Odisha News

ଚାଷୀଙ୍କ ଜୀବନରେଖା ଶଗଡ଼ିଆ ନାଳ ପୁନ୍ନରୁଦ୍ଧାର ଦାବି

ଗୁଲାମ୍ ଗସ୍‌ଙ୍କ ରିପୋର୍ଟ
ଧର୍ମଶାଳା, ୨୮/୭ : ଧର୍ମଶାଳା ବ୍ଲକର ଚାଷୀମାନଙ୍କ ଜୀବନ ରେଖା କୁହାଯାଉଥିବା ଶାଗଡିଆ ନାଳରେ ପୁନ୍ନରୁଦ୍ଧାର କରିବାକୁ ଚାଷୀମାନେ ଦାବି କରିଛନ୍ତି।
ଧର୍ମଶାଳା ବ୍ଲକରେ ୪୫ ଗୋଟି ପଂଚାୟତ ଥିବା ବେଳେ ସେଥିମଧ୍ୟରୁ ୧୯ ଗୋଟି ପଞ୍ଚାୟତର ଚାଷୀମାନେ ଶଗଡ଼ିଆ ନାଳ ଉପରେ ନିର୍ଭରଶୀଳ। ଏହି ନାଳ ଆରୁହା ପଞ୍ଚାୟତ ନାନପୁର ଓ ବାଟିଜଙ୍ଗାରୁ ବାହାରି ୧୬ନଂ ଜାତୀୟ ରାଜପଥ ଅତିକ୍ରମ କରି ଧର୍ମଶାଳା ବ୍ଲକ ପଟୁଣିଆ ପଞ୍ଚାୟତସ୍ଥିତ ଗେଙ୍ଗୁଟି ନଦୀରେ ମିଶିଛି।
ଦୀର୍ଘ ୨୨ କିମି ବିଶିଷ୍ଟ ଏହି କେନାଲ ଚାଷୀଙ୍କ ଜୀବନରେଖା ପାଲଟି ଥିବା ବେଳେ ଏହା ଏବେ ପୋତିହୋଇ ତାର ଅସ୍ଥିତ୍ୱ ହରାଇବାକୁ ବସିଛି। ନାଳ ଅନେକ ସ୍ଥାନରେ ପୋତି ହେବା ସହ ଦଳ ଓ ଅନାବନା ଗଛରେ ଭର୍ତ୍ତି ହୋଇଛି।
ଫଳରେ ନାଳରେ ସଠିକ ଭାବରେ ପାଣି ଆସୁନାହିଁ। ଯାହାଦ୍ୱାରା ଚାଷ ଜମିକୁ ପାଣି ମାଡ଼ିପାରୁ ନାହିଁ। ସେଥିପାଇଁ ଫସଲ ହାନି ଘଟିବା ସହ ଚାଷ ଜମି ଗୁଡିକ ପଡିଆ ପଡୁଛି।
ଏଭଳି ଅବସ୍ଥା ଲାଗିରହିବା ଫଳରେ ଯୁବ ଚାଷୀମାନେ ବାଧ୍ୟ ହୋଇ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ଶଗଡ଼ିଆ ନାଳର ଉଭୟ ପାର୍ଶ୍ୱରେ ବନ୍ଧ ନିର୍ମାଣ କରିବା ସହ ନାଳର ପୁନଃଉଦ୍ଧାର ନେଇ ନବନିର୍ମାଣ କୃଷକ ସଂଗଠନର ଜିଲ୍ଲା ସଂଯୋଜକ ବସନ୍ତ କୁମାର ପରିଡା ଦାବି ଉଠାଇଛନ୍ତି।
ପ୍ରକାଶ ଥାଉକି, ଚାଷ ଓ ଚାଷୀର ବିକାଶ ପାଇଁ ରାଜ୍ୟ ସରକାର ବାର୍ଷିକ କୋଟି କୋଟି ଟଙ୍କା ମଂଜୁର କରୁଛନ୍ତି। ହେଲେ ନାଳର ପୁନ୍ନଉଦ୍ଧାର କାର‌୍ୟ୍ୟ ହୋଇପାରିଲା ନାହିଁ।
ଦୀର୍ଘବର୍ଷ ହେବ ନାଳର ମରାମତି ହୋଇ ନଥିବାରୁ ନାଳ ପୋତି ହୋଇପଡିଛି। କୃଷକ ସଂଗଠନ ଗୁଡିକ ନାଳର ମରାମତି ନେଇ ଦାବି ଉଠାଇଥିଲେ ମଧ୍ୟ ତାର ସୁଫଳ ମିଳିପାରି ନାହିଁ।
