ପୂର୍ବ ଶତ୍ରୁତାରୁ ବିଜେପି ନେତାଙ୍କ ହତ୍ୟା, ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
କଳାହାଣ୍ଡି, ୭/୮ : ବିଜେପି ନେତା ତଥା ସରପଞ୍ଚଙ୍କ ସ୍ୱାମୀଙ୍କ ହତ୍ୟା ମାମଲାରେ କଳାହାଣ୍ଡି ପୋଲିସକୁ ବଡ଼ ସଫଳତା ମିଳିଛି । ହତ୍ୟାକାଣ୍ଡର ୨୪ ଘଣ୍ଟା ମଧ୍ୟରେ ପୁଲିସ ତିନି ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ତୁଳସୀରାମ ସାହୁ, ସୂରଜ ସିଂ ପାତ୍ର ଏବଂ ବଳଦେବ ସାହୁ ।
କଳାହାଣ୍ଡି ଏସପିଙ୍କ ତତତ୍ଵାବଧାନରେ ବିଜେପି ନେତା ଫକୀର ରଣା ହତ୍ୟା ମାମଲାର ତିନି ଜଣ ମଶଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରି ଥିବା ଏସପି ନାଗରାଜ ଦେବରକୋଣ୍ଡା କହିଛନ୍ତି ।
ଗତ ବୁଧବାର ବିଳମ୍ବିତ ରାତିରେ ମଦନପୁର ରାମପୁର ଥାନା ଡି.କର୍ଲାଖୁଣ୍ଟା ପଞ୍ଚାୟତର ସରପଞ୍ଚ ସ୍ନିଗଧା ରଣାଙ୍କ ସ୍ୱାମୀ ତଥା ବିଜେପି ନେତା ଫକୀର ରଣାଙ୍କୁ ପୂର୍ବ ଶତ୍ରତାକୁ ନେଇ ଛୁରି ଭୁସି ହତ୍ୟା କରାଯାଇଥିଲା । ରାତି ପ୍ରାୟ ସାଢ଼େ ଆଠଟା ସମୟରେ ଫକୀର ରଣା ମ.ରାମପୁରରେ କାମ ସାରି ବାଇକ୍ ଯୋଗେ ନିଜ ଘରକୁ ଫେରିଥିଲେ।
ରାତି ପ୍ରାୟ ସାଢ଼େ ୮ଟା ବେଳକୁ କିଛି ଦୁର୍ବୃତ୍ତ ତାଙ୍କୁ ଆସି ଘରୁ ଡାକି ନେଇଥିଲେ । ଏହା ପରେ ଛୁରି ଓ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଫକୀର ରଣାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକ ଧାଇଁ ଆସିଥିଲେ । ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମ.ରାମପୁର ଡାକ୍ତରଖାନାକୁ ଆଣିଥିବାବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ ।




