ଖୋରଧା ଜିଲ୍ଲାରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ୯୯.୮୬% ଫର୍ମ ବିତରଣ, ୮୨.୦୪% ଡିଜିଟାଲଜେସନ ସମ୍ପୂର୍ଣ୍ଣ; ଚିଲିକା ବିଧାନସଭା କ୍ଷେତ୍ର ଶୀର୍ଷରେ
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା,୨୨/୬ : ଭାରତ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଚାଲିଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ (.ଆଇ.ଆର) କାର୍ଯ୍ୟକ୍ରମ ଅନ୍ତର୍ଗତ ଖୋରଧା ଜିଲ୍ଲାରେ ଗଣନା ଫର୍ମ ବିତରଣ ଏବଂ ଡିଜିଟାଇଜେସନ୍ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି।
ଜିଲ୍ଲା ପ୍ରଶାସନ, ନିର୍ବାଚନ ବିଭାଗ, ସହକାରୀ ଭୋଟର ପଞ୍ଜିକରଣ ଅଧିକାରୀ, ବି.ଏଲ.ଓ ଏବଂ କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କ ମିଳିତ ପ୍ରୟାସ ଫଳରେ ଏହି ଅଭିଯାନରେ ଖୋରଧା ଜିଲ୍ଲା ରାଜ୍ୟରେ ଏକ ଉଲ୍ଲେଖନୀୟ ସ୍ଥାନ ଅଧିକାର କରିବା ଦିଗରେ ଅଗ୍ରସର ହେଉଛି।
୨୧ ଜୁନ୍ ୨୦୨୬ ସୁଦ୍ଧା ଇ.ସି.ଆଇ.ନେଟ. ପୋର୍ଟାଲରେ ଉପଲବ୍ଧ ତଥ୍ୟ ଅନୁଯାୟୀ, ଜିଲ୍ଲାର ପାଞ୍ଚଟି ବିଧାନସଭା କ୍ଷେତ୍ରରେ ମୋଟ ୧୧,୧୮,୨୬୦ ଜଣ ଭୋଟରଙ୍କ ମଧ୍ୟରୁ ୧୧,୧୬,୭୦୧ ଜଣଙ୍କ ନିକଟରେ ଗଣନା ଫର୍ମ ପହଞ୍ଚାଯାଇଛି, ଯାହା ୯୯.୮୬ ପ୍ରତିଶତ। ଜିଲ୍ଲାର ପ୍ରାୟ ସମସ୍ତ ଯୋଗ୍ୟ ଭୋଟରଙ୍କ ଘରେ ଘରେ ଫର୍ମ ବିତରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଛି।
ଏହା ସହିତ ଡିଜିଟାଇଜେସନ୍ କାର୍ଯ୍ୟ ମଧ୍ୟ ଯଥେଷ୍ଟ ଅଗ୍ରଗତି ହାସଲ କରିଛି। ଜିଲ୍ଲାରେ ଏପର୍ଯ୍ୟନ୍ତ ୯,୧୭,୩୭୫ଟି ଫର୍ମ ଡିଜିଟାଇଜ୍ କରାଯାଇଥିବା ବେଳେ ଡିଜିଟାଇଜେସନ୍ ହାର ୮୨.୦୪ ପ୍ରତିଶତରେ ପହଞ୍ଚିଛି।
ଅବଶିଷ୍ଟ ପ୍ରାୟ ୧.୭୯ ଲକ୍ଷ ଫର୍ମର ଡିଜିଟାଇଜେସନ୍ କାର୍ଯ୍ୟ ଆଗାମୀ ଦିନରେ ସମ୍ପୂର୍ଣ୍ଣ କରିବା ପାଇଁ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଇଛି।
ବିଧାନସଭା କ୍ଷେତ୍ର ଭିତ୍ତିକ ତଥ୍ୟକୁ ଦେଖିଲେ ୧୧୮-ଚିଲିକା ବିଧାନସଭା କ୍ଷେତ୍ର ସର୍ବାଧିକ ୮୭.୬୭ ପ୍ରତିଶତ ଡିଜିଟାଇଜେସନ ସହ ଶୀର୍ଷ ସ୍ଥାନରେ ରହିଛି।
ଏହା ପଛକୁ ୧୧୭-ଖୋରଧା ବିଧାନସଭା କ୍ଷେତ୍ର ୮୫.୮୪ ପ୍ରତିଶତ, ୧୧୧-ଜୟଦେବ ୮୫.୦୩ ପ୍ରତିଶତ ଏବଂ ୧୧୬-ବେଗୁନିଆ ୮୩.୪୪ ପ୍ରତିଶତ ଡିଜିଟାଇଜେସନ୍ ହାସଲ କରିଛି।
