ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ ଏସ୍ପିଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ଦାବି କଲେ ସାମ୍ବାଦିକ
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୫/୫ : ସୋସିଆଲ ମିଡିଆକୁ ଅସ୍ତ୍ର କରି ବହୁ ପ୍ରଭାବଶାଳୀ ଲୋକଙ୍କୁ ଟାର୍ଗେଟ କରାଯାଉଛି। ସମାଜରେ ଘଟୁଥିବା ଘଟଣା ଓ ଦୁର୍ଘଟଣାକୁ ଭିନ୍ନ ମୋଡ଼ ଦେବାକୁ ପ୍ରୟାସ କରାଯାଉଛି।
ନୟାଗଡ଼ ଜିଲ୍ଲାର ଏକ ନିଦ୍ଦିଷ୍ଟ ଗୋଷ୍ଠୀ ରାଜ୍ୟ ବାହାରେ ରହି ଏଭଳି ଅପରାଧିକ କାର୍ଯ୍ୟକଳାପ ଚଳାଇ ଆସୁଛନ୍ତି । ଏହି ବ୍ୟକ୍ତିମାନେ ଏକ ର୍ୟା କେଟ ଗଠନ କରି ବିଭିନ୍ନ ରାଜନୈତିକ ବ୍ୟକ୍ତିତ୍ୱ, ଆଇନଜୀବୀ, ସାମ୍ବାଦିକ ତଥା ପ୍ରଭାବଶାଳୀ ବ୍ୟକ୍ତିଙ୍କ ନାମରେ ଅଶାଳୀନ ଭାବେ ପୋଷ୍ଟ କରୁଥିଲେ। ଏହି ର୍ୟାକେଟରେ ଆହୁରି କିଛି ଲୋକ ପ୍ରଚ୍ଛଦ ପଟରେ ରହିଛନ୍ତି ।
ଗତକିଛି ଦିନ ହେବ ଏହି ଗୋଷ୍ଠି ନୟାଗଡ଼ ଜିଲ୍ଲାର ପ୍ରମୂଖ ସାମ୍ବାଦିକଙ୍କୁ ବ୍ୟକ୍ତିଗତ ଭାବେ ଏବଂ ସଂଘ ନାମରେ ଅନେକ ଅପମାନଜନକ ପୋଷ୍ଟ କରି ଆସୁଛନ୍ତି । ଏହାକୁ ନେଇ ଆଜି ନୟାଗଡ଼ ସାମ୍ବାଦିକ ଭବନର ସମଦ୍ୟମାନେ ନୟାଗଡ଼ ଏସ୍ପି ଏସ୍ ସୁଶ୍ରୀଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ମୁଖ୍ୟ କାର୍ପଟଦାର ଭାବେ ସାମ୍ବାଦିକଙ୍କୁ ଟାର୍ଗେଟ କରୁଥିବା ନୟାଗଡ଼ ଜିଲ୍ଲା ରାଜବଗିଚା ନିବାସୀ ଦାମୋଦର ସାହୁଙ୍କ ପୁଅ ଜିତେନ୍ଦ୍ର କୁମାର ସାହୁ ଏବଂ ଓଡ଼ଗାଁ ଥାନା ଦଣ୍ଡୋର ଗ୍ରାମର ସୁବାଷ ବିଷୋଇଙ୍କ ପୁଅ ଶାନ୍ତନୁ ବିଷୋଇଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି।
ନୟାଗଡ଼ ସାମ୍ବାଦିକ ଭବନରେ ଗତକାଲି ରାତିରେ ଏକ ବୈଠକ ବସି ନିଷ୍ପତ୍ତି ନିଆଯିବା ପରେ ଆଜି ଭବନ ପରିସରରୁ ଉପଦେଷ୍ଟା ଶ୍ରୀକାନ୍ତ କୁମାର ଖଟେଇ, ସଭାପତି ବୈଦ୍ୟଭୂଷଣ ମହାପାତ୍ର, ସମ୍ପାଦକ ଅନୀଲ କୁମାର ପଣ୍ଡା, ଉପସଭାପତି ପ୍ରଶାନ୍ତ କୁମାର ଜେନାଙ୍କ ନେତୃତ୍ୱରେ ବହୁ ସାମ୍ବାଦିକ ନୟାଗଡ଼ ଏସ୍ପିଙ୍କୁ ସାକ୍ଷାତ କରିଥିଲେ।
ସାର୍ବଜନୀନ କ୍ଷେତ୍ରରେ ପ୍ରତିଷ୍ଠିତ ସାମ୍ବାଦିକଙ୍କ ବିରୁଦ୍ଧରେ ଘୃଣା ଏବଂ ଅବିଶ୍ୱାସ ସୃଷ୍ଟି କରିବା, ଭୟଭୀତ କରିବା ଏବଂ ଧମକ ଦେବା,ପରିବାର ସଦସ୍ୟଙ୍କ ବିରୁଦ୍ଧରେ ମାନହାନିକାରକ ମନ୍ତବ୍ୟ ସହିତ ବ୍ୟକ୍ତିଗତ ଆକ୍ରମଣ କରିବା ଏବଂ ବ୍ଲାକମେଲ୍ କରି ମାସିକ ଚାନ୍ଦା ଆଦାୟ କରିବାକୁ ଚେଷ୍ଟା କରିବା ଅଭିଯୋଗ ହୋଇଛି।
