Odisha News

ଅମଳ ବେଳେ ବାତ୍ୟା ମାଡ଼, ଉଜାଡ଼ିଲା ଚାଷୀଙ୍କ ସ୍ୱପ୍ନ : ପନିପରିବା ସହ ଧାନ ଫସଲ ନଷ୍ଟ ଆଶଙ୍କା, କ୍ଷୟକ୍ଷତି ଆକଳନ କରି ସହାୟତା ଦେବାକୁ ଦାବି

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡ଼ା, ୨୯/୧୦ : ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଲଗାଣ ବର୍ଷା ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି। ଅମଳ ସମୟରେ ବର୍ଷା ଦାଉ ସାଧିଥିବାରୁ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ପନିପରିବା ସହ ଧାନ ଫସଲ ମଧ୍ୟ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଦେଖାଦେଇଛି।
ଅଦିନିଆ ବର୍ଷା ଚାଷୀଙ୍କ ବର୍ଷକର ପରିଶ୍ରମକୁ ମାଟିରେ ମିଶାଇ ଦେବା ଭଳି ପରିସ୍ଥିତି ସୃଷ୍ଟି କରିଥିବାରୁ ଚାଷୀମହଲରେ ନିରାଶା ଦେଖାଦେଇଛି। ବାଲିଗୁଡ଼ା ଅଞ୍ଚଳର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଯୋଗୁଁ ଚାଷଜମିରେ ପାଣି ଜମି ରହିଛି।
ବିଶେଷକରି ଅମଳ ସମୟ ହୋଇଥିବାରୁ ବିଲରେ ପାଚିଲା ଧାନଗଛ ବର୍ଷା ଓ ପବନ ଯୋଗୁଁ ଶୋଇପଡ଼ିବା ସହ ଅନେକ ସ୍ଥାନରେ ପାଣିରେ ବୁଡ଼ି ରହିଛି।
ଫଳରେ ଧାନ ଅମଳ ହ୍ରାସ ପାଇବା ସହ ଗୁଣବତ୍ତା ନଷ୍ଟ ହେବାର ଆଶଙ୍କା ଚାଷୀଙ୍କ ମନରେ ଭୟ ସୃଷ୍ଟି କରିଛି। ଧାନ ଅମଳ ପାଇଁ ଆଉ କିଛି ଦିନ ଅପେକ୍ଷା କରିଥିବା ଚାଷୀଙ୍କ ଆଶା ଉପରେ ବର୍ଷା ପାଣି ଢାଳି ଦେଇଛି।
ଅନ୍ୟପକ୍ଷରେ, ଅଞ୍ଚଳର ବହୁ ଚାଷୀ ବାଇଗଣ, ବିନ୍‌ସ, ଟମାଟୋ ସମେତ ବିଭିନ୍ନ ପ୍ରକାର ପନିପରିବା ଚାଷ କରି ନିଜ ପରିବାରର ଗୁଜୁରାଣ ମେଣ୍ଟାଇଥାନ୍ତି।
ହେଲେ ଲଗାଣ ବର୍ଷା ଯୋଗୁଁ ପନିପରିବା କ୍ଷେତରେ ପାଣି ଜମି ରହିବାରୁ ଗଛର ବୃଦ୍ଧି, ଫୁଲ ଓ ଫଳ ଧାରଣ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିବାର ଆଶଙ୍କା ରହିଛି।
ଅଧିକ ସମୟ ଧରି ଜମିରେ ପାଣି ରହିଲେ ଗଛ ପଚିଯିବା ସହ ଉତ୍ପାଦନ ହ୍ରାସ ପାଇପାରେ। ଏହାଦ୍ୱାରା ବଜାରକୁ ପନିପରିବା ଯୋଗାଣ ପ୍ରଭାବିତ ହେବା ସହ ଚାଷୀଙ୍କ ଆୟ ମଧ୍ୟ କମିବାର ଆଶଙ୍କା ରହିଛି। ଚାଷ ପାଇଁ ବିହନ, ସାର, କୀଟନାଶକ ଓ ଶ୍ରମିକ ବାବଦରେ ଖର୍ଚ୍ଚ କରିଥିବା ଅର୍ଥ ଫେରିପାଇବା ନେଇ ଚାଷୀମାନେ ଏବେ ଚିନ୍ତାରେ। ଧାନ ଓ ପନିପରିବା ଚାଷ ଅନେକ ପରିବାରର ଜୀବିକାର ପ୍ରମୁଖ ମାଧ୍ୟମ ହୋଇଥିବାରୁ ଏହି କ୍ଷତି ସେମାନଙ୍କ ଆର୍ଥିକ ସ୍ଥିତିକୁ ଦୋହଲାଇ ଦେବାର ଆଶଙ୍କା ରହିଛି। ଏଭଳି ସମୟରେ ଚାଷୀଙ୍କୁ ତୁରନ୍ତ ସହାୟତା ନମିଳିଲେ ଆଗାମୀ ଦିନରେ ସେମାନଙ୍କ ପାଇଁ ପରିସ୍ଥିତି ଆହୁରି ସଙ୍ଗିନ ହୋଇପାରେ।
ତେଣୁ କୃଷି ବିଭାଗ ଓ ସମ୍ପୃକ୍ତ ପ୍ରଶାସନିକ ଅଧିକାରୀମାନେ ତୁରନ୍ତ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରି ଧାନ ଓ ପନିପରିବା ଫସଲର କ୍ଷୟକ୍ଷତି ଆକଳନ କରିବା ସହ ପ୍ରଭାବିତ ଚାଷୀଙ୍କୁ ଚିହ୍ନଟ କରିବାକୁ ଦାବି ହୋଇଛି।
