ମେଗା ଆଡମିଶନ କ୍ୟାମ୍ପ: ୬ ଜଣ ଡ୍ରପ ଆଉଟ ପିଲାଙ୍କ ନାମଲେଖା
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୧୩/୧ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଏସଆଇଓଏସ ଏବଂ ଏନ ଆଇ ଓ ଏସ ର ମିଳିତ ଉଦ୍ୟମ ରେ ଏକ ମେଗା ଆଡମିଶନ କ୍ୟାମ୍ପ ଅନୁଷ୍ଠିତ ହୋଇଯାଇଛି।
ଶିକ୍ଷାର ମୂଳସ୍ରୋତରୁ ବିଚ୍ୟୁତ ହୋଇଥିବା ପିଲାମାନଙ୍କୁ ପୁଣି ଥରେ ପାଠପଢ଼ା ସହ ଯୋଡ଼ିବା ପାଇଁ ଏହି ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି।ଏହି ଶିବିରରେ ମୁଖ୍ୟତଃ ପାଠପଢ଼ା ଅଧାରୁ ଛାଡ଼ିଥିବା ( ଡ୍ରପ ଆଉଟ) ୬ ଜଣ ପିଲା ପୁଣି ଥରେ ଶିକ୍ଷା ଗ୍ରହଣ କରିବା ପାଇଁ ନାମ ଲେଖାଇଛନ୍ତି।
ଟିକାବାଲି ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଦୀପ୍ତ କୁମାର ନାୟକ ଏହି କାର୍ୟ୍ୟକ୍ରମରେ ସଭାପତିତ୍ୱ କରି ପିଲାମାନଙ୍କୁ ଶିକ୍ଷାର ଗୁରୁତ୍ୱ ବିଷୟରେ ବୁଝାଇବା ସହ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।
ସରକାରୀ ଉଚ୍ଚ ବିଦ୍ୟାଳୟ, ଟିକାବାଲିର ପ୍ରଧାନ ଶିକ୍ଷକ ତଥା କାର୍ୟ୍ୟକ୍ରମର ସଂଯୋଜକ କାମରାଜ କହଁର ଏହି ଆଡମିଶନ କ୍ୟାମ୍ପକୁ ପରିଚାଳନା କରିଥିଲେ। ସହ-ସଂଯୋଜିକା ସୁନୀତା କୁମାରୀ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ନାମଲେଖା ପ୍ରକ୍ରିୟା ସମାପ୍ତ ହୋଇଥିଲା।
ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ବିଦ୍ୟାଳୟ ପରିଚାଳନା କମିଟି ର ସଦସ୍ୟମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।ଶିକ୍ଷାରୁ ବଞ୍ଚିତ ହେଉଥିବା ପିଲାମାନଙ୍କୁ ପୁନଃ ନାମଲେଖା କରାଇ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଏହି ପ୍ରୟାସକୁ ସ୍ଥାନୀୟ ଅଭିଭାବକ ଓ ବୁଦ୍ଧିଜୀବୀ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି।
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ୩୭ ତମ ବାର୍ଷିକୋତ୍ସବ
ବାଲିଗୁଡା, ୧୩/୧ : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ୩୭ ତମ ଉତ୍ସବ ବାର୍ଷିକୋତ୍ସବ ମଙ୍ଗଳବାର ସନ୍ଧ୍ୟା ରେ ବିଦ୍ୟାଳୟ ପରିସରରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।
