Odisha News

ଛାତ୍ର ଙ୍କ ଭବିଷ୍ୟତ ଓ ସୁରକ୍ଷା ପାଇଁ ଉତ୍ତରଦାୟୀ କିଏ ?? : ମେଟ୍ରିକ୍ ପରୀକ୍ଷା ଦେବାକୁ ଟ୍ରାକ୍ଟରରେ ଗଲେ ଛାତ୍ର

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡ଼ା, ୨୧/୨ : ମେଟ୍ରିକ୍ ପରୀକ୍ଷା ଦେବାକୁ ଟ୍ରାକ୍ଟରରେ ପରୀକ୍ଷା କେନ୍ଦ୍ରକୁ ଗଲେ ଛାତ୍ର । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୁଆଗାଁ ବ୍ଲକ ଅଞ୍ଚଳରୁ ।
ଯାହାର ଚିତ୍ର ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ସୂଚନା ପ୍ରକାରେ ମେଟ୍ରିକ୍ ପରୀକ୍ଷାର ପ୍ରଥମ ଦିନରେ କ.ନୂଆଗାଁ ସ୍ଥିତ ପି.ଏମ୍.ଶ୍ରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରମାନେ ପରୀକ୍ଷା ଦେବାକୁ ଟ୍ରାକ୍ଟର ଯୋଗେ କୁଡୁତୁଲି ଉଚ୍ଚ ବିଦ୍ୟାଳୟରେ ପହଞ୍ଚିଥିଲେ ।
ବିଦ୍ୟାଳୟରୁ ପରୀକ୍ଷା କେନ୍ଦ୍ର ମାତ୍ର ତିନି କିଲୋମିଟର ଦୂରତା ହୋଇଥିବା ବେଳେ ଅତି ବିପଦପୂର୍ଣ୍ଣ ଭାବରେ ଟ୍ରାକ୍ଟର ଡ଼ାଲାରେ ବସି ପରୀକ୍ଷା କେନ୍ଦ୍ରକୁ ଯାଉଥିବା ଦୃଶ୍ୟକୁ ନେ଼ଇ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅତି ବେପାରୁଆ ମନୋଭାବ ପୋଷଣ କରି ବିଦ୍ୟାଳୟ କର୍ତ୍ତୃପକ୍ଷ କିଭଳି ଟ୍ରାକ୍ଟରରେ ଯିବାକୁ ପରୀକ୍ଷା କେନ୍ଦ୍ରକୁ ଛାଡ଼ିଲେ ସାଙ୍ଗରେ କେହି ଗାଇଡ୍ ଶିକ୍ଷକ କିମ୍ବା ବିଦ୍ୟାଳୟର କର୍ମଚାରୀଙ୍କୁ ଦେଖିବାକୁ ମିଳିନଥିଲା ।
ଜିଲ୍ଲା ପ୍ରଶାସନ ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି ।
ଏ ନେଇ କ.ନୂଆଗାଁ ପିଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମନୋଜ କୁମାର ରଥ କହିଛନ୍ତି ଯେ, ଟ୍ରାକ୍ଟର ଡାଲା ରେ ବସି ଯାଉଥୁବା ଛାତ୍ର ଆମ ବିଦ୍ୟାଳୟ ର ଛାତ୍ର କି ଆଉ କେଉଁ ବିଦ୍ୟାଳୟ ର ସେ ନେଇ ସ୍ପଷ୍ଟ ହୋଇନାହିଁ ।
ଯଦିଓ ଛାତ୍ର ମାନେ ଯେଉଁ ବି ବିଦ୍ୟାଳୟର ମଧ୍ୟ ହୁଅନ୍ତୁ ଏପରି ଟ୍ରାକ୍ଟର ଡାଲା ରେ ବସି ପରୀକ୍ଷା କେନ୍ଦ୍ର କୁ ଯିବା ଘଟଣା ଅନୁଚିତ ବୋଲି ପ୍ରଧାନ ଶିକ୍ଷକ କହିଛନ୍ତି ।
