ଡିଜେ ସାଉଣ୍ଡରେ ଅସ୍ତବ୍ୟସ୍ତ ଜନଜୀବନ : ହୃଦ୍ରୋଗୀଙ୍କ ପାଇଁ ବିପଦ, ମେଡିକାଲରେ ରୋଗୀଙ୍କ ଚିକିତ୍ସାରେ ବାଧା
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡ଼ା, ୧୯/୯ : ପୂଜା, ପର୍ବପର୍ବାଣୀ ଓ ବିଭିନ୍ନ ଉତ୍ସବ ଅବସରରେ ଡିଜେ ସାଉଣ୍ଡର ଅତ୍ୟଧିକ ବ୍ୟବହାର ଏବେ ସାଧାରଣ ଲୋକଙ୍କ ପାଇଁ ଅସୁବିଧାର କାରଣ ପାଲଟିଛି। ଉଚ୍ଚଶବ୍ଦରେ ଦୀର୍ଘ ସମୟ ଧରି ଡିଜେ ବାଜିବା ଯୋଗୁଁ ବୟସ୍କ, ଶିଶୁ ଓ ଅସୁସ୍ଥ ବ୍ୟକ୍ତିମାନେ ବିଶେଷ ଭାବେ ହଇରାଣ ହେଉଥିବା ଅଭିଯୋଗ ହେଉଛି।
ବିଶେଷ କରି ହୃଦ୍ରୋଗୀ ଓ ଅନ୍ୟ ଗୁରୁତର ରୋଗୀଙ୍କ ପାଇଁ ଅତ୍ୟଧିକ ଶବ୍ଦ ଅଡୁଆ ସୃଷ୍ଟି କରୁଛି।
ଡିଜେର ପ୍ରଚଣ୍ଡ ଶବ୍ଦ ଯୋଗୁଁ ମାନସିକ ଚାପ, ଅସ୍ଥିରତା ଓ ନିଦ୍ରାରେ ବ୍ୟାଘାତ ଭଳି ସମସ୍ୟା ଦେଖାଦେଉଥିବାରୁ ରୋଗୀଙ୍କ ପରିବାର ଚିନ୍ତା ପ୍ରକାଶ କରୁଛନ୍ତି। ଅନ୍ୟପଟେ ମେଡିକାଲ ଓ ହସ୍ପିଟାଲ ନିକଟରେ ମଧ୍ୟ ଉଚ୍ଚଶବ୍ଦରେ ଡିଜେ ବାଜିବା ନେଇ ଅସନ୍ତୋଷ ବଢ଼ିଛି।
ଚିକିତ୍ସାଧୀନ ରୋଗୀଙ୍କ ଆରାମ ଓ ନିରବ ପରିବେଶ ଆବଶ୍ୟକ ଥିବା ବେଳେ ଏଭଳି ଶବ୍ଦ ପରିବେଶ ଚିକିତ୍ସା ବ୍ୟବସ୍ଥାକୁ ମଧ୍ୟ ପ୍ରଭାବିତ କରୁଥିବା ମତ ପ୍ରକାଶ ପାଉଛି। ବାଲିଗୁଡା ସହରର ବିଭିନ୍ନ ଅଞ୍ଚଳରେ ଡିଜେର ଶବ୍ଦସୀମା ଓ ସମୟସୀମା ଉପରେ କଡ଼ା ନଜର ରଖିବା ସହ ହସ୍ପିଟାଲ, ସ୍କୁଲ ଓ ଜନବସତି ନିକଟରେ ଉଚ୍ଚଶବ୍ଦର ଡିଜେ ବ୍ୟବହାର ରୋକିବାକୁ ସ୍ଥାନୀୟ ଲୋକେ ପ୍ରଶାସନ ଓ ପୁଲିସର ଦୃଷ୍ଟି ଆକର୍ଷଣ କରିଛନ୍ତି।
ନକଲି ଏମ୍ଭିଆଇ ଅଧିକାରୀ ଗିରଫ : ୟୁନିଫର୍ମ ପିନ୍ଧି ଯାଞ୍ଚ ନାଁରେ ଠକେଇ : ବିବାହ ପ୍ରତିଶ୍ରୁତି ଦେଇ ମହିଳାଙ୍କୁ ଆର୍ଥିକ ଓ ଯୌନ ଶୋଷଣ ଅଭିଯୋଗ
ବାଲିଗୁଡ଼ା, ୧୯/୯ : ନିଜକୁ ଆର୍ଟିଓ ବିଭାଗର ମୋଟର ଯାନ ନିରୀକ୍ଷକ (ଏମ୍ଭିଆଇ) ଭାବେ ପରିଚୟ ଦେଇ ଲୋକଙ୍କୁ ଠକେଇବା ଅଭିଯୋଗରେ ସାରଙ୍ଗଡ଼ ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି।