ଏଥିସହ ଚାଷୀଙ୍କୁ ଆବଶ୍ୟକ କୃଷି ପରାମର୍ଶ, ଫସଲର ସୁରକ୍ଷା ପାଇଁ ଉପଯୁକ୍ତ ମାର୍ଗଦର୍ଶନ ଏବଂ ସରକାରୀ ନିୟମ ଅନୁଯାୟୀ ଆର୍ଥିକ ସହାୟତା ଯୋଗାଇଦେବାକୁ ଅଞ୍ଚଳର ଚାଷୀମହଲରୁ ଦାବି ହୋଇଛି।
ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ : ବାଲିଗୁଡା ରୁ ବ୍ରହ୍ମପୁର ସହ ଯୋଗାଯୋଗ ବିଚ୍ଛିନ୍ନ, ଅତ୍ୟାବଶ୍ୟକ ସାମଗ୍ରୀ ସଙ୍କଟ ଆଶଙ୍କା
ବାଲିଗୁଡ଼ା, ୨୯/୧୦ : ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ବାଲିଗୁଡ଼ା ଉପଖଣ୍ଡର ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।
କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାକୁ ସଂଯୋଗ କରୁଥିବା ଗାଜଲବାଡ଼ି ଘାଟିକୁ ଉଭୟ ଜିଲ୍ଲା ପ୍ରଶାସନ ପକ୍ଷରୁ ସୋମବାର ଅପରାହ୍ନରୁ ବନ୍ଦ କରାଯାଇ ଥିବାରୁ ବାଲିଗୁଡ଼ାରୁ ବ୍ରହ୍ମପୁରକୁ ଯାତାୟାତ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି।
ଏହାର ସିଧାସଳଖ ପ୍ରଭାବ ଏବେ ଅଞ୍ଚଳର ବଜାର ଓ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଉପରେ ପଡ଼ିବା ଆଶଙ୍କା ଦେଖାଦେଇଛି।
ବାଲିଗୁଡ଼ା ଅଞ୍ଚଳର ପନିପରିବା ଚାହିଦାର ଏକ ବଡ଼ ଅଂଶ ଗଞ୍ଜାମ ଜିଲ୍ଲାର ସୋରଡ଼ା, କାଟୁ ଓ ସାଉଁଳେଇ ଅଞ୍ଚଳରୁ ପୂରଣ ହୋଇଥାଏ। ପ୍ରତିଦିନ ଏହି ଅଞ୍ଚଳରୁ ଟନ୍ ଟନ୍ ପନିପରିବା ବାଲିଗୁଡ଼ା ବଜାରକୁ ଆସୁଥିବା ବେଳେ ଘାଟି ବନ୍ଦ ହେବା ପରେ ଏହି ଯୋଗାଣ ବ୍ୟବସ୍ଥା ଠପ୍ ହୋଇପଡ଼ିଛି।
ଅନ୍ୟ ପକ୍ଷରେ, ରାସନ ଓ ଅନ୍ୟାନ୍ୟ ସାମଗ୍ରୀ ପାଇଁ ମଧ୍ୟ ବାଲିଗୁଡ଼ାବାସୀ ବ୍ରହ୍ମପୁର ଉପରେ ନିର୍ଭର କରୁଥିବାରୁ ପରିବହନ ବାଧା ଚିନ୍ତା ବଢ଼ାଇଛି।
ଘାଟି ବନ୍ଦ ଯୋଗୁ କେବଳ ବ୍ୟବସାୟୀ ନୁହନ୍ତି, ସାଧାରଣ ଲୋକ ମଧ୍ୟ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଯାତାୟାତ ସହ ଜୀବିକା, ସ୍ୱାସ୍ଥ୍ୟସେବା ଓ ଉଚ୍ଚଶିକ୍ଷା କ୍ଷେତ୍ରରେ ଏହାର ପ୍ରଭାବ ଅନୁଭୂତ ହେଉଛି।
ପୂଜା ଛୁଟିରେ ଘରକୁ ଆସିଥିବା ଶହ ଶହ ଛାତ୍ରଛାତ୍ରୀ ନିଜ ଶିକ୍ଷାନୁଷ୍ଠାନକୁ ଫେରିବା ନେଇ ଅସୁବିଧାରେ ପଡ଼ିଛନ୍ତି । ଏଭଳି ସ୍ଥିତି ଆଉ ଦିନେ ଦୁଇ ଦିନ ଲାଗି ରହିଲେ ପନିପରିବା ସମେତ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀର ଅଭାବ ଦେଖାଦେବା ସହ ଦରଦାମ୍ ବୃଦ୍ଧିର ଆଶଙ୍କା ରହିଛି ବୋଲି ବ୍ୟବସାୟୀମାନେ କହିଛନ୍ତି।
ବାତ୍ୟାଜନିତ ବିପଦକୁ ଦୃଷ୍ଟିରେ ରଖି ଘାଟି ବନ୍ଦ କରାଯାଇଥିବାବେଳେ, ସ୍ଥିତି ସୁଧୁରିବା ପରେ ଯାତାୟାତ ଓ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ କେବେ ସ୍ୱାଭାବିକ ହେବ, ତାହାକୁ ନେଇ ଅଞ୍ଚଳବାସୀ ଅପେକ୍ଷା କରିଛନ୍ତି।

Related Posts