Odisha News

ବୌଦ୍ଧ ଜିଲ୍ଲାପାଳଙ୍କ ବ୍ୟାପକ କ୍ଷେତ୍ର ପରିଦର୍ଶନ: ମଣ୍ଡି, ପଞ୍ଚାୟତ, ବିଦ୍ୟାଳୟ ଓ ରାସ୍ତା କାର୍ଯ୍ୟର ସମୀକ୍ଷା

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧/୭ : ବୌଦ୍ଧ ଜିଲ୍ଲାର ବିକାଶମୂଳକ କାର୍ଯ୍ୟକୁ ଅଧିକ ଗତିଶୀଳ ଓ ଲୋକାଭିମୁଖୀ କରିବା ଉଦ୍ଦେଶ୍ୟରେ ସୋମବାର ବରଗୋଛା ଗ୍ରାମପଞ୍ଚାୟତରେ ଅନୁଷ୍ଠିତ ଯୁଗ୍ମ ଅଭିଯୋଗ ଶୁଣାଣି ପରେ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ କଣ୍ଟାମାଳ ବ୍ଲକର ବିଭିନ୍ନ ସରକାରୀ ପ୍ରକଳ୍ପ ଓ ଅନୁଷ୍ଠାନର କ୍ଷେତ୍ର ପରିଦର୍ଶନ କରିଥିଲେ।
ପରିଦର୍ଶନ ସମୟରେ ଜିଲ୍ଲାପାଳ କର୍ମାପଦର ଏବଂ ସୁଣ୍ଡିପଦର ଧାନ ମଣ୍ଡିକୁ ଯାଇ ଚାଷୀମାନଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ।
ଧାନ ସଂଗ୍ରହ ପ୍ରକ୍ରିୟାକୁ ଅଧିକ ସୁଚାରୁ ଓ ତ୍ଵରାନିତ କରିବା ସହ ମିଲରମାନେ ଶୀଘ୍ର ଧାନ ଉଠାଇବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଥିଲେ, ଯାହାଦ୍ୱାରା ଚାଷୀମାନେ କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି।
ବରଗୋଛା ଓ ଖୁଣ୍ଟିବନ୍ଧ ଗ୍ରାମପଞ୍ଚାୟତ କାର‌୍ୟ୍ୟାଳୟ ପରିଦର୍ଶନ କରି ସରକାରୀ ଯୋଜନାର ସୁଫଳ ସଠିକ୍ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା, ଖାଦ୍ୟ ଯୋଗାଣ ବ୍ୟବସ୍ଥାରେ ନିୟମିତ ଭାବେ ଖାଉଟି ସାମଗ୍ରୀ ବଣ୍ଟନ, ପଞ୍ଚାୟତ କାର୍ଯ୍ୟାଳୟ ନିୟମିତ ଖୋଲିବା ଏବଂ ସାଧାରଣ ଲୋକଙ୍କ ଅଭିଯୋଗର ଶୀଘ୍ର ସମାଧାନ ପାଇଁ ସମ୍ପୃକ୍ତ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ।
ଜିଲ୍ଲାପାଳ ବରଗୋଛା ଆଶ୍ରମ ବିଦ୍ୟାଳୟ ଏବଂ କୁଆଘର ବିଦ୍ୟାଳୟ ପରିଦର୍ଶନ କରି ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ସହ ଶିକ୍ଷାର ଗୁଣାତ୍ମକ ଉନ୍ନତି ଉପରେ ଆଲୋଚନା କରିଥିଲେ।
ଛାତ୍ରଛାତ୍ରୀଙ୍କୁ ଉତ୍ତମ ଶିକ୍ଷା ସହିତ ନୈତିକ ମୂଲ୍ୟବୋଧ ସମ୍ପନ୍ନ ଆଦର୍ଶ ନାଗରିକ ଭାବେ ଗଢ଼ି ତୋଳିବା ପାଇଁ ସେ ଶିକ୍ଷକମାନଙ୍କୁ ଆହ୍ୱାନ ଜଣାଇଥିଲେ।
ଏହା ସହ ଜିଲ୍ଲାପାଳ ବିଭିନ୍ନ ଆର୍.ଡି. ଓ ପି.ଡବ୍ଲ୍ୟୁ.ଡି. ରାସ୍ତା ନିର୍ମାଣ କାର‌୍ୟ୍ୟର ମଧ୍ୟ ସମୀକ୍ଷା କରିଥିଲେ।
ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ସହ ଉଚ୍ଚମାନର ଗୁଣବତ୍ତା ବଜାୟ ରଖିବା ପାଇଁ ସମ୍ପୃକ୍ତ ଯନ୍ତ୍ରୀ ଓ କାର୍ଯ୍ୟନିର୍ବାହୀ ସଂସ୍ଥାମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଜିଲ୍ଲାପାଳଙ୍କ ଏହି କ୍ଷେତ୍ର ପରିଦର୍ଶନ ଦ୍ୱାରା ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା ସହ ଜନସାଧାରଣଙ୍କ ସମସ୍ୟାର ତ୍ୱରିତ ସମାଧାନ ଏବଂ ସରକାରୀ ସେବାର ଗୁଣାତ୍ମକ ମାନ ବୃଦ୍ଧି ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା।

Related Posts