ତେବେ ଯେଉଁ ଟ୍ରାକ୍ଟର ଡାଲାରେ ବସି ଛାତ୍ରମାନେ ଯାଇଥିଲେ ସେହି ଟ୍ରାକ୍ଟର ର ସନ୍ଧାନ ଚାଲିଛି ।
ସେହି ଟ୍ରାକ୍ଟର ଡ୍ରାଇଭର କିପରି କେଉଁ ପରିସ୍ଥିତି ରେ ଛାତ୍ର ଙ୍କୁ ବସାଇ ନେଇଥିଲେ ସେହି ଡ୍ରାଇଭର ଙ୍କ ବିରୋଧ ରେ ଏତଲା ଦିଆଯିବ ବୋଲି ପ୍ରଧାନ ଶିକ୍ଷକ କହିଛନ୍ତି ଓ ପରୀକ୍ଷା କେନ୍ଦ୍ର କୁ ଛାତ୍ର ଛାତ୍ରୀ ଙ୍କୁ ନେବା ପାଇଁ ବିଭାଗ ପକ୍ଷରୁ ସେପରି କିଛି ବ୍ୟବସ୍ଥା ନଥ‌ିବା ବେଳେ ଅଭିଭାବକ ନିଜ ଦାୟିତ୍ଵ ରେ ପିଲାଙ୍କୁ ପରୀକ୍ଷା କେନ୍ଦ୍ର କୁ ନେବା ଉଚିତ ବୋଲି କହିଛନ୍ତି ଓ ତେବେ ପ୍ରଶ୍ନ ଉଠୁଛି ବିପଦ ସଂକୁଳ ଅବସ୍ଥାରେ ପରୀକ୍ଷା କେନ୍ଦ୍ର କୁ ଟ୍ରାକ୍ଟର ଡାଲା ରେ ବସି ଯାଇଥିବା ଛାତ୍ର ଙ୍କ ଭବିଷ୍ୟତ ଓ ସୁରକ୍ଷା ପାଇଁ ଉତ୍ତରଦାୟୀ କିଏ ?? ।
ପିଲାଙ୍କ ଭବିଷ୍ୟତ ସହ ଖେଳୁଥ‌ିବା ସରକାର ନିଜ ଦୋଷ ଲୁଚାଇବାକୁ ଯାଇ ଅନ୍ୟ ମୁଣ୍ଡରେ ହାତ ଥୋଇ ନିଜ ଦୋଷ କୁ ଲୁଚେଇବା କେତେ ଦୁର ଠିକ୍ ତାହା ସମୟ ହିଁ କହିବ।
ଅବ୍ୟବସ୍ଥା ଘେରରେ ପିପଳ ସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ : ଶ୍ରେଣୀ ଗୃହ ଛାତରୁ ପ୍ଲାଷ୍ଟର ଖସି ଲୁହା ଛଡ଼ ଦେଖାଗଲାଣି
ବାଲିଗୁଡ଼ା, ୨୧/୨ : ଅବ୍ୟବସ୍ଥା ଘେରରେ ବିଦ୍ୟାଳୟ । ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବିଦ୍ୟାଳୟରେ ଅଧ୍ୟୟନ ରତ କୋମଳମତି ଛାତ୍ରଛାତ୍ରୀ ।
ବାରମ୍ବାର ଅଭିଯୋଗ ପରେ ବି ସୁଧୁରୁନି ସମସ୍ୟା । ଏହା କେଉଁ ଉପାନ୍ତ ଅଞ୍ଚଳର ନୁହେଁ, ଏ ହେଉଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ୍ଏସି ଅନ୍ତର୍ଗତ ୭ ନଂ ୱାର୍ଡ ନୁଆସାହି ନିକଟସ୍ଥ ପିପଳ ସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ।
ସହରାଞ୍ଚଳରେ ଥିବା ଏହି ବିଦ୍ୟାଳୟରେ ବାଲ୍ ବାଟିକା ଠାରୁଆରମ୍ଭ କରି ୮ ମ ଶ୍ରେଣୀ ମଧ୍ୟରେ ୧୮୭ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି । କିନ୍ତୁ ଦୀର୍ଘ ବର୍ଷ ଧରି ବିଦ୍ୟାଳୟର ସମସ୍ୟା ବାବଦରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଥିଲେ ମଧ୍ୟ ଏଯାଏଁ ହୋଇପାରିନି ସମସ୍ୟାର ସମାଧାନ । ବିଦ୍ୟାଳୟ ଚତୁଃପାର୍ଶ୍ୱରେ ପାଚେରୀ ନାହିଁ,ବିଦ୍ୟାଳୟ ପରିସରରେ ଥିବା ଶୈଚାଳୟ କାର୍ଯ୍ୟରେ ଆସୁନି । ଗୋଟିଏ ପଟେ ଆବଶ୍ୟକତା ଅନୁସାରେ ଶ୍ରେଣୀ ଗୃହ ନଥିବା ବେଳେ ଥିବା ଶ୍ରେଣୀ ଗୃହ ଛାତରୁ ପ୍ଲାଷ୍ଟର ଖସି ଲୁହା ଛଡ଼ ଦେଖାଗଲାଣି ।
