Odisha News

କର୍ତ୍ତବ୍ୟରତ ଟ୍ରାଫିକ ପୁଲିସ କର୍ମଚାରୀଙ୍କୁ ରୋଟାରୀ କ୍ଳବ ପକ୍ଷରୁ ଛତା ବଣ୍ଟନ

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୨୧/୭ : ରାସ୍ତାରେ ତୀବ୍ର ଖରା ହେଉ କି ଅବିରତ ବର୍ଷା, ନିଜ ସୁବିଧା-ଅସୁବିଧାକୁ ପଛରେ ପକାଇ ସାଧାରଣ ଲୋକଙ୍କ ସୁରକ୍ଷା ଓ ସୁଗମ ଯାତାୟାତ ପାଇଁ ଦିନରାତି କର୍ତ୍ତବ୍ୟ ପାଳନ କରୁଥିବା ଟ୍ରାଫିକ ପୁଲିସ କର୍ମଚାରୀଙ୍କ ପ୍ରତି କୃତଜ୍ଞତା ଓ ସମ୍ମାନ ଜଣାଇ ରୋଟାରୀ କ୍ଲବ ଖୋରଧା ପକ୍ଷରୁ ସୋମବାର ଏକ ସ୍ୱତନ୍ତ୍ର ସେବା ମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
ଏହି ଅବସରରେ ଖୋରଧା ସହରର ବିଭିନ୍ନ ପ୍ରମୁଖ ଛକରେ କର୍ତ୍ତବ୍ୟରତ ଟ୍ରାଫିକ ପୁଲିସ କର୍ମଚାରୀଙ୍କୁ ମାଗଣାରେ ଛତା ବଣ୍ଟନ କରାଯାଇଥିଲା।
ବର୍ଷା ଋତୁରେ ଲଗାଣ ବର୍ଷା ସହ ଅସହ୍ୟ ଖରା ମଧ୍ୟରେ ଘଣ୍ଟା ଘଣ୍ଟା ଧରି ରାସ୍ତାରେ ଠିଆ ହୋଇ ଯାତାୟାତ ନିୟନ୍ତ୍ରଣ କରୁଥିବା ଟ୍ରାଫିକ ପୁଲିସ କର୍ମଚାରୀଙ୍କ ଦୈନନ୍ଦିନ କଷ୍ଟକୁ ଅନୁଭବ କରି ଏହି ମାନବିକ ପଦକ୍ଷେପ ଗ୍ରହଣ କରାଯାଇଥିବା କ୍ଲବ ପକ୍ଷରୁ କୁହାଯାଇଛି। ବଣ୍ଟନ କରାଯାଇଥିବା ଛତା ସେମାନଙ୍କ କର୍ତ୍ତବ୍ୟ ପାଳନ ସମୟରେ ବର୍ଷା ଓ ଖରାରୁ ସୁରକ୍ଷା ଯୋଗାଇବା ସହ କାର୍ଯ୍ୟକୁ ଆହୁରି ସୁବିଧାଜନକ କରିବ।
ଏହି ଛତା ଗୁଡ଼ିକୁ ରୋଟାରିଆନ୍ ସୁଚିସ୍ମିତା ପରିଜା ସୌଜନ୍ୟରେ ପ୍ରଦାନ କରିଥିବା ବେଳେ ସମ୍ପୂର୍ଣ୍ଣ କାର‌୍ୟ୍ୟକ୍ରମକୁ ରୋଟାରିଆନ୍ ସୌର‌୍ୟ୍ୟ ରଞ୍ଜନ ମହାନ୍ତି ପରିଚାଳନା କରିଥିଲେ।
ଏହି ଅବସରରେ ରୋଟାରୀ କ୍ଲବ ଖୋର୍ଦ୍ଧାର ସଭାପତି ରୋଟାରିଆନ୍ ସଞ୍ଜୟ ବର୍ମନ କହିଥିଲେ ଯେ, ଟ୍ରାଫିକ ପୁଲିସ କର୍ମଚାରୀମାନେ ପ୍ରତିଦିନ ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ କଠିନ ପରିସ୍ଥିତିରେ ନିରନ୍ତର ସେବା ଯୋଗାଇ ଆସୁଛନ୍ତି।
