ଲଘୁଚାପଜନିତ ଲଗାଣ ବର୍ଷାର ପ୍ରଭାବ: ଗଛ ପଡି ରାସ୍ତା ଅବରୋଧ , ବାଲିଗୁଡା ଅଞ୍ଚଳ ବାସୀ ସମ୍ପୂର୍ଣ୍ଣ ଅନ୍ଧାରରେ
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୫/୭ : କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖ ପାଖ ଅଞ୍ଚଳ ରେ ଆଜକୁ ଦୀର୍ଘ ୫ ଦିନ ଧରି ଲଘୁଚାପ ଜନିତ ବର୍ଷା ଲାଗି ରହିଥିବାରୁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇଗଲାଣି ।
ଶୁଖିଥିବା ନଦୀ, ନାଳ, ପୋଖରୀ, କୂଅ ସବୁ ପରିପୂର୍ଣ୍ଣ ହୋଇ ବିପଦ ସଂକେତ ଆଡ଼କୁ ଗତି କଲାଣି,ଏହି ଲଗାଣ ବର୍ଷା ଜୀବନ ଯାତ୍ରାରେ ବ୍ୟାଘାତ ସୃଷ୍ଟି କରିଛି ।
ଲୋକେ ଘରୁ ବାହାରକୁ ବାହାରି କୌଣସି କାର୍ୟ୍ୟ କରିପାରୁନାହାନ୍ତି । ଚାଷୀଠାରୁ ଆରମ୍ଭ କରି ମଜୁରିଆ ସମସ୍ତେ ଘରେ ହାତବାନ୍ଧି ବସିଛନ୍ତି । କନ୍ଧମାଳ ଜିଲ୍ଲା ପାଣିପାଗ ବିଭାଗ ର ତଥ୍ୟ ଅନୁଯାୟୀ ରବିବାର ବାଲିଗୁଡା ରେ ୨୧୦ ମିଲି ମିଟର ବର୍ଷା ର ରେକର୍ଡ କରାଯାଇଥିବା ବେଳେ ଚକପାଦ ୨୦୪. ୬, ଦାରିଙ୍ଗିବାଡିରେ ୫୯, ଜି. ଉଦୟଗିରି ରେ ୨୨୦, କୋଟଗଡ଼ ରେ ୧୦୧, କ. ନୂଆଗାଁ ରେ ୧୬୦, ରାଇକିଆରେ ୧୯୦. ୬
ଟିକାବାଲି ରେ ୨୧୭, ଏବଂ ତୁମୁଡିବନ୍ଧ ରେ ୧୦୦. ୨ ମି.ମି.ବର୍ଷା ହୋଇଥିବା ରେକର୍ଡ କରାଯାଇଛି ।
ବାଲିଗୁଡା ଟାଉନ ର ବସଷ୍ଟାଣ୍ଡ ଭିତରେ ଡ୍ରେନେଜ ବ୍ୟବସ୍ଥା ଠିକ ନ ଥିବାରୁ ବର୍ଷା ଜଳ ନିଷ୍କାସନ ହୋଇନପାରି ଦୋକାନ ଭିତରେ ପଶି ବହୁ ବ୍ୟବସାୟୀ ଙ୍କ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ବସଷ୍ଟାଣ୍ଡ ନିକଟସ୍ତ ବୁଡ଼ାଗୁଡା ଯିବା ରାସ୍ତାରେ ଥିବା ଆଦର୍ଶ ପୁଷ୍କରିଣୀରେ ପ୍ରବଳ ବର୍ଷା ପାଣି ଆସି ଗୋଟିଏ ପାଖ ଗାର୍ଡ ୱାଲ ଧୋଇ ହୋଇ ଯିବାରୁ ରାସ୍ତା କୁ ପାଣି ଆସି ଥିଲା, ଯାହା ଫଳରେ ପାଣି କମିବା ପର୍ଯ୍ୟନ୍ତ ଯାତାୟାତ ବନ୍ଦ ହୋଇଥିଲା ।
ସେହିପରି ୫୯ ନଂ. ଜାତୀୟ ରାଜପଥ ର ଗଦରିଙ୍ଗିଆ ଘାଟି ନିକଟରେ ଶନିବାର ମଧ୍ୟ ରାତ୍ର ପରେ ପରେ ଏକ ବଡ଼ ଗଛ ଉପୁଡି ପଡିବାରୁ ଯାତାୟାତ ରେ ଘୋର ବ୍ୟାହତ ସୃଷ୍ଟି ହୋଇଥିଲା, ଯାହା ଫଳରେ ରବିବାର ଦିନ ୧୦ ଘଣ୍ଟ ପର୍ଯ୍ୟନ୍ତ ରାସ୍ତାର ଦୁଇ ପାର୍ଶ୍ଵ ରେ ଶତାଧିକ ଯାନବାହାନ ଅଟକି ରହି ଯାତ୍ରୀ ମାନେ ଜଙ୍ଗଲ ମଧ୍ୟରେ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହୋଇଥିଲେ ।
