୨୭ ସନ୍ଧ୍ୟାରୁ ରୂପ ଦେଖାଇବ ବାତ୍ୟା, ପ୍ରବଳରୁ ଅତି ପ୍ରବଳ ବର୍ଷାର ଆକଳନ କଲା ପାଣିପାଗ ବିଭାଗ
ଭୁବନେଶ୍ୱର, ୨୪/୧୦ : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସମ୍ଭାବ୍ୟ ସାମୁଦ୍ରିକ ଝଡ଼ର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଜୋରଦାର କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ପରିସ୍ଥିତିର ଉଚ୍ଚସ୍ତରୀୟ ସମୀକ୍ଷା କରିବା ସହ ‘ଜିରୋ କାଜୁଆଲିଟି’ ଉପରେ ଗୁରୁତ୍ୱ ଦେଇଛନ୍ତି। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନିଜର କର୍ମଚାରୀମାନଙ୍କ ଛୁଟି ବାତିଲ କରିଥିବାବେଳେ ଆଜି ୫ଟି ଜିଲ୍ଲାରେ ସ୍କୁଲକଲେଜ ବନ୍ଦ ଘୋଷଣା କରିଛନ୍ତି। ଆଉ ରିଲିଫ ଓ ଉଦ୍ଧାର କାର୍ଯ୍ୟ ପାଇଁ ୩୦୨ଟି ଉଦ୍ଧାରକାରୀ ଟିମ୍ ମୁତୟନ କରିଛନ୍ତି।
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଜି ଲୋକସେବା ଭବନରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ସରକାରଙ୍କ ସମ୍ପୂର୍ଣ୍ଣ ପ୍ରସ୍ତୁତିର ସମ୍ପର୍କରେ ନେଇ ବିସ୍ତୃତ ସମୀକ୍ଷା କରିଥିଲେ ।
ପୂର୍ବରୁ ବାତ୍ୟା ‘ଦାନା’ ଓ ‘ମୋନ୍ଥା’ ସମେତ ବହୁ ବନ୍ୟାର ସଫଳ ମୁକାବିଲା କରାଯାଇଥିବା ଅନୁଭୂତିକୁ ଆଧାର କରି ଏଥର ମଧ୍ୟ ସରକାର ‘ହୋଲ୍ ଅଫ୍ ଗଭର୍ଣ୍ଣମେଣ୍ଟ ଆପ୍ରୋଚ୍’ ଆପଣାଇ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରଖି କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ପୂର୍ବର ସମସ୍ତ ବିପର୍ଯ୍ୟୟ ଭଳି ଏଥର ମଧ୍ୟ ରାଜ୍ୟ ସରକାର ‘ଜିରୋ କାଜୁଆଲିଟି’ଲକ୍ଷ୍ୟ ହାସଲ କରିବେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଶାବ୍ୟକ୍ତ କରିଛନ୍ତି।
ବୈଠକ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ସରକାର ‘ଜିରୋ କାଜୁଆଲିଟି’ ଲକ୍ଷ୍ୟ ନେଇ କାର୍ଯ୍ୟ କରୁଛନ୍ତି। ସବୁ ବିଭାଗ ସହ ପ୍ରସ୍ତୁତି ନେଇ ଆଲୋଚନା ହେଲା। ଦାନା ଓ ମୋନ୍ଥାର ସଫଳ ମୁକାବିଲା କରିଥିଲୁ ଓ ଜିରୋ କାଜିଲିଟି ଲକ୍ଷ୍ୟ ମଧ୍ୟ ସଫଳ ହୋଇଥିଲା।ଅଗ୍ନିଶମ, ଓଡ୍ରାଫ, ଏନଡିଆରଏଫ ଟିମ୍ ଏବେ ବିଭିନ୍ନ ସ୍ଥାନକୁ ମୁଭମେଣ୍ଟ କରିବା ଆରମ୍ଭ ହେଲାଣି।
ଏବେ ଧାନ ଅମଳର ସମୟ ପାଖେଇ ଆସିଥିବାରୁ ଚାଷୀ ଭାଇମାନଙ୍କୁ ଆଗୁଆ ସଚେତନ କରି ପାଚିଲା ଫସଲ କାଟି ସୁରକ୍ଷିତ ସ୍ଥାନରେ ଘୋଡ଼ାଇ ରଖିବା ପାଇଁ ପରାମର୍ଶ ଜାରି କରିବାକୁ କୃଷି ବିଭାଗକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପରାମର୍ଶ ଦେଇଛନ୍ତି।