ବିଦ୍ୟା ମନ୍ଦିର ର ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ସାମୁହିକ ବନ୍ଦେ ମାତରମ ସହ ସ୍ୱାଗତ ସଙ୍ଗୀତ ପରିବେଷଣ ପରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିଚାଳନା କମିଟି ର ସଭାପତି ତଥା ଆଇନଜୀବୀ ସୁଧାଂଶୁ ମୋହନ ପତି ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ , ମୁଖ୍ୟବକ୍ତା ଭାବେ ସ୍ଥାନୀୟ ଆଇ ଟି ଡି ଏ ର ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା, ସମ୍ମାନିତ ଅତିଥି ଭାବେ ବାଲିଗୁଡା ବନଖଣ୍ଡ ଅଧିକାରୀ ଘନଶ୍ୟାମ ମହାନ୍ତ, କନ୍ଧମାଳ ଭାଜପା ର ପୂର୍ବତନ ଜିଲ୍ଲା ସଭାପତି ଜଗନ୍ନାଥ ସାହୁ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପଦ୍ମ ଚରଣ ଦାସ, ପ୍ରଧାନ ଆଚାର୍ୟ୍ୟ ଶିଶିର କୁମାର ମହାପାତ୍ର ଓ ଶିକ୍ଷା ବିକାଶ ସମିତି ର ଦକ୍ଷିଣ ସମ୍ଭାଗ ସଦସ୍ୟା ରିତା ରାଣୀ ମିଶ୍ର, ସର୍ବ ବ୍ୟବସ୍ଥା ପ୍ରମୁଖ ଭାବେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିଚାଳନା କମିଟି ର ସମ୍ପାଦକ ତୀର୍ଥ ବାସୀ ଘଡାଇ ପ୍ରମୁଖ ଯୋଗ ଦେଇ ଦୀପ ଧୂପ ପ୍ରଜ୍ଜଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଉପସ୍ଥିତ ଛାତ୍ରୀ ମାନଙ୍କୁ ଶିକ୍ଷା ମାଧ୍ୟମରେ ଜଣେ ଉତ୍ତମ ବ୍ୟକ୍ତିତ୍ଵ ହାସଲ କରିପାରିବ, ଶିକ୍ଷା ହେଉଛି ଏକ ମାଇଲ ଖୁଣ୍ଟ, ଏହାକୁ ହାସଲ କରିବାକୁ ହେଲେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ଜିଜ୍ଞାସା ରହିବା ଆବଶ୍ୟକ ବୋଲି କହିଥିଲେ ।
ସମ୍ପାଦକ ଶ୍ରୀ ଘଡାଇ ଅତିଥି ମାନଙ୍କ ର ପରିଚୟ ପ୍ରଦାନ କରି ବାର୍ଷିକ ବିବରଣୀ ପଠନ କରିଥିଲେ। ପରେ ପରେ ବିଦ୍ୟାଳୟ ଛାତ୍ରୀଙ୍କ ଦ୍ଵାରା ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ୟ୍ୟକ୍ରମ ଆୟୋଜିତ ହେଇଥିଲା।
ସମସ୍ତ କାର୍ଯ୍ୟରେ ଶିଶୁ ମନ୍ଦିର ର ଆଚାର୍ୟ୍ୟ ଆଚାର୍ଯ୍ୟା, ପରିଚାଳନା କମିଟୀ ସଦସ୍ୟ ଓ ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।
ମାଦକ ମୁକ୍ତ ଭାରତ ଉପରେ ଆଇନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ
ବାଲିଗୁଡା, ୧୩/୧ : ନୂଆଦିଲ୍ଲୀର ଜାତୀୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ ଏବଂ ଜାତୀୟ ଯୁବ ଦିବସ ଅବସରରେ ତାଲୁକ୍ ଆଇନ ସେବା ସମିତି ବାଲିଗୁଡା, କନ୍ଧମାଳ ପକ୍ଷରୁ ନାଲସାଙ୍କ ଡ୍ରଗ୍ ଅୱେରନେସ୍ ଆଣ୍ଡ ୱେଲନେସ୍ ନାଭିଗେସନ ମାଦକ ମୁକ୍ତ ଭାରତ ପାଇଁ ଯୋଜନା ଉପରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ ବିଶ୍ୱନାଥ ପଟ୍ଟନାୟକ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ଜ୍ୟୋତିରଞ୍ଜନ ଦାଶ, ପ୍ୟାନେଲ୍ ଆଇନଜୀବୀ, ଶ୍ରୀ ରାମଚନ୍ଦ୍ର ସିଂ ପାତ୍ର, ରିଟେନର୍-କମ୍-ରିମାଣ୍ଡ ଅଧିବକ୍ତା, ଏବଂ ଶ୍ରୀମତୀ ଅନିମା କୁମାରୀ ଦାଶ, ପ୍ରଧାନଶିକ୍ଷିକା ଅତିଥି ଭାବେ ଯୋଗଦେଇ ଛାତ୍ରୀମାନଙ୍କୁ ସମ୍ବୋଧନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ମୋଟ ୨୭ ଜଣ ଅଂଶ ଗ୍ରହଣକାରୀ ଉପସ୍ଥିତ ଥିଲେ। ଛାତ୍ରୀମାନଙ୍କୁ ମାଦକ ସମ୍ପର୍କିତ ଆଇନ, ମାଦକ ସେବନର କୁପରିଣାମ, ଏବଂ ଏହା ସହିତ ଜଡିତ ଆଇନଗତ ପରିଣାମ ବିଷୟରେ ସଚେତନ କରାଯାଇଥିଲା। ସେଥିପାଇଁ ଉପଲବ୍ଧ ସହାୟତା ଓ ପୁନର୍ବାସ ହେଲ୍ପଲାଇନ୍ ସେବା ସମ୍ପର୍କରେ ମଧ୍ୟ ତଥ୍ୟ ଦିଆଯାଇଥିଲା ।
ନାଲସା ହେଲ୍ପଲାଇନ୍ ନମ୍ବର ୧୫୧୦୦, ମାନସ (ଜାତୀୟ ମାଦକ ନିବାରଣ) ହେଲ୍ପଲାଇନ ନଂ.-୧୯୩୩, ଏବଂ ଜାତୀୟ ମାଦକ ନିଶାମୁକ୍ତି ହେଲ୍ପଲାଇନ ନଂ. ୧୪୪୪୬। ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଯୁବପିଢ଼ୀଙ୍କୁ ସୁସ୍ଥ ଓ ମାଦକମୁକ୍ତ ଜୀବନଶୈଳୀ ଅପଣାଇବାକୁ ପ୍ରେରିତ କରିବା ସହିତ ଆଇନଗତ ଓ ପରାମର୍ଶମୂଳକ ସହାୟତା ବ୍ୟବସ୍ଥା ବିଷୟରେ ସଚେତନତା କରାଯାଇଥିଲା ।
ଜାତୀୟ ସେବା ଯୋଜନାର ଶୀତକାଳୀନ ସ୍ୱତନ୍ତ୍ର ସେବା ଶିବିର ଉଦଯାପିତ
ବାଲିଗୁଡା, ୧୩/୧ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ଏଏମସିଏସ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନାର ଶୀତକାଳୀନ ସ୍ୱତନ୍ତ୍ର ସେବା ଶିବିର ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ଙ୍କ ସଭାପତିତ୍ୱରେ ଏକ ସପ୍ତାହ ଧରି ଅନୁଷ୍ଠିତ ହେବା ପରେ ଉଦଯାପିତ ହୋଇଯାଇଛି ।
ଏଥିରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ର ପ୍ରଫେସର ଡ଼ ତପନ କୁମାର ବାରିକ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ପ୍ରାକ୍ତନ ଗଞ୍ଜାମ ଜିଲ୍ଲା ଜାତୀୟ ସେବା ଯୋଜନା ର ସଂଯୋଜକ ପ୍ରଫେସର ଡ଼, ସତୀଶ ନାୟକ ଯୋଗଦେଇ ସ୍ବେଛାସେବୀଙ୍କ ଭିତରେ ଶୃଙ୍ଖଳା, ସେବା ଓ ମଣିଷ ପଣିଆ ରହିବା ଆବଶ୍ୟକ ବୋଲି ବକ୍ତବ୍ୟ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ପ୍ରୋଗ୍ରାମ ଅଫିସର ଅଧ୍ୟାପକ ନରେନ୍ଦ୍ର ଦିଗାଲ, ବନମାଳୀ ବେହେରା, ବିରୂପାକ୍ଷ ତ୍ରିପାଠୀ, ଯୁବ ରେଡ଼କ୍ରସ ସଂଯୋଜକ ରତନ ଦିଗାଲ, ଶିକ୍ଷକ ଖୁକେନ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ । ସ୍ବେଛାସେବୀ ମାନେ ପୋଷ୍ୟ ଗ୍ରାମ ଡୁଙ୍ଗି ଓ ତେନ୍ତୁଳିଗଡ ଯାଇ ସର୍ଭେ କରି କଣ ସମସ୍ୟା ରହିଛି ବୁଝିଥିଲେ ।
ଏହି ଶିବିରକୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଜାତୀୟ ସେବା ଯୋଜନା ର ସଂଯୋଜକ ପ୍ରଫେସର ଡ଼, ଜୟନ୍ତ କୁମାର ପଣ୍ଡା, ଗଞ୍ଜାମ ଓ କନ୍ଧମାଳ ଜିଲ୍ଲା ସଂଯୋଜକ ଡ଼, ନଳିନୀ କୁମାର ପାଣିଗ୍ରାହୀ ପରିଦର୍ଶନ କରିଥିଲେ ।
ଏହି ଶିବିରରେ ବକୃତା, ପ୍ରବନ୍ଧ, ନୃତ୍ୟ, ଗୀତ,ମେହେନ୍ଦି, କୁଇଜ ପ୍ରତଯୋଗିତା ହୋଇଥିଲା କୃତୀ ପ୍ରତିଯୋଗୀ ଙ୍କୁ ଟ୍ରଫି ଓ ପ୍ରମାଣପାତ୍ର ଦିଆଯାଇଥିଲା ।
ଶ୍ରେଷ୍ଠ ସ୍ବେଛାସେବୀ ଭାବେ ପ୍ରତିଭା ମଞ୍ଜରୀ ପ୍ରଧାନ ଓ ଆର୍ଯ୍ୟଦେବ ପ୍ରଧାନ ଙ୍କୁ ପ୍ରମାଣ ପତ୍ର ଓ ଟ୍ରଫି ପ୍ରଦାନ କରା ଯାଇଥିଲା ।
ଏହି ଶିବିରକୁ ପ୍ରୋଗ୍ରାମ ଅଫିସର ଚମ୍ପା ସୋରେନ ଓ ପ୍ରୋଗ୍ରାମ ଅଫିସର ଜ୍ଞାନ ରଞ୍ଜନ ଭୋଇ ପରିଚାଳନା କରିଥିଲେ ।
ସ୍ୱାମୀ ବିବେକାନନ୍ଦ ଙ୍କ ଶହେ ପଚାଶ ତମ ଜୟନ୍ତୀ ଉପଲକ୍ଷେ ସମସ୍ତ ଛାତ୍ର ଛାତ୍ରୀ ଓ କର୍ମଚାରୀ ସମୂହ ବନ୍ଦେ ମାତରଂ ଗାନ କରିଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା
ପୋଲିସ, ଅବକାରୀ ଓ ରାଜସ୍ବ ବିଭାଗ ର ମିଳିତ ଉଦ୍ୟମ ରେ ୮୬ ଏକର ଜମିରୁ ଗଞ୍ଜେଇ ଚାଷ ନଷ୍ଟ
ବାଲିଗୁଡା, ୧୩/୧ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ଅଞ୍ଚଳରେ ବେଆଇନ ଗଞ୍ଜେଇ ଚାଷ ବିରୋଧରେ ପୋଲିସ ପକ୍ଷରୁ ଏକ ବଡ଼ ଧରଣର ଅଭିଯାନ ଆରମ୍ଭ ହୋଇଛି।
ଏହି ପରିପ୍ରେକ୍ଷୀରେ ଟିକାବାଲି ଥାନା ଅଧିକାରିଣୀ ପ୍ରଜ୍ଞା ରିତମ୍ଭରା କରଙ୍କ ନେତୃତ୍ୱରେ ପୋଲିସ ପ୍ରଶାସନ, ଅବକାରୀ ଏବଂ ରାଜସ୍ୱ ବିଭାଗର ମିଳିତ ସହଯୋଗରେ ପ୍ରାୟ ୮୬ ଏକର ଜଙ୍ଗଲ ଜମିରେ ହୋଇଥିବା ବେଆଇନ ଗଞ୍ଜେଇ ଗଛକୁ କାଟି ପୋଡ଼ି ନଷ୍ଟ କରାଯାଇଛି।
ସୂଚନା ଅନୁଯାୟୀ, ଟିକାବାଲି ଥାନା ଅନ୍ତର୍ଗତ କଟିମାହା ପଞ୍ଚାୟତର ଅଡ଼ାଖୋଲ, ଡୁଙ୍ଗିସାହି, ଉପରଖୋଲ, ଲଦାସାହି, ବିଲାବାଡ଼ା, ଦାସାଗୁଡ଼ା ଏବଂ କଇଁଝର ପଞ୍ଚାୟତର ଗଣ୍ଡଗାଁ ସମେତ ବିଭିନ୍ନ ଅଞ୍ଚଳରେ ବ୍ୟାପକ ଭାବେ ଗଞ୍ଜେଇ ଚାଷ ହୋଇଥିବା ପୋଲିସକୌଣସି ସୂତ୍ରରୁ ଖବର ପାଇଥିଲା।
