Odisha News

ବୌଦ୍ଧ ପୋଲିସର ଅପରେସନ୍ ‘ଦହନ’: ଜୁନ୍ ମାସରେ ୩୭,୪୮୪ କି.ଗ୍ରା. ଜବତ ଗଞ୍ଜେଇ ଧ୍ୱଂସ ସହିତ ନିଶାମୁକ୍ତ ସମାଜ ଗଠନ ପାଇଁ ଏସ୍ ପିଙ୍କ ଆହ୍ବାନ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୫/୭ : ଅବୈଧ ମାଦକ କାରବାର ବିରୋଧରେ ବୌଦ୍ଧ ଜିଲ୍ଲା ପୋଲିସର ଅଭିଯାନକୁ ଆଉ ଏକ ବଡ଼ ସଫଳତା ମିଳିଛି। ଗତ ଜୁନ୍ ମାସରେ ‘ଅପରେସନ୍ ଦହନ’ ଅନ୍ତର୍ଗତ ଜିଲ୍ଲା ପୋଲିସ ୯୭ଟି ଏନ୍‌ଡିପିଏସ୍ ମାମଲାରେ ଜବତ ହୋଇଥିବା ୩୭,୪୮୪ କିଲୋଗ୍ରାମ ୮୮୫ ଗ୍ରାମ ଗଞ୍ଜେଇକୁ ସମସ୍ତ ଆଇନଗତ ପ୍ରକ୍ରିୟା ପାଳନ କରି ସଫଳତାର ସହ ଧ୍ୱଂସ କରିଛି।
ଏନ୍‌ଡିପିଏସ୍ ଆଇନର ଧାରା ୫୨ଏ ଅନୁଯାୟୀ ଆବଶ୍ୟକ ପ୍ରମାଣପତ୍ର ସଂଗ୍ରହ କରାଯିବା ପରେ ସ୍ୱଚ୍ଛ ଓ ଆଇନସମ୍ମତ ପଦ୍ଧତିରେ ଏହି ଦହନ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଏହି ପଦକ୍ଷେପ ମାଧ୍ୟମରେ ଅବୈଧ ମାଦକ ଦ୍ରବ୍ୟ କାରବାର ବିରୋଧରେ ବୌଦ୍ଧ ପୋଲିସର ଜିରୋ ଟଲୋରେନ୍ସ ନୀତି ପୁଣିଥରେ ସ୍ପଷ୍ଟ ହୋଇଛି।
କେବଳ କଡ଼ା ଆଇନ ପ୍ରୟୋଗ ନୁହେଁ, ବରଂ ବିଦ୍ୟାଳୟ,ମହାବିଦ୍ୟାଳୟ ଓ ଗ୍ରାମାଞ୍ଚଳରେ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଯୁବପିଢ଼ି ଏବଂ ସାଧାରଣ ଜନତାଙ୍କୁ ନିଶାଦ୍ରବ୍ୟର କୁପ୍ରଭାବ ଓ ଏହି ସମ୍ବନ୍ଧୀୟ ଆଇନଗତ ପରିଣାମ ସମ୍ପର୍କରେ ସଚେତନ କରାଯାଉଛି।
ଏଥିସହ ଜିଲ୍ଲା ପ୍ରଶାସନ, କୃଷି ଓ ଉଦ୍ୟାନ ବିଭାଗ ସହ ସମନ୍ୱୟ ରକ୍ଷା କରି ଚାଷୀମାନଙ୍କୁ ପନିପରିବା, ଉଦ୍ୟାନ କୃଷି ଓ ଅନ୍ୟାନ୍ୟ ଆୟବର୍ଦ୍ଧକ ଫସଲ ଚାଷ ପାଇଁ ପ୍ରୋତ୍ସାହିତ କରାଯାଉଛି।
ସ୍ୱୟଂ ସହାୟକ ଗୋଷ୍ଠୀ, ଯୁବ କ୍ଲବ ଓ ସ୍ଥାନୀୟ ଜନପ୍ରତିନିଧିଙ୍କ ସହଯୋଗରେ ନିଶାମୁକ୍ତ ସମାଜ ଗଠନ ଦିଗରେ ମଧ୍ୟ ବ୍ୟାପକ ପଦକ୍ଷେପ ନିଆଯାଉଛି।
ଆରକ୍ଷୀ ଅଧୀକ୍ଷକ, ବୌଦ୍ଧ କୁଲଦୀପ ମୀନା କହିଛନ୍ତି ଯେ, \”କଡ଼ା ଆଇନ ପ୍ରୟୋଗ, ସଚେତନତା ଓ ବିକଳ୍ପ ଜୀବିକା\”—ଏହି ତିନୋଟି ମୂଳ ଆଧାରକୁ ନେଇ ବୌଦ୍ଧ ଜିଲ୍ଲା ପୋଲିସ ଏକ ନିଶାମୁକ୍ତ, ସୁସ୍ଥ ଓ ସୁରକ୍ଷିତ ବୌଦ୍ଧ ଗଠନ ପାଇଁ ଦୃଢ଼ ସଂକଳ୍ପବଦ୍ଧ ଭାବେ କାର୍ଯ୍ୟ କରୁଛି।

Related Posts