Odisha News

ବୌଦ୍ଧରେ ଜିଲ୍ଲାପାଳ ଓ ଏସ୍‌ପିଙ୍କ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୭/୯: ବୌଦ୍ଧ ଜିଲ୍ଲା ସଦର ମହକୁମାସ୍ଥିତ ସଦଭାବନା ସଭାଗୃହରେ ଆଜି ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।
ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ବିଭୂତି ଭୂଷଣ ନାୟକ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ କୁଲଦୀପ ମୀନା ଯୁଗ୍ମ ଭାବେ ଶିବିରରେ ଉପସ୍ଥିତ ରହି ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ ଓ ସମସ୍ୟା ଶୁଣିବା ସହ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ତ୍ୱରିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ।
ଶିବିରରେ ଜନସାଧାରଣଙ୍କ ଅଭିଯୋଗକୁ ପ୍ରାଥମିକତା ଦେଇ ସମୟୋଚିତ ଓ ନିରପେକ୍ଷ ଭାବେ ସମାଧାନ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ।
ସରକାରୀ ସେବା ଓ ସୁବିଧା ପାଇବାରେ ଯେପରି ଜନସାଧାରଣଙ୍କୁ କୌଣସି ଅସୁବିଧା ନହୁଏ, ସେଥିପାଇଁ ସମସ୍ତ ଅଧିକାରୀ ଓ କର୍ମଚାରୀ ସମର୍ପଣ ଭାବରେ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଥିଲେ।
ଆଜିର ଶିବିରରେ ମୋଟ ୧୧୯ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ଏଥିମଧ୍ୟରୁ ୧୦୮ଟି ବ୍ୟକ୍ତିଗତ ଏବଂ ୧୧ଟି ସାମୂହିକ ଅଭିଯୋଗ ରହିଥିଲା।
ଗ୍ରହଣ କରାଯାଇଥିବା ଅଭିଯୋଗ ମଧ୍ୟରୁ ୧୭ଟି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିଲା। ଏଥିସହ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ସହାୟତା ପାଇଁ ୬ ଜଣ ଆବେଦନ କରିଥିବା ବେଳେ ସେଗୁଡ଼ିକୁ ମଧ୍ୟ ବିଚାରାଧୀନ ରଖାଯାଇଥିଲା।
ବଜରଙ୍ଗ ଦଳ କର୍ମୀ ମାନେ ଗୋ ସୁରକ୍ଷାକୁ ପ୍ରାଥମିକତା ଦେଇ ବୁଲା ଗୋରୁଗାଈ ମାନଙ୍କ ପାଇଁ ଶୀଘ୍ର ଏକ ଗୋଶାଳା ନିର୍ମାଣ ପାଇଁ ଦାବି କରିଥିଲେ ।
ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଉପ-ଜିଲ୍ଲାପାଳ ବିନୟ କୁମାର ଭୋଇ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ମହେନ୍ଦ୍ର କୁମାର ସାହୁ, ବନଖଣ୍ଡ ଅଧିକାରୀ ରାଜେନ୍ଦ୍ର ଗୋଚ୍ଛାୟତ ପ୍ରମୁଖ ଉପସ୍ଥିତ ଥିଲେ।
ଶିବିର ପରିଚାଳନାରେ ବି.ଡି.ଓ. ଯୁଗଳ କିଶୋର ବିଶ୍ୱାଳ, ତହସିଲଦାର ଅନିତା କୁମାରୀ ସାହୁ ଡେପୁଟି କଲେକ୍ଟର ଜ୍ୟୋତିରଞ୍ଜନ ଭୁଏ, ଡି ଏସ ଏସ ଓ ରାଜିନ୍ଦ୍ର କିଶାନ ପ୍ରମୁଖ ସହଯୋଗ କରିଥିଲେ।
ଶିବିରରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ବିଭିନ୍ନ ବିଭାଗର ଯନ୍ତ୍ରୀ, ଲାଇନ୍ ବିଭାଗର ଅଧିକାରୀ, ବ୍ଲକସ୍ତରୀୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ଜନସାଧାରଣଙ୍କ ଅଭିଯୋଗ ଶୁଣାଣି ଓ ସମାଧାନ ପ୍ରକ୍ରିୟାରେ ସହଯୋଗ କରିଥିଲେ।
ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡାଙ୍କ ସମେତ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ମଧ୍ୟ ଉପସ୍ଥିତ ଥିଲେ।
ଜନସାଧାରଣଙ୍କ ସମସ୍ୟାର ସମାଧାନ ହିଁ ପ୍ରଶାସନର ପ୍ରମୁଖ ଦାୟିତ୍ୱ ବୋଲି ଦର୍ଶାଇ ଜିଲ୍ଲାପାଳ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଜନମୁଖୀ, ସ୍ୱଚ୍ଛ ଓ ଦାୟିତ୍ୱବାନ ପ୍ରଶାସନ ପ୍ରଦାନ ଦିଗରେ ଆହୁରି ସକ୍ରିୟ ଭାବେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ।

Related Posts