Odisha News

ସଞ୍ଜୀବ ବିଶ୍ଵାଳ ହତ୍ୟା ଘଟଣା : ମଙ୍ଗଳା ସାଧିକା ଏବଂ ତାଙ୍କ ୩ ପୁଅ ଗିରଫ

ଆଠମଲ୍ଲିକ,୩୦/୭: ନାବାଳକ ସଞ୍ଜୀତ ବିଶ୍ୱାଳ ମୃତ୍ୟୁ ମାମଲାରେ ସାଧିକା ଓ ତାଙ୍କ ୩ ପୁଅଙ୍କୁ ଉଠାଇ ନେଇଛି ପୁଲିସ୍। ସେମାନଙ୍କୁ ଆଠମଲ୍ଲିକ ଥାନାରେ ରଖି ଘନଘନ ଜେରା କରୁଛି। ସଞ୍ଜୀତ ମୃତ୍ୟୁରେ ତାଙ୍କର କ’ଣ ଭୂମିକା ରହିଛି? ଆଉ ସଞ୍ଜୀତଙ୍କ ମାଆ ଆଣିଥିବା ଅଭିଯୋଗର କେତେ ସତ୍ୟାସତ୍ୟ ରହିଛି? ସେ ସମ୍ପର୍କରେ ଜାଣିବା ପାଇଁ ପୁଲିସ୍ ସେମାନଙ୍କୁ ଜେରା କରୁଛି।
ସେପଟେ ସଞ୍ଜୀତ ମୃତ୍ୟୁ ମାମଲାକୁ ନେଇ ଅନୁଗୋଳ ଏସ୍ପି ସୁଧାଂଶୁ ଶେଖର ମିଶ୍ର କହିଛନ୍ତି, ପ୍ରାଥମିକ ତଦନ୍ତରୁ ମାମଲାରେ ଅଭିଯୋଗ ଆସିଥିବା ମହିଳାଙ୍କ ସମ୍ପୃକ୍ତି ରହିଥିବା ଜଣାପଡ଼ିଛି। ତଥାପି ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ସାଇଣ୍ଟିଫିକ ଟିମ୍ ରିପୋର୍ଟ ଆସିବା ପରେ ନାବାଳକଙ୍କ ମୃତ୍ୟୁ କିଭଳି ହୋଇଛି ତାହା ସ୍ପଷ୍ଟ ହୋଇପାରିବ। ଅପରପକ୍ଷରେ ନାବାଳକଙ୍କୁ ବଳି ଦିଆଯାଇଥିବା ଅଭିଯୋଗ ଦିଗରେ ମଧ୍ୟ ତଦନ୍ତ ଚଳିଛି ବୋଲି ଅନୁଗୋଳ ଏସ୍ପି କହିଛନ୍ତି।
ସଞ୍ଜୀତ ମୃତ୍ୟୁକୁ ନେଇ ଆଜି ମଧ୍ୟ ଗାଁରେ ଉତ୍ତେଜନାମୂଳକ ପରିସ୍ଥିତି ରହିଛି। ନାବାଳକ ଅଧିଆ ପଡିଥିବା ମଙ୍ଗଳା କୋଠିକୁ ଲୋକେ ଭାଙ୍ଗିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏକଥା ଜାଣିବା ପରେ ଗାଁରେ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଗତ ୨୨ ତାରିଖରେ ସୁବର୍ଣ୍ଣପୁର ଗାଁର ସଞ୍ଜୀତ ବିଶ୍ୱାଳ ନିଜ ମାଆ ବାସନ୍ତୀ ବିଶ୍ୱାଳଙ୍କ ସହ ଟୁସର ଗାଁରେ ଥିବା ମଙ୍ଗଳା କୋଠିକୁ ଯାଇଥିଲେ।
ସେହିଦିନ ରାତିରେ ମଙ୍ଗଳା କୋଠି ଚଳାଉଥିବା ରୀତାଞ୍ଜଳି ବାଘଙ୍କ ପରାମର୍ଶରେ ସଞ୍ଜୀତ ଅଧିଆ ପଡ଼ିଥିଲେ। ତାଙ୍କ ମାଆ ଅନ୍ୟ ଏକ କୋଠରୀରେ ଶୋଇଥିଲେ। ତା’ପର ଦିନ ଅର୍ଥାତ ୨୩ ତାରିଖ ସକାଳ ପ୍ରାୟ ୫ଟା ସମୟରେ ପୁଅ ନଥିବା ଦେଖି ମାଆ ବାସନ୍ତୀ ବିଶ୍ୱାଳ ବ୍ୟସ୍ତ ହୋଇପଡ଼ିଥିଲେ। ପୁଅକୁ ଚାରିଆଡ଼େ ଖୋଜିଥିଲେ। ମାତ୍ର ସଞ୍ଜୀତଙ୍କ କୌଣସି ପତ୍ତା ପାଇନଥିଲେ। ବହୁ ଖୋଜାଖୋଜି ପରେ ୨୪ ତାରିଖରେ କିଆକଟା ଥାନାରେ ଅଭିଯୋଗ କରିଥିଲେ।
ଗତ ୨୮ ତାରିଖରେ ନିଖୋଜ ନାବାଳକଙ୍କ ଗଳିତ ଝୁଲନ୍ତା ମୃତଦେହ ବାରେଣୀ ନିକଟସ୍ଥ ଜଙ୍ଗଲରୁ ଉଦ୍ଧାର କରାଯାଇଥିଲା। ଏହି ଖବର ପ୍ରଚାର ହେବା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା।
ସଞ୍ଜୀତଙ୍କୁ ବଳି ଦିଆଯାଇଥିବା ଅଭିଯୋଗ ଆଣି ଗାଁ ଲୋକେ ଗତ ଶୁକ୍ରବାର ବାରେଣୀ ଛକରେ ରାସ୍ତାରୋକ କରିଥିଲେ। ଉତ୍ତ୍ୟକ୍ତ ଲୋକେ ବୁଝାସୁଝା କରିବାକୁ ଯାଇଥିବା ପୁଲିସ୍ ଭ୍ୟାନ ଜାଳି ଦେଇଥିଲେ। ଲଙ୍କାକାଣ୍ଡ ପରେ ପୁଲିସର ବରିଷ୍ଠ ଅଧିକାରୀ ପହଞ୍ଚି ବୁଝାସୁଝା ପରେ ବିଳମ୍ବିତ ରାତିରେ ରାସ୍ତାରୋକ ହଟିଥିଲା।
ପୁଲିସ୍ ସଞ୍ଜୀତଙ୍କ ମୃତଦେହକୁ ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ କଟକ ଏସ୍ସିବି ମେଡିକାଲ କଲେଜର ଏଫ୍ଏମ୍ଟି ବିଭାଗକୁ ପଠାଇ ଦେଇଛି। ମାମଲାର ତଦନ୍ତ ପାଇଁ ଅତିରିକ୍ତ ଏସ୍ପିଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇଛି। ଏଥିସହ ଘଟଣା ସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସହାୟତା ନେଇଛି ପୁଲିସ୍।

Related Posts

Seo wordpress plugin by www.seowizard.org.