Odisha News

କଂଗ୍ରେସର ବନ୍ଧୁ ମିଳନ ଓ ମିଶ୍ରଣ ପର୍ବ ଅନୁଷ୍ଠିତ : ବିଭିନ୍ନ ଦଳରୁ ପ୍ରାୟ ୫୦ ଜଣ କର୍ମୀ କଂଗ୍ରେସରେ ସାମିଲ

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୧୨/୨ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକ କଟିମାହା ପଞ୍ଚାୟତର ଡୁଟୁକାଗାଁ ସ୍ଥିତ ଶୁଣ୍ଢୀଗାଡ଼ା ଠାରେ ବ୍ଲକ କଂଗ୍ରେସ ପକ୍ଷରୁ ଏକ ବନ୍ଧୁ ମିଳନ ଓ ମିଶ୍ରଣ ପର୍ବ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଯାଇଛି।
ନବନିଯୁକ୍ତ ଟିକାବାଲି ବ୍ଲକ କଂଗ୍ରେସ ସଭାପତି ଅନିଲ ଭୋଇ (ମଣ୍ଟୁ) ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଦଳୀୟ ସଂଗଠନକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଆହ୍ୱାନ ଦିଆଯାଇଛି। କାର୍ଯ୍ୟକ୍ରମ ଆରମ୍ଭରେ କଟିମାହା ପଞ୍ଚାୟତରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ଡୁଟୁକାଗାଁ ବୈଠକ ସ୍ଥଳରେ ପହଞ୍ଚିଥିଲା।
ଏହି ଅବସରରେ ଉପସ୍ଥିତ ଅତିଥି ଓ ବରିଷ୍ଠ ନେତୃବୃନ୍ଦଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଜି. ଉଦୟଗିରି ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜେପି ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ। ସେ କହିଥିଲେ ଯେ, “ବିଜେପି କେବଳ ଧର୍ମ ଓ ଜାତି ନାମରେ ରାଜନୀତି କରୁଛି। ଆଜି ଆମେ ଦେଖୁଥିବା ସ୍କୁଲ, କଲେଜ, ଡାକ୍ତରଖାନା ଓ ରାସ୍ତାଘାଟ ପରି ସମସ୍ତ ଭିତ୍ତିଭୂମି କଂଗ୍ରେସ ସମୟରେ ହିଁ ନିର୍ମିତ ହୋଇଛି, କିନ୍ତୁ ବିଜେପି ମିଥ୍ୟା ଅପପ୍ରଚାର କରି ଲୋକଙ୍କୁ ବିଭ୍ରାନ୍ତ କରୁଛି।”
କଂଗ୍ରେସର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପି ଓ ବିଜେଡି ଦଳର ପ୍ରାୟ ୫୦ରୁ ଉର୍ଦ୍ଧ ଜଣ ସକ୍ରିୟ କର୍ମୀ ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗ ଦେଇଛନ୍ତି। ବିଧାୟକ ଶ୍ରୀ ପ୍ରଧାନ ଓ ଅନ୍ୟ ନେତୃବୃନ୍ଦ ସେମାନଙ୍କୁ ଦଳକୁ ସ୍ୱାଗତ କରିଥିଲେ।
“ଭାରତ ବନ୍ଦ” ଡାକରା ସତ୍ତ୍ୱେ ଏହି କାର୍ଯ୍ୟକ୍ରମରେ ପ୍ରବଳ ଜନସମାଗମ ଦଳୀୟ ସଂଗଠନର ସଫଳତାକୁ ଦର୍ଶାଉଛି।ପୂର୍ବତନ ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ନିଜ ବକ୍ତବ୍ୟରେ ତୃଣମୂଳ ସ୍ତରରୁ ସଂଗଠନକୁ ମଜଭୁତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।
