Odisha News

ମା’ଙ୍କ ଦର୍ଶନ ସାରି ଫେରୁଥିଲେ, ଡିଭାଇଡର୍‌ରେ ପିଟି ହୋଇ ଚାଲିଗଲା ୨ ଯୁବ ଆଥଲେଟଙ୍କ ଜୀବନ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ଭୁବନେଶ୍ୱର, ୨୨/୧୦ : ଓଡ଼ିଶା କ୍ରୀଡ଼ା ଜଗତକୁ ସ୍ତବ୍ଧ କରିଦେଇଛି ଏକ ଦୁଃଖଦ ଖବର। ସଡ଼କ ଦୁର୍ଘଟଣାରେ ଦୁଇ ଉଦୀୟମାନ ଆଥଲେଟ୍‌ଙ୍କ ମୃତ୍ୟୁ ହୋଇଛି। ମୃତକ ଦୁଇଜଣ ହେଲେ ମୃତ୍ୟୁଞ୍ଜୟ ଜୟରାମ ଦଣ୍ଡପାଟ ଓ ମଳୟ ବାରିକ। ଉଭୟଙ୍କ ଅକାଳ ବିୟୋଗରେ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।
ସୂଚନା ଅନୁସାରେ, କଟକ-ଭୁବନେଶ୍ୱର ଜାତୀୟ ରାଜପଥର ନଖରା ନିକଟରେ ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିଲା। ରାତି ପ୍ରାୟ ୧୦ଟା ୩୦ ମିନିଟ୍ ସମୟରେ ଦୁର୍ଘଟଣା ଘଟିବା ପରେ ଉଭୟଙ୍କୁ ଚିକିତ୍ସା ପାଇଁ କଟକସ୍ଥିତ ଏସ୍‌ସିବି ମେଡିକାଲ୍ କଲେଜ ଓ ହସ୍ପିଟାଲ୍‌କୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।
ମୃତ୍ୟୁଞ୍ଜୟ ଜୟରାମ ଦଣ୍ଡପାଟ ଜଣେ ପ୍ରତିଭାବାନ ଧାବକ ଥିଲେ। ସେ ଦେଶର ଦ୍ରୁତତମ ଅଣ୍ଡର-୨୩ ଧାବକଙ୍କ ମଧ୍ୟରେ ନିଜର ସ୍ଥାନ ସୃଷ୍ଟି କରିଥିଲେ। ସେହିପରି ମଳୟ ବାରିକ ୪୦୦ ମିଟର ଦୌଡ଼ରେ ନିଜ ପ୍ରତିଭା ଦେଖାଇଥିଲେ। ଉଭୟ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍‌ସ୍ଥିତ ହାଇ ପରଫର୍ମାନ୍ସ ସେଣ୍ଟରରେ ପ୍ରଶିକ୍ଷଣ ନେଉଥିଲେ।
ଦେଶ ଓ ରାଜ୍ୟ ପାଇଁ ଅଧିକ ସଫଳତା ଆଣିବାର ସ୍ୱପ୍ନ ଦେଖୁଥିବା ଏହି ଦୁଇ ଯୁବ ଖେଳାଳିଙ୍କ ଅକାଳ ମୃତ୍ୟୁ ଏକ ବଡ଼ କ୍ଷତି। ସେମାନଙ୍କ ଅନୁପସ୍ଥିତି ଓଡ଼ିଶାର ଆଥଲେଟିକ୍ସ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ହୋଇ ରହିବ।

Related Posts