ଗିରଫ ଯୁବକ ଧର୍ମେନ୍ଦ୍ର କୁମାର ବେହେରା ଓରଫ ନିଖିଲ କୁମାର ପଟ୍ଟନାୟକ (୩୦) ବୋଲି ପୁଲିସ ପକ୍ଷରୁ ପ୍ରକାଶିତ ପ୍ରେସ୍ ନୋଟ୍ରେ କୁହାଯାଇଛି। ସାରଙ୍ଗଡ଼ ଥାନା କେସ୍ ନଂ-୧୩୨, ତା. ୧୭.୦୯.୨୦୨୬ରେ ବିଏନ୍ଏସ୍ର ଧାରା ୩୧୮(୪)/୩୧୯(୨) ଅନୁଯାୟୀ ମାମଲା ରୁଜୁ ହୋଇଥିବା ପୁଲିସ ସୂଚନା ଦେଇଛି। ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତ ନିଜକୁ ନିୟମିତ ସରକାରୀ ଚାକିରିରେ ଥିବା ଏମ୍ଭିଆଇ ଅଧିକାରୀ ଭାବେ ପରିଚୟ ଦେଇ ଜଣେ ମହିଳାଙ୍କ ବିଶ୍ୱାସ ହାସଲ କରିଥିଲା।
ବିବାହ ପ୍ରସ୍ତାବ ଦେବା ସହ ନିଜ ପ୍ରଭାବ ବ୍ୟବହାର କରି ତାଙ୍କୁ ସରକାରୀ ଚାକିରି କରାଇଦେବାର ପ୍ରତିଶ୍ରୁତି ଦେଇଥିବା ପୁଲିସ କହିଛି।
ଏହି ପ୍ରତିଶ୍ରୁତିରେ ବିଶ୍ୱାସ କରି ଅଭିଯୋଗକାରୀ ଅଭିଯୁକ୍ତଙ୍କୁ ବିଭିନ୍ନ କିସ୍ତିରେ ମୋଟ ୭ ଲକ୍ଷ ୧୮ ହଜାର ୮୫୧ ଟଙ୍କା ଦେଇଥିବା ଅଭିଯୋଗ ହୋଇଛି।
ଟଙ୍କା ଫେରସ୍ତ ମାଗିବା ପରେ ଅଭିଯୁକ୍ତ ମୋବାଇଲ୍ ଫୋନ୍ ବନ୍ଦ କରି ଦେଇଥିବା ପୁଲିସ ପ୍ରକାଶ କରିଛି । ପୁଲିସର ସୂଚନା ଅନୁଯାୟୀ, ଅଭିଯୁକ୍ତଙ୍କ ନିକଟରୁ ଞ୍ଚଞ୍ଚଓଏମ୍ଭିଡି ୟୁନିଫର୍ମ, ନାମଫଳକ, ପୁଲିସ୍ ରେନ୍କୋଟ୍, ଏମ୍ଭିଆଇଙ୍କ ଗାଡ଼ି ଭଳି ଦେଖାଯାଉଥିବା କମଳା ରଙ୍ଗର ଲାଇଟ୍ ଲାଗିଥିବା ମାରୁତି ଏର୍ଟିଗା, ଅନ୍ୟ ଏକ ମାରୁତି ଆଲ୍ଟୋ କାର୍, ଦୁଇଟି ନାମଫଳକ, ୟୁନିଫର୍ମ ପିନ୍ଧିଥିବା ଫଟୋ, ମୋବାଇଲ୍ ଫୋନ୍, ବ୍ୟାଙ୍କ ପାସ୍ବୁକ୍, ଆଧାର କାର୍ଡ ଓ ଶିକ୍ଷାଗତ ପ୍ରମାଣପତ୍ର ଜବତ କରାଯାଇଛି।
ପୁଲିସ ଆହୁରି ଦାବି କରିଛି ଯେ, ଅଭିଯୁକ୍ତ ଏହି ନକଲି ପରିଚୟରେ କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନଧିକୃତ ଭାବେ ଗାଡ଼ି ଯାଞ୍ଚ କରୁଥିଲା।
ବିଭିନ୍ନ ସରକାରୀ କାର୍ୟ୍ୟାଳୟକୁ ଯାଇ ନିଜକୁ ସରକାରୀ ଅଧିକାରୀ ଭାବେ ପରିଚୟ ଦେଇ ଲୋକଙ୍କୁ ପ୍ରଭାବିତ କରୁଥିବା ମଧ୍ୟ ତଦନ୍ତରୁ ଜଣାପଡ଼ିଥିବା କୁହାଯାଇଛି। ଏଥିସହ ଅଭିଯୁକ୍ତ ଏକାଧିକ ମହିଳାଙ୍କୁ ବିବାହ ପ୍ରସ୍ତାବ ଦେଇ ମିଥ୍ୟା ପ୍ରତିଶ୍ରୁତି ଜରିଆରେ ଆର୍ଥିକ ଓ ଯୌନ ଶୋଷଣ କରିଥିବା ନେଇ ପୁଲିସ ତଦନ୍ତ କରୁଛି।
ଏହି ଘଟଣାରେ ଆଉ କେତେଜଣ ଠକେଇର ଶିକାର ହୋଇଛନ୍ତି ଏବଂ ଅଭିଯୁକ୍ତ ସହ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ତଦନ୍ତ ଜାରି ରହିଛି। ଗିରଫ ଅଭିଯୁକ୍ତଙ୍କୁ ବାଲିଗୁଡ଼ା ଏସ୍ଡିଜେଏମ୍ ଅଦାଲତକୁ ଚାଲାଣ କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।