ଧର୍ମଶାଳା ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ କିଶାନ ପଣ୍ଡା ଆଜକୁ ୧୦ ବର୍ଷ ତଳେ ଜାରକା ଜଳ ସେଚନ ବିଭାଗର ପୂର୍ବତନ ନିର୍ବାହୀ ଯନ୍ତ୍ରୀଙ୍କ ସହ ଆଲୋଚନା କରିବା ସହ କ୍ଷେତ୍ର ପରିଦର୍ଶନ କରି କିଭଳି ଶଗଡ଼ିଆ ନାଳର ପୁନ୍ନଉଦ୍ଧାର ହୋଇପାରିବ ଏନେଇ ଆଲୋଚନା କରିଥିଲେ।
ନାଳର ପୁନ୍ନଉଦ୍ଧାର ନେଇ ବିଭାଗ ପକ୍ଷରୁ ଅର୍ଥ ମଂଜୁର ହୋଇଥିଲା।ହେଲେ ଅସାଧୁ ଠିକାଦାର ଓ ଯନ୍ତ୍ରୀ ନାଳ କାର‌୍ୟ୍ୟକୁ ତ୍ୱରାନ୍ୱିତ୍ୱ କରିବା ପରିବର୍ତ୍ତେ ରାଧେରାଧେ ଅଧେଅଧେ ନ୍ୟାୟରେ ଅର୍ଥ ଆତ୍ମସାତ କରିଥିବା ଅଭିଯୋଗ ହୋଇଛି।
ନାମକୁ ମାତ୍ର କେବଳ ନାଳରେ କିଛି ଜାଗାରେ ଲଘୁ ଜଳ ସଂପଦ ବିଭାଗ ପକ୍ଷରୁ ଛୋଟଛୋଟ ଡ୍ୟାମ ନିର୍ମାଣ କରାଯାଇଛି। ଡ୍ୟାମ ଗୁଡିକରେ ବହୁ ଅର୍ଥ ଖର୍ଚ୍ଚ କରାଯାଇଛି।
ସେଥିରେ ମଧ୍ୟ ବ୍ୟାପକ ଅନିୟମିତତା ହୋଇଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ଅଧିକ ବର୍ଷା ହେଲେ ଡ୍ୟାମ ଗୁଡିକ ବୁଡିଯାଉଥିବା ଦେଖିବାକୁ ମିଳିଛି।
ବିଭାଗ ପକ୍ଷରୁ ନାଳର ପୁନ୍ନଉଦ୍ଧାର କାର୍ଯ୍ୟ କରାନଯାଇ କେବଳ ଠିକାଦାର ସନ୍ତୁଷ୍ଟି କରଣ କାର୍ଯ୍ୟକୁ ଅଧିକ ଗୁରୁତ୍ୱ ଦିଆଯାଉଛି।
ଯାହା ଫଳରେ ବହୁ ପୁରାତନ ଶଗଡ଼ିଆ ନାଳ ଏବେ ତାର ଅସ୍ତିତ୍ବ ହରାଇବାକୁ ବସିଛି। ଯଦି ବିଭାଗ ପକ୍ଷରୁ ନାଳର ମରାମତି କରାନଯାଏ।
ତେବେ ଚାଷୀଙ୍କ ଜୀବନରେଖା ପାଲଟି ଥିବା ଶଗଡ଼ିଆ ନାଳ ଅସ୍ତିତ୍ବ ହରାଇବ ଏଥିରେ ସନ୍ଦେହ ନାହିଁ।
ଏହି ନାଳ ଉପରେ ଚାଷ କାର୍ଯ୍ୟପାଇଁ ନିର୍ଭର କରୁଥିବା ବ୍ଲକର ଆରୁହା,ହରିଦାସପୁର,ଗଙ୍ଗାଧରପୁର,ନେଉଳପୁର,ସୁନ୍ଦରିଆ,ଥାନୁଆଳ,କଣ୍ଟିଗଡ଼ିଆ,କ୍ଷେତ୍ରପାଳ,ଅରେଇକଣା,କଦମପାଳ,କୋତପୁର ମିର୍ଜାପୁର,ପାଟପୁର,ଭୁବନ,ଅଭୟପୁର, କାଏମା, ଜାରକା, ଚୋରମୁଁହା,ପଟୁଣିଆ ପ୍ରମୁଖ ପଂଚାୟତ ଶାଗଡିଆ ନାଳ ଉପରେ ଚାଷ ଏବଂ ମତ୍ସ୍ୟ ଚାଷ ପାଇଁ ଶଗଡ଼ିଆ ନାଳ ଉପରେ ନିର୍ଭର କରିଥାନ୍ତି. ପୋତି ହୋଇପଡିଥିବା ଶାଗଡିଆ ନାଳର ପୁନ୍ନଉଦ୍ଧାର କରିବାକୁ ଚାଷୀମାନେ ଦାବି କରିଛନ୍ତି।

Related Posts