ବରୁଣେଇ ରଜ ମହୋତ୍ସବ : ଭାଇଚାର ଓ କୃଷି ଭିତ୍ତିକ ଗଣପର୍ବରେ ସମସ୍ତେ ସାମିଲ
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୧୬/୬ : ଉତ୍କଳୀୟ ସଂସ୍କୃତିର ମହାନ ଗଣପର୍ବ ‘ରଜ’ ପାଇଁ ଗାଁ ଠାରୁ ସହର ପର୍ଯ୍ୟନ୍ତ ହୋଇଉଠିଛି ଉତ୍ସବ ମୁଖର। ବାରମାସରେ ତେର ପର୍ବ ପାଳନ କରୁଥିବା ଓଡ଼ିଆ ମାନେ ରଜ ପର୍ବ ପ୍ରତି ଟିକିଏ ସ୍ୱତନ୍ତ୍ର ମାନ ଦେଇଥାନ୍ତି। ବିଶେଷ କରି ରଜ ଚାରି ଦିନ ପାଳନ ହୁଏ ।
ପଥମ ପହିଲି ରଜ, ଦ୍ୱିତୀୟ ରଜ ସଂକ୍ରାନ୍ତି, ତୃତୀୟ ଭୂମି ଦାହ ବା ଭୂମି ଦହନ, ଚତୁର୍ଥ ବସୁମତୀ ସ୍ନାନ ଭାବେ ପାଳନ କରାଯାଏ। ରଜ ପର୍ବ ରେ ଓଡ଼ିଆ ପାରମ୍ପରିକ ପୋଡ଼ ପିଠା, ଏଣ୍ଡୁରି,ମଣ୍ଡା, କାକରା,ଆରିଶା ପିଠା ସାଙ୍ଗକୁ କୁମାରୀ ମାନେ ନୂଆ ପୋଷାକ ପିନ୍ଧି ଦୋଳି ଖେଳିବାର ମଜା ନେଉଛନ୍ତି।
ବିଶେଷ କରି ରଜ କୃଷି ଭିତ୍ତିକ ଗଣପର୍ବ। ଧରା ପୃଷ୍ଠକୁ ବସୁମତୀ ମା\’ଙ୍କ ରଜସ୍ୱଳା ରୂପରେ ପୂଜା କରାଯାଉଥିବା ବେଳେ ପ୍ରକୃତି ଓ ମଣିଷର ଅପୂର୍ବ ମିଳନର ଏହି ପର୍ବକୁ ଗାଁ ଠାରୁ ସହର ପର୍ଯ୍ୟନ୍ତ ସମସ୍ତେ ବେଶ ଧୁମଧାମରେ ପାଳନ କରୁଛନ୍ତି।
ପିଠା ପଣା ସହିତ ରଜପାନର ବେଶ ଆକୃଷ୍ଟ କରିଛି ସମସ୍ତଙ୍କୁ। ଏହି ଅବସରରେ ଖୋରଧା ସହର ଗାଁ, ସାହି ବସ୍ତିରେ ରଜ ପର୍ବର ବିଶେଷ ପରିବେଶ ଦେଖିବାକୁ ମିଳିଛି।
ଖୋରଧା ର ଅଧିଷ୍ଠାତ୍ରୀ ଦେବୀ ମା\’ବରୁଣେଇଙ୍କ ପୀଠରେ ଆରମ୍ଭ ହୋଇଛି ରଜପର୍ବ। ସାମାଜିକ ଅନୁଷ୍ଠାନ ଦିଶାନ୍ତ ପକ୍ଷରୁ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ବରୁଣେଇ ରଜ ମହୋତ୍ସବର ୧୮ ତମ ସଂସ୍କରଣ ଐତିହାସିକ ବରୁଣେଇ ପୀଠରେ ଜୁନ ୧୫ ରୁ ୧୭ ତାରିଖ ତିନିଦିନ ଧରି ମହାସମାରୋହରେ ପାଳିତ ହେଉଛି।
ଆରାଧ୍ୟ ଦେବୀ ମା ବରୁଣେଇ କରୁଣେଇ ପୀଠରେ ରଜ ପାଳନ କରିବାର ପରମ୍ପରା ଦୀର୍ଘ ଦିନ ଧରି ଚଳି ଆସୁଥିବା ଐତିହାସିକ ମାନେ ମତ ଦିଅନ୍ତି।
ମା ବରୁଣେଇ ପୀଠ ହେଉଛି ଏକ ଐତିହ୍ୟ ସମ୍ପନ୍ନ ପର୍ଯ୍ୟଟନ କ୍ଷେତ୍ର। ପାଇକ ବିଦ୍ରୋହ ସମୟରେ ବୀର ପାଇକ ମାନେ ଯୁଦ୍ଧ କ୍ଷେତ୍ରକୁ ଯିବା ପୂର୍ବରୁ ମା ବରୁଣେଇ କରୁଣେଇଙ୍କୁ ପୂଜାକରି ଆଶ୍ରିବାଦ ଭିକ୍ଷା କରୁଥିଲେ।