ଅନ୍ୟପକ୍ଷରେ ୧୧୫-ଜଟଣୀ ବିଧାନସଭା କ୍ଷେତ୍ରରେ ୬୯.୦୨ ପ୍ରତିଶତ ଡିଜିଟାଇଜେସନ୍ ହୋଇଥିବାରୁ ସେଠାରେ କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିବାକୁ ପ୍ରଶାସନ ଗୁରୁତ୍ୱ ଦେଉଛି। ସହକାରୀ ଭୋଟର ପଞ୍ଜକରଣ ଅଧିକାରୀ ସ୍ତରରେ ମଧ୍ୟ କେତେକ ଅଞ୍ଚଳ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି।
ବାଲିଅନ୍ତା ବ୍ଲକ୍ ୯୩.୧୮ ପ୍ରତିଶତ ଡିଜିଟାଇଜେସନ୍ ସହ ଜିଲ୍ଲାରେ ସର୍ବୋଚ୍ଚ ସ୍ଥାନ ଅଧିକାର କରିଥିବା ବେଳେ ଟାଙ୍ଗୀ ବ୍ଲକ୍ (୯୨.୨୩%), ବାଣପୁର ବ୍ଲକ୍ (୯୧.୯୬%), ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ (୯୦.୨୪%) ଖୋରଧା ବ୍ଲକ୍ (୮୯.୩୦%) ଏବଂ ଚିଲିକା ବ୍ଲକ୍ (୮୯.୨୭%) ମଧ୍ୟ ଉଚ୍ଚ ପ୍ରଦର୍ଶନ କରିଛନ୍ତି। ଅନ୍ୟ ପଟେ ଜଟଣୀ ପୌର ପରିଷଦରେ ଡିଜିଟାଇଜେସନ୍ ହାର ୫୪.୭୪ ପ୍ରତିଶତ ଥିବା ବେଳେ ଜଟଣୀ ତହସିଲରେ ୬୭.୧୩ ପ୍ରତିଶତ ଏବଂ ଖୋରଧା ପୌର ପରିଷଦରେ ୬୭.୫୫ ପ୍ରତିଶତ ଡିଜିଟାଇଜେସନ୍ ହୋଇଛି।
ଏହି ଅଞ୍ଚଳଗୁଡ଼ିକରେ ଅତିରିକ୍ତ ମାନବ ସମ୍ବଳ ନିୟୋଜନ କରି କାର୍ଯ୍ୟକୁ ଆଗେଇ ନିଆଯାଉଛି। ଏପରିସ୍ଥିତିରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳର ତିନୋଟି ବିଧାନସଭା କ୍ଷେତ୍ରର ସମ୍ମିଳିତ ତଥ୍ୟ ମଧ୍ୟ ଉତ୍ସାହଜନକ ରହିଛି। ଭୁବନେଶ୍ୱର ମଧ୍ୟ, ଉତ୍ତର ଏବଂ ଏକାମ୍ର କ୍ଷେତ୍ରରେ ମୋଟ ୭,୮୦,୨୧୬ ଫର୍ମ ମଧ୍ୟରୁ ୭,୪୭,୪୬୮ ଫର୍ମ ବିତରଣ କରାଯାଇଥିବା ବେଳେ ବିତରଣ ହାର ୯୫.୮ ପ୍ରତିଶତ ରହିଛି।
ଏହା ସହ ୫,୭୬,୬୦୦ ଫର୍ମ ଡିଜିଟାଇଜ୍ ହୋଇଥିବାରୁ ସେଠାରେ ଡିଜିଟାଇଜେସନ୍ ହାର ୭୩.୯ ପ୍ରତିଶତରେ ପହଞ୍ଚିଛି।
ନିର୍ବାଚନ ବିଭାଗର ଅଧିକାରୀ ମାନଙ୍କ କହିବା ଅନୁଯାୟୀ, ଏହି ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଭୋଟର ତାଲିକାକୁ ଅଧିକ ନିର୍ଭୁଲ, ସ୍ୱଚ୍ଛ କରିବାରେ ସହାୟକ ହେବ।
ଭବିଷ୍ୟତ ନିର୍ବାଚନ ପାଇଁ ଏକ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତ କରିବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ ଚାଲିଛି।
ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଅବଶିଷ୍ଟ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶତପ୍ରତିଶତ ସମ୍ପୂର୍ଣ୍ଣ କରିବା ପାଇଁ କ୍ଷେତ୍ରସ୍ତରରେ ନିରନ୍ତର ତଦାରଖ ଓ ସମନ୍ୱୟ ଜାରି ରହିଥିବା ଜଣାପଡ଼ିଛି।