ଛାତ୍ରଛାତ୍ରୀଙ୍କ ନିରାପତ୍ତାକୁ ପ୍ରାଥମିକତା ଦେଇ ସର୍ବାଧିକ ପ୍ରଭାବିତ ହେବାକୁ ଥିବା ୫ଟି ଜିଲ୍ଲା ଯଥା ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ୨୮ ଓ ୨୯ ତାରିଖ ଦୁଇଦିନ ଧରି ସମସ୍ତ ସ୍କୁଲ, କଲେଜ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ବନ୍ଦ ରଖିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି।
ବାକି ଜିଲ୍ଲାରେ ପାଣିପାଗର ଗମ୍ଭୀରତା ଦେଖି ସ୍କୁଲ କଲେଜ ଛୁଟି କରିବା ନେଇ ସମ୍ପୃକ୍ତ ଜିଲ୍ଲାପାଳମାନେ ନିଷ୍ପତ୍ତି ନେବେ ବୋଲି ସ୍ପଷ୍ଟ କରାଯାଇଛି।
ଜନଜୀବନ ସୁରକ୍ଷା ଓ ତୁରନ୍ତ ଉଦ୍ଧାର କାର୍ଯ୍ୟ ନିମନ୍ତେ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସମ୍ଭାବ୍ୟ କ୍ଷୟକ୍ଷତି ରୋକିବା ଲାଗି ମୋଟ ୩୦୨ଟି ଉଦ୍ଧାରକାରୀ ଦଳକୁ ବିଭିନ୍ନ ସ୍ଥାନରେ ମୁତୟନ ପାଇଁ ନିଷ୍ପତ୍ତି ନିଆଯାଇଛି। ୬୦ଟି ଓଡ୍ରାଫ୍ ଟିମ୍ ,୧୭ଟି ଏନଡିଆରଏଫ୍ ଟିମ୍ ଓ ୨୨୫ଟି ଅଗ୍ନିଶମ ବାହିନୀ ଟିମକୁ ସମ୍ଭାବ୍ୟ ପ୍ରଭାବିତ ଅଂଚଳକୁ ପଠାଯିବା ଆରମ୍ଭ ହୋଇଛି।
ସମସ୍ତ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀଗୁଡ଼ିକୁ ପାନୀୟ ଜଳ, ଆଲୋକ ଓ ଶୁଖିଲା ଖାଦ୍ୟ ସହିତ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯାଇଛି। ତଳିଆ ତଥା ବିପଦପୂର୍ଣ୍ଣ କଚ୍ଚା ଘରେ ରହୁଥିବା ଲୋକଙ୍କୁ ତୁରନ୍ତ ଆଶ୍ରୟସ୍ଥଳକୁ ସ୍ଥାନାନ୍ତରିତ କରିବା, ବିଶେଷକରି ଗର୍ଭବତୀ ମହିଳା, ଶିଶୁ ଓଚିକିତ୍ସାଧୀନ ଗୁରୁତର ରୋଗୀଙ୍କୁ ପ୍ରାଥମିକତା ଭିତ୍ତିରେ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ର ଓ ଡାକ୍ତରଖାନାକୁ ନେବା ପାଇଁ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।
ସମ୍ଭାବ୍ୟ ବନ୍ୟା ଓ ଜଳବନ୍ଦୀ ଅଂଚଳରେ ଡାକ୍ତରଖାନାଗୁଡ଼ିକରେ ପ୍ରଚୁର ପରିମାଣରେ ଆଣ୍ଟି-ସ୍ନେକ ଭେନମ ଇଞ୍ଜେକ୍ସନ, ଡାଇରିଆ ଔଷଧ, ହାଲୋଜେନ ଟାବଲେଟ ଓ ଜରୁରୀକାଳୀନ ମେଡିକାଲ କିଟ୍ ମହଜୁଦ ରଖିବାକୁ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି।
ବାତ୍ୟା ସମୟରେ ଓ ପରବର୍ତ୍ତୀ ସମୟରେ ସ୍ୱାଭାବିକ ସ୍ଥିତି ଫେରାଇ ଆଣିବା ପାଇଁ ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ ଓ ଶକ୍ତି ବିଭାଗ ଭଳି ସମସ୍ତ ଇଞ୍ଜିନିୟରିଂ ଶାଖାକୁ ପ୍ରସ୍ତୁତ ରଖାଯାଇଛି। ପ୍ରବଳ ପବନ ଯୋଗୁଁ ରାସ୍ତାରେ ଉପୁଡ଼ି ପଡ଼ୁଥିବା ବଡ଼ ବଡ଼ ଗଛ ଓ ଭାଙ୍ଗିଥିବା ବିଦ୍ୟୁତ ଖୁଣ୍ଟକୁ ଅତ୍ୟାଧୁନିକ କଟର ମାଧ୍ୟମରେ ତତକ୍ଷଣାତ୍ ହଟାଇ ଯୋଗାଯୋଗ ବ୍ୟବସ୍ଥା ସ୍ୱାଭାବିକ କରିବା ପାଇଁ ସ୍ୱତନ୍ତ୍ର ଟିମ୍ ନିୟୋଜିତ ହୋଇଛନ୍ତି।
