ରାଜଧାନୀରେ ଅସହ୍ୟ ତାତି ; ସକାଳ ୧୦ଟା ପରେ ଘରୁ ବାହାରିବା ଅସମ୍ଭବ
ଭୁବନେଶ୍ୱର,୧୯/୫ : ପ୍ରବଳ ଗ୍ରୀଷ୍ମ ତାପରେ ଜଳୁଛି ସାରା ଓଡ଼ିଶା। ପଶ୍ଚିମରୁ ଉପକୂଳ ସବୁଠି ଅସହ୍ୟ ତାତି ସହ କଲବଲ କରୁଛି ଗୁଳୁଗୁଳି । ସକାଳ ୧୦ଟା ପରେ ଘରୁ ବାହାରିବା ଅସମ୍ଭବ ହୋଇପଡୁଛି ।
ସୋମବାର କଟକ ଓ ଭୁବନେଶ୍ୱରରେ ମଧ୍ୟ ଅସମ୍ଭାଳ ପରିସ୍ଥିତି ଦେଖାଦେଇଥିଲା। ତାତି ସାଙ୍ଗକୁ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା।
ଏଭଳି ସ୍ଥିତିରେ ଆଗାମୀ ଦୁଇ ତିନିଦିନ ମଧ୍ୟରେ ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ ବଢିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି। ଏଥିସହ ଆସନ୍ତା ୫ଦିନ ଅର୍ଥାତ୍ ୨୩ ତାରିଖ ପର୍ଯ୍ୟନ୍ତ ୧୪ ଜିଲା ଯଥା- ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍ସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଅନୁଗୋଳ, ବୌଦ୍ଧ, ସୁନ୍ଦରଗଡ଼, ଗଞ୍ଜାମ ଓ ଗଜପତି ଜିଲାକୁ ପ୍ରବଳ ଗରମ ଓ ଗୁଳୁଗୁଳି ନେଇ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।
ଅପରପକ୍ଷେ ଆଗାମୀ ୬ଦିନ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ପ୍ରଭାବ ରହିବ ବୋଲି ମଧ୍ୟ ସୂଚନା ଦିଆଯାଇଛି।
ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟାରେ ରାଜ୍ୟର ୧୭ଟି ସହରର ଦିନ ତାପମାତ୍ରା ୪୦ ଡିଗ୍ରୀ ଏବଂ ତା’ଠାରୁ ଅଧିକ ରେକର୍ଡ ହୋଇଛି।
ଝାରସୁଗୁଡ଼ାରେ ସର୍ବାଧିକ ୪୩.୪ ଡିଗ୍ରୀ ତାପମାତ୍ରା ରହିବା ସହ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ଭାବେ ଉଭା ହୋଇଛି। ବୌଦ୍ଧରେ ୪୨.୮, ସମ୍ବଲପୁର ଓ ଅନୁଗୋଳରେ ୪୨.୩, ହୀରାକୁଦରେ ୪୨, ବାରିପଦାରେ ୪୧.୮, ନୟାଗଡ଼ରେ ୪୧.୭, ତାଳଚେରରେ ୪୧.୬, ଟିଟିଲାଗଡ଼, ବଲାଙ୍ଗୀର ଓ ଭବାନୀପାଟଣାରେ ୪୧.୫, ସୁବର୍ଣ୍ଣପୁରରେ ୪୦.୮, ଖୋର୍ଦ୍ଧା ଓ ସୁନ୍ଦରଗଡ଼ରେ ୪୦.୫, ବରଗଡ଼ରେ ୪୦.୪, ବାଲେଶ୍ୱରରେ ୪୦.୨, ଭଦ୍ରକରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ସେହିପରି ଯାଜପୁର ୩୯.୮, ଫୁଲବାଣୀ ୩୯.୭, କଟକ୩୯.୬, ରାଉରକେଲା ୩୯.୫, ପାରଳାଖେମୁଣ୍ଡି ୩୯.୪, କେନ୍ଦ୍ରାପଡ଼ା ୩୯.୨, ଭୁବନେଶ୍ୱର, ଢେଙ୍କାନାଳ, ନୂଆପଡ଼ା ଓ ଚାନ୍ଦବାଲିରେ ୩୯ ଡିଗ୍ରୀ ତାପମାତ୍ରା ରହିଥିଲା।




