ଅପେରା ନାୟିକା କରାଇବାକୁ କହି ଯୁବତୀଙ୍କୁ ହୋଟେଲ୍ ଡାକି ବଳାତ୍କାର: ଭିଡିଓ କରି ବ୍ଲାକମେଲିଂ, ଯାତ୍ରାପାର୍ଟି ମ୍ୟାନେଜର
ପଟ୍ଟାମୁଣ୍ଡାଇ, ୩୧/୫ : ଯାତ୍ରା ପାର୍ଟି ଉପରେ ପୁଣି ଆସିଛି କଳଙ୍କର ଚିହ୍ନ । ଏଥର ମାଲିକ ଓ କଳାକାରଙ୍କ ମାରପିଟ୍ କିମ୍ବା ଟଙ୍କା ଦେଣନେଣକୁ ନେଇ ନୁହେଁ ବରଂ ଯାତ୍ରା ପାର୍ଟିର ଦୁଇ ମ୍ୟାନେଜରଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ ।
ଯାତ୍ରା ପାର୍ଟିର ଦୁଇ ଜଣ ମ୍ୟାନେଜର ବୁଲୁ ପଣ୍ଡା ଏବଂ ଜ୍ୟୋତି ପଣ୍ଡାଙ୍କ ବିରୋଧରେ ଆସିଛି ଠକେଇ, ଦୁଷ୍କର୍ମ ଏବଂ ହତ୍ୟା ଧମକ ଭଳି ସଙ୍ଗୀନ ଅଭିଯୋଗ । ଏନେଇ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡା ଦାଣ୍ଡିସାହି ଅଞ୍ଚଳର ଜଣେ ଯୁବତୀ ଥାନାରେ ଅଭିଯୋଗ କରିଛନ୍ତି ।
ଯାତ୍ରା ପାର୍ଟିରେ ହିରୋଇନ ହେବା ପାଇଁ ଯୁବତୀ ଜଣଙ୍କ ୨ ଜଣ ମ୍ୟାନେଜରଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରିଥିଲେ । କୁଆଡେ ଦୁଇ ମ୍ୟାନେଜର ସେହି ଯୁବତୀଙ୍କୁ ହୋଟେଲକୁ ଡାକିଥିଲେ । ଏହାପରେ ଯୁବତୀଙ୍କ ନିଶା ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏଥିସହ ଯୁବତୀଙ୍କ କିଛି ଅଶ୍ଲିଳ ଫଟୋ ମଧ୍ୟ ଉଠାଇଥିଲେ । ଯଦି ବାହାର କିମ୍ବା କୌଣସି ସ୍ଥାନରେ ଏନେଇ ଅଭିଯୋଗ କରିବୁ, ତେବେ ଏହି ଫଟୋକୁ ଭାଇରାଲ କରିଦେବାର ଧମକ ମଧ୍ୟ ଦେଇଥିଲେ । ସମୟ ସମୟରେ ଅଶ୍ଲିଳ ଫଟୋ ଭାଇରାଲର କରିବାର ଧମକ ଦେଇ ଯୁବତୀଙ୍କୁ ହୋଟେଲକୁ ଡାକି ବାରମ୍ବାର ଦୁଷ୍କର୍ମ କରୁଥିଲେ । ସେହିପରି ହିରୋଇନ ହେବା ବାବଦରେ ୨ ଲକ୍ଷ ୮୦ ହଜାର ଟଙ୍କା ଠକେଇ କରିଥିବା ନେଇ ଗତ ମେ ୨୬ ତାରିଖରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଥିଲେ ପୀଡିତା ଯୁବତୀ ।
ସେପଟେ ଅଭିଯୋଗ ପରେ ପୋଲିସ ତୁରନ୍ତ ଆରମ୍ଭ କରିଥିଲା ତଦନ୍ତ । କେସ୍ ନମ୍ବର ରୁଜୁ କରି ପୀଡିତାଙ୍କ ଅଭିଯୋଗ ଆଧାରଣରେ ଦୁଇ ଜଣ ମ୍ୟାନେଜର ବୁଲୁ ପଣ୍ଡା ଏବଂ ଜ୍ୟୋତି ପଣ୍ଡାଙ୍କୁ ଗିରଫ କରିଛି ପୋଲିସ । ଗିରଫ ପରେ ଦୁଇ ମ୍ୟାନେଜରଙ୍କୁ କୋର୍ଟ ଚାଲାଣ କରିଥିବା ସୂଚନା ମଧ୍ୟ ମିଳିଛି ।