ଭାରତୀୟ ପାଣିପାଗ ବିଭାଗ(ଈଷଙ୍କଭବଦ୍ଭରଗ୍ଦଙ୍ଗବକ୍ସ ଓଗଊ)ର ସଦ୍ୟତମ ବୁଲେଟିନ୍ ଅନୁସାରେ, ପୂର୍ବ-କେନ୍ଦ୍ରୀୟ ଓ ଏହାକୁ ଲାଗି ରହିଥିବା ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଉପରେ ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ବିଦ୍ୟମାନ ରହିଛି। ଏହାସହିତ ଜଡ଼ିତ ଘୂର୍ଣ୍ଣିବଳୟ ବାୟୁମଣ୍ଡଳରେ ୫.୮ କିମି ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଛି। ଏହା ଅକ୍ଟୋବର ୨୪ତାରିଖରେ ଅବପାତ ଓ ୨୫ ତାରିଖରେ ଗଭୀର ଅବପାତରେ ପରିଣତ ହେବା ପରେ ୨୬ ତାରିଖ ସକାଳ ସୁଦ୍ଧା ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ପୂର୍ଣ୍ଣାଙ୍ଗ ‘ବାତ୍ୟା’ର ରୂପଧାରଣ କରିବ।
ଏହା କ୍ରମାଗତ ଭାବେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଅଧିକ ଶକ୍ତିଶାଳୀ ହେବା ସହ ୨୮ ତାରିଖ ସକାଳ ସମୟରେ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ମଧ୍ୟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ଆନ୍ଧ୍ରପ୍ରଦେଶ ଉପକୂଳରେ ଏହାର କେନ୍ଦ୍ରବିନ୍ଦୁ ରହିବାର ସମ୍ଭାବନା ଥିଲେ ମଧ୍ୟ ଏହାର ପ୍ରଭାବ ଦକ୍ଷିଣ ଓଡ଼ିଶା ଉପରେ ବ୍ୟାପକ ଭାବେ ପଡ଼ିପାରେ ବୋଲି ପୂର୍ବାନୁମାନ କରାଯାଇଛି।
ଏହି ସମ୍ଭାବ୍ୟ ବାତ୍ୟା(ଉଚ୍ଚମକ୍ଷକ୍ଟଦ୍ଭର)ର ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହିତ ଦକ୍ଷିଣ ଓଡ଼ିଶାରେ ଘଣ୍ଟପ୍ରତି ୮୦ ରୁ ୯୦ କିମି ଓ ଉପକୂଳ ଜିଲ୍ଲାଗୁଡ଼ିକରେ ୪୦ ରୁ ୫୦ କିମି ବେଗରେ ଝଡ଼ପବନ ବହିବାର ଆଶଙ୍କା ରହିଛି। ପାଣିପାଗ ବିଭାଗ ପକ୍ଷରୁ ୨୮ ତାରିଖ ପାଇଁ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ରେଡୱାର୍ଣ୍ଟିଂ ଜାରି କରାଯାଇଛି। ଏହାବ୍ୟତୀତ ନବରଙ୍ଗପୁର, କନ୍ଧମାଳ, କଳାହାଣ୍ଡି, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ବଲାଙ୍ଗୀର, ସୁବର୍ଣ୍ଣପୁର, ବୌଦ୍ଧ ଓ ନୂଆପଡ଼ା ଆଦି ବିଭିନ୍ନ ଜିଲ୍ଲାକୁ ପ୍ରବଳ ବର୍ଷା ଓ ଝଡ଼ପବନ ପାଇଁ ଅରେଞ୍ଜ ତଥା ୱେଲୋ ୱାର୍ଣ୍ଣିଂ ଜାରି ହୋଇଛି।
ଅକ୍ଟୋବର ୨୭ ଓ ୨୮ ତାରିଖରେ ସମୁଦ୍ର ଅଶାନ୍ତରୁ ଅତି ଅଶାନ୍ତ ରହିବାକୁ ଥିବାରୁ ଓଡ଼ିଶା ଉପକୂଳ ତଥା ସଂଲଗ୍ନ ସମୁଦ୍ର ମଧ୍ୟକୁ ନଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି।




