Odisha News

ଗଜପତି ଜିଲ୍ଲାରେ ପ୍ରଦେଶ କଂଗ୍ରେସ ପକ୍ଷରୁ ରିଲିଫ୍ ବଣ୍ଟନ : ବାତ୍ୟା ପ୍ରଭାବିତ ଅଞ୍ଚଳବାସୀଙ୍କୁ କମ୍ବଳ ଓ ଶାଢ଼ୀ ବଣ୍ଟନ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୧୨/୧୧ : ଗଜପତି ଜିଲ୍ଲାର ରାୟଗଡ଼ ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀପୁର ପଞ୍ଚାୟତ ଠାରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଶତାଧିକ ଅଞ୍ଚଳବାସୀଙ୍କୁ କମ୍ବଳ ଓ ଶାଢ଼ୀ ବଣ୍ଟନ କରାଯାଇଛି।
ବାତ୍ୟା ‘ଅର୍ଣ୍ଣବ’ ଦ୍ୱାରା ପ୍ରଭାବିତ ଅସହାୟ ଓ ଗରିବ ପରିବାର’ଙ୍କୁ ସହାୟତାର ହାତ ବଢ଼ାଇବା ଉଦ୍ଦେଶ୍ୟରେ ଏହି ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ କମିଟିର ଗଜପତି ଜିଲ୍ଲା ପ୍ରଭାରୀ ତଥା ମୁଖପାତ୍ର କୃଷ୍ଣ ଚନ୍ଦ୍ର ପତି, ଓବିସି ସେଲ୍‌ର ସାଧାରଣ ସମ୍ପାଦକ କେଶବ ପ୍ରଧାନ, ଜିଲ୍ଲା ସଭାପତି ଶଙ୍କର ପ୍ରଧାନ, ଜିଲ୍ଲାର ବରିଷ୍ଠ ଯୁବନେତା ମାଫେଲ ଛୁଆଲ ସିଂଙ୍କ ସମେତ ବ୍ଲକ ସଭାପତି, ପୂର୍ବତନ ସରପଞ୍ଚ, ପୂର୍ବତନ ସମିତି ସଭ୍ୟ, ପୂର୍ବତନ ଜିଲ୍ଲା ପରିଷଦ ପ୍ରାର୍ଥୀ ଓ ବହୁ ବରିଷ୍ଠ କଂଗ୍ରେସ ନେତା ଯୋଗ ଦେଇଥିଲେ।
ଏହି ଅବସରରେ ପ୍ରଭାରୀ ତଥା ମୁଖପାତ୍ର କୃଷ୍ଣ ଚନ୍ଦ୍ର ପତି କହିଥିଲେ ଯେ, ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀ ଭକ୍ତ ଚରଣ ଦାସ\’ଙ୍କ ନିର୍ଦ୍ଦେଶକ୍ରମେ ଆଜି ଗଜପତି ଜିଲ୍ଲାର ଜିରାଙ୍ଗ ଓ ଆଖପାଖ ଅଞ୍ଚଳରେ ରିଲିଫ୍ ବଣ୍ଟନ କରାଯାଉଛି। ବାତ୍ୟା \’ଅର୍ଣ୍ଣବ\’ ସମୟରେ ଏହି ଅଞ୍ଚଳର ଗରିବ ଓ ସାଧାରଣ ଲୋକେ ବ୍ୟାପକ କ୍ଷତିର ସମ୍ମୁଖୀନ ହୋଇଥିଲେ।
ସେମାନଙ୍କ ଦୁଃଖ ଓ ଦୁର୍ଦ୍ଦଶାକୁ ହୃଦୟଙ୍ଗମ କରି କଂଗ୍ରେସ ପକ୍ଷରୁ ସହାୟତା ପ୍ରଦାନ ପାଇଁ ଏହି ପଦକ୍ଷେପ ନିଆଯାଇଛି।
ସେ ଆହୁରି କହିଥିଲେ ଯେ, ପ୍ରଦେଶ କଂଗ୍ରେସ ସଭାପତି ନିଜେ ଏହି ଅଞ୍ଚଳ ପରିଦର୍ଶନ କରି ବାତ୍ୟା ପ୍ରଭାବିତ ଓ ଅସହାୟ ପରିବାରଙ୍କୁ ଭେଟି ସେମାନଙ୍କ ଦୁଃଖ ଶୁଣିବା ସହ ସହାୟତାର ପ୍ରତିଶ୍ରୁତି ଦେଇଥିଲେ।
ଆଜି ସେହି ପ୍ରତିଶ୍ରୁତି ପାଳନ କରାଯାଇଛି। ଭକ୍ତ ଦାସ କେବଳ କଥାରେ ନୁହେଁ, କାର୍ଯ୍ୟରେ ବିଶ୍ୱାସ କରନ୍ତି ବୋଲି ଆଜିର ଏହି କାର‌୍ୟ୍ୟକ୍ରମ ପ୍ରମାଣିତ କରିଛି।
ସେ କହିଥିଲେ, ଏଭଳି ବିପଦ ସମୟରେ ରାଜନୀତି କରିବାର ସମୟ ନୁହେଁ; ବରଂ ଦଳମତ ନିର୍ବିଶେଷରେ ପରସ୍ପରକୁ ସହଯୋଗ କରିବା ଓ ଦୁଃଖୀ ମଣିଷଙ୍କ ପାଖରେ ଠିଆ ହେବା ହିଁ ପ୍ରକୃତ ମାନବିକତା। ଆଜି କଂଗ୍ରେସ ଦଳ ଲୋକଙ୍କ ଦୁଃଖରେ ସାମିଲ ହୋଇ ସହାୟତାର ହାତ ବଢ଼ାଇଛି।
ଅନ୍ୟପକ୍ଷରେ, ଏହି ସମୟରେ ନିକଟସ୍ଥ ରାମଗିରି ଠାରେ ବିଜେପି ପକ୍ଷରୁ ଧର୍ମ ନାମରେ ବୈଠକ ଆୟୋଜନ କରାଯାଉଥିବା ନେଇ ସେ ଅସନ୍ତୋଷ ପ୍ରକାଶ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାର ବରିଷ୍ଠ ଉପସଭାପତି ରଜତ ମାଳି, ଯୁବନେତା ସନ୍ତୋଷ ପଣ୍ଡା, ବ୍ଲକ ସଭାପତି ସିଗାନା ବେହେରା ଦଳାଇ, ପ୍ରଦେଶ କଂଗ୍ରେସ କମିଟିର ସମ୍ପାଦିକା ଲକ୍ଷ୍ମୀ ଶବର, ଜିଲ୍ଲା ସମ୍ପାଦକ ସି. ସୋଲମୋଲ, ପଞ୍ଚାୟତ ସଭାପତି ଘୁଙ୍ଗୁର ରୋହିତ, ଯୁବନେତା ଅଭି ମାଶଶୁରଙ୍କ ସମେତ ବହୁ କଂଗ୍ରେସ କର୍ମୀ ଓ ସ୍ଥାନୀୟ ନେତୃବୃନ୍ଦ ଯୋଗଦେଇ ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମକୁ ସୁଚାରୁରୂପେ ସମ୍ପନ୍ନ କରିଥିଲେ।
ବିପଦ ସମୟରେ ରାଜନୀତି ନୁହେଁ, ମାନବିକତା ହିଁ ସବୁଠାରୁ ବଡ଼ ପରିଚୟ।

Related Posts