Odisha News

ବିଜେଡିର ସାଙ୍ଗଠନିକ ବୈଠକ ଅନୁଷ୍ଠିତ

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୩୧/୫: ନାରୀ ଅଧିକାର ଅଭିଯାନ, ପେଟ୍ରୋଲ, ଡିଜେଲ ଓ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦର ବୃଦ୍ଧି ବିରୋଧରେ ବିକ୍ଷୋଭ, ପ୍ରତିବାଦ ଓ ସଂଗଠନକୁ ତୃଣମୂଳ ସ୍ତରରେ ମଜଭୂତ କରିବା ପାଇଁ ଖୋରଧା ଜ଼ିଲ୍ଲା ବିଜେଡି ର ସଭାପତି ତଥା ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଇଗଲ କ୍ଳବ ପରିସରରେ ଅନୁଷ୍ଠିତ ହୋଇଯାଇଛି।
ରାଜ୍ୟ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଓ ଉପସ୍ଥିତ ବିଜୁ ପ୍ରେମୀ ମାନଙ୍କ ନିଷ୍ପତିକ୍ରମେ ଆଗାମୀ ଜୁନ ମାସ ପାଞ୍ଚ ତାରିଖ ଦିନ ଏକ ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହେବା ସହ ଏକ ସ୍ମାରକପତ୍ର ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଖୋରଧା ଜ଼ିଲ୍ଲାପାଳଙ୍କୁ ପ୍ରଦାନ କରାଯିବ।
ଏହି କାର୍ଯ୍ୟକ୍ରମରେ ଖୋରଧା ପୌରପରିଷଦ, ଖୋରଧା ବ୍ଲକ ଓ ଟାଙ୍ଗୀ ବ୍ଲକ ର ଚାରି ହଜାର ରୁ ଉର୍ଦ୍ଧ ବିଜୁ ପ୍ରେମୀ, ବିଜେଡି ର ଛାମୁଆ ସଂଗଠନର ବହୁ ରାଜ୍ୟ ସ୍ତରୀୟ ନେତୃତ୍ୱ, ବେଗୁନିଆ ବୋଲଗଡ, ଚିଲିକା, ଜଟଣୀ ନିର୍ବାଚନ ମଣ୍ଡଳୀର ନେତୃବୃନ୍ଦ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
ଶନିବାର ଅନୁଷ୍ଠିତ ବୈଠକରେ ଜ଼ିଲ୍ଲା ପରିଷଦ ସଭ୍ୟ , ଖୋରଧା ପୌରପରିଷଦର ବହୁ କାଉନସିଲର, ସରପଞ୍ଚ, ସମିତି ସଭ୍ୟ, ଛାମୁଆ ସଂଗଠନ କର୍ମକର୍ତ୍ତା ଓ ବିଜୁ ପ୍ରେମୀ ଯୋଗଦେଇଥିଲେ ଏବଂ ଆଗାମୀ ଦିନରେ ବିଜେଡି ସଂଗଠନକୁ ତୃଣମୂଳ ସ୍ତରରେ ସୁଦୃଢ କରିବାକୁ ସଂକଳ୍ପ ନେଇଥିଲେ।

Related Posts