Odisha News

କେନ୍ଦୁଝରରେ ଅଭାବନୀୟ ଘଟଣା; ଆରଡେଇ ନଦୀରେ ବୁଡ଼ି ୨ ଭାଇଙ୍କ ମୃତଦେହ ଉଦ୍ଧାର

ବଡ଼ବିଲ/ କେନ୍ଦୁଝର,୧୦/୧୦: ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ବଡ଼ ଅଘଟଣ । ପାଣି ସୁଅରେ ଭାସିଯାଇ ଦୁଇ ଭାଇଙ୍କ ସଲୀଳ ସାମଧି । ଅନ୍ୟ ଜଣେ ୧୩ ବର୍ଷୀୟ ନାବାଳକ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି । କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା ଅନ୍ତର୍ଗତ ସିଲିସୁଆଁ ନିକଟସ୍ଥ ଅରଡ଼େଇ ନଦୀରେ ଘଟିଯାଇଛି ଏହି ଦୁଃଖଦ ଘଟଣା ।
ସୂଚନା ଅନୁଯାୟୀ, ଝୁମ୍ପୁରା ଥାନା ଅନ୍ତର୍ଗତ ଅର୍ଶଳା ମୁସଲିମ ବସ୍ତିର ମହମ୍ମଦ ମହିବୁର ରହମାନଙ୍କ ଦୁଇ ପୁଅ, ଅହମଦ ଅନସାରୀ (୧୪) ଏବଂ ସାଦ୍ ଅନସାରୀ (୧୩) ଏବଂ ତାଙ୍କ ପଡ଼ୋଶୀ ଏମ୍.ଡି. ମଜୁମଙ୍କ ପୁଅ ମୁସ୍ତଫା (୧୩) ସାଙ୍ଗ ହୋଇ ଗାଧୋଇବା ପାଇଁ ସିଲିସୁଆଁ ଅରଡ଼େଇ ନଦୀକୁ ଯାଇଥିଲେ। ତେବେ ଗାଧୋଉଥିବା ସମୟରେ ଅସାବଧାନତାବଶତଃ ୩ ଜଣ ଯାକ ନଦୀର ଗଭୀର ଜଳରେ ବୁଡ଼ି ଭାସି ଯାଇଥିଲେ।
ଏହା ଦେଖି ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକେ ତୁରନ୍ତ ନଦୀ ଭିତରକୁ ଡେଇଁ ୨ ଜଣଙ୍କୁ ଉଦ୍ଧାର କରିଥିଲେ ହେଁ ୧୩ ବର୍ଷୀୟ ସାଦ୍ ଅନସାରୀଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ଗୁରୁତର ଥିବା ମୁସ୍ତଫାଙ୍କୁ ତୁରନ୍ତ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ ବଡ଼ଭାଇ ଅହମଦ ଅନସାରୀ ଭାସିଯାଇ ନିଖୋଜ ହୋଇଯାଇଥିଲେ । ତେବେ ପ୍ରାୟ ୬ ଘଣ୍ଟା ଧରି ଅଗ୍ନିଶମ ବାହିନୀ ଖୋଜାଖୋଜି କରିବା ପରେ ଅହମଦଙ୍କ ମୃତଦେହ ଉଦ୍ଧାର ହୋଇଛି। ସେପଟେ ଏହି ଘଟଣା ପରେ ସମଗ୍ର ଅର୍ଶଳା ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Related Posts