ବାଲିଯାତ୍ରାରେ ପୁଣି ଚାଲିବ ଦୋଳି ! କଟକଣା ହଟାଇଲା ପ୍ରଶାସନ, ଫିଟନେସ୍ ଥିଲେ ମିଳିବ ଅନୁମତି
କଟକ,୨୭/୧୧: ବାଲିଯାତ୍ରାରେ ଦୋଳି ଚାଳନା ଉପରେ ଲାଗିଥିବା କଟକଣା ହଟାଇଛି ପ୍ରଶାସନ। ଏଣିକି ନିର୍ଦ୍ଧାରିତ ନିୟମ ଓ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (SOP) ଅନୁପାଳନ କରି ଦୋଳି ଚାଳନା କରାଯାଇପାରିବ। ଦୋଳିର ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଦୋଳିରେ ଦୁଇ ଜଣ ଅତିରିକ୍ତ କର୍ମଚାରୀ ମୁତୟନ କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି।
ସୂଚନା ଅନୁଯାୟୀ, ବାଲିଯାତ୍ରାରେ ଦୋଳି ଚାଳନା ସମୟରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିବା ପରେ ପୋଲିସ ପକ୍ଷରୁ ଦୋଳି ଚାଳନା ଉପରେ କଟକଣା ଲଗାଯାଇଥିଲା। ଏହାପରେ ଦୋଳି ଚାଳନାର ସୁରକ୍ଷା ବ୍ୟବସ୍ଥା ଓ ଆବଶ୍ୟକୀୟ ନିୟମାବଳୀକୁ ନେଇ ପ୍ରଶାସନ ପକ୍ଷରୁ ସମୀକ୍ଷା କରାଯାଇଥିଲା।
ନୂଆ ନିଷ୍ପତ୍ତି ଅନୁଯାୟୀ, ପ୍ରତ୍ୟେକ ଦୋଳିରେ ଦୁଇ ଜଣ ଅତିରିକ୍ତ କର୍ମଚାରୀ ରହିବେ। ଦୋଳିରେ ଚଢ଼ିବାକୁ ଆସୁଥିବା ଲୋକଙ୍କ ସୁରକ୍ଷା ଉପରେ ସେମାନେ ନଜର ରଖିବେ। ଏଥିସହ ମଦ୍ୟପ ବ୍ୟକ୍ତି ଓ ଶିଶୁମାନଙ୍କୁ ଦୋଳିରେ ଚଢ଼ିବାକୁ ଅନୁମତି ଦିଆଯିବ ନାହିଁ।
SOPଅନୁଯାୟୀ ସମସ୍ତ ସୁରକ୍ଷା ନିୟମ ପାଳନ କରିବାକୁ ଦୋଳି ମାଲିକ ଓ ପରିଚାଳକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଦୁର୍ଘଟଣାର ପୁନରାବୃତ୍ତି ରୋକିବା ସହ ଦର୍ଶକଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ପ୍ରଶାସନ ଏହି ପଦକ୍ଷେପ ନେଇଛି।
ଦୋଳି ଉପରୁ କଟକଣା ହଟିବା ପରେ ବାଲିଯାତ୍ରାକୁ ଆସୁଥିବା ଲୋକଙ୍କ ମଧ୍ୟରେ ଉତ୍ସାହ ଫେରିବା ଆଶା କରାଯାଉଛି।




