Odisha News

ଖୋରଧା ରେ ସେବା ସଂକଳ୍ପ ପଦଯାତ୍ରା: ତୃଣମୂଳସ୍ତରରେ ଲୋକଙ୍କ ସହ ଯୋଡ଼ି ହେବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ ; ସେବା ସଂକଳ୍ପ ଜ୍ୟୋତି ଛକ ଉଦ୍‌ଘାଟିତ

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୭/୧୦ : ଜନସାଧାରଣଙ୍କ ନିକଟକୁ ସରକାରକୁ ନେଇଯିବା ସହ ତୃଣମୂଳସ୍ତରରେ ଲୋକଙ୍କ ସହ ପ୍ରତ୍ୟକ୍ଷ ସମ୍ପର୍କ ସ୍ଥାପନ କରି ସେମାନଙ୍କ ସମସ୍ୟା, ଆଶା ଓ ଆକାଂକ୍ଷାକୁ ବୁଝିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ଶାସନ ବ୍ୟବସ୍ଥା କେବଳ ସରକାରୀ କାର‌୍ୟ୍ୟାଳୟ ଓ ଫାଇଲ୍ ମଧ୍ୟରେ ସୀମିତ ନ ରହି ଲୋକଙ୍କ ନିକଟରେ ପହଞ୍ଚିବା ଆବଶ୍ୟକ। ଲୋକଙ୍କ ସମସ୍ୟାକୁ ନିକଟରୁ ଜାଣିଲେ ହିଁ ସେମାନଙ୍କ ପାଇଁ ଉପଯୁକ୍ତ ସମାଧାନର ବାଟ ବାହାର କରାଯାଇପାରିବ ବୋଲି ସେ କହିଛନ୍ତି।
ବୁଧବାର ଖୋରଧାରେ ‘ସେବା ସଂକଳ୍ପ ଅଭିଯାନ’ ଅବସରରେ ଆୟୋଜିତ ସେବା ସଂକଳ୍ପ ପଦଯାତ୍ରାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ଏହି ବାର୍ତ୍ତା ଦେଇଛନ୍ତି। ଏହି ଅବସରରେ ନୂଆ ବସ୍‌ଷ୍ଟାଣ୍ଡ ନିକଟରେ ‘ସେବା ସଂକଳ୍ପ ଜ୍ୟୋତି ଛକ’ର ଉଦ୍‌ଘାଟନ କରିଥିଲେ।
ପରେ ହାବେଳି ପଡ଼ିଆରୁ ନୂଆ ବସ୍‌ଷ୍ଟାଣ୍ଡ ପର୍ଯ୍ୟନ୍ତ ଦଳୀୟ ନେତା, କର୍ମୀ ଓ ସମର୍ଥକଙ୍କ ସହ ପଦଯାତ୍ରା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ପଦଯାତ୍ରାକୁ ନେଇ ଖୋରଧା ସହରରେ ଦିନତମାମ ଉତ୍ସାହର ପରିବେଶ ସୃଷ୍ଟି ହୋଇଥିଲା।
ହାବେଳି ପଡ଼ିଆଠାରେ ପଦଯାତ୍ରା ଆରମ୍ଭ ପୂର୍ବରୁ ଆୟୋଜିତ ସଭାରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସରକାରଙ୍କ ମୂଳ ଲକ୍ଷ୍ୟ ହେଉଛି ଜନସାଧାରଣଙ୍କ ଜୀବନରେ ବିକାଶ ଓ ଜନକଲ୍ୟାଣର ପ୍ରତ୍ୟକ୍ଷ ପ୍ରଭାବ ସୃଷ୍ଟି କରିବା।
ସରକାରଙ୍କ ବିଭିନ୍ନ ଯୋଜନାର ଲାଭ ଯେପରି ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚେ, ସେଥିପାଇଁ ପ୍ରଶାସନ ଓ ଜନପ୍ରତିନିଧିମାନଙ୍କୁ ଦାୟିତ୍ୱବାନ ହେବାକୁ ପଡ଼ିବ।