ଏନେଇ ଦାବିପତ୍ର ପ୍ରଦାନ କରାଯାଇଛି । ଅଭିଯୁକ୍ତଙ୍କ ବିରୁଦ୍ଧରେ ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ, ସେମାନଙ୍କୁ ଗିରଫ କରିବା ପାଇଁ ପଦକ୍ଷେପ, ସେମାନଙ୍କ କାର୍ଯ୍ୟାକଳାପର ପୁଙ୍ଖାନୁପୁଙ୍ଖ ତଦନ୍ତ, ଆଇନ ଅନୁଯାୟୀ ସମ୍ପୃକ୍ତ ଫେସବୁକ୍ ଆକାଉଣ୍ଟଗୁଡ଼ିକୁ ନିଷିଦ୍ଧ କରିବା ପାଇଁ ଦାବି କରାଯାଇଛି ।
ତା ସହିତ ଅନେକ ପ୍ରମାଣ ମଧ୍ୟ ଏସ୍ପିଙ୍କୁ ଦିଆଯାଇଛି । ଏଠାରେ ପ୍ରକାଶ ଯୋଗ୍ୟ, କିଛିଦିନ ହେବ ଏହି ଗୋଷ୍ଠୀ ଦୈନିକ ‘ସକାଳ’ ଖବରକାଗଜ ଜିଲ୍ଲା ପ୍ରତିନିଧି ଅନୀଲ କୁମାର ପଣ୍ଡାଙ୍କୁ ଟାର୍ଗେଟ କରି ତାଙ୍କ ନାମରେ ସୋସିଆଲ ମିଡିଆରେ ଅପମାନ ଜନକ ତଥା ଅଶାଳୀନ ଶଦ୍ଦ ବ୍ୟବହାର କରି ପୋଷ୍ଟ କରୁଥିଲେ ।
ଏପରିକି ତାଙ୍କ ପରିବାରକୁ ଅପମାନ କରି ପୋଷ୍ଟ କରୁଥିଲେ । ଅଶାଳୀନ ପୋଷ୍ଠ ଭାଇରାଲ କରିବା ଘଟଣାକୁ ନେଇ ଅନୀଲ କୁମାର ପଣ୍ଡାଙ୍କ ଅଭିଯୋଗ ଆଧାରରେ ଟାଉନଥାନାରେ ୧୩୦/୨୬ରେ ଉଭୟଙ୍କ ନାମରେ ମାମଲା ରୁଜୁ ହୋଇଛି।
ଏହି ମାମଲା ରୁଜୁ ହେବା ପରେ ଦୁଇ ବ୍ୟକ୍ତି ସାମ୍ବାଦିକ ସଂଘ ଏବଂ ଏହାର କାର୍ଯ୍ୟକର୍ତ୍ତାଙ୍କ ନାମରେ ପୋଷ୍ଟ କରିବା ଏବଂ ଭିଡିଓ ଜାରି କରିବା ଘଟଣା ସାମ୍ନାକୁ ଆସିଛି ।
ଆଜି ଦାବିପତ୍ର ପ୍ରଦାନ ବେଳେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, ହୁସେନ୍ ଖାନ, ରଜତ ପଟ୍ଟନାୟକ, ନବକିଶୋର ମିଶ୍ର, ଚିତ୍ତରଞ୍ଜନ ପାଶା, ଅଶୋକ କୁମାର ସାଥୁଆ, ଧିରେନ୍ଦ୍ର ପଟ୍ଟନାୟକ, ମହେଶ ମିଶ୍ର, ବିଶ୍ୱଜିତ ନାୟକ, କ୍ଷୀରୋଦ ପଟ୍ଟନାୟକ, ଦୀନମଣୀ ମହାନ୍ତି, ଜନ୍ମେଜୟ ମହାନ୍ତି, ଗୈାରୀଶଙ୍କର ଦାଶ, ବିଭୂତି ଭୂଷଣ ସ୍ୱାଇଁ, ମାନସ କୁମାର ସାହୁ, ବିଶ୍ୱଭୂଷଣ ମହାପାତ୍ର, ନିହାର ରଞ୍ଜନ ପଟ୍ଟନାୟକ, ପ୍ରଭାତ ମହାପାତ୍ର, ସନ୍ତୋଷ କୁମାର ନାୟକ, ସ୍ୱରୂପ ପଟ୍ଟନାୟକ, ଅମିତ ପଟ୍ଟନାୟକ, ଭାଷ୍କର ଚନ୍ଦ୍ର ସ୍ୱାଇଁ, ଶୁଭେନ୍ଦୁ କୁମାର ଦାସ , ସନ୍ତୋଷ କୁମାର ଷଡ଼ଙ୍ଗୀ, ଜୟନ୍ତ ମିଶ୍ର , କୈାଳାଶ ଚନ୍ଦ୍ର ସିଅ, ଭବାନୀ ଶଙ୍କର ଦାଶ, ଯଯାତୀ କେଶରୀ ମହାପାତ୍ର, ବିଶ୍ୱନାଥ ବେହେରା, ପ୍ରଦୀପ୍ତ ପାତ୍ରଙ୍କ ସମେତ ବହୁ ସାମ୍ବାଦିକ ଉପସ୍ଥିତ ରହିଥିଲେ ।




