ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କଲା: ଚଳିତ ବର୍ଷ ପାଇଁ ପ୍ରଥମ ଥର

ଭୁବନେଶ୍ୱର, ୧୩/୩: ରାଜ୍ୟର ସବୁ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଅସହ୍ୟ ହେଲାଣି । ତାତି ଓ ଗୁଳୁଗୁଳି ମଧ୍ୟରେ ହନ୍ତସନ୍ତ ହେଉଛନ୍ତି ରାଜ୍ୟବାସୀ । ଆଜିଠୁ ୪ ଦିନ ପାଇଁ ରାଜ୍ୟରେ ହିଟୱେଭ ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଓଡ଼ିଶାରେ ଅସ୍ତବ୍ୟସ୍ତ କରିବ ଅସମ୍ଭାଳ ତାତି । ତାତି ଓ ଗୁଳୁଗୁଳି ଏତେ ଅସହ୍ୟ ହୋଇଗଲାଣି ଯେ ଲୋକେ ଘରୁ ବାହାରିବା ପାଇଁ ମଧ୍ୟ ଭୟ କରୁଛନ୍ତି । ତାତି ସହ ଅସହ୍ୟ ଗରମରେ ଆଉଟୁପାଉଟୁ ହେଉଛି ଓଡ଼ିଶା ।
ଆଜିଠୁ ସ୍ଥିତି ଆହୁରି ଅସମ୍ଭାଳ ହେବ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟବାସୀଙ୍କୁ ସଚେତନ ମଧ୍ୟ କରାଯାଇଛି । ଆସନ୍ତା ୪-୫ ଦିନ ଭିତରେ ତାପମାତ୍ରା ୩ରୁ ୪ ଡିଗ୍ରୀ ପର୍ୟ୍ୟନ୍ତ ବଢିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ରାଜ୍ୟର ଅଧିକାଂଶ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ଟପିବାର ସମ୍ଭାବନା ରହିଛି । ଏଥର ତାତି ରେକର୍ଡ ଭାଙ୍ଗିବ ବୋଲି ଅନୁମାନ କରାଯାଉଛି ।
ଗତକାଲି ସାଢ଼େ ୧୧ଟା ସୁଦ୍ଧା ଝାରସୁଗୁଡ଼ାରେ ୩୭ ଡିଗ୍ରୀ ତାପମାତ୍ରା ଟପିଥିଲା । ଝାରସୁଗୁଡ଼ାର ତାପମାତ୍ରା ପୂର୍ବ ତାପମାତ୍ରା ଅପେକ୍ଷା ରେକର୍ଡ ଭାଙ୍ଗିଛି ।