Odisha News

ଗଡ଼ାଧୀଶ ଦଳବେହେରା ମହାସଂଘର ସାଂଗଠନିକ ବୈଠକ ୬ ଜଣ ଉପଦେଷ୍ଟାଙ୍କ ସମେତ ପରିଚାଳନା ଓ କାର୍ଯ୍ୟକାରୀ କମିଟିର କର୍ମକର୍ତ୍ତା ମଣ୍ଡଳୀ ଗଠିତ

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୧୨/୯: ଗଡ଼ାଧୀଶ ଦଳେଇ ଦଳବେହେରା ମହାସଂଘର ସାଂଗଠନିକ ଭିତ୍ତିକୁ ମଜଭୁତ କରିବା ସହ ସଂଘର କାର୍ଯ୍ୟକଳାପକୁ ସୁଚାରୁ, ଶୃଙ୍ଖଳିତ ଓ ଗତିଶୀଳ ଭାବେ ପରିଚାଳନା କରିବା ଲକ୍ଷ୍ୟରେ ସାହିତ୍ୟ ସଂସଦ ଖୋରଧା ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।
ଆଜି ଅନୁଷ୍ଠିତ ଅଧିବେଶନ ନମ୍ବର-୩ରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବିସ୍ତୃତ ଆଲୋଚନା ହୋଇଯାଇଛି। ପୂର୍ବ ଅଧିବେଶନରେ ଆଲୋଚିତ ପ୍ରସ୍ତାବ ଗୁଡ଼ିକୁ ଗ୍ରହଣ କରିବା ସହ ଆବଶ୍ୟକ ସଂଶୋଧନ ଓ ଦୃଢ଼ୀକରଣ ପରେ ସଭାରେ ସର୍ବସମ୍ମତିକ୍ରମେ ଏକାଧିକ ନିଷ୍ପତ୍ତି ଗୃହୀତ ହୋଇଥିଲା।
ସଂଘର ଭବିଷ୍ୟତ କାର୍ଯ୍ୟପନ୍ଥା, ସାଂଗଠନିକ ଶୃଙ୍ଖଳା ଏବଂ ବିଭିନ୍ନ କାର୍ଯ୍ୟକ୍ରମର ସୁଚାରୁ ପରିଚାଳନା ନେଇ ସଭାରେ ମତବିନିମୟ ହୋଇଥିଲା। ମହାସଂଘର କାର୍ଯ୍ୟକଳାପକୁ ଅଧିକ ସକ୍ରିୟ କରିବା ପାଇଁ ଅଭିଜ୍ଞ ଓ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଉପଦେଷ୍ଟା ଭାବେ ସାମିଲ କରିବାକୁ ସଭାରେ ନିଷ୍ପତ୍ତି ନିଆଯାଇଥିଲା।
ଏହି କ୍ରମରେ କୃଷ୍ଣଚନ୍ଦ୍ର ହରିଚନ୍ଦନ, ସତ୍ୟବାଦୀ ବଳିୟାରସିଂହ, ଡ.ହେମନ୍ତ ଛୋଟରାୟ, ଦେବୀ ପ୍ରସାଦ ସାମନ୍ତରାୟ, ଡ଼. ପ୍ରସନ୍ନ କୁମାର ପାଇକରାୟ , ସୌଦାମିନୀ ପାଇକରାୟଙ୍କୁ ଉପଦେଷ୍ଟା ଭାବେ ସର୍ବସମ୍ମତିକ୍ରମେ ମନୋନୀତ କରାଯାଇଛି।
ସଂଘର କାର୍ଯ୍ୟଧାରାକୁ ଦିଗ୍‌ଦର୍ଶନ ଦେବା ସହ ବିଭିନ୍ନ ନିଷ୍ପତ୍ତି ଓ କାର୍ଯ୍ୟକ୍ରମରେ ଉପଦେଷ୍ଟାମାନଙ୍କ ଅଭିଜ୍ଞତା ଉପଯୋଗୀ ହେବ ବୋଲି ସଭାରେ ଆଶା ପ୍ରକାଶ ପାଇଥିଲା। ସଂଘର ଦୈନନ୍ଦିନ କାର୍ଯ୍ୟ ଓ ସାଂଗଠନିକ ଦାୟିତ୍ୱକୁ ସୁବ୍ୟବସ୍ଥିତ ଭାବେ ବଣ୍ଟନ କରିବା ପାଇଁ ମୋଟ ୨୦ ଜଣ କର୍ମକର୍ତ୍ତାଙ୍କୁ ନେଇ ପରିଚାଳନା ଓ କାର୍ଯ୍ୟକାରୀ କମିଟି ଗଠନ କରାଯାଇଛି। ଏଥିରେ ସଭାପତି-୧, କାର୍ଯ୍ୟକାରୀ ସଭାପତି-୧, ଉପସଭାପତି-୨, ସମ୍ପାଦକ-୧, ସହସମ୍ପାଦକ-୧, କୋଷାଧ୍ୟକ୍ଷ-୧ ପରିଚାଳନା କମିଟି ଏବଂ ୧୩ ଜଣ କାର୍ଯ୍ୟକାରୀ କମିଟିର ସଦସ୍ୟ ରହିବେ।
ଏହି ବ୍ୟବସ୍ଥା ମାଧ୍ୟମରେ ସଂଘର ବିଭିନ୍ନ କାର୍ଯ୍ୟକୁ ଦାୟିତ୍ୱଭିତ୍ତିକ ଭାବେ ପରିଚାଳନା କରାଯିବ। ବୈଠକରେ ସର୍ବ ସମ୍ମତିକ୍ରମେ ମହାସଂଘର ସଭାପତି ଭାବେ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, କାର୍ଯ୍ୟକାରୀ ସଭାପତି ଭାବେ ଅଜୟ କୁମାର ମାନନ୍ଧାତା, ଉପ ସଭାପତି ଭାବେ ସୌମ୍ୟ ରଞ୍ଜନ ହରିଚନ୍ଦନ ଓ ପାର୍ଥସାରଥୀ ମତଗଜସିଂହଙ୍କୁ ମନୋନୀତ କରାଯାଇଛି।
ସଂଘର ସାଂଗଠନିକ ଓ ପ୍ରଶାସନିକ କାର୍ଯ୍ୟର ସମନ୍ୱୟ ପାଇଁ ସୌକତ ରଞ୍ଜନ ମାଲବିହାରଙ୍କୁ ସମ୍ପାଦକ ଏବଂ ମନ୍ମଥ କୁମାର ବିଧାରଙ୍କୁ ସହସମ୍ପାଦକ ଭାବେ ମନୋନୀତ କରାଯାଇଛି। ଆର୍ଥିକ କାର୍ଯ୍ୟର ସୁପରିଚାଳନା ପାଇଁ ସଦାଶିବ ମଙ୍ଗରାଜ କୋଷାଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି।
ସେହିପରି କାର୍ଯ୍ୟକାରୀ କମିଟିର ସଦସ୍ୟ ଭାବେ ଅଜୟ କୁମାର ଦଳବେହେରା, ଶ୍ରୀକାନ୍ତ କୁମାର ଜଗଦ୍ଦେବ, ଜ୍ଞାନରଞ୍ଜନ ରାୟପ୍ରିତମ, ପ୍ରଶାନ୍ତ କୁମାର ଦଳବେହେରା, କୃଷ୍ଣଚନ୍ଦ୍ର ଉଦୟ ସିଂହ, ସନ୍ତୋଷ ବାହୁବଳେନ୍ଦ୍ର, ସମରେନ୍ଦ୍ର କୁମାର ବୀରବର ହରିଚନ୍ଦନ, ଦୁର୍ଗା ଚରଣ ହରିଚନ୍ଦନ, ବିକାଶ କୁମାର ରାୟ, ନିରଞ୍ଜନ ପଶ୍ଚିମକବାଟ, ପ୍ରଭାତ କୁମାର ଦଳବେହେରା, ସୁବ୍ରତ କୁମାର ମାନ୍ଧାତା ଓ ଅଖିଳେଶ ସିଂଙ୍କୁ ମନୋନୀତ କରାଯାଇଛି।
ସଭାରେ ଉପସ୍ଥିତ ସଦସ୍ୟମାନେ ନୂତନ କର୍ମକର୍ତ୍ତାମଣ୍ଡଳୀର ଗଠନକୁ ସ୍ୱାଗତ କରିବା ସହ ମହାସଂଘର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ପୂରଣ ଦିଗରେ ସମସ୍ତଙ୍କ ସହଯୋଗ ଓ ସମନ୍ୱୟ ଉପରେ ଗୁରୁତ୍ୱାରୋପ କରିଥିଲେ।
ନୂତନ କର୍ମକର୍ତ୍ତାମାନେ ଦାୟିତ୍ୱ ନେଇ ମହାସଂଘର ସାଂଗଠନିକ ଭିତ୍ତିକୁ ଆହୁରି ସୁଦୃଢ଼ କରିବା ସହ ସଦସ୍ୟମାନଙ୍କ ସ୍ୱାର୍ଥ ଓ ଉଦ୍ଦେଶ୍ୟ ପୂରଣ ପାଇଁ ଏକତାର ସହ କାର୍ଯ୍ୟ କରିବେ ବୋଲି ସଭାରେ ମତ ପ୍ରକାଶ ପାଇଥିଲା।
ଅଧିବେଶନରେ ପୂର୍ବ ସଭାର ନିଷ୍ପତ୍ତି ଗୁଡ଼ିକର ଦୃଢ଼ୀକରଣ ସହ ଆଗାମୀ ଦିନରେ ମହାସଂଘର କାର୍ଯ୍ୟପନ୍ଥାକୁ ଅଧିକ ସୁସଂଗଠିତ କରିବା, ସଦସ୍ୟମାନଙ୍କ ମଧ୍ୟରେ ଏକତା ଓ ସମନ୍ୱୟ ବଢ଼ାଇବା ଏବଂ ସଂଘର କାର୍ଯ୍ୟକ୍ରମକୁ ସଫଳତାର ସହ ଆଗେଇ ନେବା ନେଇ ଆଲୋଚନା ହୋଇଥିଲା।
ସର୍ବସମ୍ମତିରେ ଗୃହୀତ ଏହି ନିଷ୍ପତ୍ତିଗୁଡ଼ିକ ସଂଘର ଭବିଷ୍ୟତ କାର୍ଯ୍ୟଧାରାକୁ ଅଧିକ ସକ୍ରିୟ ଓ ସୁଦୃଢ଼ କରିବ ବୋଲି ଆଶା ପ୍ରକାଶ ପାଇଛି।

Related Posts