Odisha News

ସରକାରୀ ପଞ୍ଜିକୃତ ହେଲା ଉପଖଣ୍ଡ ସ୍ତରୀୟ ବରିଷ୍ଠ ନାଗରିକ ସଂଘ : ସ୍ୱାସ୍ଥ୍ୟ, ଶିକ୍ଷାଠାରୁ ଆରମ୍ଭ କରି ପରିବେଶ ସୁରକ୍ଷା ଓ ଅସହାୟ ବୃଦ୍ଧବୃଦ୍ଧାଙ୍କ ସେବାକୁ ଗୁରୁତ୍ୱ

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡ଼ା, ୨୫/୯ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ସ୍ତରୀୟ ବରିଷ୍ଠ ନାଗରିକ ସଂଘ ସୋସାଇଟି ଆକ୍ଟ, ୧୮୬୦ ଅନୁଯାୟୀ ସରକାରୀ ଭାବେ ପଞ୍ଜିକୃତ ହୋଇଛି। ସଂଘର ପଞ୍ଜିକରଣ ନମ୍ବର ୧/୨୦୨୫୨୬୦୯୦୦୦୦୧/୨୦୨୬-୨୭ ବୋଲି ଜଣାପଡ଼ିଛି। ପଞ୍ଜିକରଣ ପରେ ଏହାର ସାର୍ଟିଫିକେଟ କନ୍ଧମାଳ ଅତିରିକ୍ତ ଜିଲ୍ଲାପାଳ କୁଶଳ ଚନ୍ଦ୍ର ନାୟକଙ୍କ ଦ୍ୱାରା ସଂଘର କର୍ମକର୍ତ୍ତାଙ୍କୁ ପ୍ରଦାନ କରାଯାଇଥିଲା।
ଏହି ଅବସରରେ ସଂଘର ସଭାପତି ଡ. ମଧୁସୂଦନ ମହାପାତ୍ର, ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ନାୟକ, ସହସମ୍ପାଦକ ସନ୍ୟାସୀ ନାୟକ, ନିର୍ବାହୀ କମିଟି ସଦସ୍ୟ ପାଉଲ ମଣ୍ଡଳ, ଯୋଗେନ୍ଦ୍ର ପଟ୍ଟନାୟକ, ବିନୋଦ ମିଶ୍ର, ଲକ୍ଷ୍ମୀଧର ରାଉତ, ସନାତନ ପରିଛା ପ୍ରମୁଖ ଉପସ୍ଥିତ ଥିଲେ। ସଂଘର ପଞ୍ଜିକରଣ ନେଇ ବାଲିଗୁଡ଼ାସ୍ଥିତ ସଂଘ କାର୍ଯ୍ୟାଳୟରେ ସଭ୍ୟସଭ୍ୟାଙ୍କ ପକ୍ଷରୁ କର୍ମକର୍ତ୍ତାମାନଙ୍କୁ ସ୍ୱାଗତ ଓ ଅଭିନନ୍ଦନ ଜଣାଯାଇଥିଲା। ପଞ୍ଜିକୃତ ସଂଘ ଆଗାମୀ ଦିନରେ ବିଭିନ୍ନ ସାମାଜିକ ଓ ଜନକଲ୍ୟାଣମୂଳକ କାର୍ଯ୍ୟରେ ସକ୍ରିୟ ଭୂମିକା ନେବ ବୋଲି ସଦସ୍ୟ ମାନେ କହିଛନ୍ତି।
ସ୍ୱାସ୍ଥ୍ୟ ଓ ଶିକ୍ଷାର ପ୍ରସାର, ପାନୀୟ ଜଳ ସମସ୍ୟାର ସମାଧାନ, ବୃକ୍ଷରୋପଣ ଓ ପରିବେଶ ସୁରକ୍ଷା, ବାଲ୍ୟବିବାହ ନିରୋଧ, କ୍ରୀଡ଼ାର ବିକାଶ, ଅନ୍ଧବିଶ୍ୱାସ ଓ କୁସଂସ୍କାର ଦୂରୀକରଣ, ଅସ୍ପୃଶ୍ୟତା ବିରୋଧୀ ସଚେତନତା ସହ ଯୋଗ ଓ ପ୍ରାଣାୟାମ ଭଳି କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦିଆଯିବ।
ଏଥିସହ ଅସହାୟ ବରିଷ୍ଠ ନାଗରିକ, ବୃଦ୍ଧ ଓ ବୃଦ୍ଧାମାନଙ୍କ ପାଇଁ ମାଗଣା ରହିବା ଓ ଖାଇବା ବ୍ୟବସ୍ଥା କରିବା ଦିଗରେ ମଧ୍ୟ ସଂଘ ପଦକ୍ଷେପ ନେବାକୁ ମତ ପ୍ରକାଶ କରିଛି। ଧାର୍ମିକ ଓ ସାଂସ୍କୃତିକ କାର୍ଯ୍ୟ ସହ ସମାଜସେବାକୁ ଯୋଡ଼ି ବରିଷ୍ଠ ନାଗରିକମାନଙ୍କ ଅଭିଜ୍ଞତାକୁ ସମାଜର ବିକାଶରେ ବିନିଯୋଗ କରିବା ଏହି ସଂଘର ମୁଖ୍ୟ ଲକ୍ଷ୍ୟ ବୋଲି କର୍ମକର୍ତ୍ତାମାନେ ପ୍ରକାଶ କରିଛନ୍ତି।
ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ : ଗଛ ପଡ଼ି ବିଦ୍ୟୁତ ସେବା ବିପର୍ଯ୍ୟସ୍ତ, ଅନ୍ଧାରରେ ଅନେକ ଅଞ୍ଚଳ
ବାଲିଗୁଡ଼ା, ୨୫/୯: ସମଗ୍ର କନ୍ଧମାଳ ଜିଲ୍ଲା ସମେତ ବାଲିଗୁଡା ତଥା ଏହାର ଆଖ ପାଖ ଅଞ୍ଚଳ ରେ ଲଗାଣ ବର୍ଷା ଜାରି ରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଦିନତମାମ ଝିପିଝିପିରୁ ମୁଷଳଧାରା ବର୍ଷା ଲାଗି ରହିବା ଯୋଗୁଁ ରାସ୍ତାଘାଟରେ ଯାତାୟାତ ପ୍ରଭାବିତ ହୋଇଛି। ଏହାସହ ପ୍ରବଳ ବର୍ଷା ଓ ପବନ ଯୋଗୁଁ ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ପଡ଼ିବାରୁ ବିଦ୍ୟୁତ ତାର ଛିଣ୍ଡିବା ସହ ବିଦ୍ୟୁତ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି।
ଅନେକ ଅଞ୍ଚଳରେ ବିଦ୍ୟୁତ ବିଚ୍ଛିନ୍ନ ହେବାରୁ ଲୋକେ ଘଣ୍ଟା ଘଣ୍ଟା ଧରି ଅନ୍ଧାରରେ ରହୁଛନ୍ତି। ବାଲିଗୁଡ଼ାରୁ ଫୁଲବାଣୀ ଯାଉଥିବା ମୁଖ୍ୟ ରାସ୍ତାର ଡାମରିକିଆ ଠାରେ ଏକ ବଡ଼ ଗଛ ଉପୁଡ଼ି ରାସ୍ତା ଉପରେ ପଡ଼ିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଗଛ ପଡ଼ିବା ସମୟରେ ବିଦ୍ୟୁତ୍ ତାର ମଧ୍ୟ ଛିଡ଼ି ରାସ୍ତାରେ ପଡ଼ିଥିବାରୁ ପରିସ୍ଥିତି ଅଧିକ ଜଟିଳ ହୋଇଛି।
ଗଛଟି ରାସ୍ତାର ମଝିରେ ପଡ଼ି ରହିଥିବାରୁ ବାଲିଗୁଡ଼ା ଓ ଫୁଲବାଣୀ ଉଭୟ ଦିଗରୁ ଆସୁଥିବା ଯାନବାହନ ଅଟକି ରହିଥିଲା । ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଗାଡ଼ି ଅଟକି ରହିବା ସହ ଯାତ୍ରୀ ଓ ଚାଳକମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ ।
ବର୍ଷା ଯୋଗୁଁ ସାଧାରଣ ଜୀବନଯାତ୍ରା ମଧ୍ୟ ବାଧାପ୍ରାପ୍ତ ହୋଇଛି। ବଜାରଘାଟ, ବ୍ୟବସାୟ ପ୍ରତିଷ୍ଠାନ ଓ ସରକାରୀ କାର‌୍ୟ୍ୟାଳୟରେ ମଧ୍ୟ ବର୍ଷାର ପ୍ରଭାବ ପରିଲକ୍ଷିତ ହୋଇଛି।
ଗଛ ପଡ଼ି ବିଦ୍ୟୁତ ସେବା ବ୍ୟାହତ ହେବା ପରେ ବିଦ୍ୟୁତ ବିଭାଗ ପକ୍ଷରୁ କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଗଛ ହଟାଇବା ଓ ତ୍ରୁଟି ସଜାଡ଼ିବା କାର୍ଯ୍ୟ ଆରମ୍ଭ କରିଥିବା ଜଣାପଡ଼ିଛି। ଲଗାଣ ବର୍ଷା ଆହୁରି ଜାରି ରହିଲେ ପରିସ୍ଥିତି ଅଧିକ ଜଟିଳ ହେବା ଆଶଙ୍କା ରହିଛି।

Related Posts