Odisha News

ବନ୍ଦ କୋଠରୀରୁ ପ୍ରଧାନ ଶିକ୍ଷୟିତ୍ରୀଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ଢେଙ୍କାନାଳ, ୨୦/୨ : ଝିଅ ଖୋଜୁଥିଲା ମା’କୁ। ଶ୍ୱଶୁର ଖୋଜୁଥିଲେ ବୋହୂକୁ। ଡ୍ରାଇଭର ଖୋଜୁଥିଲେ ମାଡାମଙ୍କୁ। ଘରେ କାମ କରୁଥିବା ଦୁଇ ସହାୟକ ଖୋଜୁଥିଲେ ସେମାନଙ୍କ ମାଲିକାଣୀଙ୍କୁ। ସମସ୍ତେ ଖୋଜୁଥିଲେ ପ୍ରଧାନଶିକ୍ଷୟିତ୍ରୀ ପ୍ରଭାତୀ ଦେହୁରୀଙ୍କୁ। କିନ୍ତୁ କେହି ପାଉ ନଥିଲେ। ପରେ ତାଙ୍କ ମୃତଦେହ ମିଳିଲା ଘର ବାହାରେ ଥିବା ଏକ ବନ୍ଦ ଘରୁ। ଘଟଣାଟି ଘଟିଛି ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ଗୁନେଇବିଲି ଗାଁରେ। ମୃତ ପ୍ରଧାନଶିକ୍ଷୟିତ୍ରୀ ପ୍ରଭାତୀ ଦେହୁରୀ ତୁମୁସିଙ୍ଗା ଗ୍ରାମ ସ୍ଥିତ ପଞ୍ଚଶଖା ଉଚ୍ଚ ବିଦ୍ୟାଳୟରେ କାର‌୍ୟ୍ୟ କରୁଥିଲେ। ପାରିପାର୍ଶ୍ୱିକ ସ୍ଥିତିରୁ ପ୍ରଭାତୀଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଥିବା ବେଳେ ପୁଲିସ କରୁଛି ଘଟଣାର ତଦନ୍ତ।
ସବୁ ଦିନ ପରି ଆଜି ଭୋର ପ୍ରାୟ ୫ଟାରେ ଉଠି ଚାଲିବାକୁ ଯାଇଥିଲେ ପ୍ରଧାନଶିକ୍ଷୟିତ୍ରୀ ପ୍ରଭାତୀ ଦେହୁରୀଙ୍କ ଶ୍ୱଶୁର ଧେଡ଼ିଆ ପ୍ରଧାନ। ହେଲେ ଘରର ମୁଖ୍ୟ ଦ୍ୱାର ଖୋଲା ଥିବାରୁ ତାଙ୍କର ଟିକେ ସନ୍ଦେହ ହୋଇଥିଲା। ତେବେ ବୋହୂ ପ୍ରଧାନଶିକ୍ଷୟିତ୍ରୀ ହୋଇଥିବାରୁ ଓ ଆଗକୁ ମାଟ୍ରିକ୍ ପରୀକ୍ଷା ଆସୁଥିବାରୁ କୌଣସି କାମରେ ସେ ସ୍କୁଲ ଯାଇଥିବେ ଭାବି ଶ୍ୱଶୁର ଧେଡ଼ିଆ ପ୍ରଧାନ ମର୍ଣ୍ଣିଂ ୱାକ୍‌ରେ ପଳାଇଥିଲେ। ଘରକୁ ଫେରିଲା ବେଳକୁ ଦେଖିଲେ ନାତୁଣୀ (ପ୍ରଭାତୀଙ୍କ ଝିଅ) ତା’ ମା’ଙ୍କୁ ଖୋଜୁଛି। ନାତୁଣୀ ତାଙ୍କୁ ପଚାରିଲେ ମା’ କୁଆଡ଼େ ଗଲେ। ଧେଡ଼ିଆ ପ୍ରଧାନ କହିଲେ ଯେ ସେ ଜାଣି ନାହାନ୍ତି। ଏହା ପରେ ନାତୁଣୀ ତାଙ୍କୁ କହିଥିଲେ ଯେ ସେ ନିଜ ମୋବାଇଲଟି ମଧ୍ୟ ପାଉ ନାହାନ୍ତି। ପ୍ରଭାତୀ କେଉଁଠାକୁ ଯାଇଥିବେ ଭାବି ସେମାନେ ଆଲୋଚନା କରୁଥିବା ବେଳେ ସକାଳ ପ୍ରାୟ ସାଢ଼େ ୮ଟା ବେଳେ ଘରେ ପହଞ୍ଚିଥିଲେ ପ୍ରଭାତୀଙ୍କ ଡ୍ରାଇଭର ସାଗର ଦାସ। ଗ୍ୟାରେଜ ଘର ଖୋଲା ଥିବା ଦେଖି ସେ ଗାଡ଼ି ଚାବି ଆଣିବାକୁ ଘର ଭିତରକୁ ଗଲା ପରେ ଜାଣିଲେ ପରିବାର ଲୋକେ ପ୍ରଭାତୀଙ୍କୁ ପାଉ ନାହାନ୍ତି। ସେମାନେ ଘରୁ ଗାଡ଼ି ଚାବି ମଧ୍ୟ ପାଇ ନଥିଲେ। ସାଗର ଗ୍ୟାରେଜରେ ଆସି ଗାଡ଼ିର ଚାବି ଖୋଜି ଥିଲେ। କିନ୍ତୁ ତାଙ୍କୁ ଚାବି ମିଳି ନଥିଲା। ତା’ପରେ ସେ ସହାୟକଙ୍କ ସହିତ ଏଣେ ତେଣେ ଚାବି ଖୋଜିବା ଆରମ୍ଭ କରି ଦେଇଥିଲେ। ଯେହେତୁ ସହାୟକ ଦ୍ୱୟ ଘରେ କାମ କରୁଥିଲେ, ତେଣୁ ସେମାନେ ସବୁ ରୁମ୍‌ରେ ଖୋଜାଖୋଜି କରିଥିଲେ। ଏହା ମଧ୍ୟରେ ସେମାନେ ଘର ବାହାରେ ଥିବା ଏକ କଠୋରୀର ତାଲା ଖୋଲିଥିଲେ। ଆଉ ସେଠାରେ ପ୍ରଧାନଶିକ୍ଷୟିତ୍ରୀ ପ୍ରଭାତୀ ଦେହୁରୀ ମରି ପଡ଼ିଥିବା ଦେଖିବାକୁ ପାଇଥିଲେ। ଏହା ପରେ ପୁଲିସ ଓ ବନ୍ଧୁବାନ୍ଧବଙ୍କୁ ସୂଚନା ଦିଆଯାଇଥିଲା।
ପୁଲିସ୍ ଯାଞ୍ଚ କଲା ବେଳେ ଜାଣିବାକୁ ପାଇଛି ଯେ କେବଳ ପ୍ରଭାତୀଙ୍କ ଝିଅଙ୍କ ମୋବାଇଲଟି ଗାଏବ ହୋଇଯାଇନି, ତାଙ୍କର ଦୁଇଟି ଯାକ ମୋବାଇଲ ମଧ୍ୟ ମିଳୁ ନାହିଁ। ପ୍ରଭାତୀଙ୍କ ସୁନାହରଟି ବି ମିଳୁ ନାହିଁ। ଗତକାଲି ରାତି କ’ଣ ଘଟିଲା, ତା’ର ଗୁମର ଫିଟି ପାରି ନାହିଁ। ବନ୍ଦ ଘର ଭିତରୁ ପ୍ରଭାତୀଙ୍କ ମୃତଦେହ ମିଳିଥିବାରୁ ତାଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ଶ୍ୱଶୁର ଧେଡ଼ିଆ ପ୍ରଧାନ କହିଛନ୍ତି। ତେବେ କିଏ ଓ କାହିଁକି ତାଙ୍କୁ ହତ୍ୟା କଲା, ତାହା ରହସ୍ୟ ଘେରରେ ରହିଛି। କୌଣସି ପାରିବାରିକ ସମସ୍ୟା ନଥିଲା ବୋଲି ପରିବାର କିଛି ଲୋକ କହିଛନ୍ତି।
ଗତକାଲି ମଧ୍ୟ ପ୍ରଭାତୀଙ୍କୁ ନେଇ କେହି କୌଣସି ବିସଙ୍ଗତି ଦେଖି ନଥିଲେ। ଗତକାଲି ସନ୍ଧ୍ୟା ପ୍ରାୟ ୫ଟା ବେଳେ ସେ ସ୍କୁଲରୁ ଫେରିଥିଲେ। ଡ୍ରାଇଭର ଆଣି ତାଙ୍କୁ ଘରେ ଛାଡ଼ିଥିଲେ। ରାତିରେ ଖାଇପିଇ ସେ ଶୋଇଥିଲେ। ଘରେ ତାଙ୍କ ଝିଅ, ଶ୍ୱଶୁର ଓ ଦିବ୍ୟାଙ୍ଗ ଦିଅର ଥିଲେ। ପ୍ରଭାତୀ ଗୋଟିଏ ରୁମ୍‌ରେ ଶୋଇଥିବା ବେଳେ ତାଙ୍କ ଝିଅ ଅନ୍ୟ ଏକ ରୁମ୍‌ରେ ଶୋଇଥିଲେ। ସେହିପରି ତାଙ୍କ ଶ୍ୱଶୁର ଓ ଦିବ୍ୟାଙ୍ଗ ଦିଅର ଅନ୍ୟ ଏକ ରୁମ୍‌ରେ ଶୋଇଥିଲେ। ତେବେ ରାତିରେ କ’ଣ ସବୁ ଘଟିଥିଲା, ତା’ର ଟେର୍ କେହି ପାଇ ପାରି ନଥିବା କହିଛନ୍ତି। ଢେଙ୍କାନାଳରୁ ସାଇଣ୍ଟିଫିକ୍ ଟିମ୍ ଆସି ଘଟଣାସ୍ଥଳ ଯାଞ୍ଚ କରିଥିବା ବେଳେ ପୁଲିସ ଘଟଣାର ତଦନ୍ତ କରୁଛି।
ସୂଚନାଯୋଗ୍ୟ, ଦୁଇ ବର୍ଷ ତଳେ ପ୍ରଧାନଶିକ୍ଷୟିତ୍ରୀ ପ୍ରଭାତୀ ଦେହୁରୀଙ୍କ ସ୍ୱାମୀଙ୍କର ପରଲୋକ ହୋଇଥିଲା। ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି।

Related Posts