ସେ କହିଥିଲେ, ଲୋକଙ୍କ ସହ ସିଧାସଳଖ ସମ୍ପର୍କ ହେଉଛି ସୁଶାସନର ଏକ ମୁଖ୍ୟ ଆଧାର। ଜନସାଧାରଣଙ୍କ ମଧ୍ୟରେ ଯାଇ ସେମାନଙ୍କ କଥା ଶୁଣିବା, ସ୍ଥାନୀୟ ସମସ୍ୟାଗୁଡ଼ିକୁ ଚିହ୍ନଟ କରିବା ଏବଂ ସମସ୍ୟା ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନେବା ହେଉଛି ଜନସେବାର ପ୍ରକୃତ ଅର୍ଥ। ତେଣୁ ଦଳୀୟ କର୍ମୀ ଓ ନିର୍ବାଚିତ ଜନପ୍ରତିନିଧିମାନେ ଲୋକଙ୍କ ସହ ନିୟମିତ ଯୋଗାଯୋଗ ରଖି ସରକାର ଓ ଜନସାଧାରଣଙ୍କ ମଧ୍ୟରେ ସେତୁ ଭାବେ କାମ କରିବା ଉଚିତ ବୋଲି ସେ ଆହ୍ୱାନ ଦେଇଥିଲେ।
ମୁଖ୍ୟମନ୍ତ୍ରୀ ରାଜ୍ୟ ସରକାରଙ୍କ ବିକାଶମୂଳକ ଚିଠା ପ୍ରସ୍ତାବ ସମ୍ପର୍କରେ ମଧ୍ୟ ଆଲୋକପାତ କରିଥିଲେ। ଭିତ୍ତିଭୂମି ବିକାଶ, ଶିକ୍ଷା, ସ୍ୱାସ୍ଥ୍ୟସେବା, ନିଯୁକ୍ତି ସୃଷ୍ଟି, ମହିଳା ସଶକ୍ତୀକରଣ, କୃଷକଙ୍କ କଲ୍ୟାଣ ଓ ସାମାଜିକ ସୁରକ୍ଷା ଭଳି ବିଭିନ୍ନ କ୍ଷେତ୍ରରେ ସରକାର ପଦକ୍ଷେପ ନେଉଥିବା ସେ କହିଥିଲେ। ବିକାଶର ଲାଭ ସମାଜର ପ୍ରତ୍ୟେକ ବର୍ଗ ନିକଟରେ ପହଞ୍ଚାଇବା ଏବଂ କେହି ଯେପରି ବିକାଶ ପ୍ରକ୍ରିୟାରୁ ବାଦ ନପଡ଼ନ୍ତି, ସେଥିପାଇଁ ସରକାର ପ୍ରତିବଦ୍ଧ ବୋଲି ସେ ଉଲ୍ଲେଖ କରିଥିଲେ।
ପରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ପଦଯାତ୍ରା ହାବେଳି ପଡ଼ିଆରୁ ଆରମ୍ଭ ହୋଇ ଖୋରଧା ନୂଆ ବସ୍‌ଷ୍ଟାଣ୍ଡ ଅଭିମୁଖେ ଅଗ୍ରସର ହୋଇଥିଲା। ଏଥିରେ ବହୁ ସଂଖ୍ୟାରେ ବିଜେପି ନେତା, କର୍ମୀ, ସମର୍ଥକ ଓ ସ୍ଥାନୀୟ ଲୋକ ସାମିଲ ହୋଇଥିଲେ। ପଦଯାତ୍ରା ଯେଉଁ ରାସ୍ତା ଦେଇ ଯାଇଥିଲା, ସେଠାରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା।
ପଦଯାତ୍ରା ସମୟରେ ମୁଖ୍ୟମନ୍ତ୍ରୀ ରାସ୍ତାର ଉଭୟ ପାର୍ଶ୍ୱରେ ଉପସ୍ଥିତ ଲୋକଙ୍କୁ ଅଭିବାଦନ ଜଣାଇଥିଲେ। କେତେକ ସ୍ଥାନରେ ସେ ଲୋକଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ।
ତାଙ୍କ ସହ ପଦଯାତ୍ରାରେ ଥିବା ଦଳୀୟ ନେତା ଓ କର୍ମୀମାନେ ସେବା, ବିକାଶ ଓ ସୁଶାସନ ସମ୍ପର୍କିତ ବାର୍ତ୍ତା ଦେଇଥିଲେ। ଏହା ଫଳରେ ଏହି କାର୍ଯ୍ୟକ୍ରମ କେବଳ ଏକ ଦଳୀୟ ପଦଯାତ୍ରାରେ ସୀମିତ ନରହି ଏକ ବ୍ୟାପକ ଜନସମ୍ପର୍କ କାର୍ଯ୍ୟକ୍ରମର ରୂପ ନେଇଥିଲା।
ଏହି ଅଭିଯାନର ପରିପ୍ରେକ୍ଷିତରେ ‘ସେବା ସଂକଳ୍ପ ଜ୍ୟୋତି ଛକ’ର ଉଦ୍‌ଘାଟନ ମଧ୍ୟ ଗୁରୁତ୍ୱ ବହନ କରିଥିଲା। ସେବା, ସମର୍ପଣ ଓ ଜନସାଧାରଣଙ୍କ ପ୍ରତି ଦାୟିତ୍ୱବୋଧର ବାର୍ତ୍ତାକୁ ନେଇ ଏହି ଅଭିଯାନ ଆଗକୁ ବଢ଼ିବ ବୋଲି ଦଳୀୟ ନେତାମାନେ କହିଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୨୫ ବର୍ଷର ସାର୍ବଜନୀନ ସେବାକୁ ସ୍ମରଣ କରି ଚାଲିଥିବା ମାସବ୍ୟାପୀ ସେବା ସଂକଳ୍ପ ଅଭିଯାନର ଅଂଶ ଭାବେ ଓଡ଼ିଶାରେ ବିଭିନ୍ନ ଜନସମ୍ପର୍କ, ସେବା ଓ ସଚେତନତାମୂଳକ କାର୍ଯ୍ୟକ୍ରମ ଚାଲିଛି। ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୧୭ ପର‌୍ୟ୍ୟନ୍ତ ଏହି ଅଭିଯାନ ପାଳନ କରାଯାଉଛି।
୨୦୦୧ ଅକ୍ଟୋବର ୭ରେ ନରେନ୍ଦ୍ର ମୋଦୀ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ପ୍ରଥମଥର ପାଇଁ ଦାୟିତ୍ୱ ଗ୍ରହଣ କରିଥିଲେ। ପରବର୍ତ୍ତୀ ସମୟରେ ସେ ୨୦୧୪ ମେ ୨୬ରେ ଭାରତର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ।
ତେଣୁ ୨୦୨୬ ଅକ୍ଟୋବର ୭ ତାଙ୍କର ସାର୍ବଜନୀନ ଜୀବନରେ ୨୫ ବର୍ଷ ପୂର୍ତ୍ତିର ଏକ ଗୁରୁତ୍ୱପୂର୍ଣ୍ଣ ଦିନ ଭାବେ ପାଳନ କରାଯାଉଛି।
ଏହି ଅବସରରେ ଆୟୋଜିତ ଖୋରଧା କାର‌୍ୟ୍ୟକ୍ରମରେ ସ୍ଥାନୀୟ ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ, ଜିଲ୍ଲା ପ୍ରଭାରୀ ପବିତ୍ର କୁମାର ଦାସ, ଜିଲ୍ଲା ବିଜେପି ସଭାପତି ବିଶ୍ୱରଞ୍ଜନ ବଡ଼ଜେନା, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନିକୁଞ୍ଜ କିଶୋର ପଟ୍ଟନାୟକ, ରଶ୍ମିମୟୀ ପଟ୍ଟନାୟକଙ୍କ ସମେତ ବହୁ ଦଳୀୟ ନେତା, କର୍ମୀ ଓ ସମର୍ଥକ ଉପସ୍ଥିତ ଥିଲେ।
ଖୋରଧା ରେ ମୁଖ୍ୟମନ୍ତ୍ରୀଙ୍କ ପଦଯାତ୍ରାକୁ ନେଇ ଦଳୀୟ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଥିବା ବେଳେ ସ୍ଥାନୀୟ ଲୋକଙ୍କ ଉପସ୍ଥିତି କାର୍ଯ୍ୟକ୍ରମକୁ ଆହୁରି ସଜୀବ କରିଥିଲା।
ସରକାରୀ ଯୋଜନା ଓ ବିକାଶମୂଳକ କାର୍ଯ୍ୟର ବାର୍ତ୍ତାକୁ ତୃଣମୂଳସ୍ତରରେ ପହଞ୍ଚାଇବା ସହ ଲୋକଙ୍କ ସହ ସିଧାସଳଖ ଯୋଡ଼ି ହେବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ବୋଲି କୁହାଯାଇଛି।
ସେବା ସଂକଳ୍ପ ଅଭିଯାନ ଅକ୍ଟୋବର ୧୭ ପର୍ଯ୍ୟନ୍ତ ଜାରି ରହିବ। ଏହି ସମୟ ମଧ୍ୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଜନସମ୍ପର୍କ, ସେବା ଓ ବିକାଶକୁ କେନ୍ଦ୍ର କରି ଅନେକ କାର୍ଯ୍ୟକ୍ରମ ଆୟୋଜିତ ହେବ। ଖୋରଧା ର ସେବା ସଂକଳ୍ପ ପଦଯାତ୍ରା ମାଧ୍ୟମରେ ସରକାର ଓ ଲୋକଙ୍କ ମଧ୍ୟରେ ସମ୍ପର୍କକୁ ଆହୁରି ମଜବୁତ କରିବା ଏବଂ ଜନସେବାକୁ ଅଧିକ ଗତିଶୀଳ କରିବାର ବାର୍ତ୍ତା ଦିଆଯାଇଛି।

Related Posts