ପାଇକ ବିଦ୍ରୋହର ଶହୀଦ ଓ ସଂଗ୍ରାମୀମାନଙ୍କ ଗାଁ ହେଉ ବରପୁତ୍ର ଐତିହ୍ୟ ଗ୍ରାମ
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା,୨୩/୩ : ପାଇକ ବିଦ୍ରୋହର ଶହୀଦ ଓ ସଂଗ୍ରାମୀମାନଙ୍କ ଗାଁ ବରପୁତ୍ର ଏତିହ୍ୟ ଗ୍ରାମ ଭାବେ ଘୋଷିତ ହେବା ଦାବିରେ କଳିଙ୍ଗ ପାଇକ ସଂଗଠନ ପକ୍ଷରୁ କର୍ମକର୍ତା କାର୍ଯ୍ୟକାରିଣୀ ସଦସ୍ୟ ତଥା ବିଶିଷ୍ଟ ବ୍ୟକ୍ତିମାନଙ୍କୁ ନେଇ ଏକ ବିଶେଷ ଅଧିବେଶନ ଅଂଜୁଶ୍ରୀ କଲ୍ୟାଣ ମଣ୍ଡପ ସନ୍ନିକଟ ମଙ୍ଗଳା ମନ୍ଦିର ସଭାଗୃହରେ ସଭାପତି ଭୀମସେନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ତଥା ସାଧାରଣ ସମ୍ପାଦକ କୃଷ୍ଣଚନ୍ଦ୍ର ହରିଚନ୍ଦନଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଯାଇଛି।
ରାଜ୍ୟ ସରକାର ଓଡ଼ିଶାର ବରପୁତ୍ର ଶହୀଦ ଓ ସଂଗ୍ରାମୀମାନଙ୍କର ୨୫ ଟି ଗ୍ରାମକୁ ବରପୁତ୍ର ଐତିହ୍ୟ ଗ୍ରାମ ଭାବେ ଘୋଷଣା କରିଛନ୍ତି। ସେଥିମଧ୍ୟରେ ଜୟୀ ରାଜଗୁରୁ ଓ ବକ୍ସି ଜଗବନ୍ଧୁଙ୍କ ଗ୍ରାମ ସ୍ଥାନ ପାଇଛି। ଖୋର୍ଦ୍ଧା ପାଇକ ବିଦ୍ରୋହରେ ଅଂଶ ଗ୍ରହଣ କରି ଶହୀଦ ଓ ସଂଗ୍ରାମୀ ଭାବେ ଯେଉଁମାନେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି ବିଭିନ୍ନ ଐତିହାସିକ ପୁସ୍ତକ ଅଧ୍ୟୟନ ପୂର୍ବକ ତାହା ନିରୁପିତ କରାଯାଇ ସେମାନଙ୍କ ଗ୍ରାମକୁ ବରପୁତ୍ର ଐତିହ୍ୟ ଗ୍ରାମ ରୂପେ ଘୋଷଣା କରିବା ଫଳରେ ଆମ ଅସ୍ମିତାର ଜୟଗାନ ହୋଇପାରିବ ବୋଲି ଆଲୋଚନାରେ ମତପ୍ରକାଶ ପାଇଥିଲା।
ଦାରୁଠେଙ୍ଗର ପିଣ୍ଡିକି ବାହୁବଳେନ୍ଦ୍ର, ତାପଙ୍ଗ ଦଳବେହେରା ମାଧବ ଚନ୍ଦ୍ର ରାଉତରାୟ, ବାଣପୁର ଦେଓଗାଁର କୃତିବାସ ପାଟ୍ଟଶାଣୀ ଓ ତାଙ୍କ ପିତା ଶ୍ୟାମ ସୁନ୍ଦର ପାଟ୍ଟଶାଣୀ ଦଳବେହେରା, ପାଇକ ବିଦ୍ରୋହର ଉପନେତା ଦେୱାନ କୃଷ୍ଣଚନ୍ଦ୍ର ଭ୍ରମରବର ରାୟ, ପାଇକ ବିଦ୍ରୋହରେ ଫାଶୀ ବରଣ କରିଥିବା ଭୁବନେଶ୍ୱର ବଡ଼ଗଡ଼ର ଦଳବେହେରା ଶହୀଦ ପଦ୍ମନାଭ ଛୋଟରାୟ, ମେଣ୍ଢାଶାଳର ଶହୀଦ ରାମସିଂହ, ବାଙ୍କୋଇର ଶହୀଦ ସଚ୍ଚିଦାନନ୍ଦ ପଟ୍ଟନାୟକ ଓ ଶହୀଦ ପର୍ଶୁରାମ ରାଉତରାୟ, ଶହୀଦ ଗୋପାଳ ଛୋଟରାୟ ଓ ଶହୀଦ ନାଥ ପ୍ରଧାନଙ୍କ ଗ୍ରାମକୁ ମଧ୍ୟ ବରପୁତ୍ର ଐତିହ୍ୟ ଗ୍ରାମ ଘୋଷଣା କରାଯିବା ପାଇଁ ଦାବି ହୋଇଥିଲା।