ଏହି ବୈଠକରେ କଂଗ୍ରେସର ପୁରୁଖା ନେତା ସମୀର ଭୋଇ, ମାଳି ଆଵା, ବଳରାମ ବାଙ୍କ, ଦେବରାଜ କହଁର, ପଞ୍ଚାୟତ ସଭାପତି ରାଜକୁମାର କହଁର ଓ ମହାଦେବ ଦିଗାଳ ପ୍ରମୁଖ ଉପସ୍ଥିତ ଥିଲେ। ପୂର୍ବତନ ସମିତି ସଭ୍ୟ ତଥା ବରିଷ୍ଠ ନେତା ପଷାକ ମଳିକ କାର‌୍ୟ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ।
ନିଖୋଜ ଯୁବକଙ୍କ ମୃତଦେହ ପୋଖରୀ ରୁ ଉଦ୍ଧାର : ହତ୍ୟା ସନ୍ଦେହରେ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁରର ତଦନ୍ତ
ବାଲିଗୁଡ଼ା, ୧୨/୨ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ଥାନା ଶଙ୍ଖାରାଖୋଲ ଗ୍ରାମର ଜଣେ ନିଖୋଜ ଯୁବକଙ୍କ ମୃତଦେହ ଗୁରୁବାର ଅଡାବାଡି ପୋଖରୀ ରୁ ଭାସମାନ ଅବସ୍ଥାରେ ଉଦ୍ଧାର କରାଯାଇଛି।
ମୃତ ଯୁବକ ଜଣକ ହେଉଛନ୍ତି ଭେଙ୍କେଟ ପତି ନିତାନ୍ତ ପ୍ରଧାନ (୩୦)। ସେ ଶଙ୍ଖରାଖୋଲ ଗ୍ରାମପଞ୍ଚାୟତ ସରପଞ୍ଚ ଜାନକୀ ପ୍ରଧାନ ଓ ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ଅନୁରୂଧ ପ୍ରଧାନଙ୍କ ପୁତ୍ର।ସୂଚନା ଅନୁଯାୟୀ, ଚଳିତ ମାସ ୧୧ ତାରିଖ ସକାଳେ ନିତାନ୍ତ ପ୍ରାତଃ ଭ୍ରମଣରେ ଯାଇ ଆଉ ଘରକୁ ଫେରି ନ ଥିଲେ।
ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର କୌଣସି ସନ୍ଧାନ ନପାଇବାରୁ ୧୧ ତାରିଖ ଦିନ ଟିକାବାଲି ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଏହି ସଂକ୍ରାନ୍ତରେ ଏକ ନିଖୋଜ ମାମଲା ୬/୨୬ ପ୍ରକାରେ ଏକ ମକଦ୍ଦମା ରୁଜୁ କରି ତଦନ୍ତ ଜାରି ରଖିଥିଲା।ଗୁରୁବାର ସ୍ଥାନୀୟ ଲୋକେ ଅଡାବାଡି ପୋଖରୀ ରେ ଏକ ମୃତଦେହ ଭାସୁଥିବା ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ।
ପରିବାର ପକ୍ଷରୁ ମୃତଦେହକୁ ଚିହ୍ନଟ କରାଯିବା ସହ ମାଆ ଜାନକୀ ପ୍ରଧାନ ପୁନର୍ବାର ଥାନାରେ ହତ୍ୟା ସନ୍ଦେହ କରି ଅଭିଯୋଗ କରିଛନ୍ତି। ଏହାକୁ ଆଧାର କରି ଟିକାବାଲି ପୋଲିସ ମାମଲା ନଂ ୪୦/୨୬ ପ୍ରକାରେ ଏକ ମକଦ୍ଦମା ରୁଜୁ କରିବା ସହ ଘଟଣାସ୍ଥଳକୁ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁରକୁ ଡକାଇ ଛାନଭିନ୍ ଆରମ୍ଭ କରିଛି।ଖବର ପାଇ ଫୁଲବାଣୀ ବିଧାୟକ ଉମା ଚରଣ ମଲିକ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।
