Odisha News

ବୌଦ୍ଧ ଜିଲ୍ଲାରେ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ : ଯୋଗଦେଲେ କଣ୍ଟାମାଳ ବିଧାୟକ , ଜୁନ ୨ ତାରିଖରୁ ଖୋଲିବ ମଣ୍ଡି

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୯/୫: ବୌଦ୍ଧ ଜିଲ୍ଲାରେ ଖରିଫ ବିପଣନ ବର୍ଷ ୨୦୨୫-୨୬ ପାଇଁ ରବି ଧାନ ସଂଗ୍ରହ ପ୍ରସ୍ତୁତି ସମ୍ପର୍କିତ ଜିଲ୍ଲା ସ୍ତରୀୟ ବୈଠକ ଆଜି ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି ।
ଏହି ବୈଠକରେ ମାନ୍ୟବର କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀଯୁକ୍ତ କହ୍ନାଇ ଚରଣ ଡାଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାଷୀମାନଙ୍କ ସୁବିଧା, ସ୍ୱଚ୍ଛ ଓ ସୁବ୍ୟବସ୍ଥିତ ଧାନ ସଂଗ୍ରହ ଉପରେ ଗୁରୁତ୍ୱାରୋପ କରିଥିଲେ ।
ଜିଲ୍ଲାପାଳ ଶ୍ରୀ ବିଭୁତି ଭୂଷଣ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ କନ୍ଧମାଳ ସାଂସଦଙ୍କ ପ୍ରତିନିଧି ଯୁଗଳ କିଶୋର ସାମଲ, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଉପ-ଜିଲ୍ଲାପାଳ ବିନୟ କୁମାର ଭୋଇଙ୍କ ସମେତ ଯୋଗାଣ ବିଭାଗ , ସମବାୟ ବିଭାଗ ଏବଂ ସମ୍ପୃକ୍ତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, କୃଷକ ପ୍ରତିନିଧି , ମିଲର ପ୍ରତିନିଧି , ଗଣ ମାଧ୍ୟମ ପ୍ରତିନିଧି ଯୋଗ ଦେଇଥିଲେ। ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀନାଥ ହଂସଦା ସମସ୍ତଙ୍କୁ ସ୍ଵାଗତ କରି ବୈଠକ ର ଆଭିମୁଖ୍ୟ ଉପସ୍ଥାପନା କରିଥିଲେ ।ଆଲୋଚନାରୁ ଜଣାଗଲାଯେ, ଚଳିତ ରବି ଋତୁ ପାଇଁ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୧,୮୮,୯୫୦ କ୍ୱିଣ୍ଟାଲ ଧାନ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।
ଏଥିପାଇଁ ୮,୨୯୦ ଜଣ ଚାଷୀ ପଞ୍ଜିକୃତ ହୋଇଥିବାବେଳେ ୨୪ଟି ପ୍ୟାକ୍ସ ଅଂଶଗ୍ରହଣ କରିବେ ଓ ୧୩ ଟି ମିଲ ଧାନ ସଂଗ୍ରହ ପ୍ରକ୍ରିୟାରେ ସାମିଲ ହେବେ ।
ବୈଠକରେ ପ୍ରତ୍ୟେକ ପ୍ୟାକ୍ସ ଓ ପିପିସିରେ ପାନୀୟ ଜଳ, ବିଶ୍ରାମ ସ୍ଥଳ, ଶୌଚାଳୟ ଆଦି ମୌଳିକ ସୁବିଧା ଯୋଗାଇଦେବା, ମିନି ଗ୍ରେଡର, ମଏସ୍ଚର ମିଟର, କମ୍ପ୍ୟୁଟରାଇଜ୍ଡ ଓଜନ ଯନ୍ତ୍ର, ତରପୋଲିନ ଓ ପଲିଥିନ ସିଟ୍ ଇତ୍ୟାଦି ବ୍ୟବସ୍ଥା କରାଯିବା ଉପରେ ଜିଲ୍ଲାପାଳ ଗୁରୁତ୍ବ ଦେଇଥିଲେ । ପ୍ରତ୍ୟେକ ପିପିସିରେ ସିସିଟିଭି ସ୍ଥାପନ କରାଯାଇ ଜିଲ୍ଲା ଓ ରାଜ୍ୟ କଣ୍ଟ୍ରୋଲ ରୁମ ସହ ଲାଇଭ୍ ଫିଡ୍ ସଂଯୋଗ କରାଯିବ।
ଚାଷୀମାନଙ୍କ ଅଭିଯୋଗର ତୁରନ୍ତ ସମାଧାନ ପାଇଁ ଜିଲ୍ଲା ସ୍ତରରେ କଣ୍ଟ୍ରୋଲ ରୁମ ଖୋଲାଯିବା ସହ ମଣ୍ଡିଗୁଡିକରେ ନୋଡାଲ ଅଫିସର ଓ ସୁପରଭାଇଜିଂ ଅଫିସର ନିଯୁକ୍ତ କରାଯିବ । ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କୃଷକ ମାନଙ୍କ ଅଭିଯୋଗ ଶୁଣାଣୀ ସେଲ ଗଠନ ହେବ ।
ଜିଲ୍ଲା ସ୍ତରୀୟ ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ଗଠନ କରାଯାଇ ଧାନ ସଂଗ୍ରହ ପ୍ରକ୍ରିୟାର ତଦାରଖ କରାଯିବା ସହ ପଡୋଶୀ ଜିଲ୍ଲାରୁ ଅନଧିକୃତ ଧାନ ପ୍ରବେଶ ରୋକିବା ପାଇଁ ସୀମା ସିଲିଂ କରାଯିବ ବୋଲି ସୂଚନା ଦିଆଯାଇଥିଲା ।
କୃଷକ ଓ ମିଲର ପ୍ରତିନିଧି ମାନେ ଧାନ କ୍ରୟ ଓ ସଂଗ୍ରହ ସମ୍ବନ୍ଧିତ ବିଭିନ୍ନ ସମସ୍ୟା ଉପସ୍ଥାପନ କରିଥିଲେ । ସର୍ବ ସମ୍ମତି କ୍ରମେ ଜୁନ୍ ୨ ତାରିଖରୁ ଜିଲ୍ଲାରେ ଧାନ ମଣ୍ଡି ଖୋଲିବା ପାଇଁ ନିଷ୍ପତ୍ତି ନିଆଗଲା ।
ମାନ୍ୟବର ବିଧାୟକ ସମସ୍ତ ବିଭାଗ, ମିଲର, ସମବାୟ ସମିତି ଓ ସମ୍ପୃକ୍ତ ଅଧିକାରୀମାନଙ୍କୁ ପରସ୍ପର ସହଯୋଗରେ ଧାନ ସଂଗ୍ରହ କାର୍ଯ୍ୟ ସଫଳ କରିବାକୁ ଅନୁରୋଧ କରିଥିଲେ । ଚାଷୀମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହେବେ ଏବଂ ସଠିକ୍ ଭାବେ ଧାନ କ୍ରୟ କାର୍ଯ୍ୟ ସମ୍ପନ୍ନ ହେବ ସେଥିପାଇଁ ଜିଲ୍ଲାପାଳ ସମସ୍ତ ଅଧିକାରୀ ଓ ମିଲର ମାନଙ୍କୁ ସଚେତନ ଓ ଦାୟିତ୍ୱବାନ ହୋଇ କାମ କରିବା ସହିତ ଶତ ପ୍ରତିଶତ ସଫଳତା ହାସଲ କରିବା ପାଇଁ ଆହ୍ୱାନ ଦେଇଥିଲେ ।

Related Posts