ମାଲକାନଗିରିରେ ସଫଳତାର ସହ ଅନୁଷ୍ଠିତ ହେଲା ଜିଲ୍ଲା ଯୁବ ମହୋତ୍ସବ ୨୦୨୭
କ୍ରିଷ୍ନପଦୋ ରାୟଙ୍କ ରିପୋର୍ଟ
ମାଲକାନଗିରି/ଓଡ଼ିଶା,୧୨/୧୧ : ବିକଶିତ ଭାରତ ୟଙ୍ଗ ଲିଡର ଡାଏଲଗ୍ ୨୦୨୭ ଆନୁକୂଲ୍ୟରେ ମାଲକାନଗିରି ଜିଲ୍ଲାରେ ଜିଲ୍ଲା ଯୁବ ମହୋତ୍ସବ ୨୦୨୭ ସଫଳତାର ସହ ଆୟୋଜିତ ହୋଇଯାଇଛି। ଚଳିତ ବର୍ଷ ଏହି ମହୋତ୍ସବର ମୁଖ୍ୟ ପ୍ରସଙ୍ଗ ଥିଲା ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବ ସମାଜ।
ଏହି ଭବ୍ୟ କାର୍ଯ୍ୟକ୍ରମରେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମାଲକାନଗିରି ବିଧାୟକ ନରସିଂହ ମାଡ଼କାମି, ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ୍ଲ, ମାଲକାନଗିରି , ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ସୋମନଥ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ ଏବଂ ଉପଜିଲ୍ଲାପାଳ ଦୁର୍ୟ୍ୟଧନ ଭୋଇ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।
କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ମାନନୀୟ ସାଂସଦ ଶ୍ରୀ ମାଝୀ କହିଥିଲେ ଯୁବସମାଜ ହେଉଛନ୍ତି ବିକଶିତ ଭାରତର ଭବିଷ୍ୟତ। ନିଶାମୁକ୍ତ ରହି ସେମାନେ ଦେଶ ଗଠନ ଓ ରାଷ୍ଟ୍ର ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ।
ମାଲକାନଗିରି ବିଧାୟକ ଶ୍ରୀ ମାଡ଼କାମି ଯୁବପିଢ଼ିଙ୍କୁ ଉତ୍ସାହିତ କରି କହିଥିଲେ ମାଲକାନଗିରିର ଯୁବବର୍ଗଙ୍କ ମଧ୍ୟରେ ଅପାର ପ୍ରତିଭା ଲୁଚି ରହିଛି। ଏକ ନିଶାମୁକ୍ତ ଏବଂ ଶୃଙ୍ଖଳିତ ଜୀବନଶୈଳୀ ସେମାନଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇବାରେ ସାହାର୍ଯ୍ୟ କରିବ।
ସେହିପରି ଚିତ୍ରକୋଣ୍ଡା ବିଧାୟକ ଶ୍ରୀ ଖିଲ୍ଲ ନିଜ ବକ୍ତବ୍ୟରେ କହିଥିଲେ କେବଳ ଏକ ସୁସ୍ଥ ସମାଜ ହିଁ ଏକ ସଶକ୍ତ ରାଷ୍ଟ୍ର ଗଠନ କରିପାରିବ। ଯୁବଗୋଷ୍ଠୀ ନିଶାଦ୍ରବ୍ୟ ଠାରୁ ସମ୍ପୂର୍ଣ୍ଣ ଦୂରେଇ ରହି ନିଜର ଦକ୍ଷତା ତଥା ବୌଦ୍ଧିକ ବିକାଶ ଉପରେ ଧ୍ୟାନ ଦେବା ଉଚିତ୍।
ମାଲକାନଗିରି ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟରୁ ପ୍ରାୟ ୬୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏହି ଯୁବ ମହୋତ୍ସବରେ ଅତ୍ୟନ୍ତ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ଦେଶ ଗଠନ, ବିକାଶ ଏବଂ ଏକ ସୁସ୍ଥ ତଥା ନିଶାମୁକ୍ତ ସମାଜ ନିର୍ମାଣ ଦିଗରେ ଯୁବପିଢ଼ିଙ୍କ ପ୍ରମୁଖ ଭୂମିକା ଉପରେ ଏହି କାର୍ଯ୍ୟକ୍ରମ ଜରିଆରେ ବାର୍ତ୍ତା ପ୍ରଦାନ କରାଯାଇଥିଲା।
ସମଗ୍ର କାର୍ଯ୍ୟକ୍ରମକୁ ଜିଲ୍ଲା କ୍ରୀଡା ଅଧିକାରୀ ମୁନା ତୁରୁକ ଆୟୋଜନ କରିଥିବା ବେଳେ କ୍ରୀଡା ବିଭାଗର ସମସ୍ତ କର୍ମଚାରୀ ଏଥିରେ ସହଯୋଗ କରିଥିଲେ।