ବିଶ୍ୱାସ ରହିଛି ଗଡ଼ରକ୍ଷା କରିବା ପାଇଁ ମା\’ସ୍ୱୟଂ ନିଜେ ରଣାଙ୍ଗନ କୁ ଓହ୍ଲାଉଥିବା ନଜିର ରହିଛି। ବିଶେଷ କରି ଓଡ଼ିଶା ପର୍ଯ୍ୟଟନ କ୍ଷେତ୍ର ବରୁଣେଇ ପୀଠକୁ ବର୍ଷସାରା ପର୍ଯ୍ୟଟକ ଭିଡ଼ ଲାଗି ରହିଥାଏ ।
ରଜ ଅବସରରେ ମା ବରୁଣେଇ କରୁଣେଇଙ୍କ ସ୍ୱତନ୍ତ୍ର ପୂଜା ନୀତି ହୋଇଥାଏ। ରଜ ୪ ଦିନ ମା ଚନ୍ଦନମୁଖୀ ବେଶରେ ଦର୍ଶନ ଦେଇଥାନ୍ତି।
ମାଙ୍କର ଏ ବେଶ ଦେଖିବାକୁ ହଜାର ହଜାର ଭକ୍ତ ଶ୍ରଦ୍ଧାଳୁ ଙ୍କ ସୁଅ ଛୁଟିଥାଏ । ବିଶ୍ୱାସ ରହିଛି ଏହି ବେଶରେ ମା ଙ୍କ ଦର୍ଶନ ଲାଭ କଲେ କୋଟି ଜନ୍ମର ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି।
ମାବରୁଣେଇ କରୁଣେଇଙ୍କ ଦର୍ଶନ କରି ଏଣ୍ଡୁରି ପିଠା ଓ ଖିରି ଭୋଗ ଖାଇବାକୁ ଏଠାରେ ପ୍ରବଳ ଗହଳି ପରିଲକ୍ଷିତ ହୋଇଥାଏ। ଜାତି ଜାତିକା ଖାଦ୍ୟ ପସରା ସହିତ ରଜ ଦୋଳିର ମଜା ଦର୍ଶକ ମାନେ ଭରପୁର ଉପଭୋଗ କରୁଛନ୍ତି।
ସନ୍ଧ୍ୟାରେ ‘ଦିଶାନ୍ତ\’ ପକ୍ଷରୁ ଅନୁଷ୍ଠିତ ୧୮ ତମ ବରୁଣେଇ ରଜ ମହୋତ୍ସବର ସଭାପତି ପୂର୍ବତନ ବିଧାୟକ ଜ୍ୟୋତିନ୍ଦ୍ର ନାଥ ମିତ୍ରଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।
ମୁଖ୍ୟବକ୍ତା ଭାବେ ସ୍ଥାନୀୟ ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ, ସମ୍ମାନୀତ ଅତିଥି ଭାବେ ରାଜ୍ୟ ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ, ଉପାଧ୍ୟକ୍ଷ ଖୋରଧା ପୌର ପରିଷଦ ଶୌର୍ଯ୍ୟ ରଞ୍ଜନ ମହାନ୍ତି, ପ୍ରମୁଖ ଯୋଗଦେଇଥିଲେ।
ସମ୍ପାଦକ ଦିଲ୍ଲୀପ ପରିଡ଼ା ସମ୍ପାଦକୀୟ ବିବରଣୀ ପ୍ରଦାନ କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ପ୍ରତିଯୋଗିମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ।
ସେହିପରି ଖୋରଧା ଜିଲ୍ଲା ଟାଙ୍ଗି ବ୍ଲକ ମୁଳିଝରଗଡ଼ ସ୍ଥିତ ପ୍ରସିଦ୍ଧ ତନ୍ତ୍ରପୀଠ ମା ଉଗ୍ରତାରାଙ୍କ ପୀଠରେ ରଜ ମହୋତ୍ସବ ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ଦଶ ଦିନ ଧରି ପାଳିତ ହେଉଛି।
ସେହିପରି ଗଡମାଣତିର ସ୍ଥିତ ରାମଚଣ୍ଡୀ ପୀଠ ରେ ତିନିଦିନ ଧରି ବେଶ ଧୁମଧାମରେ ରଜ ଉତ୍ସବ ପାଳନ କରାଯାଉଛି।