ଅନ୍ୟପଟେ ଭଙ୍ଗା ଦଦରା ଘରେ ରୋଷେଇ ହେଉଛି ପିଲାଙ୍କ ମଧ୍ୟାହ୍ନ ଭୋଜନ । ଯଦି ସହରାଞ୍ଚଳରେ ଶିକ୍ଷା ବ୍ୟବସ୍ଥାର ଏଭଳି ଚିତ୍ର ତେବେ ଉପାନ୍ତ ଅଞ୍ଚଳରେ କିଭଳି ବ୍ୟବସ୍ଥା ଥିବ ତାହା ସ୍ପଷ୍ଟ ଅନୁମେୟ । ବିଦ୍ୟାଳୟର ଏସବୁ ସମସ୍ୟାର ସମାଧାନ ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି ବିଦ୍ୟାଳୟର କୁନିକୁନି ଛାତ୍ରଛାତ୍ରୀ, କର୍ମଚାରୀ ଓ ପ୍ରଧାନ ଶିକ୍ଷୟତ୍ରୀ । ବିଦ୍ୟାଳୟ ପରିସରରେ ପାଚେରୀ ନଥିବାରୁ ରାତିହେଲେ ଅସାମାଜିକ ଲୋକେ ବିଦ୍ୟାଳୟ ପରିସରରେ ଆଡ୍ଡା ଜମାଉଛନ୍ତି ।
ମଧ୍ୟାହ୍ନ ଭୋଜନ ଖାଇବା ପାଇଁ ନିର୍ଦ୍ଦିଷ୍ଟ ସ୍ଥାନ ନଥିବାରୁ ପିଲାମାନେ ବାରଣ୍ଡାରେ ବସି ମଧ୍ୟାହ୍ନ ଭୋଜନ ଖାଇବାକୁ ପଡୁଛି ।
ପାଚେରୀ ନଥିବାରୁ ଖାଇବା ସମୟରେ ସ୍କୁଲ୍ ପରିସରକୁ ଗାଇ,ଗୋରୁ, ଛେଳି, ଘୁଷୁରୀ ମଧ୍ୟ ପଶି ଆସୁଥିବା ଅଭିଯୋଗ ହୋଇଛି ।
ଯଥା ସମ୍ଭବ ନିଜ ଖର୍ଚ୍ଚରେ ବିଦ୍ୟାଳୟ ପରିସରକୁ ବାଡ଼ ବାନ୍ଧି ଯେନତେନ ବିଦ୍ୟାଳୟ ପରିସରକୁ ସୁରକ୍ଷିତ ରଖିବାକୁ ଚେଷ୍ଟା କରୁଛନ୍ତି ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଭଗବତୀ ଦେଇ ।
ଯାହାକି ସ୍ଥାୟୀ ସମାଧାନ ନୁହେଁ ।
ଏଣୁ ସରକାର ଏଥିପ୍ରତି ଦୃଷ୍ଟି ଦେଇ ଯଥାଶୀଘ୍ର ବିଦ୍ୟାଳୟର ସମସ୍ୟା ସୁଧାରିବା ପାଇଁ ଦାବି କରିଛନ୍ତି ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅର୍ଜୁନ ନାୟକ ଓ ସଦସ୍ୟ ।
ସେପଟେ ସମସ୍ୟା ବାବଦରେ ଆମେ ଅବଗତ ଅଛୁ, ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ୍ୱର ମାଝୀ ।
ତେବେ ଏହି ବିଦ୍ୟାଳୟ ପ୍ରତି ପ୍ରଶାସନ ଓ ଶିକ୍ଷା ବିଭାଗର କେବେ ଦୃଷ୍ଟି ପଡୁଛି ଏବଂ କେବେ ସମସ୍ୟାର ସମାଧାନ ହେଉଛି ତାହା ଦେଖିବାକୁ ବାକି ରହିଲା ।

Related Posts