Odisha News

ବୌଦ୍ଧରେ PIB ପକ୍ଷରୁ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ‘ବାର୍ତ୍ତାଳାପ’ ଅନୁଷ୍ଠିତ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୪/୧୧ : ବୌଦ୍ଧ ଜିଲ୍ଲାରେ ମାଓବାଦର ଅବସାନ ଓ ନୂତନ ବିକାଶର ଧାରାକୁ ଆଗେଇ ନେବା ପରିପ୍ରେକ୍ଷୀରେ ଭାରତ ସରକାରଙ୍କ ପ୍ରେସ୍ ଇନଫର୍ମେସନ ବ୍ୟୁରୋ (PIB ), ଭୁବନେଶ୍ୱର ଏବଂ ସେଣ୍ଟ୍ରାଲ ବ୍ୟୁରୋ ଅଫ୍ କମ୍ୟୁନିକେସନ (CBC) ପକ୍ଷରୁ ଶନିବାର ଦିନ ବୌଦ୍ଧ ଜିଲ୍ଲା ସଦ୍‌ଭାବନା ସଭାଗୃହଠାରେ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ‘ବାର୍ତ୍ତାଳାପ’ ଅନୁଷ୍ଠିତ ହୋଇଯାଇଛି।
PIB ଓ CBC, ଭୁବନେଶ୍ୱରର ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀ ଅଖିଳ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କର୍ମଶାଳାରେ ବୌଦ୍ଧ ଜିଲ୍ଲାପାଳ ଶ୍ରୀ ବିଭୂତି ଭୂଷଣ ନାୟକ ମୁଖ୍ୟ ଅତିଥି, ଆରକ୍ଷୀ ଅଧୀକ୍ଷକ କୁଲଦୀପ ମୀନା ମୁଖ୍ୟ ବକ୍ତା ଏବଂ ଅତିରିକ୍ତ ଜିଲ୍ଲାପାଳ ବିରଞ୍ଚି ନାରାୟଣ ଦରୱାନ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। CBCର ନୋଡାଲ ଅଫିସର ପ୍ରଦୀପ କୁମାର ଚୌଧୁରୀ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ।
ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ନାୟକ କହିଥିଲେ ଯେ, ବୌଦ୍ଧ ଜିଲ୍ଲାକୁ ମାଓବାଦମୁକ୍ତ କରିବା ପଛରେ ପ୍ରଶାସନ, ପୋଲିସ ଓ ସୁରକ୍ଷା ବାହିନୀର ଅନେକ ତ୍ୟାଗ, କଠିନ ପରିଶ୍ରମ ଓ ସମର୍ପଣ ରହିଛି।
ଏହି ସଫଳତାକୁ ସ୍ଥାୟୀ କରିବା ସହ ଭବିଷ୍ୟତରେ ଯେପରି ମାଓବାଦ ପୁନର୍ବାର ଜିଲ୍ଲାରେ ମୁଣ୍ଡ ଟେକି ନପାରେ, ସେଥିପାଇଁ ସମସ୍ତଙ୍କୁ ସମ୍ମିଳିତ ଉଦ୍ୟମ କରିବାକୁ ପଡ଼ିବ।
ଜନସାଧାରଣଙ୍କ ଅଭିଯୋଗ ଓ ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ସର୍ବଦା ପ୍ରସ୍ତୁତ ଅଛନ୍ତି।
ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଓ ବିକାଶମୂଳକ କାର୍ଯ୍ୟକ୍ରମର ସୁଫଳ ଯେପରି ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚିବ, ସେଥିପାଇଁ ସମସ୍ତ ବିଭାଗ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ଆବଶ୍ୟକ।
ଏ କ୍ଷେତ୍ରରେ ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସରକାରୀ ଯୋଜନା ଓ ବିକାଶମୂଳକ ପଦକ୍ଷେପଗୁଡ଼ିକର ସଠିକ୍ ତଥ୍ୟ ଲୋକଙ୍କ ନିକଟରେ ପହଞ୍ଚାଇବା ସହ ଜନସଚେତନତା ସୃଷ୍ଟି କରିବାକୁ ସେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଆହ୍ୱାନ ଜଣାଇଥିଲେ।
ବିଶେଷକରି ବେକାର ଯୁବକ ଯୁବତୀଙ୍କୁ ରୋଜଗାରକ୍ଷମ କରିବା, ଉଦ୍ୟୋଗୀ ଭାବେ ଗଢ଼ି ତୋଳିବା ଏବଂ ଜୀବନଜୀବିକାର ସୁଯୋଗ ସୃଷ୍ଟି କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ଆର୍ଥିକ ଓ ସାମାଜିକ ବିକାଶ ହିଁ ଜିଲ୍ଲାରେ ଶାନ୍ତି ଓ ସୁରକ୍ଷାକୁ ଅଧିକ ସୁଦୃଢ଼ କରିବ ବୋଲି ସେ ମତ ପ୍ରକାଶ କରିଥିଲେ।
