୟା ପୂର୍ବରୁ ପ୍ରସ୍ତୁତିକୁ ସମ୍ପୂର୍ଣ୍ଣ କରିବା ଉପରେ ପ୍ରଶାସନ ଗୁରୁତ୍ୱ ଦେଇଛି। ସମ୍ଭାବ୍ୟ ବିପଦକୁ ଆଗୁଆ ଆକଳନ କରି ଜନସାଧାରଣଙ୍କ ଜୀବନ ରକ୍ଷା କରିବା ହିଁ ପ୍ରଶାସନର ପ୍ରଥମ ଦାୟିତ୍ୱ।
ତେଣୁ \’ଜିରୋ କାଜୁଆଲିଟି\’ ଲକ୍ଷ୍ୟକୁ ଆଗରେ ରଖି ସମସ୍ତ ଅଧିକାରୀଙ୍କୁ ସତର୍କ, ସକ୍ରିୟ ଓ ପ୍ରସ୍ତୁତ ରହିବାକୁ ବୈଠକରେ ନିର୍ଦ୍ଦେଶ ଦିଆଯାଇଥିଲା।