ଉଦ୍ଧାର କାର‌୍ୟ୍ୟ ପାଇଁ ଟିକାବାଲି ଅଗ୍ନିଶମ ବାହିନୀ ମଧ୍ୟ ମୁତୟନ ହୋଇଛନ୍ତି।ଶେଷ ସୂଚନା ସୁଦ୍ଧା, ପୋଲିସ ସମସ୍ତ ପ୍ରମାଣ ସଂଗ୍ରହ କରୁଥିବା ବେଳେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଜଣେ ବିବାହିତ ଯୁବକ ତଥା ସ୍ଥାନୀୟ ସରପଞ୍ଚଙ୍କ ପୁଅଙ୍କର ଏଭଳି ରହସ୍ୟଜନକ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।
କାହା ସ୍ୱାର୍ଥ ରେ ୧୦୮ ଓ ୧୦୨ ଆମ୍ବୁଲାନ୍ସ ସେବା: ୧୨୦୦ ଟଙ୍କା ଗଣି ୩୦ କିମି ଅଟୋରେ ଆସିଲେ ଗର୍ଭବତୀ
ବାଲିଗୁଡା, ୧୨/୨ : କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡରେ ଜରୁରୀକାଳୀନ ରୋଗୀଙ୍କୁ ଆବଶ୍ୟକ ସମୟରେ ଆମ୍ବୁଲାନ୍ସ ସେବା ମିଳୁନଥିବା ଅଭିଯୋଗ ହୋଇଛି ।
ଜଣେ ଗର୍ଭବତୀ ମହିଳା ଙ୍କ ପରିବାର ଲୋକେ ୧୦୮ ଓ ୧୦୨ ଆମ୍ବୁଲାନ୍ସକୁ ଘଣ୍ଟାଘଣ୍ଟା ଅପେକ୍ଷା କରିବା ପରେ ଶେଷରେ ଜଣେ ଗର୍ଭବତୀ ମହିଳା ଦୀର୍ଘ ୩୦ କିଲୋମିଟର ଅଟୋରେ ଯାତ୍ରା କରି ବାଲିଗୁଡା ଉପଖଣ୍ଡ ଡାକ୍ତରଖାନାରେ ପହଞ୍ଚିଛନ୍ତି।
ଅଟୋଭଡା ବାବଦ ତାଙ୍କୁ ୧୨ ଶହ ଟଙ୍କା ଗଣିବାକୁ ପଡିଛି। ସ୍ଵାସ୍ଥ୍ୟସେବା ବାବଦରେ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଥିଲେ ହେଁ ଏହି ଉପଖଣ୍ଡରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ବାଲିଗୁଡା ବ୍ଳକ ଅନ୍ତର୍ଗତ ପରମପଙ୍ଗା ପଞ୍ଚାୟତର ବହୁ ଚର୍ଚ୍ଚିତ ଗୁମୁଡୁମାହା ଗ୍ରାମର ଶିବାନୀ ମଳିକ ଗର୍ଭ ଯନ୍ତ୍ରଣା ଭୋଗିଥିଲେ।
ବାଲିଗୁଡା ଡାକ୍ତରଖାନା ନେବାକୁ ପରିବାର ଲୋକେ ୧୦୮ ଓ ୧୦୨ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିଥିଲେ। ହେଲେ ଘଣ୍ଟାଘଣ୍ଟା ଅପେକ୍ଷା କରିବା ସତ୍ତ୍ବେ ଆମ୍ବୁଲାନ୍ସ ନପହଞ୍ଚିବାରୁ ବାଧ୍ୟ ହୋଇ ଶେଷରେ ପରିବାର ଲୋକେ ତାଙ୍କୁ ଏକ ଭଡା ଅଟୋରେ ଗୁମୁଡୁମାହା ଗ୍ରାମରୁ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ, ସେଠାରେ ସେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିବା ଜଣାପଡିଛି।
ରାଜ୍ୟ ସ୍ତରୀୟ ଫୁଟବଲ ଚମ୍ପିୟାନସିପ ଉଦଯାପିତ : ଏସଡିଏଏ କପ କୁ ବାଜି ମାରିନେଲା ଫୁଲବାଣୀର ଜେଡି କ୍ଲବ