ବକ୍ସିଙ୍କ ପ୍ରଧାନ ସହଯୋଗୀ ଭାଟପଡ଼ା ଦଳବେହେରା, ଦୀନବନ୍ଧୁ ସାମନ୍ତରାୟ ମହାପାତ୍ର, ପଞ୍ଚୁପଲ୍ଲୀ ଦଳବେହେରା ସାମନ୍ତସିଂହାରପୁରର ଶ୍ରୀ ହରି ମାନସିଂହ, ଛତ୍ରଗଡ଼ ଦଳବେହେରା ରଥୀ ସାମନ୍ତସିଂହାର, ସିକୋର ଦାମ ସୁବୁଦ୍ଧି, କାଇପଦର ଦଳବେହେରା ବିଷ୍ଣୁ ହରିଚନ୍ଦନ ଓ ପୀତବାସ ମଙ୍ଗରାଜ, ନାଲସିଂହ ଦଳବେହେରା ବିଷ୍ଣୁ ହରିଚନ୍ଦନ ଓ ପୀତବାସ ମଙ୍ଗରାଜ, ନାଲସିଂହ ଦଳବେହେରା ଗୌରାଙ୍ଗ ବରିସଲ, ଡ଼ୁମୁଡ଼ୁମା ଦଳବେହେରା ମୀର ହାଇଦର ଅଲ୍ଲୀ, ସିରେଇ ଦଳବେହେରା କାଳିଆ ମାନସିଂହ, ଯମୁନା ଝାରପଡ଼ାର ଭଗବାନ ସିଂ, କରୁଣାକର ପରମଗୁରୁ, କୁଜଙ୍ଗର ବାମଦେବ ପଟ୍ଟଯୋଶୀ ଓ ନାରାୟଣ ପରମଗୁରୁ, ବଡ଼ପାରିର ଉପେନ୍ଦ୍ର ଜଗବ୍ଦେବ, ଗଙ୍ଗପଡ଼ାର ଭାଗୁ ହରିଚନ୍ଦନ ଓ ମାଖନସିଂହ, ଯାଁଳା ସର୍ଦ୍ଦାର ଲୋକନାଥ ବଳିଆରସିଂହ, ପିପିଲି ପଦନପୁରର ସାମନ୍ତ ରାଜବଲ୍ଲଭ ଛୋଟରାୟଙ୍କ ଗ୍ରାମମାନଙ୍କୁ ‘ବରପୁତ୍ର ଐତିହ୍ୟ ଗ୍ରାମ ଘୋଷଣା କରାଯିବା ସହିତ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଗ୍ରାମ ସତ୍ୟଭାମାପୁର, ଭାରତର ପୂର୍ବତନ ଲୋକସଭା ବାଚସ୍ପତି ରବି ରାୟ ଏବଂ ଖୋର୍ଦ୍ଧା ଜିଲ୍ଲାର ପ୍ରଥମ ରାଜବଳୀ ତଥା ଲୋକ ପ୍ରଥମ ବ୍ୟକ୍ତିଭାବେ ୧୯୩୦ ମସିହାରେ ଜାତୀୟ ପତାକା ଉଡ଼ାଇ ଦୁଇଥର କାରାବରଣ କରିବା ଓ ନିଜର ସମସ୍ତ ସମ୍ପତି ବାଜ୍ୟାପ୍ତି ହୋଇଥିବା ମହାନ ସଂଗ୍ରାମୀ ବିଶ୍ୱନାଥ ସାମନ୍ତଙ୍କ ଚମ୍ପେଇଲ ଗ୍ରାମକୁ ମଧ୍ୟ ବରପୁତ୍ର ଐତିହ୍ୟ ଗ୍ରାମରୂପେ ଘୋଷଣା କରାଯିବା ପାଇଁ ଦାବି ହୋଇଥିଲା।
ଏହି କାର୍ଯ୍ୟକ୍ରମରେ କଳିଙ୍ଗ ପାଇକ ସଂଗଠନର ପୂର୍ବତନ ସଭାପତି ବଂଶୀଧର ଜଗବ୍ଦେବ, କର୍ମକର୍ତା ସର୍ବଶ୍ରୀ ଇଂ.ଶିଶିର କୁମାର ନାୟକ, ସତ୍ୟବାଦୀ ବଳିଆରସିଂହ, ରୁଷି ଗୁମାନସିଂହ, ସୁରଥ ବିଶ୍ୱାଳ, ଶ୍ରୀରଂଜନ ମଙ୍ଗରାଜ, ଅମରେନ୍ଦ୍ର ମହାପାତ୍ର, ସୁଧୀର ମାନସିଂହ, ମୃତ୍ୟୁଞ୍ଜୟ ଛୋଟରାୟ, ପ୍ରଫୁଲ୍ଲ ସାମନ୍ତରାୟ, ବୈଦ୍ୟନାଥ ବରାଳ, ରାମ ନାରାୟଣ ଦାଶ, ପ୍ରଦୀପ ବିଶ୍ୱାଳ, କବିରାଜ ପ୍ରଧାନ, ସୁବାସ ସାମନ୍ତରାୟ, ଭାଗିରଥି ମଙ୍ଗରାଜ, ଶକ୍ତିଧର ମହାପାତ୍ର, ବିନାୟକ ପାଇକରାୟ, ମନୋରଂଜନ ପଶ୍ଚମିକବାଟ, ପ୍ରଭାକର ପାଲଟାସିଂହ, ସମରେନ୍ଦ୍ର ବଳିଆରସିଂହ, ଧରଣୀଧର ଛୋଟରାୟ ପ୍ରମୁଖ ବକ୍ତବ୍ୟ ଦେଇଥିଲେ।
ଯେଉଁ ବରପୁତ୍ରମାନେ ରହି ଯାଇଛନ୍ତି ସେମାନଙ୍କ ନାମ ଓ ବିବରଣୀ ଖୋଜି ସ୍ଥାନିତ କରିବା ପାଇଁ ସ୍ଥିର ହେଲା। ଶେଷରେ କୃଷ୍ଣଚନ୍ଦ୍ର ହରିଚନ୍ଦନ ଧନ୍ୟବାଦ ଦେଇଥିଲେ।




