Odisha News

ଭକ୍ତିମୟ ପରିବେଶରେ ପାଟଖଣ୍ଡା ମନ୍ଦିର ପରିସରରେ ମା’ ଗଜଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା, ସମୃଦ୍ଧି ଓ ମଙ୍ଗଳ କାମନା

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡ଼ା, ୨୬/୧୦: ଭକ୍ତି ଓ ଆଧ୍ୟାତ୍ମିକତାର ପରିବେଶରେ ବାଲିଗୁଡ଼ାରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ଅନୁଷ୍ଠିତ ହୋଇଛି। କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଅଞ୍ଚଳର ଆରାଧ୍ୟା ଦେବୀ ମା’ ପାଟଖଣ୍ଡାଙ୍କ ମନ୍ଦିର ପରିସର ସ୍ଥିତ ଦୁର୍ଗା ମଣ୍ଡପରେ ମା’ ପାଟଖଣ୍ଡା ଦୁର୍ଗାପୂଜା ସମିତି ପକ୍ଷରୁ ଗଜଲକ୍ଷ୍ମୀ ପୂଜା ଭକ୍ତିପୂତ ପରିବେଶରେ ପାଳିତ ହୋଇଛି।
ଏହି ଅବସରରେ ମା’ ଗଜଲକ୍ଷ୍ମୀଙ୍କୁ ବିଧିବିଧାନ ଅନୁଯାୟୀ ପୂଜାର୍ଚ୍ଚନା କରାଯିବା ସହ ଧନ, ଐଶ୍ୱର୍ଯ୍ୟ, ସୁଖ ଓ ସମୃଦ୍ଧିର ଦେବୀଙ୍କ ନିକଟରେ ଅଞ୍ଚଳବାସୀଙ୍କ ମଙ୍ଗଳ କାମନା କରାଯାଇଥିଲା। ସମଗ୍ର ମନ୍ଦିର ପରିସର ଆଲୋକ ମାଳାରେ ଝଲସୁଛି ।
ପୂଜାରେ ରଞ୍ଜିତ କୁମାର ମହାନ୍ତି ଓ ସାଗରିକା ମହାନ୍ତି କର୍ତ୍ତା ଭାବେ ଦାୟିତ୍ୱ ତୁଲାଇଥିବା ବେଳେ ଗଞ୍ଜାମ ଜିଲ୍ଲା ଖଟିଆ ରାମଚନ୍ଦ୍ରପୁର ଶାସନର ଚିନ୍ମୟ ଶତପଥୀ ଓ ଅଜିତ ଶତପଥୀ ପୁରୋହିତ ଓ ପୂଜକ ଭାବେ ପୂଜାକାର‌୍ୟ୍ୟ ସମ୍ପନ୍ନ କରିଥିଲେ।
ଧାର୍ମିକ ଭାବନା ଓ ପରମ୍ପରାର ମହକରେ ମା’ଙ୍କ ଆରାଧନା ମାଧ୍ୟମରେ ଅଞ୍ଚଳରେ ଶାନ୍ତି, ସମୃଦ୍ଧି ଓ ମଙ୍ଗଳମୟ ପରିବେଶ କାମନା କରାଯାଇଥିଲା। ଏଥିରେ ସମିତି ର ସମସ୍ତ ସଦସ୍ୟ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ ।
ପଶ୍ଚିମବଙ୍ଗକୁ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ : ପୋଲିସ ଜାଲରେ ଆନ୍ତଃରାଜ୍ୟ ମହିଳା ଚାଲାଣକାରୀ ସହ ଗଞ୍ଜେଇ ଜବତ
ବାଲିଗୁଡା, ୨୬/୧୦ : କନ୍ଧମାଳରୁ ପଶ୍ଚିମବଙ୍ଗକୁ ଗଞ୍ଜେଇ ଚାଲାଣ ପାଇଁ ଚାଲିଥିବା ଯୋଜନାକୁ ପଣ୍ଡ କରିଛି କ.ନୂଆଗାଁ ପୋଲିସ। ପୋଲିସ ପେଟ୍ରୋଲିଂ ସମୟରେ ଦାରିଙ୍ଗବାଡ଼ି ଛକରୁ ଜଣେ ମହିଳାଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ୨୨ କେଜି ଗଞ୍ଜେଇ, ଗୋଟିଏ ମୋବାଇଲ ଫୋନ୍ ଏବଂ ନଗଦ ୫ ହଜାର ଟଙ୍କା ଜବତ କରିଛି।
ପୋଲିସ ସୂଚନା ଅନୁଯାୟୀ, କ.ନୂଆଗାଁ ଥାନା ପୋଲିସ ଦଳ ପେଟ୍ରୋଲିଂ କରୁଥିବା ବେଳେ ଦାରିଙ୍ଗବାଡ଼ି ଛକରେ ଜଣେ ମହିଳା ଜରି ଅଖା ଧରି ବସ୍‌କୁ ଅପେକ୍ଷା କରିଥିବା ଦେଖିଥିଲା। ତାଙ୍କ ଗତିବିଧି ଉପରେ ସନ୍ଦେହ ହେବାରୁ ପୋଲିସ ଅଖା ଯାଞ୍ଚ କରିଥିଲା।
ଯାଞ୍ଚ ସମୟରେ ଅଖା ଭିତରେ ଗଞ୍ଜେଇ ଥିବା ଜଣାପଡ଼ିବା ପରେ ତାହାକୁ ଜବତ କରାଯାଇଥିଲା। ପରେ ଅତିରିକ୍ତ ତହସିଲଦାର ବସୁଧା ପ୍ରଧାନ ଓ ଅନ୍ୟ କର୍ମଚାରୀଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇର ଓଜନ କରାଯାଇଥିଲା।
ଏହାର ପରିମାଣ ୨୨ କେଜି ବୋଲି ଜଣାପଡ଼ିଥିଲା। ଗିରଫ ମହିଳା ଜଣକ ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲା ଅନ୍ତର୍ଗତ ତେହେଟା ଗ୍ରାମର ରାନୁଲାଇଲା ଖାତୁନ (୩୩) ବୋଲି ପୋଲିସ ସୂଚନା ଦେଇଛି।
ସେ ଗଞ୍ଜେଇକୁ ପଶ୍ଚିମବଙ୍ଗକୁ ନେବା ପାଇଁ ବସ୍‌କୁ ଅପେକ୍ଷା କରିଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି। ଏହି ଚଢ଼ାଉରେ କ.ନୂଆଗାଁ ଥାନା ଅଧିକାରୀ କେଳୁଚରଣ ଜେନାଙ୍କ ସହ ସେକେଣ୍ଡ ଅଫିସର ଅଶୋକ କୁମାର ତ୍ରିପାଠୀ, ଏଏସଆଇ ବାସୁଦେବ ପଣ୍ଡା, ସୁରେନ୍ଦ୍ର ରାଜହଂସଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀ ସାମିଲ ଥିଲେ।
ଏ ସଂକ୍ରାନ୍ତରେ କ.ନୂଆଗାଁ ଥାନାରେ କେସ୍ ନଂ ୧୬୪/୨୬ ଅନୁଯାୟୀ ଏନ୍‌ଡିପିଏସ୍ ଆଇନରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଶ୍ରୀ ଜେନା ସୂଚନା ଦେଇଛନ୍ତି।

Related Posts