ବାଲିଗୁଡା, ୧୨/୨ : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଉପଖଣ୍ଡ କ୍ରୀଡା ସଂଘ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ ମିନି ଷ୍ଟାଡିଅମ ପରିସରରେ ରାଜ୍ୟ ସ୍ତରୀୟ ଫୁଟବଲ ଚମ୍ପିୟାନସିପ- ୨୦୨୬ ଚଳିତ ମାସ ୪ତାରିଖ ରେ ଆରମ୍ଭ ହୋଇ ୧୧ ତାରିଖ ରେ ଉଦଯାପିତ ହୋଇଯାଇଛି ।
ଏହି ଉଦଯାପିତ ତଥା ଫାଇନାଲ ଖେଳ ଏଫ.ସି.ସମ୍ବଲପୁର ସହ ଜେ.ଡି. କ୍ଲବ ଫୁଲବାଣୀ ମଧ୍ୟରେ କଡା ମୁକାବିଲା ର ସହ ଖେଳ ଆୟୋଜନ ହୋଇ ୧-୦ ଗୋଲ ରେ ଫୁଲବାଣୀ ଦଳ ବିଜୟୀ ହୋଇ ଉପଖଣ୍ଡ କ୍ରୀଡା ସଂଘ କପ ହାସଲ କରିପାରିଛି ।
ଏଥିରେ ଅତିଥି ଭାବେ ବ୍ଲକ ସାଂସଦ ପ୍ରତିନିଧି ରଞ୍ଜିତ କୁମାର ସାହୁ, କ. ନୂଆଗାଁ ବ୍ଲକ ର ବିଜେପି ନେତା କୃଷ୍ଣ ମୋହନ ପାଣିଗ୍ରାହୀ, ଜେଡି କ୍ଲବ ର ପ୍ରତିଷ୍ଠାତା ଜଳନ୍ଧର ବେହେରା, ଉପଦେଷ୍ଟା ଶେଖ ସାଦିକ, ଉପ ସଭାପତି ସତ୍ୟ ନାରାୟଣ ପାଢ଼ୀ, ସମ୍ପାଦକ ସୁଶାନ୍ତ କୁମାର ଦାସ ପ୍ରମୁଖ ଉପସ୍ଥିତ ରହି ଦୀପ ଧୂପ ପ୍ରଜ୍ଜଳନ ପୂର୍ବକ ଆନୁଷ୍ଠାନିକ ଭାବେ ପ୍ରଥମ ସଟ ଦେଇ ଖେଳକୁ ଉଦଘାଟନ କରିଥିଲେ ।
ଏଥିରେ ଶ୍ରେଷ୍ଠ ସ୍କୋରର ଭାବେ ଜେଡି କ୍ଲବ ର ଜିତୁ ମୁଦୁଲି, ଶ୍ରେଷ୍ଠ ଗୋଲ କିପର ଭାବେ ରବି, ଶ୍ରେଷ୍ଠ ରକ୍ଷଣ ଭାଗ ଖେଳାଳି ଭାବେ ଅଭି ମୁଦୁଲି ,ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ଭାବେ ରଞ୍ଜନ କୁମାର ମହାନ୍ତି ସ୍ମାରକୀ ଟ୍ରଫି କାର୍ତ୍ତିକ ହେନ୍ତାଳ ଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ବିଜେତା ଫୁଲବାଣୀ ଦଳକୁ ୩୧ହଜାର ୧ ଟଙ୍କା, ଏବଂ ଉପ ବିଜେତା ସମ୍ବଲପୁର ଦଳ କୁ ୨୫ହଜାର ୧ ଟଙ୍କା ସହ ଟ୍ରଫି ଅତିଥି ଙ୍କ ଠାରୁ ଗ୍ରହଣ କରିଥିଲେ ।
ଫାଇନାଲ ଖେଳ କୁ ମୁଖ୍ୟ ରେଫେରୀ ଭାବେ ଜିତେନ୍ଦ୍ର ପ୍ରସାଦ ସ୍ୱାଇଁ, କାମାକ୍ଷା ପ୍ରସାଦ ପ୍ରଧାନ, ସୁନିଲ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି ଖେଳ ପରିଚାଳନା କରିଥିଲେ ।
ଏଥିରେ ଉପଦେଷ୍ଟା ମଣ୍ଡଳୀ ର ଦେବବ୍ରତ ସିଂ ଦେଓ, ସୁରେନ୍ଦ୍ର କୁମାର ପାତ୍ର, ଯୁଗ୍ମ ସମ୍ପାଦକ ମାନସ ରଞ୍ଜନ ଆଚାର୍ଯ୍ୟ ଓ କୋଷାଧ୍ୟକ୍ଷ ରଞ୍ଜିତ କୁମାର ମହାନ୍ତି, କ୍ରୀଡା ସମ୍ପାଦକ ଶିବାନନ୍ଦ ପଟ୍ଟନାୟକ,ଗଙ୍ଗାଧର ପଣ୍ଡା, ପ୍ରଶାନ୍ତ କୁମାର ସାହୁ, ସୁଜିତ କୁମାର ପାଳ, ଏ. ଶ୍ରୀନିବାସ ଦୋରା ତଥା କ୍ରୀଡା ଆୟୋଜକ ଉପଦେଷ୍ଟା ମଣ୍ଡଳୀ ର ସମସ୍ତ ସଦସ୍ୟ ଖେଳ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ ।

Related Posts