ମୁଖ୍ୟ ବକ୍ତା ଆରକ୍ଷୀ ଅଧୀକ୍ଷକ ଶ୍ରୀ ମୀନା ନିଜ ଅଭିଭାଷଣରେ ମାଓବାଦ ଦ୍ୱାରା ପ୍ରଭାବିତ ଅଞ୍ଚଳରେ ଲୋକମାନେ ଭୋଗିଥିବା ସମସ୍ୟା ଓ ଚ୍ୟାଲେଞ୍ଜ ସମ୍ପର୍କରେ ଆଲୋକପାତ କରିଥିଲେ।
ମାଓବାଦର ମୁକାବିଲା କ୍ଷେତ୍ରରେ ପୋଲିସ ଓ ସୁରକ୍ଷା ବାହିନୀର ନିରନ୍ତର ପ୍ରୟାସ ସହିତ ଜନସାଧାରଣଙ୍କ ସହଯୋଗର ମଧ୍ୟ ବିଶେଷ ଭୂମିକା ରହିଛି ବୋଲି ସେ କହିଥିଲେ।
ଅଧ୍ୟକ୍ଷୀୟ ଅଭିଭାଷଣରେ ଶ୍ରୀ ମିଶ୍ର କହିଥିଲେ ଯେ, କେନ୍ଦ୍ର ସରକାରଙ୍କ ନିରନ୍ତର ପ୍ରଚେଷ୍ଟା ଓ ସମନ୍ୱିତ ରଣନୀତି ଫଳରେ ଦେଶର ଅନେକ ମାଓବାଦ ପ୍ରଭାବିତ ଅଞ୍ଚଳରେ ଶାନ୍ତି ଫେରିଛି।
ଦେଶର ୩୮ଟି ଅତି ମାଓବାଦ ପ୍ରଭାବିତ ଜିଲ୍ଲାକୁ ମାଓମୁକ୍ତ ଘୋଷଣା କରାଯାଇଥିବାବେଳେ ଓଡ଼ିଶାର ୯ଟି ଜିଲ୍ଲା ମଧ୍ୟରେ ବୌଦ୍ଧ ଜିଲ୍ଲା ଅନ୍ତର୍ଭୁକ୍ତ ହୋଇଛି। ମାଓବାଦୀଙ୍କୁ ହିଂସାର ପଥ ଛାଡ଼ି ମୁଖ୍ୟସ୍ରୋତକୁ ଫେରାଇ ଆଣିବା ସହ ଆତ୍ମସମର୍ପଣକାରୀଙ୍କ ଥଇଥାନ ଓ ପୁନର୍ବାସ ପାଇଁ ସରକାର ବିଭିନ୍ନ ଯୋଜନା ହାତକୁ ନେଇଛନ୍ତି।
ଅତିରିକ୍ତ ଜିଲ୍ଲାପାଳ ପୋଲିସ ଓ ପ୍ରଶାସନ ମଧ୍ୟରେ ଉତ୍ତମ ସମନ୍ୱୟ ରଖି ଜନସାଧାରଣଙ୍କ ସମସ୍ୟାର ତ୍ୱରିତ ସମାଧାନ ଉପରେ ଗୁରୁତ୍ୱ ଦେଇଥିଲେ ।
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମାଓବାଦ ଦମନରେ ସହିଦ ହୋଇଥିବା ଯବାନ ଓ ଜନ ସାଧାରଣଙ୍କ ବଳିଦାନକୁ ଅନନ୍ୟ ଦେଶପ୍ରେମ ବୋଲି କହିଥିଲେ ।
ଶାନ୍ତି, ସୁରକ୍ଷା ଓ ବିକାଶର ସନ୍ଦେଶ ସମାଜର ପ୍ରତ୍ୟେକ ସ୍ତରରେ ପହଞ୍ଚାଇବାରେ ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ମୂଲ୍ୟବାନ ବୋଲି ସେ ଉଲ୍ଲେଖ କରିଥିଲେ।
କର୍ମଶାଳାରେ ମଡେଲ ଡିଗ୍ରୀ କଲେଜ, ବୌଦ୍ଧର ସମାଜବିଜ୍ଞାନ ଅଧ୍ୟାପକ ଡ. ସୌମ୍ୟ ରଞ୍ଜନ ନାୟକ ‘ମାଓବାଦମୁକ୍ତ ବୌଦ୍ଧର ବିକାଶ: ଏକ ସାମାଜିକ ଦୃଷ୍ଟିକୋଣ’ ଶୀର୍ଷକରେ ନିଜର ମତ ଉପସ୍ଥାପନ କରିଥିଲେ।
ଏହାପରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହ ଏକ ଆଲୋଚନା ଓ ମତବିନିମୟ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଶତରୂପା ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।
ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ମାଓବାଦମୁକ୍ତ ବୌଦ୍ଧରେ ଶାନ୍ତି ପ୍ରତିଷ୍ଠା, ସାମାଜିକ ସୁରକ୍ଷା, ସରକାରୀ ଯୋଜନାର ସଫଳ ରୂପାୟନ ଏବଂ ଜିଲ୍ଲାର ସାମଗ୍ରିକ ବିକାଶରେ ଗଣମାଧ୍ୟମର ସକାରାତ୍ମକ ଓ ଦାୟିତ୍ୱପୂର୍ଣ୍ଣ ଭୂମିକାକୁ ଅଧିକ ସୁଦୃଢ଼ କରିବା।
ଏସ ଓ ଜି ଯବାନ ମାନଙ୍କ ପକ୍ଷରୁ ପାୱାର ପଏଣ୍ଟ ମାଧ୍ୟମରେ ଜିଲ୍ଲାର ମାଓବାଦ ଦମନର ସୂଚନା ପ୍ରଦର୍ଶନ କରା ଯାଇଥିଲା ।
ଶେଷରେ PIB ଭୁବନେଶ୍ୱରର ସହକାରୀ ନିର୍ଦ୍ଦେଶକ ଏମ୍. ପି. ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ଏହି କର୍ମଶାଳାରେ ବହୁସଂଖ୍ୟାରେ ଜିଲ୍ଲାର ସମସ୍ତ ବ୍ଲକ୍ ର ସାମ୍ବାଦିକ ଆଗ୍ରହ ସହିତ ଯୋଗଦାନ କରିଥିଲେ ।

Related Posts