ଏତଦ ବ୍ୟତୀତ ଆଖ ପାଖ ଅଞ୍ଚଳ ର ବିଭିନ୍ନ ସ୍ଥାନରେ ବହୁ ବଡ଼ ବଡ଼ ଗଛ ଓ ଡାଳ ଭାଙ୍ଗି ବିଦ୍ୟୁତ ସେବା ମଧ୍ୟ ସମ୍ପୂର୍ଣ୍ଣ ଠପ ହେବା ଫଳରେ ବାଲିଗୁଡା ଓ ଆଖ ପାଖ ଅଞ୍ଚଳ ର ହଜାର ହଜାର ଉପଭୋକ୍ତା ଅନ୍ଧାରରେ ଥିବା ଜଣା ପଡିଛି ।
ଏହି ଲଗାଣ ବର୍ଷା ଯୋଗୁଁ ବାଲିଗୁଡ଼ା, କ. ନୂଆଗାଁ, ରାଇକିଆ, କୋଟଗଡ଼, ଜି. ଉଦୟଗିରି ଏବଂ ତୁମୁଡ଼ିବନ୍ଧ, ଦାରିଙ୍ଗବାଡି, ଟିକାବାଲି, ଚକାପାଦ ଭଳି ବିଭିନ୍ନ ଅଞ୍ଚଳରେ ଚାଷକାର୍ଯ୍ୟ ଆରମ୍ଭ ହୋଇପାରିନାହିଁ, ଦୁର୍ଗମ ଅଞ୍ଚଳର କିଛି ଗ୍ରାମରେ ବିଦ୍ୟୁତ ସେବା ସାମାନ୍ୟ ବ୍ୟାଘାତ ଦେଖାଦେଇଛି ।
୫ଦିନ ହେଲାଣି ଲଗାଣ ବର୍ଷା ଲାଗି ରହିବା ଫଳରେ ସୋଲାର ଦ୍ବାରା ଉଠାଜଳ ଯୋଗାଣ ସଂପୂର୍ଣ୍ଣ ଠପ ହୋଇଯାଇଛି ।
ଯାହା ଫଳରେ ଜିଲ୍ଲାର ୭୦ ପ୍ରତିଶତ ଗ୍ରାମରେ ଏହା ଉପରେ ନିର୍ଭର କରି ପାନୀୟ ଜଳ ବ୍ୟବହାର କରୁଥିବା ଜନସାଧାରଣ ବହୁତ ଅସୁବିଧା ରେ ପଡ଼ିଥିବା ଦେଖିବାକୁ ମିଳିଛି ।
ବାଲିଗୁଡା ବନାଞ୍ଚଳ ର ଲଣ୍ଡାଗାଁ ରେ ୪ ହଜାର ବାଉଁଶ ଚାରା ରୋପଣ
ବାଲିଗୁଡ, ୫/୭ : ଓଡିଶା ସରକାରଙ୍କ ଜଙ୍ଗଲ ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ୭୭ ତମ ବନ ମହୋତ୍ସବ ଜୁଲାଇ ୧ ରୁ ୭ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି ।
ଏହି ପରିପ୍ରେକ୍ଷୀରେ ବାଲିଗୁଡା ବନାଞ୍ଚଳ ଖମନଖୋଲ ସେକ୍ସନ ର ଲଣ୍ଡାଗାଁ ବିଟ ର ବନପାଳ ଗିରିଶ ଚନ୍ଦ୍ର ସାହୁ ଙ୍କ ତତ୍ଵାବଧାନରେ ଅନାଗୁଲ ସରଂକ୍ଷିତ ଜଙ୍ଗଲର ବାଉଁଶଖୋଲ ଯୋର ଠାରେ ୭୭ ତମ ବନ ମହୋତ୍ସବରେ ୪ ହଜାର ବାଉଁଶ ଚାରା ରୋପଣ କରାଯାଇଛି । ଏହି ଅଞ୍ଚଳରେ ହାତୀ ମାନଙ୍କ ଚଳପ୍ରଚଳ ପଥ ହୋଇଥିବା ବେଳେ ବାଉଁଶ ସେମାନଙ୍କ ପ୍ରଧାନ ଖାଦ୍ୟ ହୋଇଥିବାରୁ ବନ ବିଭାଗ ପକ୍ଷରୁ ପ୍ରାଥମିକତା ଭିର୍ତ୍ତିରେ ବାଉଁଶ ଗଛ କୁ ପ୍ରାଧାନ୍ୟ ଦିଆଯାଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି ।
ସାରା ପୃଥିବୀ ରେ ପରିବେଶ ପରିବର୍ତ୍ତନ କୁ ନେଇ ଚିନ୍ତିତ ଥିବା ବେଳେ ଖାଲିଥିବା ସ୍ଥାନ ରେ ଗଛ ଲଗାଇ ନୂତନ ଜଙ୍ଗଲ ସୃଷ୍ଟି କରିବା ସହ ‘ପ୍ରଥମେ ପ୍ରକୃତି ପରେ ମଣିଷ’ ବାର୍ତ୍ତା ଦିଆଯାଇଛି ।
ବେଳ ଥାଉ ଥାଉ ସୁଧୁରିଯିବା ନଚେତ ମାଡି ଆସିପାରେ ମହାବିପଦ ଏଣୁ ଜଙ୍ଗଲ ସୁରକ୍ଷା ଜରୁରୀ ବୋଲି ଉପସ୍ଥିତ ବନବିଭାଗ ଅଧିକାରୀ,ଲୋକ ପ୍ରତିନିଧି ଓ ବୁଦ୍ଧିଜୀବି ମତବ୍ୟକ୍ତ କରିଥିଲେ । ଏହି କାର୍ୟ୍ୟକ୍ରମ ରେ ସ୍ଥାନୀୟ ଲୋକପ୍ରତିନିଧି, ବିଭିନ୍ନ ବିଦ୍ୟାଳୟ ର ଶିକ୍ଷକ ଛାତ୍ରଛାତ୍ରୀ, ବନ ସୁରକ୍ଷା ସମିତି ସଭ୍ୟ ସଭ୍ୟା , ସମାଜ ସେବୀ, ବନ ବିଭାଗ ର ଅଧିକାରୀ ଓ କର୍ମଚାରୀ ମାନେ ସାମିଲ ହୋଇ ୪ ହଜାର ବାଉଁଶ ଚାରା ରୋପଣ କରି ଥିଲେ ।