ସେମାନଙ୍କ ଏହି ନିଷ୍ଠା ଓ ପରିଶ୍ରମ ପ୍ରତି ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ରୋଟାରୀ କ୍ଲବ ପକ୍ଷରୁ ଏହି କ୍ଷୁଦ୍ର ପ୍ରୟାସ କରାଯାଇଛି।
ଆଗାମୀ ଦିନରେ ମଧ୍ୟ ସମାଜର ବିଭିନ୍ନ ବର୍ଗର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସେବାମୂଳକ ଓ ଜନହିତକର କାର୍ଯ୍ୟକ୍ରମ ଜାରି ରହିବ ବୋଲି ସେ ପ୍ରକାଶ କରିଥିଲେ।
ଛତା ପାଇଥିବା ଟ୍ରାଫିକ ପୁଲିସ କର୍ମଚାରୀମାନେ ରୋଟାରୀ କ୍ଲବ ଖୋର୍ଦ୍ଧା ଓ ଦାତା ରୋଟାରିଆନ୍ ସୁଚିସ୍ମିତା ପରିଜାଙ୍କୁ ଧନ୍ୟବାଦ ଜଣାଇଥିଲେ।
ବର୍ଷା ଋତୁରେ ଦୀର୍ଘ ସମୟ ଧରି ରାସ୍ତାରେ କର୍ତ୍ତବ୍ୟ ପାଳନ କରିବା ବେଳେ ଏହି ଛତା ସେମାନଙ୍କ ପାଇଁ ବେଶ୍ ଉପକାରୀ ହେବ ବୋଲି ସେମାନେ କହିଥିଲେ।
ଏହି ସେବାମୂଳକ କାର‌୍ୟ୍ୟକ୍ରମରେ ରୋଟାରୀ ଓ ରୋଟାରାକ୍ଟ ପରିବାରର ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ।
ରୋଟାରାକ୍ଟ ସଦସ୍ୟ ସାସ୍ୱତ ମହାନ୍ତି, ଅରୁଣ ପଟ୍ଟନାୟକ, ତରୁଣ ପଟ୍ଟନାୟକ, ସୂର୍ଯ୍ୟକାନ୍ତ ମୁଦୁଲି, ସୋମେଶ କୁମାର ପରିଡ଼ା, ଲୋକେଶ ନାୟକ, ଆଲୋକ ପଟ୍ଟନାୟକ, ଶିବାଂଶ ପରିଜା, ମୋନାଲି ମହାପାତ୍ର, ଚିନ୍ମୟୀ ଦାସ, ଟ୍ୱିଙ୍କଲ ସାହୁ, ସମ୍ବିତ କୁମାର ବେହେରା, ସୌମ୍ୟ ରଞ୍ଜନ ବେହେରା ଓ ରୋହିତ ଦାସ ପ୍ରମୁଖ ଉପସ୍ଥିତ ରହି ଛତା ବଣ୍ଟନ କାର‌୍ୟ୍ୟରେ ସହଯୋଗ କରିଥିଲେ। ରୋଟାରୀ ଇଣ୍ଟରନ୍ୟାସନାଲର ‘ସେବା ହିଁ ପରମ ଧର୍ମ ଆଦର୍ଶକୁ ସାମ୍ନାରେ ରଖି ଆୟୋଜିତ ଏହି କାର୍ଯ୍ୟକ୍ରମ ସମାଜ ପ୍ରତି ନିଷ୍ଠାର ସହ କାମ କରୁଥିବା ଆଗଧାଡ଼ିର କର୍ମଚାରୀଙ୍କୁ ସମ୍ମାନ ଜଣାଇବା ସହ ସାମାଜିକ ସଂଗଠନ ଓ ପ୍ରଶାସନ ମଧ୍ୟରେ ପାରସ୍ପରିକ ସହଯୋଗ ଓ ଜନସେବାର ଭାବନାକୁ ଆହୁରି ସୁଦୃଢ଼ କରିଛି।

Related Posts