ଏହି ଖବର ଆଧାରରେ ପୋଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୮୬ ଏକର ପରିମିତ ଜମିରୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଗଛକୁ ପୋଡି ନଷ୍ଟ କରାଯାଇଛି।
ପୋଲିସ ପକ୍ଷରୁ ଜନସାଧାରଣଙ୍କୁ ବାରମ୍ବାର ଏହି ବେଆଇନ ଚାଷରୁ ନିବୃତ୍ତ ରହିବା ପାଇଁ ସଚେତନ କରାଯାଉଛି। ଏହା ସତ୍ତ୍ୱେ କିଛି ଲୋକ ଅଧିକ ଲାଭ ଆଶାରେ ଆଇନକୁ ହାତକୁ ନେଇ ଏହି କାରବାର ଜାରୀ ରଖିଛନ୍ତି।
ଏହି ଘଟଣାରେ ଟିକାବାଲି ଥାନା ଅଧିକାରିଣୀ ସୂଚନା ଦେଇଛନ୍ତି ଯେ, ଏଥିରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଏନ ଡି ପି ଏସ ର ଧାରା ୨୦ ଏ ଅନୁଯାୟୀ ମାମଲା ରୁଜୁ କରାଯାଇଛି।
ଆଗାମୀ ଦିନରେ ମଧ୍ୟ ଏହିଭଳି ଦମନମୂଳକ ଅଭିଯାନ ଜାରି ରହିବ ବୋଲି ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଆଜିର ଏହି ଅଭିଯାନରେ ଟିକାବାଲି ତହସିଲଦାର ହରିଶ ଚନ୍ଦ୍ର ପ୍ରଧାନ ମାଜିଷ୍ଟ୍ରେଟ ଭାବେ ଉପସ୍ଥିତ ଥିଲେ।
ଏଥିସହିତ ଟିକାବାଲି ଥାନା ଏସ.ଆଇ ଅବନୀ ପ୍ରଧାନ, ପଞ୍ଚାନନ ମଳିକ, ଅବକାରୀ ବିଭାଗର କର୍ମଚାରୀ, ହୋମଗାର୍ଡ ଏବଂ ଏସଓଜି ଜବାନ ମାନେ ପ୍ରମୁଖ ସାମିଲ ହୋଇ ଗଞ୍ଜେଇ ଗଛ କାଟିବାରେ ସହଯୋଗ କରିଥିଲେ।
ଆଦିବାସୀ ମହାବିଦ୍ୟାଳୟରେ ୧୫୦ ତମ ବନ୍ଦେ ମାତରଂ ଦିବସ ପାଳିତ
ବାଲିଗୁଡା, ୧୩/୧ : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ପରିସରରେ ୧୫୦ ତମ ବନ୍ଦେ ମାତରଂ ସଂଗୀତ ସମୂହ ଭାବେ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଅଣ ଶିକ୍ଷକ କର୍ମଚାରୀ ତଥା ସମସ୍ତ ଛାତ୍ର ଛାତ୍ରୀ ଗାନ କରିବା ସହ ସ୍ୱଦେଶୀ ଭାବନା ସମ୍ୱଳିତ ଶପଥ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଉପଲକ୍ଷେ ଏକ ସଭାର ଆୟୋଜିତ କରାଯାଇଥିଲା । ଅଧ୍ୟକ୍ଷ ଲକ୍ଷ୍ମଣ ପାଳ, ମାଷ୍ଟର ଟ୍ରେନର ଡ. ବିଭୂତି ଭୂଷଣ ଆଚାର୍ଯ୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ସଭାରେ ବନ୍ଦେ ମାତରଂ ସଂଗୀତ ର ଲକ୍ଷ୍ୟ ଓ ଉଧେଶ୍ୟ କୁ ପ୍ରାଞ୍ଜଳ ଭାବରେ ବୁଝାଇବା ସଂଗେ ସଂଗେ ଏହି ଜାତୀୟ ସଂଗୀତକୁ ପାଥେୟ କରି ଆଜିର ଯୁବକ ବନ୍ଧୁ ମନେ ଭାରତ କୁ ଏକ ବିକଶିତ ଓ ଶ୍ରେଷ୍ଠ ଭାରତ କରି ପାରିବେ ବୋଲି ନିଜର ବକ୍ତବ୍ୟ ରଖିଥିଲେ । ଶେଷରେ ଶ୍ରୀ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ ।