ଏହି କାର୍ଯ୍ୟକ୍ରମରେ ବନପାଳ ଗିରିଶ ସାହୁ ,ଫରେଷ୍ଟ ଗାର୍ଡ ଦୀପକ କୁମାର ଖଣ୍ଡଗିରି , ଭିମରାଜ ବେହରଦଲାଇ ,ସମେତ ସରକାରୀ ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ମନୋଜ କୁମାର ସାହୁ , ସଂଜୀବ କୁମାର ବେହେରା ,ଶିକ୍ଷକ ପ୍ରଶାନ୍ତ ନାୟକ ,ସରୋଜ କୁମାର ମଲ୍ଲିକ ,ଦିବ୍ୟଲୋଚନ ମହାରଣା ,ସନ୍ତୋଷ ପ୍ରଧାନ ,ହେମସାଗର କହଁର ,ଜଲନ୍ଧର ପରିଡା ,ସତ୍ୟ ପ୍ରିୟା ନାୟକ ,ସାମ୍ବାଦିକ ସନ୍ତୋଷ କୁମାର ଦାସ , ମନୋରଞ୍ଜନ ରାୟ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସହଯୋଗ କରି ଚାରା ରୋପଣ କରିଥିଲେ ।
ଅଜଣା ଗାଡ଼ି ଧକ୍କାରେ ତିନି ବାଇକ୍ ଆରୋହୀଙ୍କ ମୃତ୍ୟୁ
ବାଲିଗୁଡା,୫ /୭ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମହାସିଙ୍ଗି ନିକଟସ୍ଥ ୫୯ ନଂ ଜାତୀୟ ରାଜପଥ ଖଡ଼ଗ ନଦୀ ପୋଲ ଉପରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।
ଅଜଣା ଗାଡ଼ି ଧକ୍କାରେ ତିନିଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଖବରପାଇ ଘଟଣାସ୍ଥଳରେ ବାଲିଗୁଡ଼ା ପୋଲିସ୍ ପହଁଞ୍ଚି ତିନି ଜଣଙ୍କୁ ଉଦ୍ଧାର କରି ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି । ସୂଚନା ଅନୁଯାୟୀ ଶୁକ୍ରବାର ବିଳମ୍ବିତ ରାତିରେ ଗୋଟିଏ ମୋଟରସାଇକେଲରେ ତିନିଜଣ ଯାଉଥିବା ବେଳେ ଏକ ଅଜଣା ଗାଡ଼ି ସେମାନଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ସୋଇଯାଇଥିଲା । ଉକ୍ତ ତିନି ଜଣ ନବରଙ୍ଗପୁର ଥାନା ଅଞ୍ଚଳ ର ହୋଇଥିବା ବେଳେ ଶୁଭମ ରାଜ ଜେନା (୨୧) ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ସୁନୀଲ ଜାନୀ (୨୭) ଓ ଚନ୍ଦନ ସୁନା (୨୫) ଗୁରୁତର ଆହତ ହୋଇଥିଲେ ।
ଦୁର୍ଘଟଣା ଖବରପାଇ ବାଲିଗୁଡ଼ା ପୋଲିସ୍ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ ।
ସେଠାରେ ଚିକିତ୍ସିତ ଅବସ୍ଥାରେ ଅନ୍ୟ ଦୁଇଜଣଙ୍କର ମଧ୍ୟ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ତିନିଜଣ ମୃତକଙ୍କ ମର ଶରୀର ବ୍ୟବଚ୍ଛେଦ ପାଇଁ ଶବ ବ୍ୟବଚ୍ଛେଦ ଗୃହରେ ରଖାଯାଇଛି । ଏ ନେଇ ବାଲିଗୁଡ଼ା ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।




